Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Long Answer Questions Part-2
CHSE Odisha 12th Class Political Science Chapter 4 Long Answer Questions in Odia Medium Part-2
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ପଞ୍ଚାୟତ ସମିତିର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ରାଜ୍ୟର ପ୍ରତି ଜିଲ୍ଲା କେତୋଟି ବ୍ଲକ୍କୁ ନେଇ ଗଠିତ ଏବଂ ପ୍ରତି ବ୍ଲକ୍ରେ ଗୋଟିଏ ପଞ୍ଚାୟତ ସମିତି ଥାଏ । ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ଅଛି । ପ୍ରତି ବ୍ଲକ୍ରେ ୧୦ରୁ ୧୫ଗୋଟି ଗ୍ରାମପଞ୍ଚାୟତ ଥାଏ ।
ଗଠନ – ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ମଧ୍ଯମ ସୋପାନ । ଏହା ସରକାରୀ ଓ ବେସରକାରୀ ସଭ୍ୟଙ୍କୁ ନେଇ ଗଠିତ । ବେସରକାରୀ ସଭ୍ୟଙ୍କର ଭୋଟ ଦେବା ଅଧିକାର ଥାଏ; କିନ୍ତୁ ପଞ୍ଚାୟତ ସମିତିର ସରକାରୀ ସଭ୍ୟଙ୍କ ଭୋଟ ଦେବା ଅଧିକାର ନଥାଏ ।
ପଞ୍ଚାୟତ ସମିତିର ବେସରକାରୀ ସଭ୍ୟମାନେ ହେଲେ –
- ସମିତି ସଭ୍ୟ,
- ଯେଉଁ ଗ୍ରାମପଞ୍ଚାୟତମାନଙ୍କୁ ନେଇ ପଞ୍ଚାୟତ ସମିତି ଗଠିତ ସେହିସବୁ ଗ୍ରାମପଞ୍ଚାୟତର ସରପଞ୍ଚମାନେ,
- ପଞ୍ଚାୟତ ସମିତିର ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ,
- ବ୍ଲକ୍ ମଧ୍ୟରେ ଥିବା ୨୦ ହଜାରରୁ କମ୍ ଲୋକସଂଖ୍ୟା ବିଶିଷ୍ଟ ପୌରସଂସ୍ଥା ବା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ,
- ଯେଉଁ ବିଧାୟକ ଓ ଲୋକସଭା ସଦସ୍ୟଙ୍କ ନିର୍ବାଚନମଣ୍ଡଳୀ ଭିତରେ ବ୍ଲକ୍ ଅନ୍ତର୍ଭୁକ୍ତ ସେହି ବିଧାୟକ ଓ ଲୋକସଭା ସଦସ୍ୟ । ସରକାରୀ ସଭ୍ୟଙ୍କ ତାଲିକା –
(i) ବି.ଡ଼ି.ଓ.,
(ii) ବ୍ଲକ୍ସ୍ତରୀୟ ଅନ୍ୟ ଅଫିସର ଯଦିଓ ଅଫିସରମାନଙ୍କର
ଅଧ୍ୟକ୍ଷ – ପଞ୍ଚାୟତ ସମିତିର ଅଧ୍ଯକ୍ଷ ସମିତି ସଭ୍ୟଙ୍କଦ୍ବାରା ନିର୍ବାଚିତ ହୁଅନ୍ତି । ଯଦିଓ ଏହା ପୂର୍ବରୁ ସେ ସରପଞ୍ଚ ଓ ୱାର୍ଡ଼ମେମ୍ବରମାନଙ୍କଦ୍ବାରା ନିର୍ବାଚିତ ହେଉଥିଲେ । ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇଥା’ନ୍ତି ଓ ସେ ମଧ୍ୟ ସମାନ ପ୍ରକ୍ରିୟାରେ ନିର୍ବାଚିତ ହୁଅନ୍ତି । ଏହାଛଡ଼ା ଅଧ୍ଯକ୍ଷ ତାଙ୍କୁ ଯେଉଁସବୁ କାର୍ଯ୍ୟ ଦିଅନ୍ତି ଉପାଧ୍ୟକ୍ଷ ସେହିସବୁ କାର୍ଯ୍ୟ କରନ୍ତି । ଅଧ୍ୟକ୍ଷଙ୍କ ନିର୍ବାଚନର ଦୁଇ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ ଅନାସ୍ନା ପ୍ରସ୍ତାବ ଆଗତ କରାଯାଇପାରିବ ନାହିଁ । ଯଦି ଥରେ ଅନାସ୍ଥା ପ୍ରସ୍ତାବ ନାକଚ ହୁଏ ତା’ହେଲେ ତାହାର ବର୍ଷକ ମଧ୍ୟରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆସିପାରିବ ନାହିଁ ।
ଅଧ୍ଯକ୍ଷଙ୍କ ବିରୁଦ୍ଧରେ ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନରେ ଯଦି ଅନାସ୍ଥା ପ୍ରସ୍ତାବ ଗୃହୀତ ହୁଏ ତା’ହେଲେ ସେ ଇସ୍ତଫା ଦିଅନ୍ତି । ସେ ସମିତିର କାର୍ଯ୍ୟପାଳିକା ମୁଖ୍ୟ । ସେ ପଞ୍ଚାୟତ ସମିତିର ବୈଠକ ଆହ୍ବାନ କରନ୍ତି ଓ ଏଥିରେ ଅଧ୍ୟକ୍ଷତା କରନ୍ତି । ସମିତି ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି । ସମସ୍ତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସେ ତଦାରଖ କରନ୍ତି । ବ୍ଲକ୍ ଅଫିସରମାନଙ୍କ ଗୁପ୍ତ ପଞ୍ଜିକା ଲେଖନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ହୋଇଥା’ନ୍ତି ।
ସଂରକ୍ଷିତ ବ୍ୟବସ୍ଥା:
ସମ୍ବିଧାନର ୭୩ ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଆଦିବାସୀ, ହରିଜନଙ୍କ ପାଇଁ ୩୦% ସ୍ଥାନ ଓ ମହିଳାଙ୍କପାଇଁ ସ୍ଥାନ ସଂରକ୍ଷିତ ରୁହେ ।
କାର୍ଯ୍ୟକାଳ:
ସାଧାରଣତଃ ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ଛଅମାସ ମଧ୍ୟରେ ସାନି ନିର୍ବାଚନ କରାଇପାରନ୍ତି ।
କାର୍ଯ୍ୟାବଳୀ :
- ବ୍ଲକ୍ ସ୍ତରରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଯୋଜନା, ସମ୍ପାଦନା ଓ ତଦାରଖ,
- ବ୍ଲକ୍ରେ ପ୍ରାଥମିକ ଶିକ୍ଷାର ନିୟନ୍ତ୍ରଣ,
- ଗ୍ରାମପଞ୍ଚାୟତଗୁଡ଼ିକର କାର୍ଯ୍ୟ ତଦାରଖ ଓ ସଂଯୋଜନା,
- ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ,
- ଗ୍ରାମପଞ୍ଚାୟତର ବଜେଟ୍ ମଞ୍ଜୁରୀ,
- ରଣ ସଂଗ୍ରହ,
- ପଞ୍ଚାୟତ ସମିତି କର୍ମଚାରୀଙ୍କ ପାଇଁ ନିୟମ ପ୍ରଣୟନ,
- ପଞ୍ଚାୟତ ସମିତିର ବଜେଟ୍ ଅନୁମୋଦନ ଇତ୍ୟାଦି ।
ରାଜସ୍ବ ପନ୍ଥା :
- ସରକାରଙ୍କ ଅନୁଦାନ,
- ଗ୍ରାମ୍ୟ ଉନ୍ନୟନ ଯୋଜନାରେ ବିଶେଷ ଅନୁଦାନ,
- ଏହା ଅଧୀନରେ ଥିବା ଦେବୋତ୍ତର ଓ ଅନ୍ୟାନ୍ୟ ଟ୍ରଷ୍ଟରୁ ଆୟ,
- ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ କ୍ରମେ ସଂଗୃହୀତ ଋଣ ।
ସରକାରଙ୍କ ନିୟନ୍ତ୍ରଣ :
- ଜିଲ୍ଲାପାଳ ପଞ୍ଚାୟତ ସମିତି ପରିଦର୍ଶନ କରିପାରିବେ ଓ ତା’ର ରେକର୍ଡ଼ପତ୍ର ତଦାରଖ କରିପାରିବେ । ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ଏଥିପାଇଁ ପଠାଇପାରିବେ ।
- ଯଦି ପଞ୍ଚାୟତ ସମିତିର କୌଣସି ନିଷ୍ପତ୍ତି ରାଜ୍ୟ ଆଇନ ବିରୋଧରେ ଯାଏ ତା’ହେଲେ ସରକାର ତାକୁ ନାକଚ କରିପାରିବେ ।
- ଯଦି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷମତାର ଅପବ୍ୟବହାର କରିବାର ଜଣାଯାଏ ତା’ହେଲେ ସରକାର ତାଙ୍କୁ ପଦଚ୍ୟୁତ କରିପାରିବେ ।
- ସରକାର ପଞ୍ଚାୟତ ସମିତିକୁ ଭାଙ୍ଗିଦେଇ ପାରିବେ ।
୨ । ଜିଲ୍ଲା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ପଞ୍ଚାୟତିରାଜ ସଂଗଠନର ସର୍ବୋଚ୍ଚ ସୋପାନ ରୂପେ ଜିଲ୍ଲା ପରିଷଦ ୧୯୬୧ ମସିହାଠାରୁ ଓଡ଼ିଶାର ୧୩ ଗୋଟି ଜିଲ୍ଲାରେ କାର୍ଯ୍ୟାରମ୍ଭ କରିଥିଲା । କିନ୍ତୁ ୧୯୬୮ ମସିହାରୁ ଏହି ସଂସ୍ଥାର ଉଚ୍ଛେଦ କରାଯାଇ ଜିଲ୍ଲା ପରାମର୍ଶଦାତା ପରିଷଦ ଗଠନ କରାଗଲା । ମାତ୍ର ୧୯୯୩ ମସିହାଠାରୁ ପୁନଶ୍ଚ ଜିଲ୍ଲା ପରିଷଦ ସଂସ୍ଥା ଗଠନ କରାଯାଇଥିବାରୁ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠିତ ହୋଇଛି ।
ଗଠନ –
(a) ବେସରକାରୀ ସଦସ୍ୟ :
- ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ବା ପଞ୍ଚାୟତ ସମିତିରୁ ନିର୍ବାଚିତ ୨ ଜଣ ପ୍ରତିନିଧ୍ଵ ।
- ଜିଲ୍ଲାର ସମସ୍ତ ସଂସଦ ସଭ୍ୟ ଓ ବିଧାନସଭା ସଦସ୍ୟ ପଦୋଚିତ ସଦସ୍ୟତା ଗ୍ରହଣ କରନ୍ତି ।
- ପଞ୍ଚାୟତ ସମିତି, ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ପଦୋଚିତ ସଦସ୍ୟତା ପ୍ରାପ୍ତ ହୁଅନ୍ତି ।
- କେନ୍ଦ୍ର ସମବାୟ ସମିତିର ଚେୟାରମ୍ୟାନ୍ ଏବଂ ବନ୍ଧକ ସମ୍ପତ୍ତିର ଚେୟାରମ୍ୟାନ୍ ପଦୋଚିତ ସଦସ୍ୟ ଅଟନ୍ତି ।
(b) ସରକାରୀ ସଦସ୍ୟ :
- ସରକାରଙ୍କ ଜିଲ୍ଲାସ୍ତରୀୟ ଅଧିକାରୀ
- ଉପ-ଜିଲ୍ଲାପାଳ
- ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ
- ଜିଲ୍ଲା ଉନ୍ନୟନ ଅଧିକାରୀ
ଚେୟାରମ୍ୟାନ୍ :
ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ ବା ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦସ୍ୟଙ୍କ ଭିତରୁ ଜଣେ ଚେୟାରମ୍ୟାନ୍ ଓ ଅନ୍ୟ ଜଣେ ଭାଇସ୍ ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ରୂପେ ସେମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶା ଜିଲ୍ଲା ପରିଷଦ ଆଇନ, ୧୯୯୧ ଅନୁସାରେ ଜିଲ୍ଲାପାଳ ପରିଷଦର କାର୍ଯ୍ୟକାରୀ ଅଧିକାରୀ ହିସାବରେ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ସମ୍ପାଦକ ରୂପେ କାର୍ଯ୍ୟ ନିର୍ବାହ କରିଥା’ନ୍ତି । ଓଡ଼ିଶାରେ ବର୍ତ୍ତମାନ ୧୦ଟି ଚେୟାରମ୍ୟାନ୍ ପଦ ମହିଳା ଓ ୬ଟି ପଦ ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।
କାର୍ଯ୍ୟକାଳ :
ଜିଲ୍ଲା ପରିଷଦର ସାଧାରଣ କାର୍ଯ୍ୟକାଳ ପାଞ୍ଚବର୍ଷ । ସରକାର ଏହାକୁ କାର୍ଯ୍ୟକାଳ ମଧ୍ଯରେ ଭାଙ୍ଗି ଦେଇପାରିବେ ।
ବୈଠକ :
ବର୍ଷକୁ ଅନ୍ତତଃ ତିନିଥର ବୈଠକ ବସିବ । ଏହାର କାର୍ଯ୍ୟ ପରିଚାଳନା ନିୟମ ସରକାର ପ୍ରଣୟନ କରିଥା’ନ୍ତି ।
ଜିଲ୍ଲା ପରିଷଦର ସମିତି ବ୍ୟବସ୍ଥା :
ଜିଲ୍ଲା ପରିଷଦ ସାଧାରଣତଃ ସମିତିମାନଙ୍କ ଜରିଆରେ କାର୍ଯ୍ୟ ନିର୍ବାହ କରିଥାଏ । ସମିତି ପ୍ରଥା ପରିଷଦର ବ୍ୟାପାର ପରିଚାଳନା ପାଇଁ ଏକ ଦକ୍ଷ ଉପାୟ ଅଟେ । ଏହାର କେତେକ ସଭ୍ୟଙ୍କୁ ନେଇ ଚେୟାରମ୍ୟାନ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସମିତି ଗଠନ କରିଥା’ନ୍ତି । ସେହି ସମିତି ଏକ ନିର୍ଦ୍ଦିଷ୍ଟ ବିଷୟରେ ଅନୁସନ୍ଧାନ କରି ତଥ୍ୟ ଓ ପ୍ରସ୍ତାବ ଉପସ୍ଥାପନ କରିଥାଏ । ଜିଲ୍ଲା ପରିଷଦର କାର୍ଯ୍ୟ ପରିସର ବ୍ୟାପକ ହୋଇଥିବାରୁ ସମିତି ପ୍ରଥାର ଗୁରୁତ୍ଵ ଯଥେଷ୍ଟ ଅଧୁକ ଅଟେ । ସମିତି ଜରିଆରେ ବିଭିନ୍ନ ବିଷୟର ଉପଯୁକ୍ତ ବିଚାର ସମ୍ଭବ ହୋଇଥାଏ । ଜିଲ୍ଲା ପରିଷଦର ନିମ୍ନଲିଖୁତ ବିଷୟରେ ସ୍ଥାୟୀ ସମିତି (Standing Committee) ରହିଥାଏ; ଯଥା –
- ଗୋଷ୍ଠୀ ଉନ୍ନୟନ,
- କୃଷି-ସମବାୟ, ଜଳସେଚନ, ଶକ୍ତି ଓ ଗୋପାଳନ,
- ଶିଳ୍ପ,
- ଶିକ୍ଷା ଓ ସମାଜ କଲ୍ୟାଣ,
- ଅର୍ଥ ଓ ରାଜସ୍ଵ,
- ଜନସ୍ବାସ୍ଥ୍ୟ ।
ଜିଲ୍ଲା ପରିଷଦର କାର୍ଯ୍ୟାବଳୀ :
ବର୍ତ୍ତମାନର ଜିଲ୍ଲା ପରିଷଦମାନଙ୍କର ବାସ୍ତବ କାର୍ଯ୍ୟାବଳୀ ଓ ମେହେଟ୍ଟା ସମିତିର ସୁପାରିସକୁ ବିଚାରକୁ ନେଲେ ଏଥିରେ ଅନେକ ବ୍ୟତିକ୍ରମ ପରିଦୃଷ୍ଟ ହୋଇଥାଏ । ମେହେଟ୍ଟା ସମିତି ଜିଲ୍ଲା ପରିଷଦକୁ ସମ୍ପୂର୍ଣ ଭାବେ ଏକ ସମନ୍ଵୟକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବାକୁ ମତ ଦେଇଥିଲା । କମିଟିର ଯୁକ୍ତି ଥିଲା ଯେ କାର୍ଯ୍ୟପାଳିକା ଦାୟିତ୍ବରେ ପରିଷଦ ବ୍ୟସ୍ତ ରହିଲେ ତାହା ନିରପେକ୍ଷତା ଓ ଦକ୍ଷତାର ସହ ସଂଯୋଗ ରକ୍ଷାକାରୀ ଅନୁଷ୍ଠାନ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରିପାରିବ ନାହିଁ । କିନ୍ତୁ ରାଜ୍ୟ ସରକାରମାନେ ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରି କେତେକ କାର୍ଯ୍ୟପାଳିକା କ୍ଷମତା ସହ ସମନ୍ଵୟ ଦାୟିତ୍ଵ ଏହି ପରିଷଦ ଉପରେ ଅର୍ପଣ କରିଛନ୍ତି । ନିମ୍ନରେ ଜିଲ୍ଲା ପରିଷଦର ତତ୍ତ୍ୱାବଧାନ, କାର୍ଯ୍ୟପାଳିକା, ସମନ୍ଵୟ ରକ୍ଷା ଓ ଉପଦେଶାତ୍ମକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି ।
(a) ତତ୍ତ୍ଵାବଧାନ (Supervisory) କ୍ଷମତା :
- ଜିଲ୍ଲା ପରିଷଦ ପଞ୍ଚାୟତ ସମିତିର ବାର୍ଷିକ ଆୟବ୍ୟୟର ଅଟକଳର ନିରୀକ୍ଷା ଓ ଅନୁମୋଦନ କରିଥାଏ ।
- ଏହା ପଞ୍ଚାୟତ ସମିତିଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ପ୍ରଶାସନିକ ନିର୍ଦ୍ଦେଶନାମା ଜାରି କରିଥାଏ, ଯାହାକି
- ପଞ୍ଚାୟତ ସମିତିଠାରୁ ଯେକୌଣସି ନଥୁପତ୍ର ବା ତଥ୍ୟ ମାଗି ପାରିବାର କ୍ଷମତା ପରିଷଦର ଅଛି ।
- ରାଜ୍ୟ ସରକାରଙ୍କ ସମର୍ଥନ ସହ ଏହା ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିପାରେ ।
(b) ସମନ୍ବୟ ବା ସଂଯୋଗ ରକ୍ଷାକାରୀ (Co-ordination) କାର୍ଯ୍ୟ :
- ପଞ୍ଚାୟତ ସମିତିର ବିକାଶମୂଳକ ଯୋଜନାଗୁଡ଼ିକର ସମନ୍ଵୟ ରକ୍ଷା ।
- ଏକାଧିକ ପଞ୍ଚାୟତ ସମିତି ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ସମଜାତୀୟ କାର୍ଯ୍ୟର ସମନ୍ଵୟ ରକ୍ଷା ।
- ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନକୁ ଅଧୀନସ୍ଥ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ବଣ୍ଟନ ।
- ପଞ୍ଚାୟତିରାଜ ସଂଗଠନକୁ ରାଜ୍ୟ ଓ ପ୍ରଶାସନ ସହ ସଂଯୋଜିତ କରିବା ।
- ସରକାରୀ କର୍ମଚାରୀ ଗୋଷ୍ଠୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟଧାରା ମଧ୍ଯରେ ସଂଯୋଗ ସ୍ଥାପନ ।
(c) କାର୍ଯ୍ୟପାଳିକା (Executive) କାର୍ଯ୍ୟ :
- ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହା ଜିଲ୍ଲାର ଯେକୌଣସି ଉନ୍ନୟନମୂଳକ ଯୋଜନାର କାର୍ଯ୍ୟପାଳିକା କ୍ଷେତ୍ରରେ ନିୟନ୍ତ୍ରଣ ଜାରି କରିପାରେ ।
- ପଶୁପାଳନ, ମତ୍ସ୍ୟଚାଷ ଓ ଯୋଗାଯୋଗ କ୍ଷେତ୍ରରେ ରାଜ୍ୟ ସରକାର ଜିଲ୍ଲା ପରିଷଦକୁ ସ୍ବତନ୍ତ୍ର ଦାୟିତ୍ଵ ହୋଇଥା’ନ୍ତି ।
- ଏହା ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ଘଟୁଥିବା ବିବାଦ ତଥା ବିନିମୟ କାର୍ଯ୍ୟକୁ ଜିଲ୍ଲାପାଳ ଓ ରାଜସ୍ୱ କମିଶନରଙ୍କୁ ଜଣାଇଥାଏ ।
- ଏହା ଜିଲ୍ଲାର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କ କାର୍ଯ୍ୟାବଳୀ ସମ୍ବନ୍ଧରେ ପରିସଂଖ୍ୟାନ ଓ ତଥ୍ୟ ସଂଗ୍ରହ କରେ ।
- ଏହା ରାଜ୍ୟ ସରକାରଙ୍କଦ୍ବାରା ଅର୍ପିତ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଥାଏ ।
(d) ଉପଦେଶାତ୍ମକ (Advisory) କାର୍ଯ୍ୟ :
- ଜିଲ୍ଲାର ସମସ୍ତ ବିକାଶମୂଳକ ଯୋଜନାର ପ୍ରଣୟନ ଓ ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
- ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
- ଜିଲ୍ଲା ପରିଷଦ ପଞ୍ଚାୟତ ସମିତିକୁ ତାହାର କାର୍ଯ୍ୟ କ୍ଷେତ୍ରରେ ଉପଦେଶ ଦେଇଥାଏ ।
ଏଣୁ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ସଙ୍ଗଠନରେ ସୁଦକ୍ଷ ସମନ୍ବୟ ଓ ନିୟନ୍ତ୍ରଣ ରକ୍ଷାପାଇଁ ପରିଷଦର ଗୁରୁ ଦାୟିତ୍ଵ ରହିଛି । ପରିଷଦ ତାହାର ସମନ୍ବୟ ଓ ପରିଦର୍ଶନ କାର୍ଯ୍ୟକୁ କର୍ତ୍ତୃତ୍ଵ ଜାରି ଭୂମିକାରେ ପରିବର୍ତ୍ତନ କରିବା ଉଚିତ ନୁହେଁ । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉତ୍ସାହିତ କରିବା ଉଚିତ । ଗ୍ରାମ୍ୟ ଜୀବନକୁ ସରସ, ସୁନ୍ଦର, ଦକ୍ଷ ଓ ପୂର୍ଣ୍ଣାଙ୍ଗ କରିବାପାଇଁ ପରିଷଦ କ୍ଷମତା ବିକେନ୍ଦ୍ରୀକରଣ ନୀତିକୁ ସମୁଚିତ ପୃଷ୍ଠପୋଷକତା ଦେବା ବାଞ୍ଛନୀୟ । କିନ୍ତୁ ବିଧାନମଣ୍ଡଳ ଓ ସଂସଦର ସଦସ୍ୟମାନଙ୍କୁ ପରିଷଦର ସଦସ୍ୟଭାବେ ଗ୍ରହଣ କରାଯିବା ଫଳରେ ରାଜନୀତିର କୁ-ପ୍ରଭାବ ଏହି ସଂସ୍କାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ପଡ଼ୁଛି ।
ପୁନଶ୍ଚ, ଜିଲ୍ଲାପାଳଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ଚାପ ହେତୁ ଏହି ସଂସ୍ଥାର ସ୍ଵାଧୀନ ଓ ଗଣତାନ୍ତ୍ରିକ କାର୍ଯ୍ୟ ସମ୍ପାଦନ ବାଧାପ୍ରାପ୍ତ ହେଉଛି । ବଳବନ୍ତରାୟ ମେହେଟ୍ଟା ସମିତି ଜିଲ୍ଲା ସ୍ତରୀୟ ସମସ୍ତ ବୈଷୟିକ ଓ ପ୍ରଶାସନିକ ମୁଖ୍ୟମାନଙ୍କୁ ଜିଲ୍ଲା ପରିଷଦର ପୂର୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପରିଷଦକୁ ଅଧିକ ଗଣତାନ୍ତ୍ରିକ ଓ ପ୍ରତିନିଧୁତ୍ଵସମ୍ପନ୍ନ କରିବାପାଇଁ ଲୋକ ପ୍ରତିନିଧୁମାନଙ୍କୁ ଅଧିକ ସଂଖ୍ୟାରେ ଏହାର ପୂର୍ଣ୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରାଯାଇଛି ।
୩ । ଓଡ଼ିଶାରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ବରୂପ, ସମସ୍ୟା ଓ ସମସ୍ୟା ନିରାକରଣର ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଲର୍ଡ଼ ରିପନ୍ଙ୍କୁ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ଜନକ ଭାବେ ଗ୍ରହଣ କରାଯାଇଥାଏ । ପୌର ଓ ଗ୍ରାମ୍ୟ ପ୍ରଶାସନର ଉନ୍ନତି ନିମନ୍ତେ ଜିଲ୍ଲା ବୋର୍ଡ଼ ଓ ଲୋକାଲ ବୋର୍ଡ଼ ପ୍ରତିଷ୍ଠିତ ହେଲା । ୧୮୮୭ ମସିହା ଏପ୍ରିଲ ମାସରେ ଓଡ଼ିଶାରେ କଟକ ଜିଲ୍ଲାବୋର୍ଡ଼, ଯାଜପୁର ଓ କେନ୍ଦ୍ରାପଡ଼ା ଲୋକାଲ୍ ବୋର୍ଡ଼ ପ୍ରତିଷ୍ଠା କରାଗଲା । ଏହି ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ତିନି-ଚତୁର୍ଥାଂଶ ସଭ୍ୟ ନିର୍ବାଚିତ ଏବଂ ଅନ୍ୟ ସମସ୍ତ ସଭ୍ୟ ଜିଲ୍ଲାପାଳଙ୍କଦ୍ଵାରା ମନୋନୀତ ହୋଇଥିଲେ । ଗ୍ରାମ୍ୟ ବିକାଶ ସମ୍ପୂର୍ଣ୍ଣଭାବେ ବୋର୍ଡ଼ମାନଙ୍କର ଅନୁଦାନ ଉପରେ ନିର୍ଭର କରୁଥିଲା । ୧୯୦୯ ମସିହାରେ ରାଜକୀୟ ଆୟୋଗ ଅନୁମୋଦନ କଲେ ଯେ, “ ଗ୍ରାମ୍ୟ ସ୍ଵାୟତ୍ତ ଶାସନ ସଂସ୍ଥା ଶାସନର ଅଂଶ ହିସାବରେ ରହିବ ଏବଂ ପ୍ରତ୍ୟେକ ଗ୍ରାମ ଗୋଟିଏ ପଞ୍ଚାୟତ ହେବ ।” ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା ।
ଓଡ଼ିଶାରେ ୧୯୪୮ ମସିହା ପର୍ଯ୍ୟନ୍ତ ଏହି ପୁରୁଣା ଢାଞ୍ଚା ପ୍ରଚଳିତ ରହିଥିଲା । ଓଡ଼ିଶାରେ ପଞ୍ଚାୟତିରାଜର ଆରମ୍ଭ ୧୯୪୮ ମସିହାରେ ହୋଇଥିଲା । ସେହି ବର୍ଷ ଗ୍ରାମପଞ୍ଚାୟତଗୁଡ଼ିକ ନିଜର କାର୍ଯ୍ୟାରମ୍ଭ କରିଥିଲେ । ୧୯୫୨ ମସିହାଠାରୁ ଗୋଷ୍ଠୀ ଉନ୍ନୟନ ଯୋଜନା ଓ ୧୯୫୩ ମସିହାଠାରୁ ଜାତୀୟ ସଂପ୍ରସାରଣ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଲା । କିନ୍ତୁ ବର୍ତ୍ତମାନର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଦ୍ଧତି ୧୯୫୭ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟିର ସୁପାରିସ ଭିଭିରେ ପ୍ରଚଳନ କରାଯାଇଛି । ମେହେଟ୍ଟା କମିଟିର ସୁପାରିସ ଅନୁଯାୟୀ ୧୯୫୯ ମସିହାରେ ଓଡ଼ିଶା ପଞ୍ଚାୟତ ସମିତି ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରାଯାଇଥିଲା । ଓଡ଼ିଶାର ରାଜ୍ୟପାଳ ୧୯୬୦ ମସିହା ଫେବୃୟାରୀ ୧୫ ତାରିଖରେ ଏହି ଆଇନକୁ ସ୍ବୀକୃତି ପ୍ରଦାନ କରିଥିଲେ ।
ନୂତନ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ୧୯୬୧ ମସିହା ଜାନୁୟାରୀ ୨୬ ତାରିଖ ଦିନ ପ୍ରଚଳିତ ହେଲା । ମେହେଟ୍ଟା କମିଟିର ସୁପାରିସ ଅନୁସାରେ ୧୯୬୪ ମସିହାରେ ଗ୍ରାମପଞ୍ଚାୟତ ଗଠିତ ହେଲା ଏବଂ ସେହି ବର୍ଷ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରବର୍ତ୍ତିତ ହେଲା । ଏହି ବ୍ୟବସ୍ଥାର ଶିଖରରେ ଜିଲ୍ଲା ପରିଷଦ, ମଧ୍ୟବର୍ତୀ ସୋପାନରେ ପଞ୍ଚାୟତ ସମିତି ଓ ନିମ୍ନ ସୋପାନରେ ଗ୍ରାମ ପଞ୍ଚାୟତ ଅବସ୍ଥିତ । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଉଚ୍ଛେଦ କରାଯାଇ ତା’ ସ୍ଥାନରେ ଜିଲ୍ଲା ଉପଦେଷ୍ଟା ପରିଷଦ (District Advisory Council) ଗଠନ କରାଗଲା । ପଞ୍ଚାୟତିରାଜ ପରିଚାଳନା ଏବଂ ଉନ୍ନତିବିଧାନ କାର୍ଯ୍ୟ ୧୯୬୪ ମସିହାରେ ଓଡ଼ିଶା ସରକାରଙ୍କ ଗୋଷ୍ଠୀ ଉନ୍ନୟନ ବିଭାଗ (Community Development Department) କୁ ଦିଆଗଲା ।
ଓଡ଼ିଶାରେ ପଞ୍ଚାୟତିରାଜ ଅନୁଷ୍ଠାନର କ୍ରମବିବର୍ତ୍ତନର ଇତିହାସରେ ୧୯୪୮ ମସିହାର ଗ୍ରାମପଞ୍ଚାୟତ ଆଇନ, ୧୯୫୯ ମସିହାର ଓଡ଼ିଶା ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନ ଓ ୧୯୬୪ ମସିହାର ଓଡ଼ିଶା ପଞ୍ଚାୟତ ଆଇନ ଇତ୍ୟାଦି ଉଲ୍ଲେଖନୀୟ ମାଇଲଖୁଣ୍ଟ ଅଟେ । ଓଡ଼ିଶାରେ ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ, ଗ୍ରାମଶାସନ, ଗ୍ରାମସଭା, ପଲ୍ଲୀସଭା, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ଉନ୍ନୟନ ପରିଷଦକୁ ନେଇ ଗଠିତ ହୋଇଛି । ପ୍ରତ୍ୟେକ ଗ୍ରାମ ଶାସନର ଜନସଂଖ୍ୟା ୨,୦୦୦ରୁ ୧୦,୦୦୦ ମଧ୍ଯରେ ହୋଇଥାଏ । ପ୍ରତ୍ୟେକ ଗ୍ରାମ ଶାସନରେ ରାଜ୍ୟ ସରକାରଙ୍କଦ୍ଵାରା ଏକ ପଲ୍ଲୀସଭା ଗଠନ କରାଯାଇଥାଏ ।
୧୯୫୦ ମସିହାର ଲୋକ ପ୍ରତିନିଧ୍ଵ ଆଇନ ଅନୁଯାୟୀ ତାଲିକାଭୂକ୍ତ ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ନେଇ ଗୋଟିଏ ଗ୍ରାମ ସଭା ବା ଶାସନ ଗଠନ କରାଯାଇଥାଏ । ଏହି ସଂସ୍ଥା ଗ୍ରାମ ଶାସନର ଉନ୍ନୟନମୂଳକ ଯୋଜନା ପାଇଁ ଗ୍ରାମପଞ୍ଚାୟତକୁ ସୁପାରିସ କରିଥାଏ । ଗ୍ରାମ ଶାସନର କାର୍ଯ୍ୟନିର୍ବାହୀ ସଂସ୍ଥା ହେଉଛି ଗ୍ରାମପଞ୍ଚାୟତ । ଏହା ପାଞ୍ଚବର୍ଷ ପାଇଁ ଗଠିତ ହୋଇଥାଏ । କେତେକ ଗ୍ରାମପଞ୍ଚାୟତକୁ ନେଇ ଗୋଟିଏ ପଞ୍ଚାୟତ ସମିତି ଗଠନ କରାଯାଇଥାଏ । ଏହି ସଂସ୍ଥାରେ ଲୋକ ପ୍ରତିନିଧ୍ୟ ଓ ସରକାରୀ କର୍ମଚାରୀମାନେ ନିଜ ମଧ୍ୟରେ ସଂଯୋଗ ପ୍ରତିଷ୍ଠା କରି କାର୍ଯ୍ୟ ନିର୍ବାହ କରିଥା’ନ୍ତି ।
ଓଡ଼ିଶାରେ ପଞ୍ଚାୟତିରାଜର ଲକ୍ଷ୍ୟ :
ପଞ୍ଚାୟତିରାଜ ସଙ୍ଗଠନ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତି ମଧ୍ୟରୁ ଅନ୍ୟତମ ନିର୍ଦ୍ଦେଶ । ପଞ୍ଚାୟତିରାଜ ହେଉଛି ଏକ ଗାନ୍ଧିବାଦୀ ପରିକଳ୍ପନା । ଏହା ଗଣତନ୍ତ୍ରକୁ ପ୍ରାଥମିକ ସ୍ତରରୁ ମଜଭୁତ ଏବଂ ତାଲିମ କରାଇବାପାଇଁ ଅଭିପ୍ରେତ ।
ଓଡ଼ିଶାରେ ପଞ୍ଚାୟତିରାଜର ଆଭିମୁଖ୍ୟ ନିମ୍ନମତେ ପ୍ରକାଶ କରାଯାଇପାରେ –
- ପଞ୍ଚାୟତିରାଜ ଲୋକମାନଙ୍କୁ ସ୍ୱାୟତ୍ତ ଶାସନ କ୍ଷେତ୍ରରେ ଶିକ୍ଷା ଦିଏ । ଜନସାଧାରଣଙ୍କ ମଧ୍ୟରେ ଏହା ନାଗରିକ ଭାବନା ସୃଷ୍ଟି କରେ । ସ୍ଥାନୀୟ ପ୍ରଶାସନରେ ଗ୍ରାମବାସୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣଦ୍ବାରା ଏହା ଆତ୍ମନିର୍ଭରଶୀଳତା ଏବଂ ସ୍ବ-ଶିକ୍ଷା ପାଇଁ ସହାୟକ ହୋଇଥାଏ ।
- ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଞ୍ଚାୟତିରାଜର ଦ୍ଵିତୀୟ ଲକ୍ଷ୍ୟ ଅଟେ । ଏହା ଗଣତନ୍ତ୍ରକୁ ମୂଳସ୍ତରରୁ ଶକ୍ତିଶାଳୀ କରିବାପାଇଁ ଚେଷ୍ଟା କରେ ।
- ପଞ୍ଚାୟତିରାଜ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଚେଷ୍ଟା କରେ । ସର୍ବଭାରତୀୟ ସେବା ସଂସ୍ଥାଗୁଡ଼ିକ ଶାସନ କାର୍ଯ୍ୟରେ କାଗଜ ଚାଷ, ନୀତି ନିଷ୍ପତ୍ତିରେ ବିଳମ୍ବ ଏବଂ ଅଯଥା ମନ୍ଥର ଗତି ଆଣିଥା’ନ୍ତି । ପଞ୍ଚାୟତିରାଜ ଲୋକପ୍ରିୟ ପ୍ରତିନିଧୂମୂଳକ ସରକାର ପ୍ରତିଷ୍ଠା କରି ଉପରୋକ୍ତ ତ୍ରୁଟି ସଂଶୋଧନ କରିଥାଏ ।
- ପଞ୍ଚାୟତିରାଜ ଗ୍ରାମ୍ୟ ଜୀବନରେ ଆମୂଳଚୂଳ ପରିବର୍ତ୍ତନ ଏବଂ ଉନ୍ନତି ଆଣିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଗ୍ରାମ୍ୟ ପୁନର୍ଗଠନ ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଅଟେ ।
- ପଞ୍ଚାୟତିରାଜ ସ୍ଥାନୀୟ ନେତୃତ୍ୱ ସୃଷ୍ଟି କରେ । ସ୍ଥାନୀୟ ସମସ୍ୟାଗୁଡ଼ିକ ସ୍ଥାନୀୟ ପ୍ରତିନିଧୁମାନଙ୍କ ଜରିଆରେ ଶୀଘ୍ର ସମାହିତ ହୋଇଥାଏ ।
ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ – ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ ନିମ୍ନମତେ ।
ଆଲୋଚିତ ହୋଇଥାଏ :
ଗ୍ରାମପଞ୍ଚାୟତ : ପ୍ରାଥମିକ ସ୍ତର (Gram Panchayat – the First Tire) : ପଞ୍ଚାୟତିରାଜର ପ୍ରାଥମିକ ସ୍ତରରେ ଗ୍ରାମପଞ୍ଚାୟତ ଅବସ୍ଥିତ । ଗୋଟିଏ ଗ୍ରାମପଞ୍ଚାୟତ ଗୋଟିଏ ଗ୍ରାମ ବା ଲଗାଲଗି ରହିଥିବା ଏକାଧିକ ଗ୍ରାମକୁ ନେଇ ଗଠିତ ହୋଇଥାଏ । ସମସ୍ତ ନାବାଳକ ନାଗରିକମାନେ ଗ୍ରାମପଞ୍ଚାୟତର ସଦସ୍ୟ ଅଟନ୍ତି । ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗ୍ରାମର ସୀମା ମଧ୍ୟରେ ଅବସ୍ଥିତ ହୋଇଥାଏ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଟିଏ ଲେଖାଏଁ ପଲ୍ଲୀସଭା ଥାଏ । ଏହା ଗ୍ରାମର ଉନ୍ନୟନ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତକୁ ସୁପାରିସ ପ୍ରଦାନ କରେ । ଗ୍ରାମସଭା ଗ୍ରାମପଞ୍ଚାୟତର ସାଧାରଣ କାର୍ଯ୍ୟକାରିଣୀ ସଭା; କିନ୍ତୁ ଗ୍ରାମପଞ୍ଚାୟତ ଗ୍ରାମସଭାର କାର୍ଯ୍ୟନିର୍ବାହୀ ଅଙ୍ଗ ଓ ଏହା ସରପଞ୍ଚ, ନାଏବ ସରପଞ୍ଚ ଏବଂ ଅନ୍ୟ ପଞ୍ଚ (ୱାର୍ଡ଼ ସଭ୍ୟ)ଙ୍କୁ ନେଇ ଗଠିତ ହୋଇଥାଏ । ସ୍ଥଳବିଶେଷରେ କାର୍ଯ୍ୟନିର୍ବାହୀ ଅଙ୍ଗର ସଦସ୍ୟଙ୍କ ସଂଖ୍ୟା ୧୩ରୁ ୨୫ ମଧ୍ୟରେ ସୀମିତ ରହେ ।
ସରପଞ୍ଚ ପ୍ରତ୍ୟକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୁଅନ୍ତି । ଏହି କାର୍ଯ୍ୟନିର୍ବାହୀ ସଂସ୍ଥାର କାର୍ଯ୍ୟକାଳ ୫ ବର୍ଷ । ନାଏବ ସରପଞ୍ଚ ୱାର୍ଡ଼ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ସାଧାରଣ କାର୍ଯ୍ୟକାରିଣୀ ଅଙ୍ଗ ଭାବେ ଗ୍ରାମସଭା ବାର୍ଷିକ ଆୟବ୍ୟୟ ବିବରଣୀ ତନଖୁ କରେ, ଗ୍ରାମପଞ୍ଚାୟତର ଅଡ଼ିଟ୍ ଯାଞ୍ଚ କରେ, ପୂର୍ବ ବର୍ଷର ପ୍ରଶାସନିକ ରିପୋର୍ଟକୁ ପରୀକ୍ଷା କରେ ଏବଂ ଆଗାମୀ ବର୍ଷ ପାଇଁ କି କି କାର୍ଯ୍ୟ ହାତକୁ ନିଆଯିବ, ତାହାର ଚିଠା ପ୍ରସ୍ତୁତ କରେ । ଏହା ମଧ୍ୟ କରଧାର୍ଯ୍ୟ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇଥାଏ । ଗ୍ରାମପଞ୍ଚାୟତ ସ୍ଵାସ୍ଥ୍ୟରକ୍ଷା, ଜନସ୍ଵାସ୍ଥ୍ୟ, ରାସ୍ତା ଆଲୋକ, ଗ୍ରାମ୍ୟ ରାସ୍ତାର ରକ୍ଷଣାବେକ୍ଷଣ, ଜନ୍ମ ମୃତ୍ୟୁର ହିସାବ, ଶିଶୁମଙ୍ଗଳ କେନ୍ଦ୍ର ସ୍ଥାପନ, କୃଷି ବିକାଶ, ଗୋସମ୍ପଦର ଉନ୍ନୟନ, ସାଧାରଣ କୋଠାବାଡ଼ି ନିର୍ମାଣ, ଗଡ଼ିଆ ଖନନ, ଲାଇବ୍ରେରୀ ବ୍ୟବସ୍ଥା, ପରିବାର କଲ୍ୟାଣ ଯୋଜନାର ପ୍ରଚାର, କୁଟୀରଶିଳ୍ପର ବିକାଶ, ସମବାୟ ଭଣ୍ଡାର ନିର୍ମାଣ ଏବଂ ସମବାୟ ଚାଷ ସଙ୍ଗଠନ ଆଦି କାର୍ଯ୍ୟନିର୍ବାହ କରିଥାଏ ।
ପଞ୍ଚାୟତ ସମିତି : ମାଧ୍ୟମିକ ସ୍ତର (Panchayat Samiti the Second Tier): ପଞ୍ଚାୟତିରାଜର ମାଧ୍ୟମିକ ସ୍ତରରେ ପଞ୍ଚାୟତି ସମିତି ଅବସ୍ଥିତ । ଏହା ପ୍ରତି ବ୍ଲକ୍ରେ କାର୍ଯ୍ୟ କରେ । ଗ୍ରାମପଞ୍ଚାୟତର ସରପଞ୍ଚ ଓ ନିର୍ବାଚିତ ସମିତି ସଭ୍ୟ ତଫସିଲଭୁକ୍ତ ଜାତି ଓ ଉପଜାତି ଏବଂ ମହିଳାମାନଙ୍କ ମଧ୍ୟରୁ ଅତିରିକ୍ତ ନିର୍ବାଚିତ ସଭ୍ୟ, ସମବାୟ ସମିତିଗୁଡ଼ିକର ପ୍ରତିନିଧ୍ୟ, ବ୍ଲକ୍ର ସୀମା ମଧ୍ୟରେ ନିର୍ବାଚିତ ହୋଇଥିବା ବିଧାନସଭାର ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ ପଞ୍ଚାୟତ ସମିତିର ସଦସ୍ୟ ଅଟନ୍ତି । ସମିତିର ଚେୟାରମ୍ୟାନ୍ ଜଣେ ବେସରକାରୀ ସଭ୍ୟ ହୋଇଥାଆନ୍ତି । ସେ ସମସ୍ତ ସମିତି ସଭ୍ୟଙ୍କଦ୍ବାରା ସେମାନଙ୍କ ମଧ୍ୟରୁ ନିର୍ବାଚିତ ହୋଇଥା’ନ୍ତି ।
ବି.ଡ଼ି.ଓ. ସମିତିର ଏକ୍ଜିକ୍ୟୁଟିଭ୍ ଅଫିସର ଅଟନ୍ତି । ସେ ଓଡ଼ିଶା ପ୍ରଶାସନିକ ସେବାସଂସ୍ଥାର ଜଣେ ସଦସ୍ୟ ଅଟନ୍ତି ଏବଂ ସରକାରଙ୍କଦ୍ବାରା ନିଯୁକ୍ତି ପାଇଥା’ନ୍ତି । ବିଭିନ୍ନ କ୍ଷେତ୍ରରେ ସଂପ୍ରସାରଣ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରନ୍ତି । ସମିତି ନିଜ ସୀମାରେଖା ମଧ୍ଯରେ ଉନ୍ନୟନ କାର୍ଯ୍ୟ ନିର୍ବାହ କରେ । ବିକାଶମୂଳକ କାର୍ଯ୍ୟ ପ୍ରସ୍ତୁତି ଏବଂ ତାହାର ରୂପାୟନ ସମିତି କରିଥାଏ । ଗୋଷ୍ଠୀ ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରିବା ସମିତିର ଦାୟିତ୍ଵ । ସ୍ୱାସ୍ଥ୍ୟ, ଶିକ୍ଷା, ସ୍ଵାସ୍ଥ୍ୟରକ୍ଷା, ଯୋଗାଯୋଗ ଇତ୍ୟାଦିର ଉନ୍ନତି ପାଇଁ ସମିତି ଚେଷ୍ଟା କରେ । ପଞ୍ଚାୟତଗୁଡ଼ିକୁ ପରିଦର୍ଶନ କରିବା ସହିତ ସେମାନଙ୍କର ବଜେଟ୍ ଯାଞ୍ଚ ଏବଂ ସ୍ଵୀକୃତି ସମିତି ଦେଇଥାଏ ।
ଜିଲ୍ଲା ପରିଷଦ : ସର୍ବୋଚ୍ଚ ସ୍ତର (Zilla Parishad – the Third Tier) : ଜିଲ୍ଲା ପରିଷଦ ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରେ । ଏହା ପଞ୍ଚାୟତିରାଜ ସଙ୍ଗଠନର ତୃତୀୟ ଏବଂ ଶେଷ ସ୍ତର । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଲୋପ କରି ଦିଆଗଲା । ତାହା ସ୍ଥାନରେ ଜିଲ୍ଲା ଉପଦେଷ୍ଟା କମିଟି (District Advisory Council) ଗଠନ କରାଗଲା । ୧୯୯୩ ମସିହାରୁ ପୁଣି ଜିଲ୍ଲା ପରିଷଦ ବ୍ୟବସ୍ଥା କାର୍ଯ୍ୟ କଲା । ପଞ୍ଚାୟତ ସମିତିଗୁଡ଼ିକର ଚେୟାରମ୍ୟାନ୍ ପ୍ରତି ବ୍ଲକ୍ରୁ ନିର୍ବାଚିତ ଦୁଇଜଣ ସଭ୍ୟ, ମ୍ୟୁନିସିପାଲଟିର ଚେୟାରମ୍ୟାନ, କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏବଂ ଜିଲ୍ଲା ଉନ୍ନୟନ ବ୍ୟାଙ୍କର ସଭାପତି, ଜିଲ୍ଲାର ବିଧାନସଭା ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ, ମହିଳା ସମେତ ଦୁର୍ବଳ ଶ୍ରେଣୀ ପ୍ରତିନିଧୁଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୋଇଥାଏ ।
ଜିଲ୍ଲା କଲେକ୍ଟର ଏହି ପରିଷଦର ଜଣେ ସକ୍ରିୟ ସରକାରୀ ସଭ୍ୟ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏହାର ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ଜିଲ୍ଲା ପରିଷଦ ମୁଖ୍ୟତଃ ଗୋଟିଏ ସମନ୍ଵୟକାରୀ ସଂସ୍ଥା । ଏହା ପଞ୍ଚାୟତ ସମିତିମାନଙ୍କ ଉପରେ ପରିଦର୍ଶନ କରେ ଏବଂ ନିୟନ୍ତ୍ରଣ ରକ୍ଷା କରେ । ଉନ୍ନୟନମୂଳକ କାର୍ଯ୍ୟର ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ କରେ, ଜିଲ୍ଲା ଉପଦେଷ୍ଟା କମିଟି କ୍ଷୁଦ୍ର କ୍ଷୁଦ୍ର କମିଟି ଗଠନ କରି ବିଭିନ୍ନ ବିଷୟର ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରିଥାଏ ।
ଓଡ଼ିଶାରେ ପଞ୍ଚାୟତିରାଜର ସଫଳତା :
ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଆଂଶିକ ଭାବରେ ସଫଳ ହୋଇଛି । ଅନେକ କ୍ଷେତ୍ରରେ ଏହା ଅବସ୍ଥାର ଉନ୍ନତି ଘଟାଇ ପାରିଛି । ଗ୍ରାମ୍ୟ ପୁନର୍ଗଠନରେ ଏହା ପ୍ରମୁଖ ଅଂଶ ଗ୍ରହଣ କରିଛି । ନିମ୍ନଲିଖୂ କ୍ଷେତ୍ରରେ ଏହି ସଂଗଠନର ସଫଳତାକୁ ପରୀକ୍ଷା କରାଯାଇପାରେ ।
- ସବୁଜ ବିପ୍ଳବ (Green Revolution) – ପଞ୍ଚାୟତିରାଜ ସଙ୍ଗଠନ ମାଧ୍ୟମରେ କୃଷି ଉପରେ ନିର୍ଭରଶୀଳ ଭାରତୀୟମାନଙ୍କୁ କୃଷି ଉତ୍ପାଦନ ବୃଦ୍ଧି ଓ ବୈଜ୍ଞାନିକ ପ୍ରଣାଳୀରେ ଚାଷ ଇତ୍ୟାଦି ପାଇଁ ଆବଶ୍ୟକୀୟ ସୁଯୋଗ ପ୍ରଦାନ କରାଯାଉଛି । ଜଳସେଚନର ସୁଯୋଗ ଅଧିକରୁ ଅଧିକ ଚାଷଜମିକୁ ଯୋଗାଇ ଦିଆଯାଉଛି । ପଞ୍ଚାୟତ ସମିତି ସ୍ତରରେ କୃଷି ସଂପ୍ରସାରଣ ଅଧିକାରୀମାନେ ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ଅଧୁନାୟକ ହିସାବରେ କାର୍ଯ୍ୟ କରି ସରକାରଙ୍କର କୃଷି ପାଇଁ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି ।
- ଉନ୍ନୟନମୂଳକ କାର୍ଯ୍ୟକ୍ରମ (Development Activities) – ଗ୍ରାମ ଲୋକମାନଙ୍କ ମଧ୍ୟରେ ଉନ୍ନୟନ କାର୍ଯ୍ୟକ୍ରମ ସଚେତନଶୀଳ ଭାବ ଉଦ୍ରେକ କରି ସେମାନଙ୍କ ସହଯୋଗ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପଞ୍ଚାୟତିରାଜ ସଙ୍ଗଠନ ମୁଖ୍ୟ ଦାୟିତ୍ଵ ବହନ କରିଛି । ଗ୍ରାମର ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଘଟିଛି ।
- ଶସ୍ତା ଓ ତ୍ବରାନ୍ବିତ ନ୍ୟାୟ (Cheap and Speedy Justice) – ଗ୍ରାମପଞ୍ଚାୟତଗୁଡ଼ିକ ଲୋକମାନଙ୍କୁ ସହଜରେ ଶସ୍ତା ଓ ତ୍ଵରାନ୍ଧିତ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରୁଛନ୍ତି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରାଯାଉଛି । ଗ୍ରାମପଞ୍ଚାୟତ ଉପରେ ଲୋକମାନଙ୍କର ଗଭୀର ଆସ୍ଥା ରହିଛି ।
- ଦୁର୍ବଳ ଶ୍ରେଣୀର ଉନ୍ନତି (Welfare of Weaker Sections) – ଦୁର୍ବଳ ଶ୍ରେଣୀ, ହରିଜନ ଓ ମହିଳା ଇତ୍ୟାଦିଙ୍କର ଉନ୍ନତି ପାଇଁ ଓ ସେମାନଙ୍କୁ ଶୋଷଣରୁ ମୁକ୍ତ କରିବାପାଇଁ ସରକାରଙ୍କ ଯୋଜନାଗୁଡ଼ିକୁ ଏହି ସଂସ୍ଥା କାର୍ଯ୍ୟକାରୀ କରୁଛି । ଇନ୍ଦିରା ଆବାସ ଯୋଜନା, ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜବାହାର ରୋଜଗାର ଯୋଜନା ଆଦି ଏହା ମାଧ୍ୟମରେ ସଫଳଭାବେ କାର୍ଯ୍ୟ କରୁଛି ।
- ରାଜନୈତିକ ଶିକ୍ଷା ଓ ସାମାଜିକ ପରିବର୍ତ୍ତନ (Political education and Social change) – ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ୍ୟ ଲୋକମାନଙ୍କ ମଧ୍ୟରେ ରାଜନୈତିକ ସଚେତନଶୀଳଭାବ ଉଦ୍ରେକ କରିଥାଏ । ଏହି ସଙ୍ଗଠନ ନିର୍ବାଚନ ପାଇଁ ରାଜନୈତିକ ଶିକ୍ଷା ପ୍ରଦାନ କରିଥାଏ । ଏହା ଭାରତୀୟ ସମାଜରେ ପ୍ରଚଳିତ କୁ-ବ୍ୟବସ୍ଥାକୁ ଅନେକାଂଶରେ ସଂଶୋଧନ କରିଛି ।
ଓଡ଼ିଶାରେ ପଞ୍ଚାୟତିରାଜର ସମସ୍ୟା – ଓଡ଼ିଶାରେ ପଞ୍ଚାୟତିରାଜ ସମସ୍ୟା ଜଡ଼ିତ ଅଟେ । ଯଦିଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପରୀକ୍ଷା କେତେଗୋଟି ସଫଳତା ଆଣିଦେଇଛି ତଥାପି ତାହା ସେତେ ଉଲ୍ଲେଖନୀୟ ହୋଇପାରି ନାହିଁ । ଏହାର ମୂଳରେ ଅନେକ କାରଣ ବିଦ୍ୟମାନ । ପ୍ରଧାନତଃ, ଓଡ଼ିଶାରେ ପଞ୍ଚାୟତିରାଜ ଆର୍ଥିକ ଅସ୍ବଚ୍ଛତାର ଶିକାର ହୋଇଥାଏ । ଏହା ସହିତ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ଏବଂ ରାଜନୀତିକରଣ ପଞ୍ଚାୟତିରାଜର କେତୋଟି ଦିଗ । ପଞ୍ଚାୟତିରାଜର ସମସ୍ୟାଗୁଡ଼ିକ ନିମ୍ନରେ ଦିଆଗଲା –
ଆର୍ଥିକ ସମସ୍ୟା (Problem of Finance) – ପ୍ରଥମ ଦୃଷ୍ଟିରେ ଆର୍ଥିକ ଦୁରାବସ୍ଥା ପଞ୍ଚାୟତିରାଜର ପ୍ରଧାନ ସମସ୍ୟା ଅଟେ । ଅର୍ଥ ହିଁ ସମସ୍ତ ଅନର୍ଥର ମୂଳ । ପଞ୍ଚାୟତିରାଜ ଅନୁଷ୍ଠାନମାନ ଆର୍ଥିକ ସ୍ଵଳ୍ପତାରେ ଆକ୍ରାନ୍ତ ହୋଇଥା’ନ୍ତି । କର ଓ ସେସୂର୍ଯ୍ୟ ଏବଂ ଆଦାୟ କ୍ଷେତ୍ରରେ ସେମାନେ ସୀମିତ କ୍ଷମତା ଉପଭୋଗ କରିଥା’ନ୍ତି । ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଯେଉଁ ଅର୍ଥ ଦାନ କରନ୍ତି ତାହା ନଗଣ୍ୟ ଅଟେ । ଏହା ଫଳରେ ଓଡ଼ିଶା ସରକାରଙ୍କ ଉପରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇ ଚାଲିଛି । ଆର୍ଥିକ ଦୁର୍ଗତିରେ ଅନ୍ୟତମ କାରଣ ହେଲା – ଅର୍ଥ ଆତ୍ମସାତ୍ । ଉପଯୁକ୍ତ ଆର୍ଥିକ ଅସୁସ୍ଥତା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରେ ।
ଅତ୍ୟଧ୍ବକ ସରକାରୀ ନିୟନ୍ତ୍ରଣ (Excessive Governmental Control) – କେନ୍ଦ୍ରୀକରଣ ପ୍ରବୃତ୍ତି ପ୍ରତ୍ୟେକ ଗଣତାନ୍ତ୍ରିକ ଶାସନ ପଦ୍ଧତିର ଲକ୍ଷଣ । ଓଡ଼ିଶାରେ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତି ଏକ ଘୋଷଣା ମାତ୍ର । ଏହାର ବାସ୍ତବତା ଖୁବ୍ କମ୍ ଅଟେ । ସ୍ଥାନୀୟ ସଂସ୍ଥାମାନେ ଅତ୍ୟଧିକ ସରକାରୀ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣର ଭାରରେ ବୁଡ଼ିଯା’ନ୍ତି । ପଞ୍ଚାୟତିରାଜ ଶାସନ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ନୀତି ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନଙ୍କର ସ୍ବାଧୀନତାକୁ ନଷ୍ଟ କରେ । ଏହା ସ୍ଥାନୀୟ ସଂସ୍ଥାମାନଙ୍କର ଉପଯୁକ୍ତ ପ୍ରଗତି ଆଣିପାରେ ନାହିଁ ।
ରାଜନୀତିକରଣ (Politicisation) – ଓଡ଼ିଶାରେ ପଞ୍ଚାୟତିରାଜର ଅସ୍ଥିମଜ୍ଜାରେ ଦୁଃସ୍ଥ ରାଜନୀତି ପ୍ରବେଶ କରିଯାଇଛି । ଏହା ପଞ୍ଚାୟତିରାଜ ସଂସ୍ଥାମାନଙ୍କରେ ରାଜନୀତିକ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିଛି । ରାଜନୀତିକ ଦଳମାନେ ଏହିସବୁ ସଂସ୍ଥାମାନଙ୍କୁ ସେମାନଙ୍କର ଦଳୀୟ ସ୍ଵାର୍ଥ ସାଧନ ପାଇଁ ଅସ୍ତ୍ର କରନ୍ତି । ଦଳୀୟ ରାଜନୀତି, ସଂଘର୍ଷ ଓ କନ୍ଦଳ ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ନିରପେକ୍ଷ କାର୍ଯ୍ୟକାରିତାକୁ ନଷ୍ଟ କରେ । ଦଳୀୟ କୁପ୍ରଭାବ, ସଂକୀର୍ଣ୍ଣ ଆଞ୍ଚଳିକତାବାଦ ଏବଂ ଦୁର୍ଗତି ପଞ୍ଚାୟତିରାଜକୁ ଅଧ୍ଵନମିତ କରୁଛି ।
ଅନିୟମିତ ନିର୍ବାଚନ (Irregular Election) – ଗଣତନ୍ତ୍ର ଏବଂ ନିର୍ବାଚନ ପରସ୍ପର ବନ୍ଧୁ ଅଟନ୍ତି । ପଞ୍ଚାୟତିରାଜ ଭଳି ପ୍ରତିନିଧୁମୂଳକ ଶାସନ ବ୍ୟବସ୍ଥା ସମୟାନୁଯାୟୀ ନିର୍ବାଚନଦ୍ଵାରା ତିଷ୍ଠି ରହେ, କିନ୍ତୁ ଓଡ଼ିଶାରେ ଏହି ନିର୍ବାଚନ ନିୟମିତ ସମୟରେ ହୁଏ ନାହିଁ । ନିର୍ବାଚନକୁ ରାଜନୀତିକ କାରଣରୁ ସ୍ଥଗିତ ରଖାଯାଏ । ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ କରିବାର କ୍ଵଚିତ୍ ଆଗ୍ରହ ପ୍ରକାଶ କରନ୍ତି । ଏପରିକି ୯ ବର୍ଷ ପରେ ପଞ୍ଚାୟତ ନିର୍ବାଚନ କରାଇବାର ଉଦାହରଣ ରହିଛି ।
ପ୍ରଶାସନିକ ସମସ୍ୟା (Problem of Administration) – ପଞ୍ଚାୟତିରାଜର ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ବିବାଦ ଉପୁଜିଥାଏ । ଉଭୟ ଉପାଦାନ ମଧ୍ଯରେ ସମ୍ପର୍କ ଖରାପ ଆଡ଼କୁ ଗତିକରିବା ଫଳରେ ପଞ୍ଚାୟତିରାଜର ସଫଳତା ଆସିପାରେ ନାହିଁ । ସରକାରୀ କର୍ମଚାରୀମାନେ ସେମାନଙ୍କ ଜ୍ଞାନ ଏବଂ ପଦବୀର ଗର୍ବ ସୃଷ୍ଟି କରନ୍ତି । ଏହା ଫଳରେ ସେମାନେ ପ୍ରତିନିଧିମାନଙ୍କ ଉପରେ ପ୍ରାଧାନ୍ୟ ଜାହିର କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ଉଭୟଙ୍କ ମଧ୍ୟରେ ସଂଘର୍ଷର କାରଣ ହୋଇଥାଏ । ସରକାରୀ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପଦୋନ୍ନତିର ଅଭାବ, ସରକାରୀ କର୍ମଚାରୀଙ୍କ ପ୍ରଶାସନିକ ଚିନ୍ତାଧାରାରେ ପରିବର୍ତ୍ତନର ଆବଶ୍ୟକତା ଇତ୍ୟାଦି ଶାସନଗତ ସମସ୍ୟା ଅଟେ ।
ସାଙ୍ଗଠନିକ ସମସ୍ୟା (Problem of Organisation) – ଓଡ଼ିଶାରେ ପଞ୍ଚାୟତିରାଜ ସାଙ୍ଗଠନିକ ତ୍ରୁଟିର ଶିକାର ହୋଇଥାଏ । ସର୍ବନିମ୍ନ ସ୍ତରରେ ଶାସନର ଏକକ କ’ଣ ହେବା ଉଚିତ; ଗୋଟିଏ ଗ୍ରାମ ବା କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ଗ୍ରାମସଭା ଗଠନ କରାଯିବ କି; ସମିତିର କର୍ତ୍ତୃତ୍ଵ ସୀମା ବୃହତ୍ ହେବ ନା କ୍ଷୁଦ୍ରତର ହେବ; ସରକାରୀ କର୍ମଚାରୀମାନେ ଏହି ସ୍ଵାୟତ୍ତ ଶାସନ ସଂସ୍ଥାରେ ନିୟୋଜିତ ହେବେ କି; ଏହିସବୁ ପ୍ରଶ୍ନମାନ ପଞ୍ଚାୟତିରାଜର ସାଙ୍ଗଠନିକ ସମସ୍ୟା ସୃଷ୍ଟି କରିଥାଏ ।
ଜାତିଆଣ ସମସ୍ୟା (Problem of Casteism) – ପଞ୍ଚାୟତ ନିର୍ବ।ଚନଗୁଡ଼ିକ ଆଞ୍ଚଳିକତା ଏବଂ ଜାତିଆଣ ଭାବନା ସୃଷ୍ଟି କରେ । ନିର୍ବାଚନ ପ୍ରଚାର ମାଧ୍ୟମରେ ଜାତି, ବର୍ଣ୍ଣ, ଧର୍ମର ସମସ୍ତ ଦୁଃଖଦାୟକ କୁଚିତ୍ର ବାହାରକୁ ପ୍ରକାଶ ପାଏ । ଏହି ନଷ୍ଟକାରୀ ପ୍ରଭାବ ଫଳରେ ଗ୍ରାମ୍ୟ ଜୀବନ ଲୀନ ହୋଇଯାଏ ।
ନିରକ୍ଷରତା (Illiteracy) – ନିରକ୍ଷରତା ପଞ୍ଚାୟତିରାଜ ସମସ୍ୟାର ସର୍ବୋପରି ବିଦ୍ୟମାନ । ସ୍ଥାନୀୟ ସ୍ଵାୟତ୍ତ ଶାସନ ଗଣତାନ୍ତ୍ରିକ ଶିକ୍ଷା ପ୍ରଦାନ କରେ । ଶିକ୍ଷିତ ବ୍ୟକ୍ତି ଏବଂ ନାଗରିକମାନେ ଗଣତନ୍ତ୍ରକୁ ମଜଭୁତ କରନ୍ତି । ଗଣତନ୍ତ୍ର ଏବଂ ନିରକ୍ଷରତା ଦୁଇଟି ପରସ୍ପର ବିରୋଧୀ ଶକ୍ତି ଅଟନ୍ତି । ଅଜ୍ଞତା ନାଗରିକ ଭାବନାର ଭୃଣ ହତ୍ୟା କରେ । ଏହା ଲୋକମାନଙ୍କୁ ସେମାନଙ୍କ ଜାତି ଏବଂ ଶ୍ରେଣୀ ଭାବନାରୁ ମୁକ୍ତ କରିପାରେ ନାହିଁ । ଏହା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟକାରିତାକୁ ଶିଥୁଳ କରିଦିଏ ।
ସାଧାରଣ ଅର୍ଥରେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ବିଳମ୍ବ, ଅତ୍ୟଧିକ ବାହ୍ୟାଡ଼ମ୍ବର, କାଗଜ ଚାଷ ଏବଂ କ୍ଷମତାର କେନ୍ଦ୍ରୀକରଣ ଦେଖାଯାଇଥାଏ । ପ୍ରଶାସନ ଏକ ଯନ୍ତ୍ରଚାଳିତ ଯାନ ଭଳି କାର୍ଯ୍ୟ କରେ । ଏହା ଲୋକମାନଙ୍କର ଉଦ୍ୟୋଗ ଏବଂ ଉତ୍ସାହକୁ ନଷ୍ଟ କରେ । ଏଥ୍ସହିତ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ନିରୁତ୍ସାହିତ ହୁଏ । ଦୁଗ୍ଧ ରାଜନୀତି ମଧ୍ୟ ପଞ୍ଚାୟତିରାଜର ସମସ୍ୟା ପାଇଁ ଦାୟୀ । କ୍ରମବର୍ଦ୍ଧମାନ ଗୋଷ୍ଠୀ କନ୍ଦଳ ଏବଂ ହିଂସା ରାଜନୀତିର ଜାରଜ ସନ୍ତାନ ଅଟନ୍ତି, ଯେଉଁମାନେ ରାଜ୍ୟରେ ସ୍ଵାୟତ୍ତ ଶାସିତ ଅନୁଷ୍ଠାନମାନଙ୍କ ଉପରେ ଅତି ଦୁର୍ଭାଗ୍ୟଜନକ କୁପ୍ରଭାବ ପକାଇଥା’ନ୍ତି ।
ସମାଧାନର ପନ୍ଥା :
ଓଡ଼ିଶାରେ ପଞ୍ଚାୟତିରାଜ ସଂସ୍ଥା ସମସ୍ୟା ଜର୍ଜରିତ ହୋଇଥିଲେ ମଧ୍ୟ ଏହାର ସମାଧାନ ଏକ ଦୁରୂହ ବ୍ୟାପାର ନୁହେଁ । ନିମ୍ନଲିଖୂତ ପଦକ୍ଷେପ ଗ୍ରହଣ କଲେ ଏହି ସମସ୍ୟାଗୁଡ଼ିକର ସହଜ ସମାଧାନ ସମ୍ଭବପର ହୋଇପାରିବ । ପ୍ରଥମତଃ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସମୟ ଓ ଆବଶ୍ୟକତାର ପରିବର୍ତ୍ତନ ସହିତ ପରିବର୍ତ୍ତିତ ହୋଇପାରିଲେ ଏହା ନୂତନ ଆହ୍ଵାନର ସମ୍ମୁଖୀନ ହୋଇପାରିବ । ଗ୍ରାମ୍ୟ ସ୍ୱାୟତ୍ତ ଶାସନର ଢାଞ୍ଚାରେ ଏହି ଅନୁଷ୍ଠାନର ପରିବର୍ତ୍ତନ ଆବଶ୍ୟକ । ଲୋକ ପ୍ରତିନିଧିମାନଙ୍କୁ ଅଧିକ ଅଂଶଗ୍ରହଣ ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ । ନିୟମିତ ନିର୍ବାଚନ ହେବା, ନିର୍ବାଚନକୁ ନିରପେକ୍ଷ କରିବା, ଦଳୀୟ ରାଜନୀତିର କୁପ୍ରଭାବରୁ ଏହାକୁ ମୁକ୍ତ ରଖୁବା ଇତ୍ୟାଦି ବ୍ୟବସ୍ଥା ଗ୍ରହଣ କରାଯିବା ବିଧେୟ ।
ଅତ୍ୟଧିକ ସରକାରୀ ନିୟନ୍ତ୍ରଣରୁ ଏହାକୁ ମୁକ୍ତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାକୁ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯିବା ଉଚିତ । ଦ୍ଵିତୀୟତଃ, ପଞ୍ଚାୟତିରାଜ ସଂସ୍ଥା ଆର୍ଥିକ ଦୁରବସ୍ଥାର ଶିକାର ହୋଇଥିବାରୁ ଏହାର ନିରାକରଣ ଏବଂ ଅଧିକ ବିତ୍ତ ସଂଗ୍ରହ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ । ନୂତନ କର ଧାର୍ଯ୍ୟ, ପ୍ରଚଳିତ କରଗୁଡ଼ିକର ବୃଦ୍ଧି, ଆଦାୟ ପାଇଁ ସୁସୁ ବ୍ୟବସ୍ଥା ଗ୍ରହଣ ଓ ଉଦାର ସରକାରୀ ଅନୁଦାନ ଜରିଆରେ ପଞ୍ଚାୟତିରାଜର ଆର୍ଥିକ ଉନ୍ନତିବିଧାନ କରାଯାଇପାରିବ । ତୃତୀୟତଃ, ସରକାର ଅତ୍ୟଧିକ ନିୟନ୍ତ୍ରଣ ଜାରି ନ କରି ଅଧିକ ସ୍ଵାଧୀନତାର ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଗତିବାଦୀ, କୋହଳ ସହଯୋଗଭିଭିକ ଚିନ୍ତାଧାରା ପୋଷଣ କରିବା ଉଚିତ ।
ଏହାଦ୍ଵାରା ସ୍ଵାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ନୂତନ ଉନ୍ମାଦନା ସୃଷ୍ଟି କରିପାରିବେ ଓ ଗଣତନ୍ତ୍ରର ଭିତ୍ତିଭୂମି ଦୃଢ଼ ହୋଇପାରିବ । ଚତୁର୍ଥତଃ, ପଞ୍ଚାୟତିରାଜ ସଂସ୍ଥାମାନେ ରାଜନୀତିର କୁପ୍ରଭାବରୁ ନିଜକୁ ମୁକ୍ତ ରଖୁ ନ ପାରି ଦୁର୍ନୀତିଗ୍ରସ୍ତ ଓ ଅପଖ୍ୟାତି ସଂପନ୍ନ ହୋଇଯାଉଛନ୍ତି । ସେମାନେ ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯାଉଛନ୍ତି । ଏଣୁ ସରକାର ବୈଧାନିକ ଉପାୟରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ରାଜନୀତିର ପ୍ରବେଶକୁ ପ୍ରତିରୋଧ କରିବା ଉଚିତ । ଏଥପାଇଁ ଏହି ସଂସ୍ଥା ସହ ସମ୍ପୃକ୍ତ ଉଭୟ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧୁମାନଙ୍କ ପାଇଁ ସ୍ବତନ୍ତ୍ର ଆଚରଣ ବିଧ୍ଵ (Code of conduct) ରହିବା ବାଞ୍ଛନୀୟ । ପଞ୍ଚମତଃ, ସରକାରୀ କର୍ମଚାରୀମାନଙ୍କର ଦକ୍ଷତା, ସାଧୁତା, ଚରିତ୍ରବତ୍ତା ଇତ୍ୟାଦି ଉପରେ ପଞ୍ଚାୟତିରାଜ ସଂଗଠନର ସଫଳତା ପୂର୍ଣ୍ଣମାତ୍ରାରେ ନିର୍ଭରଶୀଳ ।
ଏଣୁ ଏହି କର୍ମଚାରୀଗୋଷ୍ଠୀଙ୍କୁ ସାଧୁତାର ସହ କାର୍ଯ୍ୟ ସଂପାଦନର ସୁଯୋଗ ପ୍ରଦାନ କଲେ ପଞ୍ଚାୟତିରାଜ ସଂସ୍ଥାର ମୌଳିକ ଲକ୍ଷ୍ୟ ସାଧ୍ୟ ହୋଇପାରିବ । ଷଷ୍ଠତଃ ଶିକ୍ଷା ସମସ୍ତ ରୋଗର ମହୌଷଧ । ଏହା ସଫଳତାର ମୁଖ୍ୟ ଚାବିକାଠି ଅଟେ । ଶିକ୍ଷାର ପ୍ରସାର ଲୋକମାନଙ୍କର ଅଜ୍ଞତା, ଅନଗ୍ରସରତା ଓ ରକ୍ଷଣଶୀଳତା ମନୋଭାବ ଦୂର କରିଥାଏ । ଏହି ଲୋକମାନେ ହିଁ ପଞ୍ଚାୟତିରାଜ ସଙ୍ଗଠନକୁ ଠିକ୍ ଭାବରେ ପରିଚାଳନା କରିଥା’ନ୍ତି । ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ସୁରକ୍ଷା ଜନସାଧାରଣଙ୍କ ଚରିତ୍ର ଉପରେ ନିର୍ଭର କରିଥାଏ । (The best defence of Panchayati Raj institutions lies on the character of the people.)
ସଂକ୍ଷେପରେ, ପ୍ରଫେସର ଇକ୍ବଲ ନାରାୟଣଙ୍କ ଭାଷାରେ କହିଲେ ପଞ୍ଚାତିରାଜ ସମସ୍ୟାର ପ୍ରତିକାର କ୍ଷେତ୍ରରେ “ ଲୋକମାନଙ୍କର ଶିକ୍ଷାର ଉତ୍ତରୋତ୍ତର ଉନ୍ନତି ଓ ବିଜ୍ଞତା ବୃଦ୍ଧିହିଁ ସର୍ବଶ୍ରେଷ୍ଠ ପ୍ରତିକାର ଅଟେ ।” ଗୋଷ୍ଠୀ ଉନ୍ନୟନ ଯୋଜନାକୁ ଭାରତରେ ଉନ୍ନୟନ କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଏକ “ ନୀରବ ବିପ୍ଳବ” (Silent Revolution) ଆଖ୍ୟା ଦିଆଯାଇଥିଲା । ଏହାର ଦୋଷତ୍ରୁଟିକୁ ସଂଶୋଧନ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାପାଇଁ ଆରମ୍ଭ କରାଯାଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା ଭାରତରେ ସାମାଜିକ ଓ ରାଜନୈତିକ ବିପ୍ଳବ ଆରମ୍ଭ କରିଛି । ଆଜି ଭାରତରେ ଲୋକପ୍ରତିନିଧ୍ଵ ଓ ଭୋଟଦାତାଙ୍କ ମଧ୍ୟରେ ଥିବା ଦୂରତ୍ଵହିଁ ଗଣତନ୍ତ୍ର ପ୍ରତି ପ୍ରଧାନ ବିପଦ ଅଟେ । ଏହି ବିପଦର ଉପଯୁକ୍ତ ମୁକାବିଲା “ ପଞ୍ଚାୟତିରାଜ ହିଁ କରିପାରିବ” ବୋଲି ଏସ୍.ସି. ଜୈନ ଦୃଢ଼ ମତବ୍ୟକ୍ତ କରିଛନ୍ତି ।
୪ । ନିଗମ (Corporation) ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବର୍ତ୍ତମାନ ଭାରତରେ ୩୨ରୁ ଅଧିକ ନିଗମ ଅଛି । ଓଡ଼ିଶାରେ ତିନୋଟି ନିଗମ ଅଛି ଯାହାକି ରାଉରକେଲା, କଟକ ଏବଂ ଭୁବନେଶ୍ଵରରେ ଅବସ୍ଥିତ । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିଲେ କର୍ପୋରେସନ୍ (ନିଗମ) ଗଠିତ ହୁଏ । ଏହା ନଗର ଶାସନର ଶୀର୍ଷ ଅନୁଷ୍ଠାନ ଅଟେ । ମ୍ୟୁନିସିପାଲଟିମାନଙ୍କଠାରୁ କର୍ପୋରେସନ୍ମାନେ ଅଧିକ ସ୍ବାତନ୍ତ୍ର୍ୟ ଉପଭୋଗ କରନ୍ତି ଏବଂ ସେମାନଙ୍କର କ୍ଷମତା ପରିସର ଅଧିକ ହୋଇଥାଏ ।
ବୈଶିଷ୍ଟ୍ୟ :
- ଏହା ବିଧାନସଭାରେ ପ୍ରଣୀତ ଆଇନଦ୍ଵାରା ଗଠିତ ହୋଇଥାଏ ।
- ଏକ ଲକ୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ଥିବା ମହାନଗରୀ ପାଇଁ ଏହା ପ୍ରତିଷ୍ଠା ହୋଇଥାଏ ।
- ଏକ ଆଇନସିଦ୍ଧ ଅନୁଷ୍ଠାନ ହିସାବରେ ଟିକସ ବସାଇବା କ୍ଷମତା ପାଇଥାଏ ।
- ଏହାର ନିଜର ସମ୍ପତ୍ତି ଓ ବ୍ୟବସାୟ ରହିଥାଏ ।
- କର୍ପୋରେସନ୍ ଅଧ୍ୟକ୍ଷଙ୍କୁ ମେୟର କୁହାଯାଏ ଏବଂ କାର୍ଯ୍ୟକାରୀ ଅଫିସରଙ୍କୁ କମିଶନର କୁହାଯାଏ ।
- ରାଜ୍ୟ ସରକାରଙ୍କ ଅନୁମତି ନେଇ ଏବଂ ସରକାରଙ୍କୁ ମଧ୍ୟସ୍ଥି ରଖୁ କର୍ପୋରେସନ୍ ସାଧାରଣ ଲୋକଙ୍କଠାରୁ ଋଣ ଗ୍ରହଣ କରିବ ।
- କର୍ପୋରେସନ୍ମାନଙ୍କରେ ବିଲାତ ଢାଞ୍ଚା ଅନୁସାରେ ମେୟର, ଏଲ୍ରମେନ୍ ଏବଂ କାଉନସିଲରମାନେ ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶାରେ କେବଳ ନିଗମପାଳ ଅଛନ୍ତି ।
କାର୍ଯ୍ୟକାଳ :
କର୍ପୋରେସନ୍ର ମେୟର ଏବଂ ନିର୍ବାଚିତ ବ୍ୟକ୍ତିମାନଙ୍କର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ସାନି ନିର୍ବାଚନର ବ୍ୟବସ୍ଥା ପର୍ଯ୍ୟନ୍ତ ନିଜେ ପରିଚାଳନା କରିପାରନ୍ତି ।
ସାଂଗଠନିକ ବ୍ୟବସ୍ଥା :
ସହରକୁ କେତେକ କାଉନ୍ସିଲରେ ବିଭକ୍ତ କରାଯାଇ ପ୍ରତ୍ୟେକରୁ ଜଣେ ଲେଖାଏଁ କାଉନ୍ସିଲର ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୋଇଥା’ନ୍ତି । କାଉନ୍ସିଲରମାନଙ୍କଦ୍ୱାରା ନିର୍ବାଚିତ ମେୟର ଓ ଉପମେୟର ରହିଥାଆନ୍ତି । ଭୋଟରମାନଙ୍କଦ୍ବାରା ନିର୍ବାଚିତ ପ୍ରତ୍ୟେକ ୱାର୍ଡ଼ର ପ୍ରତିନିଧିଙ୍କୁ ନେଇ ଗଠିତ କର୍ପୋରେସନ୍ କାଉନ୍ସିଲ୍ ପ୍ରତିଷ୍ଠିତ ହୋଇଥାଏ । କାଉନ୍ସିଲ୍ଦ୍ବାରା ନିଯୁକ୍ତ ସ୍ଥାୟୀ କମିଟିମାନ ବିଭିନ୍ନ ବିଷୟ ପାଇଁ ଗଠିତ ହୋଇଥାଏ । କାର୍ଯ୍ୟନିର୍ବାହୀ ଅଧ୍ବକାରୀ ବା କମିଶନରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦିଅନ୍ତି । ଅନାସ୍ଥା ପ୍ରସ୍ତାବ ଗ୍ରହଣଦ୍ବାରା ମେୟର ଓ ଉପମେୟରଙ୍କୁ ପଦଚ୍ୟୁତ କରାଯାଇପାରେ ।
କାର୍ଯ୍ୟ :
- ପାନୀୟ ଜଳଯୋଗାଣ, ପାଣିଟାଙ୍କି ନିର୍ମାଣ ଓ ରକ୍ଷଣାବେକ୍ଷଣ
- ବିଜୁଳି ଯୋଗାଣ ଓ ରାସ୍ତା ବିଦ୍ୟୁତୀକରଣ
- ଜନସ୍ବାସ୍ଥ୍ୟର ବିକାଶ, ଅଳିଆ ଓ ଆବର୍ଜନା ସଫା ପାଇଁ ନାଳୀ ନିର୍ମାଣ
- ଯାନବାହନ ପରିଚାଳନା ଓ ନିୟନ୍ତ୍ରଣ
- ମାତୃମଙ୍ଗଳ ଓ ଶିଶୁମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା
- ହାଟ ଓ କଂସେଇଖାନା ପ୍ରତିଷ୍ଠା
- ଶିକ୍ଷାର ପ୍ରସାର ଓ ପରିଚାଳନା ।
ଇଚ୍ଛାଧୀନ କାର୍ଯ୍ୟ :
- ସର୍ବସାଧାରଣ ପୁସ୍ତକାଗାର, ଯାଦୁଘର, ପାର୍କ ଓ ରଙ୍ଗମଞ୍ଚ ନିର୍ମାଣ ଓ ପରିଚାଳନା
- ବିବାହର ତାଲିକା ରଖୁବା ଓ ଜନଗଣନା କରିବା
- ବିଶ୍ରାମଗୃହ, ଅନାଥାଶ୍ରମ ନିର୍ମାଣ ଓ ପରିଚାଳନା
- ପଥପାର୍ଶ୍ବରେ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ।
୫ । ମ୍ୟୁନିସିପାଲିଟି (ବା) ନଗରପାଳିକା କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ର ଗଠନ ଓ କାର୍ଯ୍ୟ ଆଲୋଚନା କର ।
Answer:
ଓଡ଼ିଶାରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ତିନିଗୋଟି ଅନୁଷ୍ଠାନ; ଯଥା — ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ୧୯୫୦ ମସିହାର ମ୍ୟୁନିସିପାଲିଟି ଆଇନର କେତେକ ପରିବର୍ତ୍ତନ ହୋଇ ୩୧ଟି ମ୍ୟୁନିସିପାଲିଟି ଏବଂ ୭୬ଟି N.A.C. ରହିଛି । ଯେଉଁ ସହରରେ ୧୦ ହଜାରରୁ ଅଧିକ ବାସିନ୍ଦା ରହନ୍ତି ସେଠାରେ ମ୍ୟୁନିସିପାଲିଟି ଥାଏ ଏବଂ ଯେଉଁଠାରେ ୫ ହଜାରରୁ ଅଧ୍ଵକ ବାସିନ୍ଦା ରହନ୍ତି ସେଠାରେ N.A.C. ଥାଏ ଓ ୧ ଲକ୍ଷରୁ ଊର୍ଦ୍ଧ୍ଵ ବାସିନ୍ଦା ଥିବା ସହରରେ ନିଗମ ପ୍ରତିଷ୍ଠା କରାଯାଇଛି ।
ଗଠନ – ପ୍ରତି ମ୍ୟୁନିସିପାଲିଟିର ପରିଚାଳନା ପାଇଁ ଗୋଟିଏ ଗୋଟିଏ ମ୍ୟୁନିସିପାଲିଟି କାଉନ୍ସିଲ୍ ଥାଏ । ଏହି କାଉନ୍ସିଲ ସଦସ୍ୟମାନେ ସହରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥାଆନ୍ତି । ଅନ୍ତତଃ ୧୧ ଜଣ ଓ ସର୍ବାଧିକ ୩୦ ଜଣ କାଉନସିଲ୍ର ସଦସ୍ୟ ରହିପାରିବେ । ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଇଚ୍ଛାକଲେ ସୁପରିଚାଳନା ପାଇଁ ମ୍ୟୁନିସିପାଲିଟିର ପରିଚାଳନା ନିଜ ହାତକୁ ନେଇ ସାନି ନିର୍ବାଚନ କରନ୍ତି । କାଉନ୍ସିଲରମାନଙ୍କଦ୍ୱାରା ଚେୟାରମ୍ୟାନ୍ ନିର୍ବାଚିତ ହୁଅନ୍ତି ଏବଂ ଯେତେବେଳେ ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କର ଆସ୍ଥା ହରାନ୍ତି ସେତେବେଳେ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ।
ତାଙ୍କୁ ସାହାଯ୍ୟ କରିବାପାଇଁ ଜଣେ ଭାଇସ୍-ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ହୁଅନ୍ତି । ଏଠାରେ ମଧ୍ୟ ପଞ୍ଚାୟତିରାଜ ବ୍ୟବସ୍ଥା ଭଳି ମହିଳାମାନଙ୍କ ପାଇଁ ୩୦% ସ୍ଥାନ ସଂରକ୍ଷଣ ଥାଏ । ମ୍ୟୁନିସିପାଲିଟିର ଦୈନିକ କାର୍ଯ୍ୟ ପରିଚାଳନା ପାଇଁ ଜଣେ ଏକ୍ଜିକ୍ୟୁଟିଭ୍ ଅଫିସର ନିଯୁକ୍ତ ହୋଇଥା’ନ୍ତି । ଜଣେ ସ୍ଵାସ୍ଥ୍ୟ ଅଫିସର ଓ ଜଣେ ଇଞ୍ଜିନିୟର୍ ମଧ୍ୟ ନିଯୁକ୍ତି ପାଇ କାର୍ଯ୍ୟ କରନ୍ତି । କାଉନ୍ସିଲ ନିଜର ବଜେଟ୍ ପାସ୍ କରନ୍ତି ଓ ସରକାରଙ୍କଠାରୁ ଋଣ କରିପାରନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ହୁଅନ୍ତି ।
କାର୍ଯ୍ୟ :
ବାଧ୍ୟତାମୂଳକ :
ଏଠାରେ ଗମନାଗମନର ସୁବିଧା ପାଇଁ ରାସ୍ତାଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ଓ ଉନ୍ନତି, ସଂକ୍ରାମକ ରୋଗର ପ୍ରତିଷେଧକ ବ୍ୟବସ୍ଥା ଆଦି ଗ୍ରହଣ କରାଯାଏ । ଆବର୍ଜନା ନିଷ୍କାସନ ପାଇଁ ନାଳନର୍ଦ୍ଦମା ଓ କମ୍ପୋଷ୍ଟ ଖାତ ଖନନ, ପ୍ରାଥମିକ ଶିକ୍ଷାର ପ୍ରସାର ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ, ଶ୍ମଶାନ ପରିଚାଳନା ଓ ଅଗ୍ନି ସେବାଶମ କାର୍ଯ୍ୟକ୍ରମ, ଜନ୍ମ ମୃତ୍ୟୁ ତାଲିକା ପ୍ରସ୍ତୁତି, ସାଧାରଣ ସ୍ଵାସ୍ଥ୍ୟ ଆଦି କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ ସମ୍ପାଦନ କରିଥାଏ ।
ଇଚ୍ଛାଧୀନ :
ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ପରିଷଦର ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ । ନିମ୍ନଲିଖୁତ କାର୍ଯ୍ୟମାନ ଇଚ୍ଛାଧୀନ କାର୍ଯ୍ୟର ପରିସରଭୁକ୍ତ ।
- ଗମନାଗମନ ଓ ପରିବହନର ସୁବିଧାପାଇଁ ଟାଉନ୍ ବସ୍ ଚଳାଚଳ ।
- ଆମୋଦପ୍ରମୋଦ ପାଇଁ ପାର୍କ, ପାଠାଗାର ଓ କ୍ରୀଡ଼ାର ବ୍ୟବସ୍ଥା ।
- ମାଧ୍ୟମିକ ଓ ଉଚ୍ଚତର ଶିକ୍ଷାର ପ୍ରସାର ।
- ଆଲୋକ ଓ ପ୍ରମୋଦ ବ୍ୟବସ୍ଥା ।
- ସୁଲଭ ଶୌଚାଳୟ ଏବଂ ରଙ୍ଗମଞ୍ଚ, ସଂଗ୍ରହାଳୟ ପ୍ରତିଷ୍ଠା ଇତ୍ୟାଦି ।
ସରକାରୀ ନିୟନ୍ତ୍ରଣ :
ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଶୃଙ୍ଖଳିତ କରିବା, ବ୍ୟତିବିଚ୍ୟୁତି ସୁଧାରିବାପାଇଁ ସରକାର ନିୟନ୍ତ୍ରଣ ଜାରିକରନ୍ତି । ସରକାର କୈଫିୟତ ମାଗିପାରିବେ, ଅନୁଦାନ ବନ୍ଦ କରିପାରିବେ ଓ ଆବଶ୍ୟକ ହେଲେ ସରକାର ପୌର ପରିଷଦକୁ ଭାଙ୍ଗି ଏହାର ପରିଚାଳନା ଭାର ନିଜ ହାତକୁ ନେଇପାରନ୍ତି । ନଗରପାଳିକାର ସମସ୍ତ ହିସାବ ସରକାରୀ ଅଡ଼ିଟ୍ର ଅନ୍ତର୍ଭୁକ୍ତ ଅଟେ ।
ଆୟର ସୂତ୍ର :
ମ୍ୟୁନିସିପାଲିଟି ଟିକସ, ଫି, ଫାଇନ୍, ସରକାରୀ ଅନୁଦାନ, ଋଣ ଆଦି ସୂତ୍ରରୁ ଆୟ କରିଥାଏ । ୧୯୬୩ ମସିହାର ବିଶ୍ବନାଥ ଦାସ କମିଟିଙ୍କ ସୁପାରିସ ଅନୁସାରେ ଓଡ଼ିଶାରେ ନଗର ଉନ୍ନୟନ ବିଭାଗ ଗଠନ କରାଯାଇଛି । ନଗରପାଳିକାର ସବୁକାର୍ଯ୍ୟ ତଦାରଖ କରିବାପାଇଁ ବିଭାଗର ନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି । ସ୍ଵାୟତ୍ତ ଶାସନ ସଂସ୍ଥାର ସଫଳତା ଉପରେ ଗଣତନ୍ତ୍ରର ଭବିଷ୍ୟତ ନିର୍ଭର କରେ ।