CHSE Odisha Class 12 Economics Chapter 3 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 3 ମୌଳିକ ଧାରଣା (ମାନବୀୟ ଅଭାବ, ଉପଯୋଗିତା, ଦ୍ରବ୍ୟ, ମୂଲ୍ୟ, ଦର ଓ ସମ୍ପଦ) Long Answer Questions.

CHSE Odisha 12th Class Economics Chapter 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ମାନବିକ ଅଭାବର ସଂଜ୍ଞା ନିରୂପଣ କର । ଏହାର ପ୍ରଧାନ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ମଣିଷର ଅଭାବ ହିଁ ସମସ୍ତ ଅର୍ଥନୈତିକ କାର୍ଯ୍ୟାବଳୀର ଉତ୍ପତ୍ତିସ୍ଥଳ । ଅଭାବ କହିଲେ କୌଣସି ଏକ ଦ୍ରବ୍ୟ ପ୍ରାପ୍ତିର ଇଚ୍ଛାକୁ ବୁଝାଏ । ଏଥିପାଇଁ ବ୍ୟକ୍ତି ବିଶେଷଙ୍କୁ ଉଦ୍ୟମ କରିବାକୁ ପଡ଼େ । ଉଦ୍ୟମଦ୍ୱାରା ସେ ସମ୍ବଳ ସଂଗ୍ରହ କରି ଅଭାବ ପୂରଣ କରେ । ଅତଏବ, ଅଭାବ, ଉଦ୍ୟମ ଓ ଅଭାବର ପରିତୃପ୍ତି ଅର୍ଥଶାସ୍ତ୍ରର ବିଷୟବସ୍ତୁ । ଅର୍ଥଶାସ୍ତ୍ର ମଣିଷକୁ ଏକ ବିଡ଼ା ରୂପେ ବିଚାର କରେ । ମାନବୀୟ ଅଭାବର ସୀମାରେଖା ଅଙ୍କନ କରିବା ସମ୍ଭବ ନୁହେଁ । ସମୟର ପରିବର୍ତ୍ତନ ସହ ଅଭାବର ପରିମାଣାତ୍ମକ ଓ ଗୁଣାତ୍ମକ ପରିବର୍ତ୍ତନ ଘଟେ । ତେଣୁ ଆର୍ଥନୈତିକ ସମସ୍ୟା ଅଧିକ ଜଟିଳ ଓ ତୀବ୍ର ହୋଇଥାଏ ।

ସଂଜ୍ଞା :
ମାନବ ଯଦି କୌଣସି ଦ୍ରବ୍ୟ ପ୍ରାପ୍ତିର ଇଚ୍ଛା ବା ଅଭିଳାଷ ପ୍ରକାଶ କରେ, ତେବେ ତାକୁ ଅର୍ଥଶାସ୍ତ୍ରରେ ‘ମାନବିକ ଅଭାବ’ Human Wantର ଆଖ୍ୟା ପ୍ରଦାନ କରାଯାଇଥାଏ ।

ମାନବିକ ଅଭାବର ବୈଶିଷ୍ଟ୍ୟ :
ମାନବିକ ଅଭାବର କେତେକ ମୌଳିକ ବୈଶିଷ୍ଟ୍ୟ ରହିଛି । ସେଗୁଡ଼ିକ ନିମ୍ନରେ ଆଲୋଚିତ ହୋଇଛି ।

(1) ଅଭାବଗୁଡ଼ିକ ଅସୀମ : ମାନବୀୟ ଅଭାବ ସୀମାତୀତ । ଏହା ଅସଂଖ୍ୟ ତଥା ବିଭିନ୍ନ ଶ୍ରେଣୀର ଓ ପ୍ରକୃତିର । ଗୋଟିଏ ଅଭାବ ପୂରଣ ହେଲେ ଅନ୍ୟ ଏକ ଅଭାବ ମୁଣ୍ଡ ଟେକେ । ଜୀବନକାଳ ମଧ୍ୟରେ ମଣିଷ ନିଜ ଅଭାବ ପୂରଣ କରିବାରେ କେବଳ ବ୍ୟସ୍ତଥାଏ ଏବଂ ଏହାର କୌଣସି ଅନ୍ତ ପାଏନାହିଁ । ସାମଗ୍ରିକ ଭାବେ ସମସ୍ତ ଅଭାବର ପୂରଣ ଅସମ୍ଭବ । ମାନବୀୟ ଅଭାବ ଅସୀମ ଥିବାବେଳେ ଅଭାବମୋଚନ ପାଇଁ ଆବଶ୍ୟକ ହେଉଥିବା ସମ୍ବଳ ସୀମିତ । ତେଣୁ ମଣିଷ ସମସ୍ତ ଅଭାବ ମଧ୍ୟରୁ ଅଗ୍ରାଧ‌ିକାର ଭିତ୍ତିରେ ଗୁରୁତ୍ବପୂର୍ଣ୍ଣ ଅଭାବଗୁଡ଼ିକ ପ୍ରଥମେ ପୂରଣ କରିଥାଏ ।

(2) ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ : ସମସ୍ତ ମାନବୀୟ ଅଭାବ ଅସୀମ ଓ ପରିତୃପ୍ତକ୍ଷମ ନୁହେଁ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଅଭାବର ପରିତୃପ୍ତି ସମ୍ଭବ । ଜଣେ ତୃଷାଇଁ ବ୍ୟକ୍ତି ଜଳପାନ କରି ତାଙ୍କ ତୃଷା ସମ୍ପୂର୍ଣ୍ଣ ନିବାରଣ କରିପାରିବ । ରେଡ଼ିଓର ଅଭାବ ଅନୁଭବ କରୁଥିବା ଜଣେ ବ୍ୟକ୍ତି ରେଡ଼ିଓ କ୍ରୟ କରି ନିଜ ଅଭାବ ମୋଚନ କରିପାରିବ । ତେଣୁ ଏକ ନିର୍ଦ୍ଦିଷ୍ଟ ଅଭାବ ସସୀମ ହୋଇଥିବାରୁ ତାହାର ପରିତୃପ୍ତି ସମ୍ଭବ ହୋଇଥାଏ । ଅର୍ଥଶାସ୍ତ୍ରର କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅଭାବର ଏହି ବୈଶିଷ୍ଟ୍ୟ ଉପରେ ପର୍ଯ୍ୟବସିତ ।

(3) କେତେକ ଅଭାବ ପରସ୍ପର ପରିପୂରକ : କେତେକ ଅଭାବ ଏକ ସଙ୍ଗେ ଅନୁଭୂତ ହୋଇଥାଏ । ତେଣୁ କାଗଜର ଅଭାବ ଓ କଲମର ଅଭାବ ପରସ୍ପରର ପରିପୂରକ । କାଗଜର ଅଭାବ କିମ୍ବା କଲମର ଅଭାବ ପୂରଣ ହେଲେ ଲେଖୁବା ସମ୍ଭବ ହେବ ନାହିଁ । କାଗଜ ଓ କଲମ ଭଳି ଚକ୍ ଓ ଡଷ୍ଟର, ମଟର ସାଇକେଲ ଓ ପେଟ୍ରୋଲ, ଟାୟାର ଓ ଟିୟୁବ୍ ଇତ୍ୟାଦିର ଅଭାବ ପରସ୍ପର ପରିପୂରକ ।

(4) କେତେକ ଅଭାବ ପ୍ରତିଯୋଗୀ : ସୀମିତ ସମ୍ବଳ ମଧ୍ଯରେ ସମସ୍ତ ଅଭାବର ପରିପୂରଣ ଅସମ୍ଭବ । ତେଣୁ, ମଣିଷ ଆବଶ୍ୟକତା ଭିତ୍ତିରେ ସୀମିତ ସମ୍ବଳକୁ ଉପଯୋଗ କରି ଅଭାବ ପୂରଣ କରିଥାଏ । ସମସ୍ତ ଅଭାବ ମଧ୍ୟରୁ କେତେକ ଗୁରୁତ୍ଵପୂର୍ଣ୍ଣ ଅଭାବ ଚୟନ କରି ସେଗୁଡ଼ିକ ପ୍ରଥମେ ପୂରଣ ପାଇଁ ମଣିଷ ଚେଷ୍ଟାକରେ ଏବଂ ଅନ୍ୟାନ୍ୟ ଅଭାବର ପରିତୃପ୍ତି ସ୍ଥଗିତ ରଖେ । ମନେକର ଜଣେ ଉପଭୋକ୍ତା ଏକ ସଙ୍ଗେ ବହି, ଜୋତା ଓ ଔଷଧର ଅଭାବ ଉପଲବ୍ଧି କରୁଛନ୍ତି । ତାଙ୍କ ପାଖରେ ଥିବା ସମ୍ବଳରେ ସେ ଗୋଟିଏ ମାତ୍ର ଅଭାବ ପୂରଣ ପାଇଁ ସକ୍ଷମ । ତେଣୁ ଏହି ତିନୋଟି ଅଭାବ ମଧ୍ୟରୁ ଯେଉଁଟି ତାଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ, ତାହା ସେ ପ୍ରଥମେ ପୂରଣ କରିବେ ।

(5) ଅଭାବଗୁଡ଼ିକ ବୈକଳ୍ପିକ : କେତେକ ଅଭାବ ବିକଳ୍ପ ଦ୍ରବ୍ୟ ପରିତୃପ୍ତ ହୋଇପାରେ । କ୍ଷୁଧା ନିବାରଣ ନିମନ୍ତେ ଭାତ କିମ୍ବା ଫଳ କିମ୍ବା ଅନ୍ୟ କୌଣସି ଖାଦ୍ୟ ନିଆଯାଇପାରେ । ରୋଷେଇ ପାଇଁ କାଠ କିମ୍ବା ରୋଷେଇ ଗ୍ୟାସ୍ କିମ୍ବା କିରୋସିନ୍ କିମ୍ବା ବିଜୁଳି ଶକ୍ତି ବ୍ୟବହାର କରାଯାଇପାରେ । ତେଣୁ ଏକ ନିର୍ଦ୍ଦିଷ୍ଟ ଅଭାବକୁ ବିଭିନ୍ନ ବିକଳ୍ପ ମାଧ୍ୟମରେ ପୂରଣ କରାଯାଇପାରେ ।

(6) କେତେକ ଅଭାବ ଅଭ୍ୟାସରେ ପରିଣତ ହୁଏ : କେତେକ ଅଭାବ ବାରମ୍ବାର ପୂରଣ କଲେ, ତାହା କାଳକ୍ରମେ ଅଭ୍ୟାସରେ ପରିଣତ ହୋଇପାରେ । ଚା’, କଫି, ମଦ, ସିଗାରେଟ୍, ଅଫିମ ଇତ୍ୟାଦିର ସାମୟିକ ବ୍ୟବହାର କାଳକ୍ରମେ ଉପଭୋକ୍ତାଙ୍କ ଅଭ୍ୟାସରେ ପରିଣତ ହୁଏ ।

(7) କେତେକ ଅଭାବ ପରସ୍ପର ପରିପୂରକ ଓ ପ୍ରତିଯୋଗୀ : ଏଭଳି କେତେକ ଅଭାବ ରହିଛି ଯାହା ପରସ୍ପର ପରିପୂରକ ଓ ପ୍ରତିଯୋଗୀ । ଯନ୍ତ୍ର ଓ ଶ୍ରମିକ ଉଭୟ ପରିପୂରକ । କୌଣସି ଉତ୍ପାଦନ ପ୍ରକ୍ରିୟାରେ ଉଭୟଙ୍କ ଅଭାବ ଏକ ସଙ୍ଗେ ଅନୁଭୂତ ହୋଇଥାଏ । କିନ୍ତୁ ଯନ୍ତ୍ର ଓ ଶ୍ରମିକ ପରସ୍ପରର ସ୍ଥାନାପନ୍ନ ମଧ୍ୟ । ଯନ୍ତ୍ରର ବ୍ୟବହାର ବୃଦ୍ଧି କରି ଶ୍ରମିକର ନିୟୋଜନ ହ୍ରାସ କରିହେବ । ଠିକ୍ ସେହିପରି ଯନ୍ତ୍ରର ନିୟୋଜନ ହ୍ରାସ କରି ଶ୍ରମିକର ଅଭାବ ବୃଦ୍ଧି କରିବା ସମ୍ଭବ । ତେଣୁ ଯନ୍ତ୍ର ଓ ଶ୍ରମିକ ପରିପୂରକ ହେଲେ ମଧ୍ୟ ସେମାନେ ପରସ୍ପର ପ୍ରତିଯୋଗୀ ।

CHSE Odisha Class 12 Economics Chapter 3 Long Answer Questions in Odia Medium

(8) ସ୍ଥାନ, କାଳ ଓ ପାତ୍ର ଅନୁସାରେ ଅଭାବ ଭିନ୍ନଭିନ୍ନ : ଅଭାବ ସ୍ଥାନ, କାଳ ଓ ପାତ୍ର ଅନୁସାରେ ଅଲଗା ଅଲଗା । ଗୋଟିଏ ସ୍ଥାନରେ ଅନୁଭୂତ ହେଉଥ‌ିବା ଅଭାବ ଅନ୍ୟସ୍ଥାନରେ ଅନୁଭୂତ ହୋଇ ନପାରେ । ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଅଭାବ ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ଅଭାବଠାରୁ ନିଶ୍ଚୟ ଅଲଗା । ଠିକ୍ ସେହିପରି ସମୟ ଭିଭିରେ ଅଭାବ ମଧ୍ଯ ଅଲଗା । ଗ୍ରୀଷ୍ମ ସମୟରେ ବିଜୁଳି ପଙ୍ଖାର ଅଭାବ ଅନୁଭୂତ ହେଉଥ‌ିବାବେଳେ ଶୀତ ସମୟରେ ଏହାର ଅଭାବ ଅନୁଭୂତ ହୋଇ ନଥାଏ ।

ସମାନ ସ୍ଥାନ ଓ ସମୟରେ ବାସ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କ ଅଭାବ ମଧ୍ଯ ଅଲଗା ଅଲଗା । ଗ୍ରୀଷ୍ମ ସମୟରେ ଜଣେ ବିଜୁଳି ପଙ୍ଖାର ଅଭାବ ଅନୁଭବ କରୁଥିବାବେଳେ ଅନ୍ୟଜଣେ ଏୟାର କଣ୍ଡିସନର ଅଭାବ ଅନୁଭବ କରିଥାଏ । ଜଣେ ରୋଗୀ ପାଇଁ ଔଷଧର ଅଭାବ ଥିବାବେଳେ ଜଣେ ଛାତ୍ର ପାଇଁ ବହିର ଅଭାବ ପରିଲକ୍ଷିତ ହୋଇଥାଏ ।

2. ମାନବିକ ଅଭାବର ଶ୍ରେଣୀବିଭାଗ ଆଲୋଚନା କର ଏବଂ ଏହି ଶ୍ରେଣୀବିଭାଗ ବିଭାଜନ ସାପେକ୍ଷ କି ?
Answer:
ଅଭାବଗୁଡ଼ିକ ତିନୋଟି ଶ୍ରେଣୀରେ ବିଭାଜିତ ହୋଇଥାଏ; ଯଥା – ଅତ୍ୟାବଶ୍ୟକୀୟ ଅଭାବ, ଆରାମଦାୟକ ଅଭାବ ଏବଂ ବିଳାସମୂଳକ ଅଭାବ । ଅତ୍ୟାବଶ୍ୟକୀୟ ଅଭାବଗୁଡ଼ିକ ପୁନଶ୍ଚ ତିନିଭାଗରେ ବିଭକ୍ତ ହୋଇଅଛି; ଯଥା ଜୀବନରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ, କାର୍ଯ୍ୟଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ ଏବଂ ଅଭ୍ୟାସ ଓ ପରମ୍ପରାଗତ ଅତ୍ୟାବଶ୍ୟକୀୟ ଅଭାବ

(୧) ଅତ୍ୟାବଶ୍ୟକୀୟ ଅଭାବ ଜୀବନଧାରଣ ପାଇଁ ଯେଉଁ ଅଭାବର ପରିତୃପ୍ତି ନିତାନ୍ତ ଆବଶ୍ୟକ, ତାହାକୁ ଅତ୍ୟାବଶ୍ୟକ ଅଭାବ କୁହାଯାଏ । ଏହି ଅତ୍ୟାବଶ୍ୟକୀୟ ଅଭାବ ପୂରଣ ନ କଲେ ମନୁଷ୍ୟ ବଞ୍ଚିପାରିବ ନାହିଁ । ତେଣୁ ପ୍ରତ୍ୟେକ ମନୁଷ୍ୟ ପ୍ରଥମେ ଏହି ଅତ୍ୟାବଶ୍ୟକୀୟ ଅଭାବକୁ ପୂରଣ କରିବାକୁ ଚେଷ୍ଟା କରନ୍ତି । ଏହି ଅତ୍ୟାବଶ୍ୟକୀୟ ଅଭାବକୁ ତିନିଭାଗରେ ବିଭକ୍ତ କରାଯାଇଅଛି; ଯଥା – ଜୀବନଧାରଣଜନିତ ଆବଶ୍ୟକତା, ଦକ୍ଷତାରକ୍ଷକ ଆବଶ୍ୟକତା ଏବଂ ଅଭ୍ୟାସ ଓ ପରମ୍ପରାଗତ ଆବଶ୍ୟକତା ।

(କ) ଜୀବନଧାରଣଜନିତ ଆବଶ୍ୟକତା – ଜୀବନଧାରଣର ଅତ୍ୟାବଶ୍ୟକ ଅଭାବ କହିଲେ ସେହି ଅଭାବକୁ ବୁଝାଏ, ଯାହାର ପରିତୃପ୍ତି ବ୍ୟତୀତ ମାନବ ବଞ୍ଚିପାରିବ ନାହିଁ । ଏହାକୁ ମାନବିକ ସ୍ଥିତି ଆବଶ୍ୟକତା କୁହାଯାଏ । ଖାଦ୍ୟ, ବସ୍ତ୍ର, ବାସଗୃହ – ଏହି ପ୍ରକାର ଅତ୍ୟାବଶ୍ୟକୀୟ ଅଭାବ । ଏହାକୁ ସଂପୂର୍ଣ୍ଣ ଅଭାବ ବୋଲି କେତେକ କହନ୍ତି ।

(ଖ) ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ – ଯେଉଁ ଦ୍ରବ୍ୟ ଏବଂ ସେବା ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରେ, ତାହାକୁ ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ କୁହାଯାଏ । ଦକ୍ଷତା କହିଲେ ଜଣେ ଶ୍ରମିକର କାର୍ଯ୍ୟ କରିବାର କ୍ଷମତା ଏବଂ ସାମର୍ଥ୍ୟକୁ ବୁଝାଏ । ଛାତ୍ରଙ୍କର କଲମ, ଡାକ୍ତରଙ୍କର ମଟରଗାଡ଼ି ଏବଂ ଅଧ୍ୟାପକଙ୍କର ପୁସ୍ତକ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରେ । ସେହିପରି ପୁଷ୍ଟିକର ଖାଦ୍ୟ, ଉତ୍ତମ ବାୟୁ ସଞ୍ଚାଳିତ ଗୃହ ଏବଂ ଅବସର ବିନୋଦନ ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରେ ।

(ଗ) ଅଭ୍ୟାସ ଓ ପରମ୍ପରାଗତ ଆବଶ୍ୟକୀୟ ଅଭାବ – ଏହି ପ୍ରକାର ଅଭାବ ଅଭ୍ୟାସ ଏବଂ ସାମାଜିକ ପ୍ରଥା ଯୋଗୁଁ ସୃଷ୍ଟି ହୁଏ । ବିପୁଳ ଯୌତୁକ ଏବଂ ଅପଚୟମୂଳକ ବ୍ୟୟ ବିବାହ ସମୟରେ ଲୋକମାନେ କରନ୍ତି । ଏହି ଅଭାବ ସାମାଜିକ ଚଳଣି ଯୋଗୁଁ ସୃଷ୍ଟି ହୋଇଥାଏ । ସେହିପରି ଲୋକମାନେ ଚା’, ପାନ, ସିଗାରେଟ୍ ଏବଂ ମଦ ପ୍ରଭୃତି ମାଦକଦ୍ରବ୍ୟର ବ୍ୟବହାର ଅଭ୍ୟାସ ଯୋଗୁଁ କରନ୍ତି । ତେଣୁ ଏ ପ୍ରକାର ଅଭାବ ମନ୍ଦ ଅଭ୍ୟାସ ଯୋଗୁଁ ସୃଷ୍ଟି ହୁଏ ।

(୨) ଆରାମଦାୟକ ଅଭାବ – ଯେଉଁ ଦ୍ରବ୍ୟଗୁଡ଼ିକ ଜୀବନକୁ ସୁଖପ୍ରଦ ଓ ଆରାମଦାୟକ କରେ ତାହାକୁ ଆରାମଦାୟକ ଦ୍ରବ୍ୟ କୁହାଯାଏ । ଏକ ସୁସଜ୍ଜିତ ଗୃହ ବା ଏକ ବିଜୁଳି ପଙ୍ଖା ଆରାମଦାୟକ ଅଭାବର ଉଦାହରଣ । ଦକ୍ଷତାରକ୍ଷକ ଅତ୍ୟାବଶ୍ୟକ ଦ୍ରବ୍ୟ ଏବଂ ଆରାମ ଦାୟକ ଦ୍ରବ୍ୟ ମଧ୍ଯରେ ପାର୍ଥକ୍ୟ ସେତେ ସୁସ୍ପଷ୍ଟ ନୁହେଁ । ସେଗୁଡ଼ିକ ମଧ୍ୟରେ ମାତ୍ରାଗତ ପାର୍ଥକ୍ୟ ରହିଅଛି, ମାତ୍ର ଶ୍ରେଣୀଗତ ପାର୍ଥକ୍ୟ ନାହିଁ ।

(୩) ବିଳାସମୂଳକ ଅଭାବ – ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ସମ୍ପଦ ଓ ଆଭିଜାତ୍ୟର ପ୍ରଦର୍ଶନ କରେ, ତାହାକୁ ବିଳାସମୂଳକ ଦ୍ରବ୍ୟ କୁହାଯାଏ । ଜଣେ ଭଦ୍ରମହିଳାଙ୍କ ହୀରକହାର ଏବଂ ଜଣେ ଛାତ୍ରାବାସରେ ରହୁଥ‌ିବା ଅନ୍ତେବାସୀଙ୍କର ଏକ ମଟରଗାଡ଼ି ବିଳାସମୂଳକ ଦ୍ରବ୍ୟର ଉଦାହରଣ ।

ଅତ୍ୟାବଶ୍ୟକ, ଆରାମଦାୟକ ଏବଂ ବିଳାସମୂଳକ ଦ୍ରବ୍ୟର ବିଭାଜନ ସାପେକ୍ଷ ଜଣକର ଯାହା ଅତ୍ୟାବଶ୍ୟକ ଦ୍ରବ୍ୟ ତାହା ଅନ୍ୟ ଜଣକର ଆରାମଦାୟକ ଦ୍ରବ୍ୟ ଏବଂ ଅନ୍ୟ ଜଣକର ବିଳାସମୂଳକ ଦ୍ରବ୍ୟ ହୋଇପାରେ । ଏହି ବିଭାଜନ ଦେଶ, କାଳ, ପାତ୍ର, ଜଳବାୟୁ, ଆୟ, ଜୀବନଧାରଣ ମାନ, ବ୍ୟବସାୟ, ବୃତ୍ତି ଏବଂ ଦରଦ୍ଵାରା ପ୍ରଭାବିତ । ଫୁଲପ୍ୟାଣ୍ଟ ପରିଧାନ, ଚା’ ପାନ ଓ ଦୂରଦର୍ଶନ ମନୋରଞ୍ଜନ କାଲି ଥିଲା ବିଳାସ ସାମଗ୍ରୀ, ମାତ୍ର ଆଜି ତାହା ଆରାମଦାୟକ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟରେ ପରିଣତ ହୋଇଅଛି ।

ଭାରତ ପରି ଅନୁନ୍ନତ ଦରିଦ୍ର ଦେଶରେ ମୋଟରଗାଡ଼ି ଏକ ବିଳାସମୂଳକ ଦ୍ରବ୍ୟ ହୋଇଥିଲାବେଳେ କୁବେରପୁରୀ ଆମେରିକାରେ ଏହା ଏକ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ । ବିଲାତରେ ପଶମର କୋଟ ଅତ୍ୟାବଶ୍ୟକ ଦ୍ରବ୍ୟ ହୋଇଥିଲାବେଳେ ଭାରତରେ ତାହା ବିଳାସମୂଳକ ଦ୍ରବ୍ୟ । ବୃତ୍ତିରେ ଡାକ୍ତର ହୋଇଥିବା ବ୍ୟକ୍ତିଙ୍କର ମଟରଗାଡ଼ି ଏକ ଅତ୍ୟାବଶ୍ୟକ ଦ୍ରବ୍ୟ, କିନ୍ତୁ ଜଣେ ଛାତ୍ର ପାଇଁ ମଟରଗାଡ଼ି ବିଳାସମୂଳକ ଦ୍ରବ୍ୟ । ଅଧୂକ ଆୟ ଥିବା ବ୍ୟକ୍ତିମାନଙ୍କର ଏକ ଦୂରଦର୍ଶନ ସେଟ୍ ଅତ୍ୟାବଶ୍ୟକ ଦ୍ରବ୍ୟ ହୋଇଥଲାବେଳେ, ଦରିଦ୍ର ଲୋକ ପାଇଁ ଏହା ବିଳାସମୂଳକ ଦ୍ରବ୍ୟ ହୋଇଥାଏ ।

ଗୋଟିଏ କଲମର ଦର ୫୦୦ ଟଙ୍କା ହେଲେ ଏହା ବିଳାସମୂଳକ ଦ୍ରବ୍ୟ, ମାତ୍ର ଏହାର ଦର ଏକ ଟଙ୍କା ହେଲେ ଏହା ଆବଶ୍ୟକତା ଦ୍ରବ୍ୟ ହୋଇଥାଏ । ତେଣୁ ବିଳାସମୂଳକ, ଆରାମଦାୟକ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ ପରସ୍ପରଠାରୁ ସ୍ଵତନ୍ତ୍ର ନୁହନ୍ତି । ଏହି ତ୍ରିବିଧ ବିଭାଜନ ପରିବର୍ତ୍ତନୀୟ ।

3. ଦ୍ରବ୍ୟ କାହାକୁ କୁହାଯାଏ ? ଦ୍ରବ୍ୟର ଶ୍ରେଣୀବିଭାଗ ଆଲୋଚନା କର ।
Answer:
ମାନବୀୟ ଅଭାବକୁ ପରିତୃପ୍ତ କରିପାରୁଥିବା ଯେକୌଣସି ପଦାର୍ଥକୁ ଅର୍ଥଶାସ୍ତ୍ରରେ ଦ୍ରବ୍ୟ କୁହାଯାଏ । ଏହା ବସ୍ତୁଗତ ବା ସେବାଗତ ହୋଇପାରେ । ଅଭାବ ପରିତୃପ୍ତ କରିବାର ସାମର୍ଥ୍ୟକ ଉପଯୋଗିତା କୁହାଯାଏ । ଅର୍ଥାତ୍ ଉପଯୋଗିତା ଥ‌ିବା ଜିନିଷଗୁଡ଼ିକୁ ଦ୍ରବ୍ୟ କୁହାଯାଏ । ଯଦି ଦ୍ରବ୍ୟ ବସ୍ତୁଗତ ହୋଇଥାଏ, ତେବେ ତାହାକୁ ସାମଗ୍ରୀ କହନ୍ତି । ଏହି ବସ୍ତୁଗତ ଦ୍ରବ୍ୟକୁ ସ୍ପର୍ଶ କରିହେବ ଏବଂ ଦେଖିହେବ । ଏହି ଦ୍ରବ୍ୟଗୁଡ଼ିକର ଆକୃତି ଥାଏ; ମାତ୍ର ଯେଉଁ ଦ୍ରବ୍ୟଗୁଡ଼ିକ ଅପାର୍ଥିବ, ଯାହାକୁ ସ୍ପର୍ଶ କରିହେବ ନାହିଁ, ତାହାକୁ ସେବା କହନ୍ତି ।

ଦ୍ରବ୍ୟର ଶ୍ରେଣୀବିଭାଗ :
ମାନବିକ ଅଭାବକୁ ପରିତୃପ୍ତ କରୁଥିବା ଦ୍ରବ୍ୟଗୁଡ଼ିକର ଅନେକ ଶ୍ରେଣୀବିଭାଗ ରହିଅଛି । ସେଗୁଡ଼ିକ ହେଲା-
(i) ମୁକ୍ତ ଦ୍ରବ୍ୟ ଓ ଆର୍ଥନୀତିକ ଦ୍ରବ୍ୟ : ମୁକ୍ତ ଦ୍ରବ୍ୟ ବା ଅବାଧଲବ୍‌ଧ ଦ୍ରବ୍ୟ ପ୍ରକୃତିର ମୁକ୍ତ ଦାନ । ସେଗୁଡ଼ିକର ଯୋଗାଣ ଚାହିଦା ତୁଳନାରେ ପର୍ଯ୍ୟାପ୍ତ ହୋଇଥିବାରୁ ଯେ କେହି ବିନାଶ୍ରମରେ ବା ବିନାମୂଲ୍ୟରେ ସେଗୁଡ଼ିକୁ ଇଚ୍ଛାନୁଯାୟୀ ସଂଗ୍ରହ କରିଥାନ୍ତି କିମ୍ବା ଉପଭୋଗ କରିଥାନ୍ତି । ଜଳ, ବାୟୁ ସୂର୍ଯ୍ୟାଲୋକ ଇତ୍ୟାଦି ମୁକ୍ତ ଦ୍ରବ୍ୟର ଉଦାହରଣ । ଏହାର ଉପଯୋଗିତା ବା ଅଭାବ ପୂରଣର ସାମର୍ଥ୍ୟ ଥିଲେ ମଧ୍ୟ ଦୁଷ୍ପାପ୍ୟତା ନ ଥିବାରୁ ଏହାର ବିନିମୟ ମୂଲ୍ୟ ନାହିଁ । ତେଣୁ ଏହି ବସ୍ତୁଗୁଡ଼ିକର ବଜାର ଦର ମଧ୍ୟ ନାହିଁ ।

CHSE Odisha Class 12 Economics Chapter 3 Long Answer Questions in Odia Medium

ଅପରପକ୍ଷରେ ଅର୍ଥନୀତିକ ଦ୍ରବ୍ୟଗୁଡ଼ିକର ଯୋଗାଣ ଚାହିଦା ତୁଳନାରେ ସୀମିତ । ତେଣୁ ସେଗୁଡ଼ିକର ବିନିମୟ ମୂଲ୍ୟ ଥାଏ । ବଜାରରେ ଦାମ୍ ଦେଇ ସେଗୁଡିକୁ କ୍ରୟ କରାଯାଇଥାଏ କିମ୍ବା ଅର୍ଥନୈତିକ ଉଦ୍ୟମ ଦ୍ବାରା ସେଗୁଡ଼ିକୁ ଉତ୍ପାଦନ ବା ସଂଗ୍ରହ କରିବାକୁ ପଡ଼ିଥାଏ । ଅନାୟାସିଲଭ୍ୟ ଦ୍ରବ୍ୟ ଭଳି ଏହି ଦ୍ରବ୍ୟଗୁଡିକ ବିନା ପ୍ରଚେଷ୍ଟା ବା ବିନା ମୂଲ୍ୟରେ ମିଳି ନଥାଏ । ଅତଏବ ଉପଯୋଗିତା, ଦୁଷ୍ଟ୍ରାପ୍ୟତା ଓ ବିନିମୟ ମୂଲ୍ୟ ଥିବା ସମସ୍ତ ସେବା ଓ ସାମଗ୍ରୀ ଅର୍ଥନୀତିକ ଦ୍ରବ୍ୟ ପଦବାଚ୍ୟ ଅଟନ୍ତି । ଗୃହ, ପୋଷାକ, କଲମ, ପୁସ୍ତକ, ରେଡ଼ିଓ ଇତ୍ୟାଦି ଅର୍ଥନୈତିକ ଦ୍ରବ୍ୟର ଉଦାହରଣ ।

ଏଗୁଡ଼ିକ ମଣିଷର ସୃଷ୍ଟି । ଅର୍ଥନୈତିକ ଦ୍ରବ୍ୟକୁ ଅର୍ଥଶାସ୍ତ୍ରରେ ସମ୍ପଦ କୁହାଯାଏ । ମୁକ୍ତ ଦ୍ରବ୍ୟ ଏବଂ ଅର୍ଥନୈତିକ ଦ୍ରବ୍ୟ ମଧରେ ଥିବା ପାର୍ଥକ୍ୟ ନିରନ୍ତନ ନୁହେଁ । ଏକ ସ୍ଥାନରେ ଯାହା ଅର୍ଥନୈତିକ ଦ୍ରବ୍ୟ ଅନ୍ୟ ସ୍ଥାନରେ ତାହା ମୁକ୍ତ ଦ୍ରବ୍ୟ । ନଦୀର ଜଳ ମୁକ୍ତ । ନଦୀର ଜଳକୁ ଯେତେବେଳେ ମହାନଗରୀରେ ଜଳଯୋଗାଣ ସଂସ୍ଥା କଳରେ ଯୋଗାଏ ସେତେବେଳେ ଏହା ଅର୍ଥନୈତିକ ଦ୍ରବ୍ୟ ହୋଇଥାଏ । ସମୁଦ୍ର ତୀରର ସୀମରଣ ମୁକ୍ତ ଦ୍ରବ୍ୟ; ମାତ୍ର ଟେବୁଲ ପଙ୍ଖା ପବନ ଅର୍ଥନୈତିକ ଦ୍ରବ୍ୟ । ଜଙ୍ଗଲରେ ଫଳ ମୁକ୍ତଦ୍ରବ୍ୟ; ମାତ୍ର ସହରରେ ସେହି ଫଳ ଅର୍ଥନୈତିକ ଦ୍ରବ୍ୟ ।

(ii) ଘରୋଇ ଦ୍ରବ୍ୟ ଓ ସରକାରୀ ଦ୍ରବ୍ୟ : ଯେଉଁ ଦ୍ରବ୍ୟର ମାଲିକ ଜଣେ ବ୍ୟକ୍ତିବିଶେଷ ତାହାକୁ ଘରୋଇ ଦ୍ରବ୍ୟ କୁହାଯାଏ । ଯେଉଁ ଦ୍ରବ୍ୟ ସରକାରଙ୍କର ମାଲିକାନାରେ ଥାଏ, ତାହାକୁ ସରକାରୀ ଦ୍ରବ୍ୟ କୁହାଯାଏ । ଏହାକୁ କେତେକ ସର୍ବସାଧାରଣ ଦ୍ରବ୍ୟ କହନ୍ତି । ବିଦ୍ୟାଳୟ, ପୋଲ, ରାସ୍ତା, ବିଦ୍ୟୁତ୍ ସରବରାହ ଏବଂ ରେଳବାଇ ସରକାରୀ ଦ୍ରବ୍ୟ । ଏହାକୁ ସର୍ବସାଧାରଣ ବ୍ୟବହାର କରନ୍ତି । ଘରୋଇ ଦ୍ରବ୍ୟ ଉପଭୋଗ କ୍ଷେତ୍ରରେ ଜଣେ ଉପଭୋଗ କଲେ ଅନ୍ୟ ଜଣେ ସେଥୁରୁ ବଞ୍ଚିତ ହେବ ନାହିଁ । ଜଣେ ଅନ୍ୟ ଜଣକୁ ବହିଷ୍କାର କଲେ ଏହାକୁ ବହିଷ୍କରଣ ନୀତି କୁହାଯାଏ । ମାତ୍ର ସର୍ବସାଧାରଣ ଦ୍ରବ୍ୟ କ୍ଷେତ୍ରରେ ଜଣେ ଖାଉଟି ଅନ୍ୟ ଖାଉଟିକୁ ବଞ୍ଚତ କରେ ନାହିଁ । ଏଠାରେ ଉପଭୋଗ ପ୍ରତିଦ୍ଵନ୍ଦୀ ନୁହେଁ ।

ଘରୋଇ ଦ୍ରବ୍ୟ କ୍ଷେତ୍ରରେ ଦ୍ରବ୍ୟରୁ ମିଳୁଥିବା ଲାଭ, ଯେଉଁ ଖାଉଟି ଏହାକୁ ଉପଭୋଗ କରିଥାଆନ୍ତି ତାଙ୍କୁ ମିଳିଥାଏ । ଅନ୍ୟ କରନ୍ତି ସେ ହିଁ କେବଳ ତା’ର ପରିତୃପ୍ତି ପାଆନ୍ତି । ସର୍ବସାଧାରଣ ଦ୍ରବ୍ୟ ଭାଷାରେ କହିଲେ ଯିଏ ଖାଉଟି ଦ୍ରବ୍ୟ ଉପଭୋଗ କ୍ଷେତ୍ରରେ ଦ୍ରବ୍ୟରୁ ମିଳୁଥିବା ପରିତୃପ୍ତି କେବଳ ଖାଉଟିଙ୍କ ପାଇଁ ସୀମାବଳ ନୁହେଁ । ସର୍ବସାଧାରଣ ଦ୍ରବ୍ୟର ଲାଭ ସମସ୍ତେ ପାଆନ୍ତି । ତେଣୁ ସର୍ବସାଧାରଣ ଦ୍ରବ୍ୟ କ୍ଷେତ୍ରରେ ସମାନ ଉପଭୋଗ ଏବଂ ସମକାଳୀନ ପରିତୃପ୍ତି ପ୍ରତ୍ୟେକଙ୍କୁ ମିଳିଥାଏ । ସେଥ‌ିପାଇଁ ଏହି ସର୍ବସାଧାରଣ ଦ୍ରବ୍ୟକୁ ସରକାର ବିକ୍ରୟ କରନ୍ତି ।

(iii) ଖାଉଟି ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ : ଦ୍ରବ୍ୟଗୁଡ଼ିକୁ ଖାଉଟି ଦ୍ରବ୍ୟ ଏବଂ ଉତ୍ପାଦକ ଦ୍ରବ୍ୟ ଏହିପରି ଭାବରେ ଦୁଇଭାଗରେ ବିଭକ୍ତ କରାଯାଇଥାଏ । ରସଗୋଲା, ଚକୋଲେଟ୍‌, ସେଓ ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ପ୍ରତ୍ୟକ୍ଷ ଭାବରେ ପୂରଣ କରନ୍ତି, ସେଗୁଡ଼ିକୁ ଖାଉଟି ଦ୍ରବ୍ୟ କୁହାଯାଏ । ଉତ୍ପାଦକ ଦ୍ରବ୍ୟ ଖାଉଟି ଦ୍ରବ୍ୟକୁ ଉତ୍ପାଦନ କରିବାରେ ସାହାଯ୍ୟ କରେ । ତେଣୁ ଏଗୁଡ଼ିକ ପରୋକ୍ଷରେ ମାନବିକ ଅଭାବ ପୂରଣ କରନ୍ତି । ମେସିନ, ହଳ, ସାର, ବିହନ ଆଦି ଉତ୍ପାଦକ ଦ୍ରବ୍ୟ । ଖାଉଟି ଦ୍ରବ୍ୟକୁ ପ୍ରଥମ ଶ୍ରେଣୀ ଓ ଉତ୍ପାଦକ ଦ୍ରବ୍ୟକୁ ଦ୍ବିତୀୟ ଶ୍ରେଣୀ ଦ୍ରବ୍ୟ କୁହାଯା ଏ ।

(iv) ଭୌତିକ ଓ ଅଭୌତିକ ଦ୍ରବ୍ୟ : ଯେଉଁ ଦ୍ରବ୍ୟ ପାର୍ଥିବ ଏବଂ ଯାହାର ସ୍ପର୍ଶ, ଦୃଶ୍ୟ ଏବଂ ଆକୃତି ରହିଛି ତାହାକୁ ଭୌତିକ ଦ୍ରବ୍ୟ କୁହାଯାଏ । ବହି, ଖାତା, କଲମ, ରେଡ଼ିଓ ଆଦି ଭୌତିକ ଦ୍ରବ୍ୟର ଉଦାହରଣ । ଅଭୌତିକ ଦ୍ରବ୍ୟ ଅପାର୍ଥିବ ଦ୍ରବ୍ୟ କୁହାଯାଏ । ଯାହାର ସ୍ପର୍ଶ, ଦୃଶ୍ୟ ଓ ଆକୃତି ନଥାଏ । ଡାକ୍ତର, ଅଧ୍ୟାପକ ଆଦିମାନଙ୍କର ସେବା ଅଭୌତିକ ଦ୍ରବ୍ୟ କୁହାଯାଏ । ସେହିପରି ବ୍ୟବସାୟର ସୁନାମ ମଧ୍ୟ ଅଭୌତିକ ଦ୍ରବ୍ୟର ଏକ ଉଦାହରଣ ।

(v) ସ୍ଥାୟୀ ଦ୍ରବ୍ୟ ଓ ନଷ୍ଟଶୀଳ ଦ୍ରବ୍ୟ : ଭାତ, ରୁଟି, ଛେନା, ପନିପରିବା ଫଳ ବା ପିଠା ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ଥରେ ମାତ୍ର ପୂରଣ କରନ୍ତି ତାହାକୁ ନଷ୍ଟଶୀଳ ଦ୍ରବ୍ୟ କୁହାଯାଏ । ଟେଲିଭିଜନ, ମଟରଗାଡ଼ି, ଅଟ୍ଟାଳିକା ପରି ଯେଉଁ ଦ୍ରବ୍ୟଗୁଡ଼ିକ ଦୀର୍ଘ ସମୟଧରି ବ୍ୟବହୃତ ହୁଏ, ତାହାକୁ ସ୍ଥାୟୀଦ୍ରବ୍ୟ କୁହାଯାଏ ।

4. ସମ୍ପଦ କହିଲେ କ’ଣ ବୁଝ ? ସମ୍ପଦର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ସାଧାରଣ ଭାଷାରେ ସମ୍ପଦ କହିଲେ ଆମ୍ଭେ ଧନସମ୍ପତ୍ତିକୁ ବୁଝିଥାଉ । କିନ୍ତୁ ଅର୍ଥଶାସ୍ତ୍ରରେ ସମ୍ପଦର ଅର୍ଥ ଅଲଗା । ସମସ୍ତ ଦୁଷ୍ପାପ୍ୟ ଦ୍ରବ୍ୟ (ଭୌତିକ ଓ ଅଭୌତିକ) ସମ୍ପଦ ପଦବାଚ୍ୟ । ସର୍ବୋପରି ସମସ୍ତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ବହି, କଲମ, ସୁନା ଗହଣା, ଟେଲିଭିଜନ, ଡାକ୍ତରଙ୍କ ସେବା ଇତ୍ୟାଦି ସମ୍ପଦର ଉଦାହରଣ । ମାର୍ଶାଲଙ୍କ ମତରେ ‘ମାନବୀୟ ଅଭାବକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପରିତୃପ୍ତ କରିପାରୁଥିବା ସମସ୍ତ ଇପ୍‌ସିତ ଦ୍ରବ୍ୟ ହେଉଛି ସମ୍ପଦ ।

ସମ୍ପଦର ବୈଶିଷ୍ଟ୍ୟ :
ସମ୍ପଦ ରୂପେ ବିବେଚିତ ହେବା ପାଇଁ ଦ୍ରବ୍ୟର କେତେକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଥ‌ିବା ଆବଶ୍ୟକ । ଏହି ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ଉପଯୋଗିତା : ଉପଯୋଗିତା ସମ୍ପଦର ପ୍ରମୁଖ ବୈଶିଷ୍ଟ୍ୟ । ସମ୍ପଦ ପଦବାଚ୍ୟ ହେବାପାଇଁ ଦ୍ରବ୍ୟର ଉପଯୋଗିତା ଥବା ଆବଶ୍ୟକ । ଅର୍ଥାତ୍ ଦ୍ରବ୍ୟର ମାନବୀୟ ଅଭାବ ପୂରଣ କରିବାର ସାମର୍ଥ୍ୟ ନିଶ୍ଚିତ ରୂପେ ରହିବା ଜରୁରୀ । ନଚେତ୍ ସେହି ଦ୍ରବ୍ଯ ପ୍ରତି ଲୋକଙ୍କ କାମନା ରହିବ ନାହିଁ । ପଚା ଅଣ୍ଡା, ପଚା ପରିବା, ପଚା ଫଳ ଇତ୍ୟାଦିର କୌଣସି ଉପଯୋଗିତା ନ ଥ‌ିବାରୁ ସେଗୁଡ଼ିକ ସମ୍ପଦ ପଦବାଚ୍ୟ ନୁହେଁ ।

(ii) ସ୍ଵଚ୍ଛତା : ଯେଉଁ ଦ୍ରବ୍ୟର ଯୋଗାଣ ତୁଳନାରେ ଚାହିଦା ଅଧ୍ଵକ, ସେହି ଦ୍ରବ୍ୟର ସ୍ୱଳ୍ପତା ଅଛି ବୋଲି କୁହାଯାଏ । ସ୍ଵଚ୍ଛତା ସଂପଦର ଅନ୍ୟ ଏକ ବୈଶିଷ୍ଟ୍ୟ । ଦ୍ରବ୍ୟର ସ୍ୱଳ୍ପତା ଥ‌ିବାରୁ ତାହା ବିନିମୟକ୍ଷମ ବା ତାହାକୁ ଦାମ୍ ଦେଇ କ୍ରୟ କରାଯାଏ । ତେଣୁ ସମସ୍ତ ଅର୍ଥନୈତିକ ଦ୍ରବ୍ୟ ସମ୍ପଦ ପଦବାଚ୍ୟ । ମୁକ୍ତ ପଦାର୍ଥଗୁଡ଼ିକର ସ୍ୱଳ୍ପତା ନ ଥିବାରୁ ସେଗୁଡ଼ିକ ସମ୍ପଦ ଶ୍ରେଣୀଭୁକ୍ତ ନୁହଁନ୍ତି । ଅର୍ଥାତ୍ ଯେଉଁ ଦ୍ରବ୍ୟଗୁଡ଼ିକର ଯୋଗାଣ ସ୍ଵଳ୍ପ ସେଗୁଡ଼ିକ ହିଁ ସମ୍ପଦ ।

(iii) ସ୍ଥାନାନ୍ତର ଯୋଗ୍ୟତା ବା ଅନ୍ତରଣୀୟତା : ସ୍ଥାନାନ୍ତର ଯୋଗ୍ୟତା ସମ୍ପଦର ଅନ୍ୟ ଏକ ବୈଶିଷ୍ଟ୍ୟ । ଉପଯୋଗିତା ଓ ସ୍ଵଳ୍ପତା ଥିବା ସମସ୍ତ ଦ୍ରବ୍ୟ ସମ୍ପଦ ନୁହଁନ୍ତି । ଜଣେ ଶିଳ୍ପୀର କଳାକୌଶଳର ଉପଯୋଗିତା ଓ ସ୍ଵଚ୍ଛତା ଥିଲେ ମଧ୍ୟ ସ୍ଥାନାନ୍ତର ଯୋଗ୍ୟତା ନ ଥ‌ିବାରୁ ତାହା ସମ୍ପଦ ପଦବାଚ୍ୟ ନୁହେଁ । କଳା କୌଶଳ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ସ୍ଥାନାନ୍ତର ହୋଇପାରିବ ନାହିଁ । ଏଠାରେ ସ୍ଥାନାନ୍ତର ଯୋଗ୍ୟତା କେବଳ ଭୌତିକ ସ୍ଥାନାନ୍ତରକୁ ବୁଝାଇ ନଥାଏ । ମାଲିକାନାସ୍ଵତ୍ତ୍ଵ ହସ୍ତାନ୍ତର ମଧ୍ୟ ଏହାର ପରିସରଭୁକ୍ତ । ଜମି, ଘର ଇତ୍ୟାଦି ସ୍ଥାନାନ୍ତରକ୍ଷମ ନ ହେଲେ ମଧ୍ୟ ସେଗୁଡ଼ିକର ମାଲିକାନା ସ୍ୱତ୍ତ୍ଵ ହସ୍ତାନ୍ତର ହୋଇପାରିବ । ତେଣୁ ସେଗୁଡ଼ିକ ସମ୍ପଦ ।

(iv) ବାହ୍ୟତା : ସମ୍ପଦର ଅନ୍ୟତମ ବୈଶିଷ୍ଟ୍ୟ ହେଲା ଏହା ମନୁଷ୍ୟର ବାହ୍ୟତା ହେବା ଉଚିତ୍ । ବାହ୍ୟତା ଅବସ୍ଥିତି ନ ଥିଲେ ତାହା ସ୍ଥାନାନ୍ତରିତ ହୋଇପାରିବ ନାହିଁ । ବହୁତ ସମୟରେ ଲୋକେ କହିଥାନ୍ତି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଗାୟକ, ଶିକ୍ଷକ, ଚିତ୍ରଶିଳ୍ପୀ, ଅଭିନେତା ପ୍ରଭୃତିଙ୍କର ଗୁଣ ମାନବର ଅନ୍ତର୍ନିହିତ ଗୁଣ । ଏହି ଗୁଣଗୁଡ଼ିକ ସମ୍ପଦ ନୁହେଁ । କିନ୍ତୁ ଏହି ଗୁଣଗୁଡ଼ିକ ଫଳରେ ଯେଉଁ ସେବା ମିଳେ ତାହାକୁ ବଜାରରେ ବିକ୍ରୟ ହୋଇ ସମ୍ପଦ ହୁଏ ।

CHSE Odisha Class 12 Economics Chapter 3 Long Answer Questions in Odia Medium

5. ଉପଯୋଗିତାର ସଂଜ୍ଞା ଦିଅ । ଅର୍ଥଶାସ୍ତ୍ରରେ କେତେ ପ୍ରକାର ଉପଯୋଗିତା ଦେଖିବାକୁ ମିଳେ ?
Answer:
ଉପଯୋଗିତା କହିଲେ କୌଣସି ଏକ ଦ୍ରବ୍ୟର ଅଭାବ ପୂରଣ କରିବାର ଶକ୍ତିକୁ ବୁଝାଏ । ଦ୍ରବ୍ୟଗୁଡ଼ିକର ଏହି ଅଭାବ ପୂରଣର କ୍ଷମତା ଥିବାରୁ ଲୋକମାନେ ଏହାକୁ କ୍ରୟ କରନ୍ତି । ଉଦାହରଣସ୍ୱରୂପ, ଜଣେ ଖାଉଟି ରସଗୋଲା ଖାଇ କ୍ଷୁଧା ନିବାରଣ କଲେ, ରସଗୋଲାର କ୍ଷୁଧା ନିବାରଣର ଶକ୍ତିକୁ ଉପଯୋଗିତା କୁହାଯାଏ ।

(କ) ଉପଯୋଗିତା ବ୍ୟକ୍ତିକୈନ୍ଦ୍ରିକ – କୌଣସି ଦ୍ରବ୍ୟର ଉପଯୋଗିତା ଏକ ମାନସିକ ଅବସ୍ଥାକୁ ବୁଝାଏ । ଏହା ଏକ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା । ଏହା କେବଳ ଆତ୍ମ ଅନୁଭବଦ୍ୱାରା ଜଣାଯାଏ । ଏହା ବସ୍ତୁନିଷ୍ଠ ନୁହେଁ । ଜଣେ ଧୂମପାନକାରୀ ସିଗାରେଟ୍‌ ଯେତିକି ଉପଯୋଗିତା ପାଆନ୍ତି, ଧୂମପାନ କରୁନଥିବା ବ୍ୟକ୍ତି ସେତିକି ଉପଯୋଗିତା ପାଇବେ ନାହିଁ । ଉପଯୋଗିତା ସ୍ଥାନ, କାଳ ଏବଂ ପାତ୍ରରେ ପରିବର୍ତ୍ତିତ ହୁଏ ।

(ଖ) ଉପଯୋଗିତା ଏବଂ ଉପକାରିତା ସମାନ ନୁହେଁ – ଦ୍ରବ୍ୟର ଉପକାରିତା ନ ଥାଇପାରେ; ମାତ୍ର ଏହାର ଉପଯୋଗିତା ରହିଥାଏ । ଅଫିମ ବା ମଦ୍ ବା ବିଷର ଉପକାରିତା ନ ଥାଏ; କିନ୍ତୁ ଏଗୁଡ଼ିକ ମାନବିକ ଅଭାବ ପୂରଣ କରୁଥିବାରୁ ସେମାନଙ୍କର ଉପଯୋଗିତା ରହିଛି । ଉପଯୋଗିତା ଅଭିଧାରଣା ନୈତିକତା ଦୃଷ୍ଟିରୁ ନିରପେକ୍ଷ । କୌଣସି ମଦ ଏବଂ ଅସ୍ପୃହଣୀୟ ଦ୍ରବ୍ୟର ମଧ୍ଯ ଉପଯୋଗିତା ରହିଛି ।

(ଗ) ଉପଯୋଗିତା ଆନନ୍ଦ ନୁହେଁ – କୌଣସି ଦ୍ରବ୍ୟ ଆନନ୍ଦପ୍ରଦାୟୀ ନ ହୋଇପାରେ, ମାତ୍ର ଏହାର ଉପଯୋଗିତା ରହିଛି । ଗୁଳି, କମାଣ, ବନ୍ଧୁକ ବା ତିକ୍ତ ଔଷଧ ଆନନ୍ଦ ଦିଅନ୍ତି ନାହିଁ, ମାତ୍ର ଏଗୁଡ଼ିକର ଉପଯୋଗିତା ରହିଛି ।

(ଘ) ଉପଯୋଗିତା ପରିତୃପ୍ତି ନୁହେଁ – କୌଣସି ଏକ ଦ୍ରବ୍ୟ ଉପଭୋଗ କଲେ ପରିତୃପ୍ତି ମିଳିଥାଏ । ଉପଯୋଗିତା ଥ‌ିବାରୁ ଦ୍ରବ୍ୟଟିକୁ ଉପଭୋଗ କରାଯାଏ । ଉପଯୋଗିତା ଦ୍ରବ୍ୟ ଉପଭୋଗର କାରଣ ଏବଂ ପରିତୃପ୍ତି ଏହାର ଫଳାଫଳ । ତେଣୁ ଫଳିତ ଉପଯୋଗିତାକୁ ପରିତୃପ୍ତି କୁହାଯାଏ ।

(ଙ) ଉପଯୋଗିତା ମାତ୍ରାସୂଚକ ବା କ୍ରମାନ୍ବିତ ହୋଇପାରେ – ଏହି ଦୁଇଟି ଶବ୍ଦ ଉପଯୋଗିତା ପରିମାପ ସମ୍ପର୍କରେ ବ୍ୟବହୃତ ହୁଏ । ଯଦି ଉପଯୋଗିତାକୁ ଏକ, ଦୁଇ, ତିନି କରି ମପାଯାଏ, ତେବେ ଏହାକୁ ମାତ୍ରାସୂଚକ ପରିମାପ କୁହାଯାଏ । ଅନ୍ୟ ପକ୍ଷରେ ଯଦି ଉପଯୋଗିତାକୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ କରି ମପାଯାଏ, ତେବେ ଏହାକୁ କ୍ରମାନ୍ବିତ ପରିମାପ କୁହାଯାଏ । ଏଠାରେ ଉପଯୋଗିତାକୁ କ୍ରମାନ୍ୱୟରେ ସଜାଯାଏ । ମାତ୍ରାସୂଚକ ପରିମାପରେ ଦୁଇ ଏକର ଦୁଇଗୁଣ, ମାତ୍ର କ୍ରମାନ୍ବିତ ପରିମାପରେ ପ୍ରଥମର ଦ୍ଵିତୀୟ ଦୁଇଗୁଣ ନୁହେଁ । ଏହା ଦୁଇଗୁଣରୁ ଅଧିକ ବା ସ୍ଵଳ୍ପ ହୋଇପାରେ ।

ଉପଯୋଗିତାର ପ୍ରକାରଭେଦ :
ସାଧାରଣତଃ ଚାରିପ୍ରକାରର ଉପଯୋଗିତା ଦେଖାଯାଏ । ସେଗୁଡ଼ିକ ହେଲା– ଆକାର, ସ୍ଥାନ, କାଳ ଏବଂ ସେବା ଉପଯୋଗିତା।

(କ) ଆକାର ଉପଯୋଗିତା – କୌଣସି ଦ୍ରବ୍ୟର ଆକାର ଓ ଛାଞ୍ଚରେ ପରିବର୍ତ୍ତନ ହେଲେ ଯେଉଁ ଉପଯୋଗିତା ବୃଦ୍ଧି ପାଏ, ତାହାକୁ ଆକାର ଉପଯୋଗିତା କୁହାଯାଏ । ଜଣେ ବଢ଼େଇ କାଠରୁ ଚଉକି ବା ଜଣେ ବିନ୍ଧାଣୀ ପଥରରୁ ମୂର୍ତ୍ତି ତିଆରି କଲେ କାଠ ଏବଂ ପଥରର ଉପଯୋଗିତା ଯଥାକ୍ରମେ ବୃଦ୍ଧି ପାଏ ।

(ଖ) ସ୍ଥାନ ଉପଯୋଗିତା – ସ୍ଥାନର ପରିବର୍ତ୍ତନ ହେଲେ ମଧ୍ୟ ଦ୍ରବ୍ୟର ଉପଯୋଗିତା ବୃଦ୍ଧି ପାଏ । ଜଙ୍ଗଲର କାଠ ଅଥବା ନଦୀର ଜଳ ସହରରେ ପହଞ୍ଚିଲେ ଏହାର ଉପଯୋଗିତା ବୃଦ୍ଧି ପାଏ । ଏହାକୁ ସ୍ଥାନ ଉପଯୋଗିତା କହନ୍ତି ।

(ଗ) କାଳ ଉପଯୋଗିତା ସମୟର ପରିବର୍ତ୍ତନ ସହିତ ଦ୍ରବ୍ୟର ଉପଯୋଗିତା ବୃଦ୍ଧି ପାଏ । ଗ୍ରୀଷ୍ମଋତୁରେ ଚାଉଳ ସାଇତି ରଖି ବର୍ଷାଋତୁରେ ଏହାକୁ ବିକ୍ରୟ କଲେ ଅଧିକ ଲାଭ ମିଳିଥାଏ । ଏଠାରେ ସମୟର ପରିବର୍ତ୍ତନ ସହିତ ଦ୍ରବ୍ୟର ଉପଯୋଗିତା ବୃଦ୍ଧି ପାଏ ।

(ଘ) ସେବା ଉପଯୋଗିତା – ଡାକ୍ତର, ଅଧ୍ୟାପକ, ଶିକ୍ଷକ, ସଙ୍ଗୀତଜ୍ଞ, ଶିଳ୍ପୀ ଏବଂ ପୁରୋହିତ ସେମାନଙ୍କର ସେବାଦ୍ଵାରା ମାନବିକ ଅଭାବକୁ ପରିତୃପ୍ତ କରନ୍ତି । ଏହି ସେବାଗୁଡ଼ିକର ଉପଯୋଗିତାକୁ ସେବା ଉପଯୋଗିତା କୁହାଯାଏ ।

Leave a Comment