CHSE Odisha Class 12 History Chapter 16 Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 16 ଓଡ଼ିଶା ପ୍ରତି ଅବଦାନ : ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି, ସରଳା ଦେବୀ, ରମା ଦେବୀ ଓ ମାଳତୀ ଦେବୀ Long Answer Questions.

CHSE Odisha 12th Class History Chapter 16 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବିଶିଷ୍ଟ ସମାଜସେବୀ ଓ ସ୍ବାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜୀବନୀ ଓ କୃତିତ୍ବ ସଂକ୍ଷେପରେ ଲେଖ ।
Answer:
ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୧୮୭୭ ଖ୍ରୀ.ଅ. ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦୈତାରୀ ଦାସ ଜଣେ ମୋକ୍ତାର ଥିଲେ । ଗୋପବନ୍ଧୁଙ୍କ ମାତା ସ୍ଵର୍ଣ୍ଣମୟୀ ଦେବୀ ଦୈତାରୀ ଦାସଙ୍କ ତୃତୀୟା ପତ୍ନୀ ଥିଲେ । ରୂପଦେଈପୁର ମଧ୍ୟ ଭର୍ଣ୍ଣାକୁଲାର ବିଦ୍ୟାଳୟ ଏବଂ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷା ସମାପ୍ତ କରି ୧୮୯୯ ମସିହାରେ ଗୋପବନ୍ଧୁ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ । ୧୯୦୪ ଖ୍ରୀ.ଅ.ରେ ସେ ରେଭେନ୍ସା କଲେଜରୁ ବି.ଏ. ପାଶ୍ କରିଥିଲେ । ୧୯୦୬ ଖ୍ରୀ.ଅ.ରେ ସେ କଲିକତା ବିଶ୍ବବିଦ୍ୟାଳୟରୁ ବି.ଏଲ୍. ପାଶ୍ କରିଥିଲେ । କିଛିଦିନ ପାଇଁ ନୀଳଗିରି ସ୍କୁଲରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କଲାପରେ ସେ ପୁରୀରେ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ ।

ଛାତ୍ରାବସ୍ଥାରୁ ଗୋପବନ୍ଧୁ ନିଜକୁ ଦୁଇଟି କାର୍ଯ୍ୟରେ ନିବିଷ୍ଟ କରିବାକୁ ଭଲ ପାଉଥିଲେ । ତାହା ହେଉଛି ଦେଶସେବା ଏବଂ ସାହିତ୍ୟ ସାଧନା । ରେଭେନ୍ସା କଲେଜରେ ପଢ଼ିଲାବେଳେ ସାଥୀ ବ୍ରଜସୁନ୍ଦର ଦାସଙ୍କ ସାହାଯ୍ୟରେ ସେ କେନ୍ଦ୍ରୀୟ ଯୁବ ଉତ୍କଳ ସଂଘ ଗଠନ କରିଥିଲେ । ଏହି ସଂଘ ତରଫରୁ ଦଳ ଦଳ ସ୍ଵେଚ୍ଛାସେବକ ୧୯୦୭ ଖ୍ରୀ.ଅ.ରେ ଯାଜପୁର ଏବଂ କେନ୍ଦ୍ରାପଡ଼ାରେ ବନ୍ୟାପ୍ରପୀଡ଼ିତ ଲୋକମାନଙ୍କ ମଧ୍ୟରେ ସାହାଯ୍ୟ ବଣ୍ଟନ କରିଥିଲେ ।

୧୯୦୯ ଖ୍ରୀ.ଅ.ରେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଏବଂ ପରିଚାଳନାରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏବଂ ଆଚାର୍ଯ୍ୟ ହରିହର ଦାସ ଗୋପବନ୍ଧୁଙ୍କ ସହିତ ସହଯୋଗ କରିଥିଲେ । ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ମଧ୍ୟ ସରକାରୀ ଚାକିରିର ମୋହ ତ୍ୟାଗ କରି ଏମାନେ ଅଳ୍ପ ଦରମାରେ ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଏହି ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରମାନଙ୍କୁ ଆଦର୍ଶ ନାଗରିକ କରି ଗଢ଼ିବା ତଥା ପାର୍ଶ୍ଵବର୍ତୀ ଗ୍ରାମବାସୀଙ୍କ ମନରୁ ସାମାଜିକ ଅନ୍ଧବିଶ୍ବାସ ଦୂର କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସାର୍ ଆଶୁତୋଷ ମୁଖାର୍ଜୀ, ସାର୍ ଏଡ଼ୱାର୍ଡ଼ ଗେଟ୍ (ବିହାର-ଓଡ଼ିଶାର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଏବଂ ମହାତ୍ମା ଗାନ୍ଧି ଏହି ବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଏହାର ଶିକ୍ଷା ପ୍ରଣାଳୀକୁ ବହୁତ ପ୍ରଶଂସା କରିଥିଲେ ।

ସାଧାରଣ ଲୋକମାନଙ୍କୁ ଦେଶର ସମସ୍ୟା ସମ୍ପର୍କରେ ଅବଗତ କରାଇବାପାଇଁ ତଥା ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଗୋପବନ୍ଧୁ ସମ୍ବାଦପତ୍ର ପ୍ରକାଶନର ଗୁରୁତ୍ୱ ଉପଲବ୍ଧି କରିଥିଲେ । ୧୯୧୩ ଖ୍ରୀ.ଅ.ରୁ ୧୯୧୯ ଖ୍ରୀ.ଅ. ପର୍ଯ୍ୟନ୍ତ ସେ ବ୍ରହ୍ମପୁରଠାରେ ଶଶିଭୂଷଣ ରଥଙ୍କଦ୍ବାରା ପ୍ରକାଶିତ ସମ୍ବାଦପତ୍ର ‘ଆଶା’ର ସମ୍ପାଦନା କାର୍ଯ୍ୟ ତୁଲାଇଥିଲେ । ୧୯୧୫ ଖ୍ରୀ.ଅ.ରେ ସେ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ପ୍ରେସ୍‌ ‘ସତ୍ୟବାଦୀ’ ନାମକ ମାସିକ ସାହିତ୍ୟ ପତ୍ରିକା ବାହାର କରିଥିଲେ । ୧୯୧୯ ଖ୍ରୀ.ଅ. ଅକ୍ଟୋବର ମାସରେ ସେ ଏହି ପ୍ରେସରୁ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’ ବାହାର କରିଥିଲେ । ପ୍ରତି ଶନିବାର ଏହି ସମ୍ବାଦପତ୍ର ପ୍ରକାଶିତ ହେଉଥିଲା ।

ଏଥ‌ିରେ ଦେଶର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଉଥିଲା । ସ୍ୱାସ୍ଥ୍ୟ ସମସ୍ୟା, ପ୍ରାଥମିକ ଶିକ୍ଷା, ଧର୍ମ, ଗ୍ରାମ-ପଞ୍ଚାୟତ, ସମବାୟ ଆନ୍ଦୋଳନ, କୃଷି, ଗ୍ରାମ୍ୟ ଶିଳ୍ପ ଏବଂ ବିକାଶ ଉପରେ ବିଶେଷ ଦୃଷ୍ଟି ଦିଆଯାଉଥିଲା । କିଛିକାଳ ପରେ ‘ସମାଜ’ ପୁରୀରୁ ପ୍ରକାଶିତ ହେଲା । ଶେଷରେ ଏହା କଟକରୁ ପ୍ରକାଶ ପାଇଲା । ୧୯୩୦ ଖ୍ରୀ.ଅ.ରେ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶିତ ହେଲା । ଓଡ଼ିଶାର ସାଧାରଣ ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିବାରେ ‘ସମାଜ’ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଅଦ୍ୟାବଧୂ ଓଡ଼ିଶାର ସାଧାରଣ ଜନ ଜୀବନରେ ଏହି ସମ୍ବାଦପତ୍ରର ଗୁରୁତ୍ବ ଅସ୍ବୀକାର କରିହେବ ନାହିଁ ।

୧୯୧୭ ଖ୍ରୀ.ଅ.ରେ ଗୋପବନ୍ଧୁ ବିହାର-ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ଓଡ଼ିଶାର ବିଭିନ୍ନ ସମସ୍ୟା ବିଶେଷତଃ ବନ୍ୟା ସମ୍ବନ୍ଧରେ ସେ ସ୍ବରଉତ୍ତୋଳନ କରିଥିଲେ ।
ଗାନ୍ଧିଙ୍କ ଅସହଯୋଗ କାର୍ଯ୍ୟକ୍ରମ ଅନୁସାରେ ଗୋପବନ୍ଧୁ ଦାସ ବିହାର-ଓଡ଼ିଶା ବିଧାନସଭାରୁ ଇସ୍ତଫା ଦେଇଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ନାଗପୁର କଂଗ୍ରେସ ଅଧ୍ଵବେଶନର ସିଦ୍ଧାନ୍ତ ଅନୁସାରେ ଓଡ଼ିଶା ପାଇଁ ଭାଷାଭିଭିରେ ଏକ ସ୍ଵତନ୍ତ୍ର ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା । ଗୋପବନ୍ଧୁ ଏହାର ସଭାପତି ହେଲେ । ତାଙ୍କର ମୁଖପତ୍ର ‘ସମାଜ’ ଜରିଆରେ ସେ ଓଡ଼ିଶାର ଘରେ ଘରେ ଅସହଯୋଗର ବାର୍ତ୍ତା ପହଞ୍ଚାଇଦେଲେ ।

ଅସହଯୋଗ କାର୍ଯ୍ୟକ୍ରମ ଅନୁସାରେ ଜାତୀୟ ଶିକ୍ଷାର ପ୍ରସାର ପାଇଁ ଗୋପବନ୍ଧୁ ଉତ୍କଳ ସ୍ୱରାଜ ଶିକ୍ଷା ପରିଷଦ ଗଠନ କରିଥିଲେ ଏବଂ ତାଙ୍କଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିଥିଲେ । ସେ ଏହି ବିଦ୍ୟାଳୟ ପାଇଁ ୨୦,୦୦୦ ଟଙ୍କାର ସରକାରୀ ସାହାଯ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗୋପବନ୍ଧୁଙ୍କ ଅନୁରୋଧରେ ମହାତ୍ମା ଗାନ୍ଧି ୧୯୨୧ ଖ୍ରୀ.ଅ.ରେ ମାର୍ଚ୍ଚ ମାସରେ କଟକ ଆସିଥିଲେ । ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ କାଠଯୋଡ଼ି ନଈବାଲିର ସଭାରେ ଓଡ଼ିଶାର ଜନସାଧାରଣଙ୍କ ସହିତ ମହାତ୍ମା ଗାନ୍ଧିଙ୍କୁ ପରିଚିତ କରାଇ ଗୋପବନ୍ଧୁ କହିଥିଲେ, ‘ଏହି ଧର୍ମାତ୍ମା ଓ ପୁଣ୍ୟାତ୍ମାଙ୍କ ରାଜନୀତିରେ କୂଟ ରାଜନୀତିର ସତ୍ତା ନାହିଁ । ତାଙ୍କ ପ୍ରଚାରିତ ଭାରତବାସୀଙ୍କଦ୍ୱାରା ଗୃହୀତ ନୀତିକୁ ଆପଣାମାନେ ମନସ୍ଥ ହୋଇ ଅନୁସରଣ କରିବାକୁ ଉପସ୍ଥିତ । ଉତ୍କଳ ଯୁଗେ ଯୁଗେ ଧର୍ମ ବିଷୟରେ ଉଦାରତା ଦେଖାଇଛି । ନାନା ଧର୍ମର, ବର୍ଣ୍ଣର, ସମ୍ପ୍ରଦାୟର ଲୋକେ ଉତ୍କଳରେ ଏକୀଭୂତ ।

ପୁରୀ ଧାମରେ ଜାତିଭେଦ ନାହିଁ । ଆଜି ମହାତ୍ମା ଗାନ୍ଧିଙ୍କ ଶୁଭାଗମନ ଉତ୍କଳ ଇତିହାସରେ ଏକ ନୂତନ ଓ ଚିରସ୍ମରଣୀୟ ଘଟଣା । ଆପଣମାନେ ଉତ୍କଳୀୟଙ୍କର ପୂର୍ବ ଗୌରବ ଓ ଧର୍ମ, ଉଦାରତା ସ୍ମରଣ ରଖୁ ମହାତ୍ମାଙ୍କ କଥା ଶ୍ରବଣ କରନ୍ତୁ ।’’ ଗୋପବନ୍ଧୁ ଦାସ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାପାଇଁ ମନପ୍ରାଣ ଦେଇ ଲାଗିପଡ଼ିଲେ । କଂଗ୍ରେସ ପାଇଁ ଅର୍ଥ ସଂଗ୍ରହ କରିବା ନିମିତ୍ତ ଯେଉଁ ‘ତିଳକ ସ୍ଵରାଜ ପାଣ୍ଠି’’ ଗଢ଼ାଯାଇଥିଲା ସେଥ‌ିପାଇଁ ଗୋପବନ୍ଧୁ ଚାନ୍ଦା ସଂଗ୍ରହ କରିଥିଲେ । ଖଦଡ଼ ପିନ୍ଧିବା ପାଇଁ ପ୍ରଚାର, ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା ଏବଂ ନିଶା ନିବାରଣ ଆଦି ଗାନ୍ଧିଙ୍କ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମକୁ ଓଡ଼ିଶାରେ ସଫଳ କରିବାପାଇଁ ସେ ଉଦ୍ୟମ କରିଥିଲେ ।

୧୯୨୬ ଖ୍ରୀ.ଅ.ରେ ଗୋପବନ୍ଧୁ କଲିକତାଠାରେ ପଞ୍ଜାବକେଶରୀ ଲାଲା ଲଜପତ୍ ରାୟଙ୍କୁ ସାକ୍ଷାତ୍ କରିଥିଲେ ଏବଂ ଲାଲାଜୀଙ୍କ ଅନୁରୋଧକ୍ରମେ ତାଙ୍କଦ୍ବାରା ସ୍ଥାପିତ ଲୋକସେବକ ମଣ୍ଡଳର ସଦସ୍ୟ ହୋଇଥିଲେ । ଅଳ୍ପକାଳ ପରେ ଗୋପବନ୍ଧୁ ଲୋକସେବକ ମଣ୍ଡଳର ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ । ଗୋପବନ୍ଧୁ କଟକରେ ଲୋକସେବକ ମଣ୍ଡଳର ଶାଖା ପ୍ରତିଷ୍ଠା କରିଥିଲେ ଏବଂ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’କୁ ଏଥୁସହିତ ସମ୍ପୃକ୍ତ କରିଥିଲେ । ୧୯୨୬ ଖ୍ରୀ.ଅ.ରେ ଗୋପବନ୍ଧୁ ପୁରୀରେ ବିଧବାଶ୍ରମ ପ୍ରତିଷ୍ଠା କରିଥିଲେ । ବିଧବାମାନଙ୍କୁ ଶିକ୍ଷାଦେବା ତଥା ଉପାର୍ଜନକ୍ଷମ କରାଇବା ଏହି ବିଧବା ଆଶ୍ରମର ଉଦ୍ଦେଶ୍ୟ ଥିଲା । ୧୯୨୭ ଖ୍ରୀ.ଅ. ଜୁଲାଇ ମାସରେ ବୈତରଣୀ, ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀମାନଙ୍କର ବନ୍ୟାଦ୍ଵାରା ପ୍ରପୀଡ଼ିତ ଲୋକମାନଙ୍କୁ ଗୋପବନ୍ଧୁ ଏବଂ ଲିଙ୍ଗରାଜ ମିଶ୍ର ସାହାଯ୍ୟ ବାଣ୍ଟିଥିଲେ ।

୧୯୨୮ ଖ୍ରୀ.ଅ. ଏପ୍ରିଲ ମାସରେ ଗୋପବନ୍ଧୁ ଲାହୋରଠାରେ ଲୋକସେବକ ମଣ୍ଡଳର ବାର୍ଷିକ ଅଧୂବେଶନରେ ଯୋଗ ଦେଇଥିଲେ । ସେଠାରୁ ଫେରିଲାପରେ ସେ ଆନ୍ତ୍ରିକ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ପଚିଶ ଦିନପରେ ସେ ଜ୍ଵରମୁକ୍ତ ହୋଇଥିଲେ । ୧୯୨୮ ଖ୍ରୀ.ଅ. ଜୁନ୍ ଆରମ୍ଭରେ ସେ କଲିକତାରେ ଥ‌ିବା ଓଡ଼ିଆ ଶ୍ରମିକ ସଙ୍ଗଠନର ପରିଚାଳନା ବୁଝାବୁଝି କରିବାପାଇଁ ସେଠାକୁ ଯାତ୍ରା କରିଥିଲେ । କଲିକତାରୁ ଫେରିଲାପରେ ସେ ପୁଣି ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ସେହି ଜ୍ଵରରେ ୧୯୨୮ ଖ୍ରୀ.ଅ. ଜୁନ୍ ୧୭ ତାରିଖରେ ସେ ପ୍ରାଣତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କର ବୟସ ମାତ୍ର ୫୨ ବର୍ଷ ହୋଇଥିଲା । ସମାଜ ପାଇଁ କାର୍ଯ୍ୟବ୍ୟସ୍ତ ରହି ସେ ନିଜର ସ୍ବାସ୍ଥ୍ୟକୁ ହେଳା କରିଥିଲେ; ଫଳରେ ଅଳ୍ପ ବୟସରେ ସେ ପ୍ରାଣ ହରାଇଥିଲେ । ସେ ସମାଜ ପାଇଁ ବଞ୍ଚୁଥିଲେ ଏବଂ ସମାଜ ପାଇଁ ପ୍ରାଣ ଦାନ କରିଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୨। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କର କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଜମିଦାରୀର ଜମିଦାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଓଡ଼ିଶାର ଐତିହାସିକ ଗଙ୍ଗ ରାଜବଂଶରେ ୧୮୯୨ ଖ୍ରୀ.ଅ. ଏପ୍ରିଲ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ବାରବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ । ତାଙ୍କର ନାବାଳକ ଅବସ୍ଥାରେ ପାରଳାଖେମୁଣ୍ଡି ଜମିଦାରୀ କୋର୍ଟ ଅଫ୍ ୱାର୍ଡ଼ସ୍‌ (Court of Wards) ଦ୍ଵାରା ପରିଚାଳିତ ହୋଇଥିଲା । ସେ ପାରଳାଖେମୁଣ୍ଡି ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟ ଏବଂ ମାନ୍ଦ୍ରାଜର ନିଉଇଙ୍ଗଟନ୍ ଆବାସିକ ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଏହି ନିଉଇଙ୍ଗଟନ୍ ମହାବିଦ୍ୟାଳୟରେ ଧନୀ ଜମିଦାର ଛାତ୍ରମାନେ ଅଧ୍ୟୟନ କରୁଥିଲେ । ଏହି ମହାବିଦ୍ୟାଳୟରେ ଶିକ୍ଷାଲାଭ କାଳରେ ସେ ନିଜର ବ୍ୟକ୍ତିତ୍ଵକୁ ସୁଗଠିତ କରିଥିଲେ ତଥା କୃଷି ଏବଂ ଗ୍ରାମାଞ୍ଚଳର ବିକାଶ ସମ୍ବନ୍ଧରେ ଧାରଣା ଲାଭ କରିଥିଲେ ।

୧୯୧୩ ଖ୍ରୀ.ଅ.ରେ ଜମିଦାରୀର ଦାୟିତ୍ବ ହାତକୁ ନେବାପାଇଁ କୃଷ୍ଣଚନ୍ଦ୍ରଙ୍କୁ ଶିକ୍ଷା ସମାପ୍ତ ହେବା ପୂର୍ବରୁ ମହାବିଦ୍ୟାଳୟ ଛାଡ଼ିବାକୁ ପଡ଼ିଥିଲା । ଜମିଦାର ଭାବରେ କୃଷ୍ଣଚନ୍ଦ୍ର ବେଶ୍ ଉନ୍ନତମନା ଓ ଉଦାର ଥିଲେ ଏବଂ ସେ ଜମିଦାରୀର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ଜମିଦାରୀର ଦାୟିତ୍ଵ ହାତକୁ ନେବାପରେ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ ବିଶେଷତଃ ଗଞ୍ଜାମ ଜିଲ୍ଲାକୁ ମାନ୍ଦ୍ରାଜ ପ୍ରଦେଶରୁ ଅଲଗା କରି ଓଡ଼ିଶାରେ ମିଶାଇବାପାଇଁ ସେ ଲାଗିପଡ଼ିଥିଲେ । ଯଦିଓ ତାଙ୍କର ଜମିଦାରୀ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ ଥିଲା, ସେ ନିଜକୁ ଓଡ଼ିଶା ଡିଭିଜନ୍‌ରେ ଚାଲୁଥିବା ଓଡ଼ିଆ ଆନ୍ଦୋଳନ ସହିତ ସମ୍ପର୍ଣ୍ଣଭାବେ ସମ୍ପୃକ୍ତ କରିଥିଲେ । ସେ କଟକର ଉତ୍କଳ ସାହିତ୍ୟ ସମାଜ ଏବଂ ସାକ୍ଷୀଗୋପାଳର ସତ୍ୟବାଦୀ ବିଦ୍ୟାଳୟକୁ ବହୁତ ଅର୍ଥ ଦାନ କରିଥିଲେ ।

୧୯୧୪ ଖ୍ରୀ.ଅ. ଡିସେମ୍ବର ମାସରେ ମହାରାଜା କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧ୍ଵବେଶନ ଆୟୋଜନ କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୨୨ ବର୍ଷ । ଏହି ସମ୍ମିଳନୀରେ ବିଭିନ୍ନ ଅଞ୍ଚଳମାନଙ୍କରୁ ପ୍ରାୟ ଦୁଇହଜାର ବ୍ୟକ୍ତି ଯୋଗଦାନ କରିଥିଲେ । ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ବିଶ୍ଵନାଥ କର, ଗୋଦାବରୀଶ ମିଶ୍ର, ଶଶିଭୂଷଣ ରାୟ ଏବଂ ଜଗବନ୍ଧୁ ସିଂହ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଏହି ଅଧିବେଶନରେ ଯୋଗଦାନ କରିଥିଲେ । ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଇଂରେଜ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ସେବାଦାନ କରିଥିବା ହେତୁ ତାଙ୍କୁ ଇଂରେଜ ସରକାର ‘ରାଜାସାହେବ’ ଉପାଧ୍ ପ୍ରଦାନ କରିଥିଲେ ।

୧୯୨୪ ଖ୍ରୀ.ଅ.ରେ ଫିଲିପ୍-ଡଫ୍ କମିଟି ଆଗରେ ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାରେ ମିଶାଇ ଦେବାପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ ଭାବରେ ଦାବି କରିଥିଲେ । ତାଙ୍କ ମତଦ୍ୱାରା ପ୍ରଭାବିତ ହୋଇ ଏହି କମିଟି ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାରେ ମିଶାଇଦେବା ପାଇଁ ସୁପାରିଶ୍ କରିଥିଲେ । ଫିଲିପ୍ ଏବଂ ଡଫ୍ ପରେ କହିଥିଲେ, ‘ମୁଖ୍ୟତଃ ଗଞ୍ଜାମର ବିଶିଷ୍ଟ ଜମିଦାର ପାରଳାଖେମୁଣ୍ଡିର ମହାରାଜାଙ୍କ ମତ ଏବଂ ଇଚ୍ଛାକୁ ଭିତ୍ତି କରି ଆମ୍ଭେମାନେ ୧୯୨୪ ଖ୍ରୀ.ଅ.ରେ କମିଟି ରିପୋର୍ଟରେ ସୁପାରିସ୍ ଦେଇଥୁଲୁ ।’’

୧୯୨୭ ଖ୍ରୀ.ଅ.ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ରାଜକୀୟ କୃଷି କମିଶନ୍ (Royal Agriculture Commission) ର ସଭ୍ୟରୂପେ ନିଯୁକ୍ତ ହୋଇଥିଲେ । ଏହି କମିଶନର ଅଧ୍ୟକ୍ଷ ଥିଲେ ଭାରତର ପରବର୍ତ୍ତୀ ବଡ଼ଲାଟ୍ ଲର୍ଡ଼ ଲିନ୍‌ଲି । କମିଶନ୍‌ର ସଭ୍ୟଭାବେ କୃଷ୍ଣଚନ୍ଦ୍ର ଯେଉଁ ମତାମତ ଦେଇଥିଲେ ତାହାକୁ ଲର୍ଡ଼ ଲିନ୍‌ଲିଥ୍‌ ଗୁରୁତ୍ଵ ଦେଇଥିଲେ । କମିଶନ୍‌ର ସଭ୍ୟଭାବେ ସେ ଯେଉଁ ଅର୍ଥ ଉପାର୍ଜନ କରିଥିଲେ ତାହା ସେ କୁନୁଠାରେ ପୁଷ୍ଟି ଗବେଷଣା କେନ୍ଦ୍ର (Nutrition Research Centre) ପ୍ରତିଷ୍ଠା ପାଇଁ ଦାନ କରିଥିଲେ । ସେ ମଧ୍ୟ କୃଷିର ଗବେଷଣା ପାଇଁ କେତେକ ପାଣ୍ଠି (Endowment) ସୃଷ୍ଟି କରିଥିଲେ ।

୧୯୨୮ ଖ୍ରୀ.ଅ.ରେ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନ ସାଇମନ୍ କମିଶନ୍‌କୁ ବର୍ଜନ କଲାବେଳେ ପାରଳାଖେମୁଣ୍ଡି ମହାରାଜା ଏହି କମିଶନ୍ ଆଗରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ଦାବି ଉପସ୍ଥାପିତ କରିଥିଲେ । ଏହି ସମୟରେ ସେ ଓଡ଼ିଆମାନଙ୍କୁ ଆହ୍ବାନ ଦେଇ କହିଥିଲେ, ‘ସରକାରଙ୍କଠାରୁ ନ୍ୟାୟ ପାଇବାପାଇଁ ଏବେ ଯେଉଁ ସୁଯୋଗ ଆସିଛି ତାହା ହରାଇବା ଉଚିତ ହେବ କି ? ଆମ୍ଭମାନଙ୍କୁ ନିଜର ସ୍ୱାର୍ଥକୁ ସୁରକ୍ଷା କରିବାକୁ ପଡ଼ିବ । ଅନ୍ୟ କେହି ଆମକୁ ସାହାଯ୍ୟ କରିବା ଆଶା । ୧୯୩୦ ଖ୍ରୀ.ଅ.ରେ ମହାରାଜା କୃଷ୍ଣଚନ୍ଦ୍ର ଗଞ୍ଜାମ ନିର୍ବାଚନମଣ୍ଡଳୀରୁ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ସେହିବର୍ଷ ବିହାର-ଓଡ଼ିଶା ସରକାର ଗୋଲଟେବୁଲ ବୈଠକକୁ ଓଡ଼ିଆମାନଙ୍କର ପ୍ରତିନିଧ୍ଵ ରୂପେ ପାରଳାଖେମୁଣ୍ଡି ମହାରାଜାଙ୍କ ନାମ ସୁପାରିସ୍ କରିଥିଲେ ।

ସେ ଇଂଲଣ୍ଡରେ ଗୋଲଟେବୁଲ ବୈଠକ ଭିତରେ ଏବଂ ବାହାରେ ଦୃଢ଼ ଭାବରେ ଓଡ଼ିଆମାନଙ୍କ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବି ଉପସ୍ଥାପିତ କରିଥିଲେ । ଉକ୍ତ ବୈଠକରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ସେ ଏକ ଦାବିପତ୍ର ଉପସ୍ଥାପିତ କରିଥିଲେ । ୧୯୩୧ ଖ୍ରୀ.ଅ. ଜାନୁୟାରୀ ୧୬ ତାରିଖରେ ଗୋଲଟେବୁଲ ବୈଠକରେ ଭାଷଣଦେଇ ସେ କହିଥିଲେ, ‘ମୁଁ ଆପଣମାନଙ୍କ ଆଗରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରଶ୍ନ ଉତ୍‌ଥାପନ କରୁଛି । ଏହା ଓଡ଼ିଆମାନଙ୍କର ଜୀବନ ମରଣର ପ୍ରଶ୍ନ । ବର୍ତ୍ତମାନ ଓଡ଼ିଆମାନେ ବିଭିନ୍ନ ପ୍ରଦେଶରେ ପ୍ରଶାସନିକ କେନ୍ଦ୍ରଠାରୁ ଦୂରରେ ଲାଞ୍ଜଭାବେ ରହି ବିଭିନ୍ନ ଲାଞ୍ଛନା ଏବଂ ଅସୁବିଧା ଭୋଗକରୁଛନ୍ତି । ସଂଖ୍ୟାଲଘୁ ଭାବେ ଏହିସବୁ ପ୍ରଦେଶମାନଙ୍କର ନିୟୁତ ନିୟୁତ ଲୋକମାନଙ୍କ ସହିତ ମିଶି ରହିଥିବାହେତୁ ଏମାନଙ୍କ ଉପରେ କାହାର ଦୃଷ୍ଟି ପଡୁ ନାହିଁ ।’’

ଗୋଲଟେବୁଲ ବୈଠକ ଚାଲିଥିଲାବେଳେ ମହାରାଜା କୃଷ୍ଣଚନ୍ଦ୍ର ବ୍ୟକ୍ତିଗତ ଭାବରେ ଇଂଲଣ୍ଡର ଭାରତ ସଚିବ ସାର୍ ସାମୁଏଲ୍ ହୋର୍ ଏବଂ ଗୋଲଟେବୁଲ ବୈଠକର ଅନ୍ୟ ସଭ୍ୟମାନଙ୍କୁ ସାକ୍ଷାତ୍ କରିଥିଲେ ଏବଂ ସେମାନଙ୍କୁ ଓଡ଼ିଆମାନଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କର ପରିଶ୍ରମହେତୁ ଶେଷରେ ଇଂରେଜ ସରକାର ଓଡ଼ିଆମାନଙ୍କର ସ୍ଵତନ୍ତ୍ର ପ୍ରଦେଶ ଗଠନ ଦାବିକୁ ସ୍ବୀକାର କରିଥିଲେ । ବିହାରର ବିଶିଷ୍ଟ ନେତା ସଚ୍ଚିଦାନନ୍ଦ ସିଂହ ଯଥାର୍ଥରେ ମଧୁସୂଦନ ଦାସ ଏବଂ ବ୍ରଜସୁନ୍ଦର ଦାସଙ୍କୁ କହିଥିଲେ ଯେ ପାରଳାଖେମୁଣ୍ଡିର ମହାରାଜା ଅନିଚ୍ଛୁକ ଇଂରେଜ ସରକାରଙ୍କୁ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ରାଜି କରାଇଥିଲେ ଏବଂ ମଧୁସୂଦନ ଦାସଙ୍କର ଦୀର୍ଘ କଠିନ ପରିଶ୍ରମକୁ ଚୂଡ଼ାନ୍ତ ରୂପ ଦାନ କରିଥିଲେ ।

ଗୋଲଟେବୁଲ ବୈଠକରେ ପାରଳାଖେମୁଣ୍ଡି ମହାରାଜାଙ୍କ ଉଦ୍ୟମ ଫଳରେ ଇଂରେଜ ସରକାର ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବାପାଇଁ ଓ’ଡନେଲ କମିଟି ଗଠନ କରିଥଲେ ।
ଓ’ଡ଼ୋନେଲ୍ କମିଟିର ନିର୍ଦ୍ଧାରଣ ଓଡ଼ିଆମାନଙ୍କ ଆଶା ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ କରି ନଥିଲା । ଏହା ପରାଳାଖେମୁଣ୍ଡି ମହାରାଜାଙ୍କ ପାଇଁ ବିଶେଷ ନୈରାଶ୍ୟଜନକ ହୋଇଥିଲା । କାରଣ ଏଥ‌ିରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ପାରଳାଖେମୁଣ୍ଡି, ମେଦିନୀପୁର ଏବଂ ସିଂହଭୂମିକୁ ବାଦ ଦିଆଯାଇଥିଲା । ୧୯୩୨ ଖ୍ରୀ.ଅ. ଅଗଷ୍ଟ ୨୧ ତାରିଖରେ ବ୍ରହ୍ମପୁର ସହରରେ ଉତ୍କଳ ସମ୍ମିଳନୀର ଏକ ଜରୁରୀ ଅଧୂବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧୁବେଶନରେ ଓ’ଡ଼ୋନେଲ୍‌ କମିଟିର ପ୍ରତିକୂଳ ନିର୍ଦ୍ଧାରଣ ବିରୋଧରେ ବଡ଼ଲାଙ୍କୁ ଅବଗତ କରାଇବାପାଇଁ ପାରଳାଖେମୁଣ୍ଡି ମହାରାଜାଙ୍କ ଅଧିନାୟକତ୍ଵରେ ଏକ କମିଟି ଗଢ଼ାଯାଇଥିଲା । ଏହି କମିଟି ୧୯୩୨ ଖ୍ରୀ.ଅ. ସେପ୍ଟେମ୍ବର ୧୭ ତାରିଖରେ ସିମଳାଠାରେ ବଡ଼ଲାଟ୍ ଲର୍ଡ଼ ୱେଲିଂଡ଼ନଙ୍କୁ ସାକ୍ଷାତ କରିଥିଲେ ।

୧୯୩୩ ଖ୍ରୀ.ଅ. ଜୁଲାଇ ୩ ତାରିଖରେ ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ୱରେ ଏକ ଓଡ଼ିଆ ପ୍ରତିନିଧୁ ଦଳ ଲଣ୍ଡନଠାରେ ଭାରତ ସଚିବଙ୍କୁ ସାକ୍ଷାତ କରିଥିଲେ ଏବଂ ପାରଳାଖେମୁଣ୍ଡି ଓ ଜୟପୁରକୁ ଓଡ଼ିଶାରେ ଅନ୍ତର୍ଭୁକ୍ତ କରିବାପାଇଁ ଦାବି କରିଥିଲେ । ତେଲୁଗୁ ପ୍ରତିନିଧ୍ ଦଳର ଚାପ ତଥା ଭାରତ ସରକାର ଏବଂ ମାନ୍ଦ୍ରାଜ ସରକାରଙ୍କ ବିରୋଧ ହେତୁ ଇଂଲଣ୍ଡ ସରକାର ପାରଳାଖେମୁଣ୍ଡିକୁ ଓଡ଼ିଶାକୁ ହସ୍ତାନ୍ତର କରିବାପାଇଁ ରାଜି ହୋଇ ନଥିଲେ । କିନ୍ତୁ ଜୟପୁରକୁ ଓଡ଼ିଶାର ଅନ୍ତର୍ଭୁକ୍ତ କରିବାପାଇଁ ଇଂରେଜ କର୍ତ୍ତୃପକ୍ଷ ରାଜି ହୋଇଥିଲେ । ପାରଳାଖେମୁଣ୍ଡିର ଅଧିକାଂଶ ଲୋକ ତେଲୁଗୁ ହୋଇଥିବାରୁ ଇଂରେଜ କର୍ତ୍ତୃପକ୍ଷ ଏହାକୁ ଓଡ଼ିଶାକୁ ହସ୍ତାନ୍ତର କରିବାପାଇଁ ରାଜି ହୋଇ ନଥିଲେ । ତେଣୁ ମହାରାଜା କୃଷ୍ଣଚନ୍ଦ୍ର ତାଙ୍କର ଜମିଦାରୀକୁ ମାନ୍ଦ୍ରାଜ ଏବଂ ଓଡ଼ିଶା ମଧ୍ୟରେ ବିଭାଜନ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ସେ ଏହି ବିଭାଜନ ପ୍ରସ୍ତାବକୁ ମାନ୍ଦ୍ରାଜ ସରକାର ଏବଂ ଭାରତ ସଚିବଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭାରତ ସରକାର ଏବଂ ମାନ୍ଦ୍ରାଜ ସରକାର ଏହି ବିଭାଜନ ପ୍ରସ୍ତାବକୁ ବିରୋଧ କରିଥିଲେ ।

ଶେଷରେ ୧୯୩୫ ଖ୍ରୀ.ଅ.ର ଭାରତ ଶାସନ ବିଧେୟକ ସମ୍ବନ୍ଧରେ ନିଯୁକ୍ତ ହୋଇଥିବା ଜଏଣ୍ଟ ସିଲେକ୍ଟ କମିଟି ଏହି ବିଭାଜନ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଲର୍ଡ଼ ଲିନ୍‌ଲିଥ୍। ଏହି କମିଟିର ଅଧ୍ୟକ୍ଷ ଥିଲେ । ପୂର୍ବରୁ ଯେତେବେଳେ ଲିନ୍‌ଲିଥ୍‌ ରାଜକୀୟ କୃଷି କମିଶନ୍‌ର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ, ସେତେବେଳେ ମହାରାଜା କୃଷ୍ଣଚନ୍ଦ୍ର ଏହି କମିଶନ୍‌ର ସଭ୍ୟ ହୋଇଥିଲେ । ଲିନ୍‌ଲିଥ୍‌ଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସୁସମ୍ପର୍କ ହେତୁ ଲିନ୍‌ଲିଥ୍। ଏହି ବିଭାଜନ ପ୍ରସ୍ତାବକୁ ଗ୍ରହଣ କରିଥିଲେ।

୧୯୩୬ ଖ୍ରୀ.ଅ. ଏପ୍ରିଲ ପହିଲାରୁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା । ସେହିଦିନ ମହାରାଜା କୃଷ୍ଣଚନ୍ଦ୍ର କଟକର ବାରବାଟୀ ଦୁର୍ଗ ନିକଟରେ ହଜାର ହଜାର ଲୋକଙ୍କୁ ଉଦ୍ୟାନ ଭୋଜିରେ ଆପ୍ୟାୟିତ କରିଥିଲେ । ତାଙ୍କର ପୂର୍ବପୁରୁଷ (ଅତୀତର ଗଙ୍ଗ ସମ୍ରାଟ) ମାନଙ୍କର ଅର୍ଦିଷ୍ଟ ପ୍ରେରଣାରେ ସେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ଉଦ୍ୟମ କରିଛନ୍ତ ବୋଲି ମହାରାଜା କୃଷ୍ଣଚନ୍ଦ୍ର ତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଅର୍ଜିତ ସମସ୍ତ ଅର୍ଥକୁ ମହାରାଜା କୃଷ୍ଣଚନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ । ସହଯୋଗୀମାନଙ୍କ ସହିତ ରାଜନୈତିକ ଦୃଷ୍ଟିରୁ ମତଭେଦ ହେବାରୁ ୧୯୪୪ ମସିହା ଜୁନ୍ ମାସରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ ସେ ରାଜନୀତିରୁ ପୂରାପୂରି ଅବସର ନେଇଥିଲେ । ୧୯୭୪ ଖ୍ରୀ.ଅ. ମେ ୨୫ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିଠାରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୩ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁସୂଦନ ଦାସଙ୍କ ଭୂମିକା ଆଲୋଚନା କର ।
Answer:
୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିସାରିବା ପରେ ମଧ୍ୟଯୁଗୀୟ ଓଡ଼ିଶା ଆତ୍ମପରିଚୟ ହରାଇଥିଲା । ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ପୁରୋଭାଗରେ ଓଡ଼ିଶାବାସୀଙ୍କୁ ସାମିଲ କରାଇ ଏକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଯେଉଁ କେତେଜଣ ମହାନ୍ ନେତୃତ୍ୱଙ୍କର ଆବିର୍ଭାବ ହୋଇଥିଲା, ସେମାନଙ୍କ ମଧ୍ୟରେ ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଓ ମଧୁସୂଦନ ଦାସ ଥିଲେ ସର୍ବଶ୍ରେଷ୍ଠ । ଓଡ଼ିଶାବାସୀଙ୍କ ମାନସପଟରେ ଜାତୀୟତାର ଭାବଧାରା ଜାଗ୍ରତ କରାଇ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଗଠନ କରିବାର ସ୍ଵପ୍ନକୁ ସାକାର କରାଇଥିଲେ ମଧୁସୁଦନ ଦାସ । ତାଙ୍କ ନିଷ୍ଠାପର ଉଦ୍ୟମ ଓ ସଂଗ୍ରାମ ଫଳରେ ପରିଶେଷରେ ୧ ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶରୂପେ ଆତ୍ମପ୍ରକାଶ କରିଥିଲା ।

ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳିତ ହେବାପରେ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଜାଗରଣ ଦେଖାଯାଇଥିଲା । ଏହା ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ୧୮୪୮ ଖ୍ରୀଷ୍ଟାବ୍ଦରେ କଟକର ସତ୍ୟଭାମାପୁର ଗ୍ରାମରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ । ୧୮୭୩ରେ କଲିକତା ବିଶ୍ଵବିଦ୍ୟାଳୟରୁ ଏମ୍.ଏ. ପାସ କରି ୧୮୭୮ ରେ ବି.ଏଲ୍ ଡ୍ରିଗ୍ରୀ ଲାଭକରି କଟକରେ ଓକିଲାତି ଆରମ୍ଭ କରିଥିଲେ । ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ସେ ୧୯୦୩ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସମ୍ମିଳନୀ । ସମ୍ବଲପୁର, ଗଞ୍ଜାମ, କଟକ, ବାଲେଶ୍ଵର ଆଦି ସବୁ ସ୍ଥାନରେ ରହିଥ‌ିବା ଓଡ଼ିଆମାନଙ୍କୁ ଏହି ସମ୍ମିଳନୀରେ ଯୋଗଦାନ ପୂର୍ବକ ନୂତନ ଓଡ଼ିଶା ଗଠନର ଆହ୍ଵାନ ଦେଇ ସେ କହିଲେ –
‘ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ,
କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ
ଡେଇଁପଡି ସିନ୍ଧୁ ନୀରେ ।
ମଧୁସୂଦନଙ୍କ ବଳିଷ୍ଠ ନେତୃତ୍ଵ, ପ୍ରେରଣା ଏବଂ ତ୍ୟାଗ ବଳରେ ଉତ୍କଳ ସମ୍ମିଳନୀ ଓଡ଼ିଆମାନଙ୍କ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା । ସେ ବିଭିନ୍ନ ସ୍ଥାନକୁ ଯାଇ ଉତ୍କଳ ସମ୍ମିଳନୀ ପାଇଁ ପ୍ରଚାର କାର୍ଯ୍ୟ ଚଳାଇଥିଲେ । ଏଥ‌ିପାଇଁ ସେ ନିଜର ବ୍ୟକ୍ତିଗତ ଅର୍ଥ ବ୍ୟୟ କରିଥିଲେ । ତାଙ୍କରି ପ୍ରେରଣାରେ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କନିକାର ଜମିଦାର ରାଜେନ୍ଦ୍ର ନାରାୟଣ ଭଞ୍ଜ ତଥା ଅନ୍ୟ ଜମିଦାର ଏବଂ ରାଜାମାନେ ଉତ୍କଳ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଏଥ‌ିପାଇଁ ତ୍ୟାଗ ସ୍ଵୀକାର କରିଥିଲେ ।

୧୯୦୭ ଖ୍ରୀ.ଅ.ରେ ମଧୁସୂଦନ ଇଂଲଣ୍ଡ ଯାତ୍ରା କରିଥିଲେ ଏବଂ ସେଠାକାର ଜନସାଧାରଣଙ୍କ ସମ୍ମୁଖରେ ଓଡ଼ିଆ ଅଞ୍ଚଳମାନଙ୍କର ମିଶ୍ରଣ ପ୍ରଶ୍ନ ଉତ୍‌ଥାପନ କରିଥିଲେ । ଫଳରେ ଇଂଲଣ୍ଡର ଲର୍ଡ଼ସ୍‌ ସଭା (House of Lords) ରେ ଲର୍ଡ କର୍ଜନ ଓଡ଼ିଆମାନଙ୍କର ଦାବିକୁ ସମର୍ଥନ କରିଥିଲେ ଏବଂ କମନ୍ସ୍ ସଭା (House of Commons) ରେ ମେକୋଲଡ଼୍ ସ୍କଟ ଏହି ପ୍ରଶ୍ନ ଉତ୍‌ଥାପନ କରିଥିଲେ । ଫଳରେ ଓଡ଼ିଶାକୁ ବଙ୍ଗରୁ ଅଲଗା କରାଯାଇଥିଲା ଏବଂ ୧୯୧୨ ମସିହାରେ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । କିନ୍ତୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ଉତ୍କଳ ସମ୍ମିଳନୀ ଜରିଆରେ ମଧୁସୂଦନ ଚେଷ୍ଟା ଚଳାଇଥିଲେ । ୧୯୦୭ ଖ୍ରୀ.ଅ.ରେ ଇଂଲଣ୍ଡର ସାମ୍ବାଦିକ ସମ୍ମିଳନୀରେ ସେ ‘ଅସନ୍ତୁଷ୍ଟ ଭାରତ’ (Discontented India) ନାମକ ପ୍ରଚାର ପୁସ୍ତିକା ବାଣ୍ଟିଥିଲେ । ଏଥ‌ିରେ ସେ ଭାରତ ତଥା ଓଡ଼ିଶାର ପ୍ରକୃତ ସମସ୍ୟାମାନ ଉତ୍‌ଥାପନ କରିଥିଲେ ।

୧୯୧୩ ଖ୍ରୀ.ଅ.ରେ ପୁରୀରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧ‌ିବେଶନରେ ମଧୁସୂଦନ ସଭାପତି ଆସନ ମଣ୍ଡନ କରିଥିଲେ । ଏହି ସମ୍ମିଳନୀରେ ଓଡ଼ିଆ ଅଞ୍ଚଳମାନଙ୍କର ଏକତ୍ରୀକରଣ, ସ୍କୁଲ, ଅଦାଲତ ଏବଂ ଅଫିସମାନଙ୍କରେ ଓଡ଼ିଆଭାଷାର ପ୍ରଚଳନ ଏବଂ ଓଡ଼ିଶାରେ ଇଂଜିନିୟରିଂ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଥିଲା । ୧୯୧୭ ଖ୍ରୀ.ଅ.ରେ ଭାରତ ସଚିବ ଏଡ଼ଉଇନ୍ ମଣ୍ଟେଗୁ ଭାରତକୁ ଆସିଥିଲେ । ଏହି ସମୟରେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ଗୋଟିଏ ପ୍ରଶାସନିକ ଏକକରେ ରଖାଯିବା ପାଇଁ ସେ ଦାବି କରିଥିଲେ । ୧୯୧୭ ଖ୍ରୀ.ଅ.ରେ ଓଡ଼ିଆମାନଙ୍କର ଅଭାବ ଅସୁବିଧାକୁ ଉପସ୍ଥାପିତ କରିବାପାଇଁ ମଧୁସୂଦନ ‘ଦି ଓଡ଼ିଆ’ ନାମକ ଏକ ସାପ୍ତାହିକୀ ପତ୍ରିକା ବାହାର କରିଥିଲେ । ଏହି ପତ୍ରିକାରେ ସେ ଆର୍ଥିକ ସ୍ଵାବଲମ୍ବନଶୀଳତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ୧୯୧୯ ଖ୍ରୀ.ଅ.ରେ ଭାତର ଶାସନ ଆଇନ ଅନୁସାରେ ମଧୁସୂଦନ ବିହାର-ଓଡ଼ିଶା ସରକାରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ହୋଇଥିଲେ । ମଧୁସୂଦନ ଅବୈତନିକ ଭାବରେ ମନ୍ତ୍ରୀ ଦାୟିତ୍ୱରେ ରହିବାପାଇଁ ଇଚ୍ଛା କଲେ । କିନ୍ତୁ ସରକାର ତାଙ୍କର ମତ ପ୍ରତ୍ୟାଖ୍ୟାନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

୧୯୧୮ ଖ୍ରୀ.ଅ. ଶେଷ ଆଡ଼କୁ ମଧୁସୂଦନ ଉତ୍କଳ ସମ୍ମିଳନୀରୁ ଓହରି ଯାଇଥିଲେ । କିନ୍ତୁ ଜୀବନର ଶେଷ ମୁହୂର୍ତ୍ତରେ ସେ ସ୍ଵତନ୍ତ୍ର ଓଡ଼ିଶା ଗଠନପାଇଁ ସାଇମନ୍ କମିଶନଙ୍କୁ ଏକ ଦାବିପତ୍ର ଦେଇଥିଲେ । ୧୯୩୧ ଖ୍ରୀ.ଅ. ନଭେମ୍ବର ୧୧ ତାରିଖରେ ଓଡ଼ିଶା ସୀମା ନିର୍ଦ୍ଧାରଣ କମିଟି କଟକ ଆସିଲେ । ତେୟାଅଶୀ ବର୍ଷର ବୃଦ୍ଧ ମଧୁସୂଦନ ଦାସ ବଡ଼ିଭୋରରୁ ଉଠି ଏହି କମିଟିର ସଭ୍ୟମାନଙ୍କୁ କଟକ ରେଳଷ୍ଟେସନରୁ ପାଛୋଟି ନେଇଥିଲେ । ମୃତ୍ୟୁବେଳକୁ ତାଙ୍କର ଆଜୀବନ ଚେଷ୍ଟା ଫଳବତୀ ହୋଇଥିଲା । ସେତେବେଳକୁ ଇଂରେଜ ସରକାର ସ୍ୱତନ୍ତ୍ର ଓଡ଼ିଶା ଗଠନପାଇଁ ନିଷ୍ପତ୍ତି ଗ୍ରହଣ କରିସାରିଥିଲେ । କିନ୍ତୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କାର୍ଯ୍ୟ ସାକାର ହେବା ପୂର୍ବରୁ ଓଡ଼ିଆମାନଙ୍କର ବରେଣ୍ୟ ନାୟକ ଓ ପ୍ରାଣପ୍ରତିଷ୍ଠାତା ମଧୁସୂଦନ ଦାସ ୧୯୩୪ ଖ୍ରୀ.ଅ. ଫେବୃୟାରୀ ୪ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ଏସବୁ ସତ୍ତ୍ଵେ ନବ ଉତ୍କଳର ନିର୍ମାତାଭାବେ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ପୁରୋଧା ମଧୁସୂଦନ ଦାସଙ୍କର ଅବଦାନ ଥିଲା ଅତୁଳନୀୟ ।

CHSE Odisha Class 12 History Chapter 16 Long Answer Questions in Odia Medium

୪ । ବିଶିଷ୍ଟ ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ରମା ଦେବୀଙ୍କ କୃତିତ୍ଵ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
ଏକ ପକ୍ଷରେ ବିଦେଶୀ ଶତ୍ରୁସହ ସଂଗ୍ରାମ କରିବା ସହିତ ଅନ୍ୟ ପକ୍ଷରେ ନିଜ ରାଜ୍ୟବାସୀଙ୍କୁ ଯିଏ ମାତୃତ୍ଵର ଅମଳିନ ସ୍ନେହ ମମତାରେ ବାନ୍ଧି ରଖୁଲେ ସେ ହେଉଛନ୍ତି ମା’ ରମା ଦେବୀ । ୧୮୯୯ ଖ୍ରୀ.ଅ. ଡିସେମ୍ବର ୩ ତାରିଖ ଦିନ କଟକର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ରମା ଦେବୀଙ୍କ ପିତା ଗୋପାଳବଲ୍ଲଭ ଦାସ ଓ ମାତା ଥିଲେ ବସନ୍ତ କୁମାରୀ ଦେଈ । ସର୍ବୋପରି ବଡ଼ବାପା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଭିଜାତ୍ୟ ଦିଗ୍‌ଦର୍ଶନ ଭିତରେ ଲାଳିତାପାଳିତା ହୋଇ ୧୯୧୪ ଖ୍ରୀ.ଅ.ରେ ମାତ୍ର ୧୫ ବର୍ଷ ବୟସରେ ଅନ୍ୟଏକ ଆଭିଜାତ୍ୟ ପରିବାରକୁ ସେ ବୋହୂ ହୋଇ ଯାଇଥିଲେ । ସ୍ଵାମୀ ଶ୍ରୀ ଗୋପବନ୍ଧୁ ଚୌଧୁରୀ ଡେପୁଟୀ କଲେକ୍ଟର ଓ ଶ୍ୱଶୁର ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ ଖେରସର ବିଖ୍ୟାତ ଜମିଦାର ଥିଲେ ।

ବିବାହର ମାତ୍ର ବର୍ଷ ମଧ୍ୟରେ ୩ଟି ସନ୍ତାନର ଜନନୀ ହୋଇ ସର୍ବକନିଷ୍ଠ ସନ୍ତାନର ମୃତ୍ୟୁବେଦନା ମଧ୍ୟ ତାଙ୍କୁ ସହିବାକୁ ପଡ଼ିଥିଲା; କିନ୍ତୁ ସ୍ବାମୀ, ପରିବାର, ସନ୍ତାନସନ୍ତତି ଇତ୍ୟାଦିକୁ ନେଇ ବ୍ୟକ୍ତିଗତ ସୁଖଦୁଃଖରେ ଆନ୍ଦୋଳିତା ଜଣେ ସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଅସାଧାରଣ ଜନନୀଙ୍କର ଆଭିର୍ଭାବ ହୁଏ ୧୯୨୧ ଖ୍ରୀଷ୍ଟାବ୍ଦରେ । ୧୯୨୧ ଖ୍ରୀଷ୍ଟାବ୍ଦ ଫେବୃୟାରୀ ମାସରେ ରମା ଦେବୀଙ୍କ ସ୍ଵାମୀ ଗୋପବନ୍ଧୁ ଚୌଧୁରୀ ଇଂରେଜ ସରକାରଙ୍କ କାର୍ଯ୍ୟକଳାପକୁ ପ୍ରତିବାଦ କରି ଉଚ୍ଚ ସରକାରୀ ପଦବୀରୁ ଇସ୍ତଫା ଦେଇଥିଲେ । ସେହିବର୍ଷ ମାର୍ଚ୍ଚମାସ ଦୋଳପୂର୍ଣ୍ଣମୀ ଦିନ କଟକ ବିନୋଦବିହାରୀ ହତାରେ ଏକ ମହିଳା ସଭାରେ ମହାତ୍ମା ଗାନ୍ଧିଙ୍କ ଯୋଗଦାନ ଓ ସାନ୍ନିଧ୍ୟ ରମା ଦେବୀଙ୍କ କୁହୁଳୁଥ‌ିବା ଦେଶପ୍ରେମକୁ ପ୍ରଜ୍ଜ୍ୱଳିତ କରିଥିଲା ।

ମୁହୂର୍ତ୍ତକରେ ସବୁ ଭୋଗବିଳାସକୁ ତୁଚ୍ଛ କରି ଭାରତର ସ୍ବାଧୀନତା ସଂଗ୍ରାମରେ ଝାସଦେଉଥ‌ିବା ବୀର ସନ୍ତାନମାନଙ୍କୁ ଅଖଣ୍ଡ ମାତୃତ୍ଵ ପ୍ରଦାନ କରିବାକୁ ସେ ଆଗେଇ ଚାଲିଲେ । ୧୯୨୨ ଖ୍ରୀ.ଅ. ଡିସେମ୍ବରରେ ନିଷ୍ଫଳ ଭାରତ କଂଗ୍ରେସ କମିଟିର ବାର୍ଷିକ ଅଧ୍ଵବେଶନରେ ପ୍ରତିନିଧୂରୂପେ ଗୟା କଂଗ୍ରେସରେ ଯୋଗଦେଲେ । ଖଦୀବୋର୍ଡ଼ ଓ ଚରଖା ସଂଘର ସଦସ୍ୟା ହେଲେ । ୧୯୨୪ରେ କଟକର ପ୍ରାଦେଶିକ ସମ୍ମିଳନୀରେ ଯୋଗଦେଲେ । ୧୯୨୭ରେ ଅଲ୍ ଇଣ୍ଡିଆ ଓମେନ୍‌ସ୍ କନ୍‌ଫରେନ୍ସର ସଦସ୍ୟା ହେଲେ । ୧୯୩୦ ରେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ପ୍ରଥମ କାରାଦଣ୍ଡ ଭୋଗିଲେ । ୧୯୩୧ ରେ ହିନ୍ଦୁସ୍ତାନୀ ସେବାଦଳ ପାଇଁ ସ୍ୱେଚ୍ଛାସେବିକା ସଂଗ୍ରହ କାର୍ଯ୍ୟ କଲେ । ୧୯୩୨ରେ ପୂର୍ଣ୍ଣ ସ୍ଵରାଜ ସଂକଳ୍ପପତ୍ର ପାଠ କରି ପୁତ୍ର ମନମୋହନଙ୍କ ସହ କାରାବରଣ କଲେ । ଏହାପରେ କଟକରେ ଲବଣ ସତ୍ୟାଗ୍ରହରେ ଗିରଫ ହୋଇ ହଜାରିବାଗ୍ ଜେଲ୍‌କୁ ଗଲେ ।

ଏସବୁ ସହ ଗାନ୍ଧିଜୀଙ୍କର ଆଦର୍ଶରେ ସୂତାକଟା, ମେହେନ୍ତର ବସ୍ତି ସଫେଇ, କୁଷ୍ଠରୋଗୀଙ୍କ ସେବା, ମହିଳାମାନଙ୍କର ବିଭିନ୍ନ ତାଲିମ୍ କାର୍ଯ୍ୟ, ଆଦିବାସୀମାନଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଭୂଦାନ ଆନ୍ଦୋଳନ ଓ ପଦଯାତ୍ରା, କସ୍ତୁରବା ଟ୍ରଷ୍ଟ ଜରିଆରେ ମାତୃମଙ୍ଗଳ କେନ୍ଦ୍ର ଓ ବାବାଡ଼ି ଇତ୍ୟାଦି ରଚନାତ୍ମକ କାର୍ଯ୍ୟ ପରିଚାଳନା ଓ ଅନେକ ଗଠନମୂଳକ କାର୍ଯ୍ୟ ତାଙ୍କ ଦୀର୍ଘ, ନିରଳସ ଓ କର୍ମମୟ ଜୀବନକୁ ବୈଶିଷ୍ଟ୍ୟ ପ୍ରଦାନ କରିଥିଲା । ୧୯୫୮ ଖ୍ରୀ.ଅ. ଏପ୍ରିଲ୍‌ରେ ସ୍ଵାମୀ ଗୋପବନ୍ଧୁ ଚୌଧୁରୀଙ୍କର ଦେହାନ୍ତ ହେବାପରେ କିଛିକାଳ ଦୋହଲିଯାଇଥିବା ରମା ଦେବୀ ପୁଣି ମାତୃତ୍ବର ଏକ ଅନମନୀୟ ଦୃଢ଼ତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଦିଗରେ ମନଯୋଗୀ ହୋଇଥିଲେ ।

ସ୍ଵାମୀଙ୍କ ମୃତ୍ୟୁପରେ ବିନୋବାଙ୍କର ପଦଯାତ୍ରା ଆୟୋଜନ, ରାଉରକେଲା ଦଙ୍ଗାରେ ଶାନ୍ତି ସ୍ଥାପନ କାର୍ଯ୍ୟ, ଗାନ୍ଧି ରଚନାବଳୀକୁ ଓଡ଼ିଆରେ ପ୍ରସ୍ତୁତ କରିବା, କୋରାପୁଟ, ଗଞ୍ଜାମ, ଢେଙ୍କାନାଳ ଆଦି ଜିଲ୍ଲାର ମରୁଡ଼ି ପ୍ରତିକାର ପାଇଁ ଜୟପ୍ରକାଶ ନାରାୟଣଙ୍କ ସହଯୋଗରେ ଆନ୍ତର୍ଜାତିକ ରିଲିଫ୍ ଫଣ୍ଡ୍‌ର ସହାୟତା ନେବା, ଆଚାର୍ଯ୍ୟ ହରିହର ଦାସ ମେମୋରିଆଲ୍ ଟ୍ରଷ୍ଟ ଜରିଆରେ କଟକରେ କ୍ୟାନସର ରୋଗ ନିର୍ଣ୍ଣୟ କେନ୍ଦ୍ର ସ୍ଥାପନ କରିବା ଆଦି ବହୁମୁଖୀ କାର୍ଯ୍ୟ ନିମନ୍ତେ ରମା ଦେବୀ ନିଜକୁ ସମର୍ପି ଦେଇଥିଲେ । କୋରାପୁଟ, ଫୁଲବାଣୀ, କଳାହାଣ୍ଡି ଇତ୍ୟାଦି ଅରଣ୍ୟ ଅଧୁଷିତ ଇଲାକାଠାରୁ ଆରମ୍ଭ କରି ବରୀ, ଡେରାବିଶ ପରି ବନ୍ୟାବିପନ୍ନ ଅଞ୍ଚଳରେ ଲୋକମାନେ ‘ମାଆ’ କହିଲେ ରମା ଦେବୀଙ୍କୁ ହିଁ ବୁଝୁଥିଲେ । ଶୁଭ୍ର ଖଦଡ଼ ଶାଢ଼ି ପରିହିତା ଏହି କ୍ଷୁଦ୍ରକାୟା ମହିୟସୀ ମହିଳା ଯେଉଁଆଡ଼େ ଯାଉଥିଲେ ମାତୃତ୍ଵର ଏକ ସାତ୍ତ୍ଵିକ ଜ୍ୟୋତିର୍ବଳୟ ତାଙ୍କୁ ସବୁବେଳେ ଉଦ୍ଭାସିତ କରି ରଖୁଥିଲା ।

ଏତଦ୍‌ବ୍ୟତୀତ କଟକ ଥୋରିଆସାହିରେ ଥ‌ିବା ଭୂଦାନ ଅଫିସ୍‌ର ରୋଷେଇଘରେ ଅଧିକାଂଶ ସମୟ ସେ କଟାଇଥା’ନ୍ତି । ଦେଶୀ ବିଦେଶୀ ଅତିଥ୍ୟାମାନେ ଏଠି ଚମତ୍କୃତ ହୁଅନ୍ତି । ୧୯୬୬ ଖ୍ରୀ.ଅ.ରେ ‘ପଦ୍ମଶ୍ରୀ’ ଉପାଧ୍ୟାକୁ ପ୍ରତ୍ୟାଖ୍ୟାନ କରିବାପରେ ରମା ଦେବୀ ୧୯୮୧ ଖ୍ରୀ.ଅ.ରେ ବଜାଜ ପୁରସ୍କାର ସ୍ଵରୂପ ଏକଲକ୍ଷ ଟଙ୍କାର ଅର୍ଥ ସର୍ବୋଦୟ ଅନୁଷ୍ଠାନର ଆବଶ୍ୟକତା ପୂରଣ ପାଇଁ ଗ୍ରହଣ କରନ୍ତି । ୧୯୮୪ ଖ୍ରୀ.ଅ.ରେ ଉତ୍କଳ ବିଶ୍ୱବିଦ୍ୟାଳୟ ‘ବିଧ୍ଵ ପରମଭୂଷଣ’ ଉପାଧ୍ ଏବଂ ୧୯୮୫ ରେ ଷଷ୍ଠ ସାରଳା ସମ୍ମାନରେ ସମ୍ମାନିତା ରମା ଦେବୀଙ୍କ ପାଇଁ ଶ୍ରେଷ୍ଠ ସମ୍ଭାଷଣ ଥିଲା ‘ମାଆ’ ପଦଟି । ୧୯୮୫ ଖ୍ରୀ.ଅ. ଜୁଲାଇ ୨୨ ତାରିଖ ଦିନ ଏହି ମହୀୟସୀ ମହିଳା ରମା ଦେବୀଙ୍କର ଦେହାନ୍ତ ହୋଇଥିଲା । ଉତ୍କଳମଣି ଗୋପବନ୍ଧୁଙ୍କର ପ୍ରସିଦ୍ଧ ଉକ୍ତି ରମା ଦେବୀଙ୍କ ପରି ଓଡ଼ିଶା ମା’ର ସୁଯୋଗ୍ୟା କନ୍ୟାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେହୁଏ । ସେହି ଉକ୍ତିର କିଛି ଅଂଶ ହେଉଛି – ‘ଜାତୀୟ ମମତା ବିଶ୍ଵଜନପ୍ରୀତି, ଉତ୍କଳବାସୀର ଏହା ହେଉ ନୀତି’’ । ବାସ୍ତବିକ ରମା ଦେବୀ ଯୋଗଜନ୍ମା ଥିଲେ ।

CHSE Odisha Class 12 History Chapter 16 Long Answer Questions in Odia Medium

୫। ବିଶିଷ୍ଟ ନାରୀନେତ୍ରୀ ସରଳା ଦେବୀଙ୍କର କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
ନଦୀମାତୃକା ଓଡ଼ିଶାରେ ନାରୀମାତ୍ରେ ହିଁ କବି । ନାରୀର ନୀତିବୋଧ, ସାରସ୍ଵତ ପ୍ରଜ୍ଞା ଓ ପ୍ରତିଭା ଐତିହାସିକ ଓଡ଼ିଶାରେ ହିଁ ଉନ୍ମେଷିତ ହୋଇଥିଲା । ଓଡ଼ିଶାର ମାଟିକୁ ସବୁଜ ବନାନୀ କହିଲେ, ପ୍ରତିଭାମୟୀ ନାରୀମାନେ ତା’ର ସୁବାସିତ ପୁଷ୍ପ । ବହୁ ଘାତ ପ୍ରତିଘାତ ମଧ୍ୟରେ ସୃଷ୍ଟି ହୋଇଥିବା ଓଡ଼ିଆ ସାହିତ୍ୟ ନାରୀ ସ୍ୱାତନ୍ତ୍ର୍ୟର ମହିମାରେ ଅନୁରଣିତ । ୧୯୨୧ ଖ୍ରୀ.ଅ.ର ଗଣଧର୍ମୀ ରାଜନୀତି ଓ ଜନଜାଗରଣର ମହାପ୍ଲାବନରେ ଆଧୁନିକ ଓଡ଼ିଆ ନାରୀ ସାହିତ୍ୟ ସୃଷ୍ଟିଲାଗି ଅଦମ୍ୟ ଆବେଗ ନେଇ ଆଗେଇଆସିଲା । ସେମାନଙ୍କ ମଧ୍ୟରେ ଆତ୍ମପ୍ରକାଶ କଲେ ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତ୍, ନାରୀନେତ୍ରୀ ସରଳା ଦେବୀ, ପ୍ରବୀଣା ସୁଲେଖ୍କା ଲତିକା ଦେବୀ ପ୍ରମୁଖ ନାରୀମାନେ । ଏ ସମସ୍ତଙ୍କ ମଧ୍ୟରୁ ନାରୀନେତ୍ରୀ ସରଳା ଦେବୀ ସହଜରେ ବାରିହୋଇ ପଡୁଛି ।

ଓଡ଼ିଆ ସାହିତ୍ୟର ସାରସ୍ବତ କ୍ଷେତ୍ରର ଅନ୍ୟତମ ମହୀୟସୀ (ନାରୀକବି) କବି ଓ ନାରୀନେତ୍ରୀ ସ୍ୱନାମଧନ୍ୟା ସରଳା ଦେବୀ ୧୯୦୪ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ କଟକ ବାଲିକୁଦାର ପ୍ରଖ୍ୟାତ କାନୁନ୍‌ଗୋ ପରିବାରରେ ଭୂମିଷ୍ଠ ହୋଇଥିଲେ । ୧୯୮୬ ଖ୍ରୀ.ଅ. ଅକ୍ଟୋବର ଚାରି ତାରିଖରେ କଟକର ତଳତେଲେଙ୍ଗା ବଜାରସ୍ଥିତ ତାଙ୍କର ବାସଭବନରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ୮୨ ବର୍ଷ ଜୀବନକାଳ ମଧ୍ୟରେ ସେ ଦେଶର ମୁକ୍ତି ସଂଗ୍ରାମରେ, ରାଜନୀତି କ୍ଷେତ୍ରରେ ଓ ଜାତୀୟ ସାହିତ୍ୟରେ ସାଧନାର ଓ କୃତିତ୍ଵର ଉଜ୍ଜଳ ସ୍ବାକ୍ଷର ରଖାଯାଇଛନ୍ତି । ତାଙ୍କର ସ୍ଵାମୀ ଭାଗୀରଥ ମହାପାତ୍ର ୧୯୭୫ ଖ୍ରୀ.ଅ. ଅଗଷ୍ଟ ୨ ତାରିଖରେ ଏବଂ ୧୯୮୫ ନଭେମ୍ବରରେ ଏକମାତ୍ର ପୁତ୍ର ଅମିତାଭ ମହାପାତ୍ର ଇହଲୀଳା ସମ୍ବରଣ କରିଥିଲେ । ତେଣୁ ସରଳା ଦେବୀଙ୍କ ଶାରୀରିକ ଅସୁସ୍ଥତାଠାରୁ ମାନସିକ ଚିନ୍ତା ଅତ୍ୟନ୍ତ ଗୁରୁତର ଓ ଗଭୀରତର ଥିଲା । ସରଳା ଦେବୀ ଥିଲେ ସାଧନାପଥର ଯାତ୍ରୀ । ତେଣୁ ଅନେକ ଧୈର୍ଯ୍ୟଧରି ସେ ଆଘାତ ସହି ନେଇପାରୁଥିଲେ ।

୧୯୦୩ ରେ ସରଳା ଦେବୀ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ । ଦେଶସେବାରେ ତାଙ୍କର ଯେପରି ଉଗ୍ରନିଷ୍ଠା, ଓଜସ୍ବିନୀ ବକ୍ତୃତା ଦେବାରେ ସେହିପରି ଦକ୍ଷତା ଥିଲା । ତେଣୁ ସେ ଏକାଧ୍ଵକବାର କାରାବରଣ କରିଥିଲେ । ପ୍ରାଦେଶିକ କଂଗ୍ରେସ କମିଟିର ମହିଳା ବିଭାଗର ସେ ସମ୍ପାଦିକା ଓ ଓଡ଼ିଶା ବିଧାନସଭାର ସଭ୍ୟା ହୋଇଥିଲେ । ଉତ୍କଳ ସାହିତ୍ୟ ସମାଜର ସେ ସମ୍ପାଦିକା ଓ ଉପସଭାନେତ୍ରୀ ମଧ୍ୟ ଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟିୟର୍ ଥିଲେ । ସରଳା ଦେବୀ ତେଣୁ ପ୍ରତି କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଥିଲେ । ସରଳା ଦେବୀ ଜଣେ ନାରୀନେତ୍ରୀ ହୋଇଥିବାରୁ ନାରୀ ସମ୍ପର୍କରେ, ନାରୀ ସମସ୍ୟା ଉପରେ ସେ ବହୁ ପୁସ୍ତକ ଓ ପୁସ୍ତିକା ରଚନା କରିଛନ୍ତି । ସେଗୁଡ଼ିକମଧ୍ୟରୁ ‘ନାରୀର ଦାବି’, ‘ନାରୀର ସମସ୍ୟା’, ‘ନାରୀଜଗତ’, ‘ବୀରା ରମଣୀ ଜନାବାଈ’, ‘ଓଡ଼ିଆ ବୋହୂ’, ‘ସତ୍ୟଧର୍ମ’, ‘ବିଶ୍ବ ବିପ୍ଳବିନୀ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ସର୍ବୋପରି ତାଙ୍କର ‘ସାରଳା ମହାଭାରତରେ ନାରୀ’ ଓ ‘ଉତ୍କଳ ଭାରତୀ କୁନ୍ତଳାକୁମାରୀଙ୍କ କବି ପ୍ରତିଭା’ ଦୁଇଟି ପୁସ୍ତକ ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ଅବଦାନ ।

ଓଡ଼ିଆ କଥାସାହିତ୍ୟକୁ ତାଙ୍କର କୃତିତ୍ବର ଅବଦାନ ମଧ୍ଯ ଅବିସ୍ମରଣୀୟ । ‘ସବୁଜ ସାହିତ୍ୟ ସମିତି’ର ‘ବାସନ୍ତୀ’ ଉପନ୍ୟାସ ଏକାଧିକ ଲେଖକ ଲେଖ୍ଙ୍କ ଦ୍ବାରା ଲିଖ୍ । ସେଥୁରେ ସରଳା ଦେବୀ କେତୋଟି ପରିଛେଦ ଲେଖୁଥିଲେ । ସରଳା ଦେବୀଙ୍କ ସ୍ଵାମୀ ଭାଗିରଥୀ ମହାପାତ୍ର ୧୯୨୧ରେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସେ ପୁଣି ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ପୁତ୍ର ଅମିତାଭ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ । ସରଳା ଦେବୀଙ୍କ ପରିବାର ଦେଶ, ଦଶ, ଜାତି ପାଇଁ ପ୍ରାଣବଳି ଦେଇଥିଲେ । ପରିଶେଷରେ ମହୀୟସୀ ମହିଳା ସରଳା ଦେବୀଙ୍କ ସମ୍ପର୍କରେ ଏତିକି କହିଲେ ସତ୍ୟର ଅପଳାପ ହେବ ନାହିଁ ଯେ, ସେ ଅତୀତରେ ଦେଶର ମୁକ୍ତି ସଂଗ୍ରାମର ଓଡ଼ିଆ ସାହିତ୍ୟର ବହୁ କ୍ଷେତ୍ରରେ ଥିଲେ ନୀରବ ସାକ୍ଷୀ ।

CHSE Odisha Class 12 History Chapter 16 Long Answer Questions in Odia Medium

୬। ବିଶିଷ୍ଟ ସମାଜସେବୀ ଓ ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜୀବନୀ ଓ କୃତିତ୍ଵ ସଂକ୍ଷେପରେ ଲେଖ ।
Answer:
୧୯୦୪ ଖ୍ରୀ.ଅ. ଜୁଲାଇ ମାସ ୨୬ ତାରିଖ ଦିନ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ମାଳତୀ ଦେବୀଙ୍କର ଜନ୍ମ ହୋଇଥିଲା । ତାଙ୍କର ପିତା ଥିଲେ ପ୍ରଖ୍ୟାତ ଆଇନଜ୍ଞ କୁମୁଦନାଥ ସେନ୍ ଓ ମାତା ସ୍ନେହଲତା ସେନ୍ । ବାଲ୍ୟକାଳରୁ ପିତାମାତାଙ୍କ ପ୍ରେରଣା ପାଇ ମାଳତୀ ଦେବୀ ନିଜ ଜୀବନ ଗଢ଼ିଥିଲେ । ସ୍ଵଳ୍ପ ବୟସରୁ ସେ ଥିଲେ ସ୍ଵାଧୀନଚେତା । ପାଶ୍ଚାତ୍ୟ ଶିକ୍ଷାକୁ ଘୃଣା କରୁଥିବାରୁ ରବୀନ୍ଦ୍ରନାଥ ଠାକୁରଙ୍କଦ୍ଵାରା ସ୍ଥାପିତ ଶାନ୍ତିନିକେତନରେ ରହି ସେ ପାଠ ପଢ଼ିଥିଲେ । ସେଠାରେ ପାଠ ପଢୁଥ‌ିବା ସମୟରେ ସେ ରବୀନ୍ଦ୍ରନାଥ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଗୁରୁ ଭାବରେ ଗ୍ରହଣ କରିଥିଲେ । ଶାନ୍ତିନିକେତନରେ ଥ‌ିବା ସମୟରେ ୧୯୨୭ ଖ୍ରୀ.ଅ.ରେ ନବକୃଷ୍ଣ ଚୌଧୁରୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।

ବିବାହପରେ ସେ ଓଡ଼ିଶା ଆସି ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସ୍ଵାମୀଙ୍କଠାରୁ ପ୍ରେରଣା ଓ ଉତ୍ସାହ ପାଇ ମାଳତୀ ଦେବୀ ଜଗତ୍‌ସିଂହପୁର ଅନ୍ତର୍ଗତ ତରିକୁନ୍ଦଠାରେ କିଛି ଦିନ ରହି ଉନ୍ନତ ଧରଣର କୃଷିର ପ୍ରବର୍ତ୍ତନ କରିଥିଲେ ଏବଂ ତତ୍‌ସହିତ ସମାଜରୁ ନିରକ୍ଷରତା ଦୂରୀକରଣ ପାଇଁ ସେ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ ଏବଂ ତତ୍ ସହିତ ଅସ୍ପୃଶ୍ୟତା ନିବାରଣ, ଯୁବସଙ୍ଗଠନାଦି ଆଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ରଚନା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଜୀବନର ପ୍ରତିଟି ମୁହୂର୍ତ୍ତକୁ ସେ ଦେଶ ସେବାରେ ସମର୍ପିଦେଇଥିଲେ । ୧୯୩୦ ଖ୍ରୀ.ଅ.ର ଲବଣ ସତ୍ୟାଗ୍ରହରେ ଯୋଗଦାନ କରି ଇଞ୍ଚୁଡ଼ି ଓ କୁଜଙ୍ଗଠାରେ ଲବଣ ଆଇନ ଅମାନ୍ୟ କରିଥିଲେ । ବିଦେଶୀ ଦ୍ରବ୍ୟ ବର୍ଜନ, ନିଶା ନିବାରଣ, ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ଆଦି କାର୍ଯ୍ୟରେ ସରଳା ଦେବୀ ନିଜକୁ ନିୟୋଜିତ କରିଥିଲେ ।

ଗ୍ରାମ ଗ୍ରାମ ବୁଲି ସତ୍ୟାଗ୍ରହ ଆଦି କାର୍ଯ୍ୟରେ ସେ ଜନଚେତନା ସୃଷ୍ଟି କରିଥିଲେ । ୧୯୩୦ ମସିହା ସେପ୍ଟେମ୍ବର ୨୦ ତାରିଖରେ ସେ ଗିରଫ ହୋଇ ଶିଶୁକନ୍ୟା ଉତ୍ତରାଙ୍କ ସହ ୬ ମାସ କାରାଦଣ୍ଡ ଭୋଗିଥିଲେ । କାରାବରଣ ପରେ ଭାଗଲପୁର ସେଣ୍ଟ୍ରାଲ ଜେଲ୍‌ରୁ ମୁକ୍ତି ହୋଇ ସେ ପୁନରାୟ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ଯୋଗଦେଇଥିଲେ । ୧୯୩୨ ମସିହାରେ ସେ ପୁନଶ୍ଚ ଗିରଫ ହୋଇ ତାଙ୍କର ୪ ମାସର ଶିଶୁ ସହ ହଜାରିବାଗ ଜେଲ୍‌ରେ ଦିନ କାଟିଥିଲେ । ସେଠାରୁ କାରାମୁକ୍ତ ହେବାପରେ ଅସ୍ପୃଶ୍ୟତା ନିବାରଣ ଓ ଚାଷୀ ସଙ୍ଗଠନାଦି କାର୍ଯ୍ୟ କରିଥିଲେ । ୧୯୩୪ ଖ୍ରୀ.ଅ.ରେ କଂଗ୍ରେସ ସମାଜସେବୀ ପାର୍ଟିରେ ସେ ଯୋଗଦାନ କରିଥିଲେ । ଗଡ଼ଜାତ ପ୍ରଜା ଆନ୍ଦୋଳନରେ ସାମିଲ ହୋଇ ସେ କାର୍ଯ୍ୟ କରିଥିଲେ । ଏହାପରେ ସେ ଉତ୍କଳ ପ୍ରଦେଶ କମିଟିର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ । ୧୯୪୨ ଖ୍ରୀ.ଅ. ଭାରତଛାଡ଼ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ତାଙ୍କୁ ପୁନଶ୍ଚ କାରାବରଣ କରିବାକୁ ପଡ଼ିଥିଲା ।

୧୯୪୫ ରେ ସେ ଜେଲ୍‌ରୁ ମୁକ୍ତହୋଇ ‘ନବଜୀବନ ମଣ୍ଡଳ’ ନାମକ ଏକ ଅନୁଷ୍ଠାନ ଗଢ଼ି ସମାଜସେବା କରିବାରେ ନିଜକୁ ନିୟୋଜିତ କରିଥିଲେ । ସେହିପରି ଅନୁଗୁଳଠାରେ ସେ ବାଜିରାଉତ ଛାତ୍ରାବାସ ଗଠନ କରି ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରିଥଲେ । ସେ ବିନୋବାଜୀଙ୍କ ଭଦାନ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାରେ ଭୂଦାନ ପଦଯାତ୍ରା କରିଥିଲେ । ଏହାପରେ ସେ ବିଭିନ୍ନ ସଙ୍ଗଠନର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ସମ୍ବିଧାନ ପ୍ରଣୟନ କମିଟିର ସଦସ୍ୟା ଥିଲେ । ସେ ମଧ୍ୟ ରାଜ୍ୟ ସମାଜ ମଙ୍ଗଳ ଉପଦେଷ୍ଟା ପରିଷଦର ପ୍ରଥମ ଅଧ୍ୟକ୍ଷା ହୋଇଥିଲେ । ଶ୍ରୀମତୀ ମାଳତୀ ଚୌଧୁରୀ ମଧ୍ୟ ଅନେକ ଉପାଧ୍ର ଅଧିକାରିଣୀ ହୋଇଥିଲେ । ସେ ଆଦିବାସୀ ଅଧୁଷିତ ଅଞ୍ଚଳରେ ସେବାକରି ବଜାଜ୍ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ଏହି ମହୀୟସୀ ମହିଳାଙ୍କର ୧୯୯୮ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ଦେହାନ୍ତ ହୋଇଥିଲା । ସମସ୍ତଙ୍କ ପାଇଁ ସେ ଥିଲେ ସ୍ନେହଶୀଳା ମାଆଟିଏ ।

Leave a Comment