Odisha State Board CHSE Odisha Class 12 History Solutions Chapter 4 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମୀୟ ସଂସ୍କାର ଆନ୍ଦୋଳନ-ଜୈନଧର୍ମ, ବୌଦ୍ଧଧର୍ମ Long Answer Questions.
CHSE Odisha 12th Class History Chapter 4 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ବର୍ତ୍ତମାନ ମହାବୀରଙ୍କ ଜୀବନୀ ଓ ନୀତିବାଣୀ ସମ୍ପର୍କରେ ଆଲୋଚନା କର ।
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀବେଳକୁ ପରବର୍ତୀ ବୈଦିକ ଯୁଗର ଅନ୍ତିମ ପର୍ଯ୍ୟାୟରେ ବର୍ଦ୍ଧମାନ ମହାବୀର ତାଙ୍କର ଧର୍ମବାଣୀ ପ୍ରଚାର କରି ମାନବ ସମାଜକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିଥିଲେ ।
- ଜୀବନୀ – ଖ୍ରୀ.ପୂ. ୫୪୦ରେ ବୈଶାଳୀର କୁନ୍ଦଗ୍ରାମରେ ଏକ ଜ୍ଞାତ୍ରିକ କ୍ଷତ୍ରିୟ ପରିବାରରେ ବର୍ତ୍ତମାନ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଓ ମାତାଙ୍କ ନାମ ତ୍ରିଶଳା ଥିଲା । ବର୍ଷମାନଙ୍କ ବାଲ୍ୟଜୀବନ ରାଜକୀୟ ପ୍ରାଚୁର୍ଯ୍ୟ ମଧ୍ୟରେ କଟିଥିଲା । ପିତା ସିଦ୍ଧାର୍ଥ ବର୍ଷମାନଙ୍କୁ ବିଭିନ୍ନ ଶାସ୍ତ୍ର, ଦର୍ଶନ, ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ଉପରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିଥିଲେ । ଯୌବନାବସ୍ଥାରେ ବର୍ଷମାନଙ୍କୁ ରାଜକୁମାରୀ ଯଶୋଦାଙ୍କ ସହିତ ବିବାହ କରାଇ ଦିଆଯାଇଥିଲା । ସେ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରିଥିଲେ । ତାଙ୍କର ପ୍ରିୟଦର୍ଶିନୀ ନାମକ ଏକ କନ୍ୟା ଜାତ ହୋଇଥିଲା । କ୍ରମେ ସାଂସାରିକ ଜୀବନ ତାଙ୍କୁ ଚିନ୍ତାଶୀଳ କରିଥିଲା । ଏହାପରେ ସେ ସାଂସାରିକ ବନ୍ଧନ ପ୍ରତି ବୀତସ୍ପୃହ ହୋଇ ୩୦ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ । ଏହାପରେ ସେ ଦୀର୍ଘ ୧୨ ବର୍ଷ କଠୋର ତପସ୍ୟାରେ ନିମଗ୍ନ ହେଲେ । ସେ କିନ୍ତୁ ଥିଲେ ନିର୍ବିକାର । ଶେଷରେ ୪୨ ବର୍ଷ ବୟସରେ ରଜ୍ଜୁପାଳିକା ନଦୀତଟରେ କଠୋର ତପସ୍ୟା ପରେ ସେ ଦିବ୍ୟଜ୍ଞାନ ଲାଭ କଲେ । ସେ କେବଳୀନ୍, ଜୀନ ବା ରିପୁଜୟୀ ଏବଂ ମହାବୀର ନାମରେ ଖ୍ୟାତିଲାଭ କଲେ । କୈବଲ୍ୟ ଲାଭ ପରେ ସେ ତାଙ୍କର ଧର୍ମବାଣୀ ପ୍ରଚାର ପାଇଁ ଭାରତର ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିଥିଲେ । ଦୀର୍ଘ ୩୦ ବର୍ଷକାଳ ସେ ମଗଧ, ଅବନ୍ତୀ, ଶ୍ରାବସ୍ତୀ, ମିଥୁଳା, ଚମ୍ପା, ବୈଶାଳୀ ଓ ରାଜଗୃହ ଆଦି ସ୍ଥାନରେ ଧର୍ମପ୍ରଚାର କରିଥିଲେ । ମଗଧର ରାଜା ବିମ୍ବିସାର ଓ ତାଙ୍କ ପୁତ୍ର ଅଜାତଶତ୍ରୁ, ରାଣୀ ଚେଲ୍ ପ୍ରଭୃତିଙ୍କ ସହ ବହୁ ରାଜକର୍ମଚାରୀ ଜୈନଧର୍ମ ଗ୍ରହଣ କରିଥିଲେ । ଶେଷରେ ସେ ଖ୍ରୀ.ପୂ. ୪୬୮ରେ ପାବା ନାମକ ସ୍ଥାନରେ ଇହଲୀଳା ସମ୍ବରଣ କରିଥିଲେ । ମହାବୀରଙ୍କ ଶିଷ୍ୟମାନେ ନିର୍ଗ୍ରନ୍ଥ ନାମରେ ପରିଚିତ ହେଲେ ।
- ଧର୍ମବାଣୀ – ଜୈନଧର୍ମର ୨୩ ତମ ତୀର୍ଥଙ୍କର ଥିଲେ ପାର୍ଶ୍ଵନାଥ । ସେ ଚାରୋଟି ସତ୍ୟ ଉପସ୍ଥାପନା କରିଥିଲେ । ସେଗୁଡ଼ିକ ହେଲା– ଅହିଂସା, ସତ୍ୟ, ଅଚୌର୍ଯ୍ୟ ଓ ଅପରିଗ୍ରହ । ମହାବୀର ପଞ୍ଚମ ବ୍ରତ ‘ବ୍ରହ୍ମଚର୍ଯ୍ୟ’ ଏଥିରେ ଯୋଗ କରିଥିଲେ । ଏହା ‘ପଞ୍ଚ ମହାବ୍ରତ’ ନାମରେ ପ୍ରସିଦ୍ଧ । ମାନବର ଶୁଦ୍ଧ ଓ ପବିତ୍ର ଜୀବନ ପାଇଁ ଏହି ପଞ୍ଚ ମହାବ୍ରତ ଆବଶ୍ୟକ ବୋଲି ମହାବୀର ମତପୋଷଣ କରିଥିଲେ ।
- ତ୍ରିରନୁ – ଶୁଦ୍ଧପୂତ ଜୀବନଯାପନ ନିମିତ୍ତ ମହାବୀର ତିନୋଟି ନୀତିର ଅବତାରଣା କରିଥିଲେ । ସେଗୁଡ଼ିକ ହେଲା- ସମ୍ୟକ୍ ବିଶ୍ଵାସ, ସମ୍ୟକ୍ ଜ୍ଞାନ ଓ ସମ୍ୟକ୍ ଚରିତ୍ର । ଏହି ତିନୋଟି ନୀତିକୁ ଜୈନଧର୍ମର ତ୍ରିରନୁ କୁହାଯାଏ । ଏହି ତିନୋଟି ନୀତି ଅବଲମ୍ବନ କଲେ ମନୁଷ୍ୟର ଚିତ୍ତ ଶୁଦ୍ଧ ହୋଇଥାଏ ।
- ଜୀବତତ୍ତ୍ଵ – ମହାବୀର ‘ଜୀବ’ ଓ ‘ଅଜୀବ’ ଦୁଇଟି ଉପାଦାନର ଅବତାରଣା କରିଥିଲେ । ‘ଜୀବତତ୍ତ୍ଵ’ ଓ ‘ଅଜୀବ ତତ୍ତ୍ୱ’ରୁ ଆତ୍ମା ବିଷୟରେ ଧାରଣା ଜାତ ହୋଇଥାଏ । ଆତ୍ମା ହେଉଛି ଜୀବନର ଆଧାର । ଆତ୍ମାର ଲକ୍ଷ୍ୟ ହେଉଛି କର୍ମବନ୍ଧନରୁ ମଣିଷକୁ ମୁକ୍ତ କରିବା । ଏଣୁ କେବଳ ଜ୍ଞାନ ଓ ଧ୍ୟାନଦ୍ଵାରା ମଣିଷ ଏହା ଲାଭ କରିବାକୁ ସକ୍ଷମ ହୋଇପାରିବ ।
- କର୍ମବାଦ ଓ କୈବଲ୍ୟ – ମହାବୀର କର୍ମବାଦର ପ୍ରବକ୍ତା ଥିଲେ । ମଣିଷକୁ ତା’ ନିଜ କର୍ମଦ୍ଵାରାହିଁ ସାଧନା ମିଳିଥାଏ । ମାନବର କର୍ମ ତାହାର ଭଲ ଓ ମନ୍ଦ ପାଇଁ ଦାୟୀ । କର୍ମଫଳରୁ ରକ୍ଷା ପାଇବା କାହାରି ପକ୍ଷରେ ସମ୍ଭବ ନୁହେଁ । ନିଜର ମନ୍ଦ ବା ପାପକର୍ମ ପାଇଁ ସେ କଷ୍ଟ ଭୋଗ କରିଥାଏ । କେବଳ ସୁକର୍ମହିଁ ସୁଫଳ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆତ୍ମା ବନ୍ଧନରୁ ମୁକ୍ତ ହୋଇଥାଏ । ପବିତ୍ର ଓ ଶୁଦ୍ଧପୂତ ଜୀବନଯାପନହିଁ ମନୁଷ୍ୟକୁ ପୁନର୍ଜନ୍ମରୁ ମୁକ୍ତି ଦେଇଥାଏ । କାମ, କ୍ରୋଧ, ହିଂସା, ଘୃଣା ଓ ଲୋଭ ପ୍ରଭୃତି ପରିହାର କରିପାରିଲେ ଆତ୍ମଶୁଦ୍ଧି ଘଟିଥାଏ । ସମସ୍ତ ଦୁଷ୍କର୍ମରୁ ମୁକ୍ତ ହେଲେ ମାନବର ଆତ୍ମା ଦିବ୍ୟରୂପରେ ପ୍ରକଟିତ ହୋଇଥାଏ । ଶରୀର ଧାରଣ କରି ପୁନର୍ଜନ୍ମ ଗ୍ରହଣ ନ କରିବାହିଁ ମୋକ୍ଷ ।
- ଅହିଂସା – ମହାବୀର ଅହିଂସା ନୀତି ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ତାଙ୍କର ବାଣୀ ଥୁଲା ‘ଅହିଂସା ପରମୋ ଧର୍ମ’ । ତାଙ୍କ ମତରେ, ଉଭୟ ଜଡ଼ ଓ ଚେତନଙ୍କର ଜୀବନୀଶକ୍ତି ଅଛି । ଅର୍ଥାତ୍ ସଜୀବ ଓ ନିର୍ଜୀବ ଉଭୟଙ୍କର ଜୀବନ ଥିବାର ସେ ମତପୋଷଣ କରିଥିଲେ । ସେ ତାଙ୍କର ଶିଷ୍ୟମାନଙ୍କୁ କଠୋର ଅହିଂସା ନୀତି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜୀବମାନଙ୍କ ପ୍ରତି ଏପରି ଅସୀମ ଦୟା ଅନ୍ୟ କୌଣସି ଧର୍ମରେ ପରିଲକ୍ଷିତ ହୁଏ ନାହିଁ ।
- ସଂସ୍କାର ନୀତି – ମହାବୀର ‘ଈଶ୍ଵରଙ୍କ ଅସ୍ତିତ୍ଵ’ ଉପରେ ବିଶ୍ଵାସ ପ୍ରକଟ କରି ନଥିଲେ । ଅପରନ୍ତୁ ସେ ମଣିଷ ଉପରେ ଗୁରୁତ୍ୱାରୋପ କରିଥିଲେ । ମହାବୀର ତତ୍କାଳୀନ ସାମାଜିକ ଓ ଧର୍ମନୀତିକୁ କଟୁ ସମାଲୋଚନା କରିଥିଲେ । ସେ ‘ବେଦ’କୁ ଅସ୍ୱୀକାର କରୁଥିଲେ । ବୈଦିକ କର୍ମକାଣ୍ଡ, ପୂଜାପଦ୍ଧତି, କୁସଂସ୍କାର, ଅନ୍ଧବିଶ୍ୱାସକୁ ମହାବୀର ପ୍ରତ୍ୟାଖ୍ୟାନ କରିଥିଲେ । ସାମାଜିକ ଭେଦଭାବ ଓ ଜାତିପ୍ରଥା ବିରୁଦ୍ଧରେ ଜୈନମାନେ ମତପ୍ରକାଶ କରିଥିଲେ । ମହାବୀର ‘ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ’କୁ ଅସ୍ଵୀକାର କରିଥିଲେ । ଜୈନ ଧର୍ମାବଲମ୍ବୀମାନେ ଦୁଇଟି ସଂପ୍ରଦାୟରେ ବିଭକ୍ତ ହୋଇଥିଲେ; ଯଥା- ଦିଗମ୍ବର ଓ ଶ୍ଵେତାମ୍ବର । ବୌଦ୍ଧଧର୍ମ ଭଳି ଜୈନଧର୍ମ ଭାରତ ବାହାରେ ପ୍ରସାରଲାଭ କରିନଥିଲେ ମଧ୍ୟ ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ଏହା ଏକ ଧର୍ମଭାବରେ ନିଜର ସ୍ଥିତି ବଜାୟ ରଖୁଛି ।
୨ । ଗୌତମ ବୁଦ୍ଧଙ୍କ ଜୀବନୀ ଓ ବାଣୀ ସମ୍ବନ୍ଧରେ ସମୀକ୍ଷା କର ।
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ କେବଳ ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ଵରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ସମୟରେ ଭାରତରେ ଗୌତମ ବୁଦ୍ଧ ତତ୍କାଳୀନ ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ଵାସ ବିରୁଦ୍ଧରେ ନିଜର ସଂଗ୍ରାମ ଆରମ୍ଭ କରିଥିଲେ ।
- ବାଲ୍ୟଜୀବନ – ଗୌତମ ବୁଦ୍ଧ ଖ୍ରୀ.ପୂ. ୫୬୬ରେ କପିଳବାସ୍ତୁ ନିକଟସ୍ଥ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଶୁଦ୍ଧୋଦନ ଶାକ୍ୟ ବଂଶୀୟ କ୍ଷତ୍ରିୟ ଥିଲେ । ତାଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ । ଗୌତମ ଜନ୍ମ ହେବାର ସାତ ଦିନ ପରେ ମାତା ମାୟାଦେବୀଙ୍କର ବିୟୋଗ ଘଟିଥିଲା । ଏହାପରେ ଶିଶୁପୁତ୍ର ଗୌତମଙ୍କର ଲାଳନପାଳନ ଦାୟିତ୍ଵ ବିମାତା ଗୌତମୀଙ୍କ ହସ୍ତରେ ଅର୍ପଣ କରାଯାଇଥିଲା । ଗୌତମଙ୍କର ଶୈଶବ ଅବସ୍ଥା ରାଜପ୍ରାସାଦର ଭୋଗବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ କଟିଥିଲା । ବୟସ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଗୌତମଙ୍କର ଭୋଗବିଳାସ ଓ ଆମୋଦ–ପ୍ରମୋଦ ପ୍ରତି ବିତୃଷ୍ଣା ଭାବ ପ୍ରକାଶ ପାଇଥିଲା । ସେ ସଂସାର ଓ ସାଂସାରିକ ବନ୍ଧନ ପ୍ରତି ବୀତସ୍ପୃହ ହୋଇପଡ଼ିଲେ । ସୁନ୍ଦରୀ ସ୍ତ୍ରୀ, ରମଣୀୟ ରାଜପ୍ରାସାଦ ଓ ଶିଶୁପୁତ୍ର ରାହୁଳର ଆକର୍ଷଣ ତାଙ୍କୁ ସାଂସାରିକ ବନ୍ଧନ ପ୍ରତି ଆକର୍ଷିତ କରିପାରିଲା ନାହିଁ ।
- ଗୃହତ୍ୟାଗ – ଚିନ୍ତାମଗ୍ନ ରହୁଥିବାବେଳେ ଚାରୋଟି ଅପୂର୍ବ ଦୃଶ୍ୟ ଗୌତମଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିଲା । ଯେଉଁ ଚାରୋଟି ଦୃଶ୍ୟ ସେ ଅବଲୋକନ କରିଥିଲେ ସେଗୁଡ଼ିକ ଥୁଲା – (୧) ଏକ ଜରାଜୀର୍ଣ୍ଣ ବୃଦ୍ଧ, (୨) ଏକ ବ୍ୟାଧୁଗ୍ରସ୍ତ ବ୍ୟକ୍ତି, (୩) ଶବାଧାର, (୪) ପ୍ରସନ୍ନଚିତ୍ତ ସନ୍ନ୍ୟାସୀ । ଶେଷରେ ୨୯ ବର୍ଷ ବୟସରେ ସେ ନିଜର ସ୍ତ୍ରୀ, ଶିଶୁପୁତ୍ର, ରାଜପ୍ରାସାଦ ଓ ପରିବାରବର୍ଗଙ୍କୁ ପରିତ୍ୟାଗ କରି ଗଭୀର ନିଶାର୍ଦ୍ଧରେ ସତ୍ୟର ଅନ୍ଵେଷଣ ପାଇଁ ଗୃହତ୍ୟାଗ କରିଥିଲେ । ଗୌତମଙ୍କ ଏହି ଗୃହତ୍ୟାଗକୁ ‘ମହାଭିନିଷ୍କ୍ରମଣ’ ରୂପେ ବୌଦ୍ଧ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।
- ସନ୍ୟାସ ଜୀବନ ଓ ବୁଦ୍ଧତ୍ଵ ପ୍ରାପ୍ତି – କପିଳବାସ୍ତୁ ତ୍ୟାଗ ପରେ ଗୌତମ ବୈଶାଳୀ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ଆଲାରକାଲାମଙ୍କଠାରୁ ଶିକ୍ଷାଲାଭ କରିଥିଲେ । ପରିଶେଷରେ ସେ ନିଜେ ସତ୍ୟର ସନ୍ଧାନ ପାଇଁ ପ୍ରୟାସ କଲେ । ନିରଞ୍ଜନା ନଦୀକୂଳରେ ଏକ ଅଶ୍ଵତ୍ଥ ବୃକ୍ଷମୂଳରେ ଧ୍ୟାନମଗ୍ନ ହେଲେ । ସେହିଠାରେ ସେ ଜ୍ଞାନଲାଭ କରି ‘ବୁଦ୍ଧ’ ବା ଜ୍ଞାନୀ ନାମରେ ଖ୍ୟାତ ହେଲେ । ଯେଉଁଠାରେ ସେ ଜ୍ଞାନଲାଭ କଲେ ତାହା ବୋଧଗୟା ନାମରେ ପ୍ରସିଦ୍ଧି ଲାଭକଲା ।
- ଧର୍ମଚକ୍ର ପ୍ରବର୍ତ୍ତନ – ସିଦ୍ଧିଲାଭ ପରେ ଗୌତମ ବୁଦ୍ଧ ଧ୍ୟାନଭଗ୍ନ ନ କରି ସାତଦିନ ପର୍ଯ୍ୟନ୍ତ ସେହି ଧ୍ୟାନମୁଦ୍ରାରେ ରହିଥିଲେ । ଏହାପରେ ସେ ବାରାଣସୀର ସାରନାଥ ନିକଟସ୍ଥ ମୃଗବିହାରକୁ ଯାତ୍ରା କରିଥିଲେ । ସେଠାରେ ସେ ୫ଜଣ ବ୍ରାହ୍ମଣ ଶିଷ୍ୟଙ୍କୁ ତାଙ୍କର ପ୍ରଥମ ଧର୍ମବାଣୀ ପ୍ରଦାନ କରିଥିଲେ । ଏହାକୁ ଇତିହାସରେ ‘ଧର୍ମଚକ୍ର ପ୍ରବର୍ତ୍ତନ’ ନାମରେ ନାମିତ କରାଯାଇଛି । ସାରନାଥଠାରୁ ବୁଦ୍ଧ ତାଙ୍କର ଧର୍ମପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ବାରାଣସୀ, ରାଜଗୃହ, ବୈଶାଳୀ, ଶ୍ରାବସ୍ତୀ, କପିଳବାସ୍ତୁ ଓ ମଗଧ ପ୍ରଭୃତି ସ୍ଥାନ ଭ୍ରମଣ କରି ଧର୍ମପ୍ରଚାର କରିଥିଲେ । ଦୀର୍ଘ ୪୫ ବର୍ଷ ଧର୍ମ ପ୍ରଚାର କରି ପରିଶେଷରେ ୮୦ ବର୍ଷ ବୟସରେ ଉତ୍ତରପ୍ରଦେଶର କୁଶୀନରା (କୁଶୀନଗର)ଠାରେ ନିର୍ବାଣଲାଭ କରିଥିଲେ ।
- ଧର୍ମବାଣୀ – ଗୌତମ ବୁଦ୍ଧଙ୍କ ପ୍ରଚାରିତ ଧର୍ମବାଣୀ ବୌଦ୍ଧଧର୍ମ ଏତେ ସରଳ ଓ ବୋଧଗମ୍ୟ ଥୁଲା ଯେ ଖୁବ୍ କମ୍ ସମୟରେ ଏହା ସମଗ୍ର ଭାରତବର୍ଷରେ ସମସ୍ତଙ୍କର ପ୍ରିୟ ଧର୍ମଭାବରେ ଆଦୃତ ହୋଇଥିଲା । ମାନବ ସମାଜ ଆଗରେ ସଂସାରର ଦୁଃଖକୁ ପ୍ରତିପାଦନ କରି ଏଥୁରୁ ମୁକ୍ତିଲାଭପାଇଁ ବୁଦ୍ଧ ବିଭିନ୍ନ ସରଳ ମାର୍ଗଗୁଡ଼ିକ ପ୍ରବର୍ତ୍ତନ କରିଥିଲେ ।
- ଚତୁଃ ଆର୍ଯ୍ୟସତ୍ୟ – ବୁଦ୍ଧ ମତବ୍ୟକ୍ତ କରିଥିଲେ ଯେ ଏ ସଂସାରରେ ମାନବ ବିଭିନ୍ନ ପ୍ରକାର ଦୁଃଖ, ଯନ୍ତ୍ରଣା ଓ ବନ୍ଧନରେ ଶ୍ଵାସରୁଦ୍ଧ ହୋଇଥାଏ । ଏହି ଦୁଃଖପୂର୍ଣ୍ଣ ସଂସାରରୁ ମୁକ୍ତିଲାଭ ପାଇଁ ସେ ଚାରୋଟି ସତ୍ୟର ଅବତାରଣା କରିଥିଲେ । ଏହାକୁ ‘ଚତ୍ୱାରି ଆର୍ଯ୍ୟସତ୍ୟାନି’ କୁହାଯାଏ । ସେଗୁଡ଼ିକ ହେଲା- ଦୁଃଖ, ଦୁଃଖର କାରଣ, ଦୁଃଖ ନିରୋଧ ଓ ଦୁଃଖ ନିରୋଧର ମାର୍ଗ । ଆଶାର ବିନାଶପାଇଁ ବୁଦ୍ଧ କେତୋଟି ସରଳ ମାର୍ଗ ଦର୍ଶାଇଥିଲେ ।
- ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ – ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ହେଉଛି ବୌଦ୍ଧଧର୍ମର ଅନ୍ୟତମ ବାଣୀ I ଏହି ମାର୍ଗ ଅବଲମ୍ବନ କଲେ ମନୁଷ୍ୟର ସକଳ କାମନାର ବିନାଶ ହୋଇଥାଏ । ଫଳରେ ମଣିଷର ‘ପ୍ରଜ୍ଞା’, ‘ଶୀଳ’ ଓ ‘ସମାଧ୍’ ଏ ସମସ୍ତ ବିକଶିତ ହୁଏ ଏବଂ ସେ ନିର୍ବାଣପ୍ରାପ୍ତ ହୋଇଥାଏ । ଏହି ମାର୍ଗଗୁଡ଼ିକ ହେଲା- (୧) ସମ୍ୟକ୍ ଦୃଷ୍ଟି, (୨) ସମ୍ୟକ୍ ସଂକଳ୍ପ, (୩) ସମ୍ୟକ୍ ବାକ୍ୟ, (୪) ସମ୍ୟକ୍ କର୍ମ, (୫) ସମ୍ୟକ୍ ଆୟାସ, (୬) ସମ୍ୟକ୍ ଜୀବିକା, (୭) ସମ୍ୟକ୍ ସ୍ମୃତି ଏବଂ (୮) ସମ୍ୟକ୍ ସମାଧି ।
- ଦଶଶୀଳ ନୀତି – ଗୌତମ ବୁଦ୍ଧ ବୌଦ୍ଧ ଧର୍ମସଂଘର ଭିକ୍ଷୁମାନଙ୍କୁ ଶୁଦ୍ଧପୂତ ଓ ନୀତିମୟ ଜୀବନଯାପନପାଇଁ ଦଶଗୋଟି ଉପଦେଶ ପ୍ରଦାନ କରିଥିଲେ । ଏହାକୁ ‘ଦଶଶୀଳ ନୀତି’ କୁହାଯାଏ । ସେଗୁଡ଼ିକ ହେଲା- (୧) ହିଂସା କର ନାହିଁ, (୨) ଚୋରି କର ନାହିଁ, (୩) ଅସଦାଚରଣ କର ନାହିଁ, (୪) ମିଥ୍ୟା କୁହ ନାହିଁ, (୫) ମାଦକଦ୍ରବ୍ୟ ସେବନ କର ନାହିଁ, (୬) ନୃତ୍ୟ-ଗୀତରେ ଆକୃଷ୍ଟ ହୁଅ ନାହିଁ, (୭) ସୁକୋମଳ ଶଯ୍ୟାରେ ଶୟନ କର ନାହିଁ, (୮) ଅସମୟରେ ଭୋଜନ କର ନାହିଁ, (୯) ସୁଗନ୍ଧିତ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ବର୍ଜନ କର, (୧୦) ଅର୍ଥ ସଂଚୟ କର ନାହିଁ ।
- ନିର୍ବାଣ – ଦୁଃଖ, ଯନ୍ତ୍ରଣା, ଆଶା ବା କାମନାର ସମ୍ପୂର୍ଣ୍ଣ ବିନାଶପୂର୍ବକ ମାନବ ନିର୍ବାଣମୁଖୀ ହୋଇପାରିବ । ଆତ୍ମା ହେଉଛି ଚିରନ୍ତନ ଓ ଅବିନଶ୍ଵର । ଏହାର କ୍ଷୟ ନାହିଁ କି ବୃଦ୍ଧି ନାହିଁ । ନିର୍ବାଣରେ ଆତ୍ମା ଚିରନ୍ତନ ଶାନ୍ତିରେ ବିଚରଣ କରେ ।
- ପୁନର୍ଜନ୍ମ ଓ କର୍ମଫଳ – ବୁଦ୍ଧ କର୍ମବାଦ ବା କର୍ମଫଳ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲେ । ତାଙ୍କ ମତରେ, ମାନବ ହେଉଛି ନିଜର ଭାଗ୍ୟବିଧାତା । ତାହାର କର୍ମହିଁ ତା’ର ଭାଗ୍ୟକୁ ନିର୍ଦ୍ଧାରଣ କରିଥାଏ । ଉତ୍ତମ କର୍ମ, ଉତ୍ତମ ଫଳ ପ୍ରଦାନ କରିଥାଏ । ମନ୍ଦ କର୍ମ ସର୍ବଦା ମନ୍ଦ ଫଳ ପ୍ରଦାନ କରେ ।
- ଅହିଂସା – ବୁଦ୍ଧ ଅହିଂସାର ପ୍ରତୀକ ଥିଲେ । ଅହିଂସା ଆଚରଣ ଉପରେ ସେ ଅଧିକ ଗୁରୁତ୍ଵ ଦେଇଥିଲେ । ଜୀବହତ୍ୟା ଓ ପଶୁବଳିକୁ ସେ କଠୋରଭାବରେ ନିନ୍ଦା କରିଥିଲେ । ‘ଜୀବେ ଦୟା’ ତାଙ୍କ ଧର୍ମର ଏକ ମୁଖ୍ୟ ଦିଗ ଥିଲା ।
- ସଂସ୍କାର ନୀତି– ବୁଦ୍ଧ ‘ଈଶ୍ଵରଙ୍କ ଅସ୍ତିତ୍ଵ’ ଉପରେ ନୀରବ ଥିଲେ । ଈଶ୍ଵରଙ୍କ ପିତୃତ୍ଵ ଅପେକ୍ଷା ମଣିଷର ଭ୍ରାତୃତ୍ଵ ଉପରେ ସେ ଅଧ୍ଵକ ଗୁରୁତ୍ଵ ଦେଇଥିଲେ । ସେ ‘ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ’କୁ ଅସ୍ୱୀକାର କରିଥିଲେ । ପ୍ରଚଳିତ କର୍ମକାଣ୍ଡ, ଯାଗଯଜ୍ଞ ଓ ଅନ୍ଧବିଶ୍ଵାସ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ସେ ‘ବେଦକୁ ଅସ୍ୱୀକାର’ କରିଥିଲେ । ପରବର୍ତ୍ତୀ ବୈଦିକ ଯୁଗରେ ପ୍ରଚଳିତ ଜଟିଳ କର୍ମକାଣ୍ଡ ଓ ଜାତିପ୍ରଥାକୁ ଘୃଣା କରିଥିଲେ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କ ସଂଘର ସଦସ୍ୟ ହୋଇପାରୁଥିଲେ । ବୁଦ୍ଧଙ୍କର ଏହି ସଂସ୍କାରମୂଳକ ନୀତି ଭାରତର ପତିତ, ଅସ୍ପୃଶ୍ୟ ଓ ଅବହେଳିତ ମଣିଷମାନଙ୍କ ପ୍ରାଣରେ ନୂତନ ଆଶା ସଂଚାର କରିଥିଲା । ବୁଦ୍ଧଙ୍କର ନିରହଙ୍କାର ଓ ଉଦାର ଧର୍ମନୀତି ଯୋଗୁଁ ବୌଦ୍ଧଧର୍ମ ଭାରତର ବିଭିନ୍ନ କୋଣ ଓ ଅନୁକୋଣରେ ପ୍ରଚାରିତ ହୋଇଥିଲା । କ୍ରମେ ଏହି ଧର୍ମର ସ୍ରୋତ ସମଗ୍ର ଏସିଆ ମହାଦେଶରେ ବ୍ୟାପ୍ତ ହୋଇଯାଇଥିଲା ଏବଂ ବୁଦ୍ଧଙ୍କୁ ‘ଏସିଆର ଆଲୋକ’ ଭାବରେ ଗ୍ରହଣ କରାଗଲା ।
୩ । ଭାରତୀୟ ସଂସ୍କୃତିକୁ ଜୈନଧର୍ମ କିପରି ପ୍ରଭାବିତ କରିଥିଲା ଆଲୋଚନା କର ।
Answer:
ଜୈନଧର୍ମର ଉତ୍ଥାନ ଫଳରେ ପ୍ରାଚୀନ ଭାରତର ଚିନ୍ତା-ରାଜ୍ୟରେ ଅଭୂତପୂର୍ବ ଚେତନା ପ୍ରକାଶ ପାଇଥିଲା । ଜୈନ ଚିନ୍ତାଧାରା ଭାରତୀୟ ଦର୍ଶନ, ସ୍ଥାପତ୍ୟ ଓ କଳା ପ୍ରଭୃତି କ୍ଷେତ୍ରରେ ବ୍ୟାପକରୂପରେ ପ୍ରତିଫଳିତ ହୋଇଥିଲା । ଏହା ଭାରତୀୟ ସଂସ୍କୃତିର ବିଭିନ୍ନ ବିଭାଗକୁ ପରିପୁଷ୍ଟ କରିଥିଲା ।
- ରାଜନୈତିକ କ୍ଷେତ୍ରରେ– ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିଶେଷ ପରିବର୍ତ୍ତନ ଆଣିଥିଲା । ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ଦ୍ଵନ୍ଦ, ହିଂସା ଓ ଦ୍ବେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା ।
- ଅହିଂସା – ମହାବୀର ଥିଲେ ଅହିଂସାର ଆଦ୍ୟ ପ୍ରବକ୍ତା । ‘ଜୀବେଦୟା’ ଥିଲା ତାଙ୍କ ଧର୍ମର ଅନ୍ୟତମ ବାଣୀ । କାହାରିକୁ କ୍ଳେଶ ଦେବା ଅନୁଚିତ– ଏହା ମହାବୀର ପ୍ରଚାର କରିଥିଲେ । ମହାବୀରଙ୍କ ଅହିଂସା ନୀତିଦ୍ଵାରା ଭାରତ ଓ ଭାରତ ବାହାରେ ବହୁ ମନୀଷୀ ପ୍ରଭାବିତ ହୋଇଥିଲେ ।
- ସାହିତ୍ୟ ଏବଂ ଆଞ୍ଚଳିକ ଭାଷା – ଭାରତବର୍ଷରେ ଆଞ୍ଚଳିକ ଭାଷା ସହିତ ସାହିତ୍ୟ କ୍ଷେତ୍ରରେ ଜୈନଧର୍ମର ଅବଦାନ ଥିଲା ଅତୁଳନୀୟ । ମହାବୀର ଅର୍ଜମାଗାଧୀ ଭାଷାରେ ତାଙ୍କର ଧର୍ମବାଣୀ ପ୍ରଚାର କରିଥିଲେ । ବାସ୍ତବ କ୍ଷେତ୍ରରେ ବହୁ ଆଞ୍ଚଳିକ ଭାଷାକୁ ଉନ୍ନତ କରାଇଥିଲା ଏହି ଜୈନଧର୍ମ । ଜୈନଧର୍ମ ଗ୍ରନ୍ଥମାନଙ୍କ ମଧ୍ୟରେ ଅଙ୍ଗ, ଉପାଙ୍ଗ, କଳ୍ପସୂତ୍ର ଓ ମୂଳସୂତ୍ର ପ୍ରଭୃତି ମଧ୍ୟ ସଂସ୍କୃତ ଭାଷାରେ ଲେଖାଯାଇଥିଲା । ପ୍ରାଚୀନ ଭାରତର ଇତିହାସ, ଦର୍ଶନ, କାବ୍ୟ, ଗଣିତ, ଜ୍ୟୋତିଷ ଓ ବିଜ୍ଞାନ ପ୍ରଭୃତି ଅନେକ ବିଷୟ ଜୈନ ସାହିତ୍ୟରେ ସ୍ଥାନ ପାଇଥିଲା ।
- କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ – ଜୈନଧର୍ମ ଭାରତବର୍ଷରେ କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ରାଜାମାନଙ୍କର ପୃଷ୍ଠପୋଷକତା ଲାଭ କରି ଜୈନକଳା ଓ ସ୍ଥାପତ୍ୟର ବିକାଶ ଘଟିଲା । ଓଡ଼ିଶାର ଖଣ୍ଡଗିରି, ଉଦୟଗିରି ପାହାଡ଼ରେ ଥିବା ଜୈନ ଗୁମ୍ଫାମାନ, ଏଲୋରାର ଜୈନମନ୍ଦିର, ଜୁନାଗଡ଼ର ଜୈନ ମନ୍ଦିରରାଜି, ରାଜପୁତନାର ଆବୁ ପର୍ବତର ଜୈନ ମନ୍ଦିର, ପାବାପୁରୀ ପ୍ରଭୃତି ପ୍ରାଚୀନ ଜୈନ ସ୍ଥାପତ୍ୟର ନିଦର୍ଶନରୂପେ ଏପର୍ଯ୍ୟନ୍ତ ବିଦ୍ୟମାନ ।
- ସାମାଜିକ କ୍ଷେତ୍ରରେ – ଜୈନଧର୍ମ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା । ବୈଦିକ ଯୁଗରେ ଭାରତୀୟ ସମାଜ ଜାତିଭିତ୍ତିକ ଥିଲା ଏବଂ ସମାଜରେ ବୈଶ୍ୟ, ଶୂଦ୍ର ଇତ୍ୟାଦି ଜାତିର ଲୋକମାନେ ଉପେକ୍ଷିତ ହେଉଥିଲେ । ମାତ୍ର ଜୈନଧର୍ମ ଏହି କଳଙ୍କିତ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ଏହି ଧର୍ମ ଗ୍ରହଣ କରିପାରୁଥିଲେ ।
- ବଣିକ ଗୋଷ୍ଠୀର ଉତ୍ଥାନ – ଜୈନଧର୍ମ ପ୍ରଥମେ ବିଶେଷକରି ବଣିକ ଗୋଷ୍ଠୀ ମଧ୍ୟରେ ଆଦୃତ ହେବାକୁ ଲାଗିଲା । ଫଳରେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ଭାବ ବୃଦ୍ଧି ପାଇଲା ।
- ଦାତବ୍ୟ ଅନୁଷ୍ଠାନ ଖୋଲିବା କ୍ଷେତ୍ରରେ – ଜୈନଧର୍ମ ଲୋକମାନଙ୍କୁ ଦାନୀ ଓ ପରୋପକାରୀ ହେବାପାଇଁ ପ୍ରବର୍ତ୍ତାଇଥଲା । ଜୈନଧର୍ମକୁ ପ୍ରୋତ୍ସାହିତ କରୁଥିବା ରାଜାମାନେ ଜୈନ ସନ୍ନ୍ୟାସୀଙ୍କ ନିମିତ୍ତ ଗୁମ୍ଫା ନିର୍ମାଣ (ଖାରବେଳଙ୍କ ସମୟରେ) ଖାଦ୍ୟ ତଥା ବସ୍ତ୍ର ପ୍ରଦାନ ଇତ୍ୟାଦି କର୍ମ ସଂପାଦନ କରୁଥିଲେ । ପରବର୍ତୀ ସମୟରେ ଅନେକ ଦାତବ୍ୟ ଅନୁଷ୍ଠାନ ଗଢ଼ିଉଠିଲା ଓ ସମାଜ କଲ୍ୟାଣପାଇଁ ଲୋକମାନଙ୍କୁ ଆଗ୍ରହୀ କରାଇଲା । ବାସ୍ତବିକ ମହାବୀରଙ୍କ ପ୍ରଚାରିତ ଜୈନଧର୍ମ ପ୍ରଥମଥରପାଇଁ ବ୍ରାହ୍ମଣ୍ୟ ଧର୍ମ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲା । ମହାବୀରଙ୍କ ତ୍ୟାଗପୂତ ଜୀବନ ଓ ମଧୁର ଧର୍ମବାଣୀ ତାଙ୍କ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ସମୟକ୍ରମେ ଜୈନଧର୍ମ ପ୍ରଚାରରେ ଶିଥୁଳତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହା ଭାରତବର୍ଷରେ ବିଭିନ୍ନ ସମୟ ଅତିକ୍ରାନ୍ତ କରି ତିଷ୍ଠି ରହିଥିଲା ଏବଂ ଏବେ ମଧ୍ଯ ରହିଅଛି । ଏହାହିଁ ଜୈନ ଧର୍ମର ଶ୍ରେଷ୍ଠତ୍ୱ ।
୪। ବୌଦ୍ଧଧର୍ମ କିପରି ଭାରତୀୟ ସଂସ୍କୃତିକୁ ପ୍ରଭାବିତ କରିଥିଲା ଆଲୋଚନା କର ।
Answer:
ଭାରତୀୟ ସଂସ୍କୃତିକୁ ବୌଦ୍ଧଧର୍ମ ବିଶେଷଭାବରେ ପ୍ରଭାବିତ କରିଥିଲା । ଧର୍ମ, କଳା, ସ୍ଥାପତ୍ୟ, ସାହିତ୍ୟ, ଭାଷା ଇତ୍ୟାଦି କ୍ଷେତ୍ରରେ ଅତୁଳନୀୟ ଅବଦାନଦ୍ଵାରା ଏହା ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିଥିଲା ।
- ରାଜନୈତିକ ଏକତା – ଭାରତର କୋଣ ଅନୁକୋଣରେ ପ୍ରଚାରିତ ହୋଇଥିଲା ବୌଦ୍ଧଧର୍ମ । ଏହି ଧର୍ମ ପ୍ରଚାର ହେବା ଫଳରେ ଭାରତର ରାଜନୈତିକ କ୍ଷେତ୍ରରେ ଏକତା ପ୍ରତିଷ୍ଠା ହେବାପାଇଁ ସୁଯୋଗ ମିଳିଥିଲା । ସମୟକ୍ରମେ ଏହା ଫଳରେ ଅଖଣ୍ଡ ଭାରତର ପରିକଳ୍ପନା ପାଇଁ ଏହା ଭିଭିଭୂମି ସ୍ଥାପନ କରିଥିଲା ।
- ହିନ୍ଦୁଧର୍ମ ଉପରେ ପ୍ରଭାବ – ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । ଅହିଂସା ବ୍ୟତୀତ ମୂର୍ତ୍ତିପୂଜା ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଶିକ୍ଷା ଦେଇଥିଲା । ମହାଯାନପନ୍ଥୀଙ୍କ ବୌଦ୍ଧମୂର୍ତ୍ତି ପୂଜାକୁ ଅନୁସରଣ କରି ହିନ୍ଦୁମାନେ ବିଭିନ୍ନ ଦେବଦେବୀଙ୍କର ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନ କରି ପୂଜା କରିବାକୁ ଲାଗିଲେ । ଜଟିଳ ଯାଗଯଜ୍ଞ ଆଦିର ଅବସାନ ଘଟିଲା ଏବଂ ଉପାସନା ପଦ୍ଧତିର ପ୍ରଚଳନ ହେଲା ।
- ମଠ ବ୍ୟବସ୍ଥାର ପ୍ରଚଳନ – ବୌଦ୍ଧଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା । ବୌଦ୍ଧଭିକ୍ଷୁ ଓ ଭିକ୍ଷୁଣୀମାନେ ସଂଘରେ ରହୁଥିଲେ । ପରବର୍ତୀ ସମୟରେ ଏହି ମଠ ବ୍ୟବସ୍ଥାକୁ ହିନ୍ଦୁଧର୍ମ ବହୁଳଭାବରେ ଗ୍ରହଣ କରିଥିଲା । ଶଙ୍କରାଚାର୍ଯ୍ୟ ଭାରତରେ ଚାରୋଟି ପ୍ରସିଦ୍ଧ ମଠ ନିର୍ମାଣ କରିଥିଲେ ।
- ଜାତିପ୍ରଥାର ବିରୋଧ – ବୌଦ୍ଧଧର୍ମ ଜାତିପ୍ରଥାର ବିରୋଧ କରିଥିଲା । ସମାଜ ମଧ୍ୟରେ ଥିବା ବର୍ଣବୈଷମ୍ୟକୁ ଏହା ତୀବ୍ର ବିରୋଧ କରିଥିଲା । ଏହି ଧର୍ମ ଆଗରେ ବ୍ରାହ୍ମଣଠାରୁ ଶୂଦ୍ରଯାଏ ସମସ୍ତେ ସମାନ ଥିଲେ । ସେଇଥିପାଇଁ ଜାତି-ଧର୍ମ-ଜନ୍ମ ଓ ବର୍ଣ୍ଣ ନିର୍ବିଶେଷରେ ବୌଦ୍ଧସଂଘ ସମସ୍ତଙ୍କପାଇଁ ଉନ୍ମୁକ୍ତ ଥିଲା ।
- ଲୋକପ୍ରିୟ ଧର୍ମ – ପ୍ରଥମଥରପାଇଁ ଗୌତମ ବୁଦ୍ଧ ଭାରତବର୍ଷରେ ଏକ ସରଳ, ସୁବୋଧ୍ୟ ଏବଂ ଲୋକପ୍ରିୟ ଧର୍ମ ପ୍ରଚାର କରିଥିଲେ । ବୈଦିକ କର୍ମକାଣ୍ଡ ଓ ଜଟିଳ ପୂଜାପଦ୍ଧତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଏହା ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇପାରିଥିଲା । ବୁଦ୍ଧଙ୍କ ସରଳ ବାଣୀ ଧନୀଠାରୁ ଦରିଦ୍ର ଯାଏ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିଥିଲା ।
- ସଦାଚାର ଶିକ୍ଷା – ବୌଦ୍ଧଧର୍ମ ମାନବ ସମାଜକୁ ଅନେକଗୁଡ଼ିଏ ସଦ୍ଗୁଣ ଶିକ୍ଷା ଦେଇଛି । ସେଗୁଡ଼ିକ ମଧ୍ୟରେ ଅହିଂସା, ସତ୍ୟ, କରୁଣା, ମୈତ୍ରୀ ଇତ୍ୟାଦି ଅନ୍ୟତମ । ବୌଦ୍ଧଧର୍ମ ଏ ସମସ୍ତ ଶିକ୍ଷାଦେଇ ବାସ୍ତବ କ୍ଷେତ୍ରରେ ସଚ୍ଚରିତ୍ର ଗଠନ କରିବାପାଇଁ ଭାରତୀୟମାନଙ୍କୁ ପ୍ରେରଣା ଦେଇଥିଲା ।
- ଭାଷା ଓ ସାହିତ୍ୟର ବିକାଶ – ବୁଦ୍ଧଦେବ ସରଳ ପ୍ରାକୃତ ଭାଷାରେ ନିଜର ଧର୍ମବାଣୀ ପ୍ରଚାର କରୁଥିଲେ । ପରବର୍ତୀ ସମୟରେ ପାଲୀ ଭାଷାରେ ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା । କନିଷ୍କଙ୍କ ସମୟରେ ଚତୁର୍ଥ ବୌଦ୍ଧ ସମ୍ମିଳନୀର ସମସ୍ତ କାର୍ଯ୍ୟ କେବଳ ସଂସ୍କୃତ ଭାଷାରେ ପରିଚାଳିତ ହୋଇଥିଲା । ବୌଦ୍ଧଧର୍ମ ଯୋଗୁ ଭାରତରେ ବିଭିନ୍ନ ଭାଷାଗୁଡ଼ିକର ଉନ୍ନତି ସାଧୂତ ହୋଇଥିଲା । କେବଳ ଭାଷାର ଉନ୍ନତି ନୁହେଁ, ଅପରନ୍ତୁ ସାହିତ୍ୟର ମଧ୍ୟ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଥିଲା । ପାଲୀ ଭାଷାରେ ରଚିତ ଅସଂଖ୍ୟ ବୌଦ୍ଧଗ୍ରନ୍ଥ ଏହାର ପ୍ରମାଣ ବହନ କରେ ।
- କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ – ଭାରତୀୟ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏବଂ ଚିତ୍ରକଳାକୁ ବୌଦ୍ଧଧର୍ମ ବିଶେଷଭାବରେ ପ୍ରଭାବିତ କରିଛି । ଏହା ପୂର୍ବରୁ କେବଳ ମଣ୍ଡପ, ଯଜ୍ଞଶାଳ ଏବଂ ସ୍ତମ୍ଭ ଇତ୍ୟାଦି ନିର୍ମିତ ହେଉଥିଲା । ମାତ୍ର ବୌଦ୍ଧଧର୍ମ ପ୍ରଚାରିତ ହେବା ସହିତ ବୌଦ୍ଧକଳା ଓ ସ୍ଥାପତ୍ୟର ଉନ୍ନତି ଘଟିଲା । ଅଶୋକଙ୍କଠାରୁ କଳା ଓ ସ୍ଥାପତ୍ୟରେ ପ୍ରସ୍ତର ବ୍ୟବହୃତ ହେଲା ଏବଂ ଅସଂଖ୍ୟ ସ୍ତୂପ, ଚୈତ୍ୟ ଓ ଧର୍ମସ୍ତମ୍ଭ ନିର୍ମିତ ହେବାକୁ ଲାଗିଲା । ସାଞ୍ଚ, ସାରନାଥ, ରୁମିନ୍ଦେଇ, ବରହୁତ, କହେରୀ, ଧଉଳି, ଜଉଗଡ଼ ଇତ୍ୟାଦି ଅନେକ ସ୍ଥାନରେ ବୌଦ୍ଧକୀର୍ତ୍ତି ସ୍ଥାନ ପାଇଲା । ସମୟକ୍ରମେ ଗାନ୍ଧାରକଳା ଓ ମଥୁରା କଳାରେ ଅନେକ ବୌଦ୍ଧମୂର୍ତ୍ତି ନିର୍ମିତ ହେଲା । ବୌଦ୍ଧ ଭାସ୍କର୍ଯ୍ୟର ଉତ୍କୃଷ୍ଟ ଉଦାହରଣ ହେଉଛି ସାଞ୍ଚିସ୍ତୂପର ରେଲିଂ । ବୌଦ୍ଧ ଚିତ୍ରକଳା ମାଧ୍ୟମରେ ଅଜନ୍ତାର ବିଶ୍ଵ ବିଦିତ ଚିତ୍ରକଳା ଇତିହାସ ପ୍ରସିଦ୍ଧ । ଏଲୋରା, କାର୍ଲେ, ବାଘ ଇତ୍ୟାଦି ସ୍ଥାନରେ ବୌଦ୍ଧ ଚିତ୍ରକଳା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ । ପ୍ରସ୍ତର ଦେହରେ ବୃକ୍ଷ, ଲତା, ଫୁଲ, ପରୀ, ପଶୁ, ପକ୍ଷୀ ପ୍ରଭୃତି ବୌଦ୍ଧକଳା ଅତି ନିଖୁଣଭାବରେ ଖୋଦିତ ହୋଇଥିଲା ।
- ଭାରତ ଇତିହାସ ଉପରେ ପ୍ରଭାବ – ବୌଦ୍ଧଧର୍ମର ପ୍ରଭାବ ଭାରତର ଇତିହାସ ଉପରେ ବିଶେଷ ଭାବେ ଅନୁଭୂତ ହୋଇଥିଲା । ବୁଦ୍ଧଙ୍କର ଅହିଂସାନୀତି ଭାରତର ଇତିହାସର ଗତିପଥକୁ ଅନେକ ପରିମାଣରେ ବଦଳାଇ ଦେଇଥିଲା । କଳିଙ୍ଗ ଯୁଦ୍ଧପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାସହ ମଗଧର ସାମ୍ରାଜ୍ୟ ଲିପ୍ସାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ବୌଦ୍ଧଧର୍ମ ତତ୍କାଳୀନ ସମାଜକୁ ଖୁବ୍ ପ୍ରଭାବିତ କରିଥିଲା । ଏହି ଧର୍ମ ସାମାଜିକ ଭ୍ରାତୃଭାବ ପ୍ରଚାର କରିଥିଲା ଏବଂ ସମାଜରେ ସାମ୍ୟଭାବ ପ୍ରଚାର କରିଥିଲା । ପ୍ରେମ, ଦୟା, କରୁଣା ଓ କ୍ଷମା ଆଦି ମାନବିକତାର ନୀତିମାନ ପ୍ରଚାର କରି ଗୌତମ ବୁଦ୍ଧ ଭାରତୀୟମାନଙ୍କର ଦର୍ଶନକୁ ଖୁବ୍ ପ୍ରଭାବିତ କରିଥିଲେ । ବୌଦ୍ଧଧର୍ମ ବିଦେଶରେ ମହାନ୍ ଭାରତୀୟ ସଂସ୍କୃତିର ଗୁଣ ଗାନ କରିଥିଲା । ସମୟକ୍ରମେ ଏହା ସିଂହଳ, ଜାପାନ, ଚୀନ୍, ତିବ୍ବତ, ବର୍ମା, ଜାଭା ଓ ସୁମାତ୍ରା ଆଦି ଦେଶକୁ ବ୍ୟାପିଯାଇଥିଲା । ଭାରତ ବାହାରେ ଏହି ଧର୍ମରେ ଦୀକ୍ଷିତ ହୋଇଥିବା ଲୋକମାନେ ଭାରତକୁ ଏକ ପବିତ୍ର ଦେଶରୂପେ ବିବେଚନା କରିଥିଲେ । ଉଦାର ନୀତିର ପ୍ରସାର ଓ ପ୍ରଚାରଦ୍ଵାରା ବୌଦ୍ଧଧର୍ମ ଭାରତୀୟ ସଂସ୍କୃତିର ବ୍ୟାପକତା ସମ୍ପର୍କରେ ବିଶ୍ଵବାସୀଙ୍କୁ ସୂଚନା ପ୍ରଦାନ କରିଥିଲା ।
୫ । ବୌଦ୍ଧଧର୍ମ ଏବଂ ଜୈନଧର୍ମ ମଧ୍ୟରେ ଥିବା ସାଦୃଶ୍ୟ ଏବଂ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କର ।
Answer:
ବୌଦ୍ଧଧର୍ମ ଏବଂ ଜୈନଧର୍ମ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତୀୟ ଦିଗ୍ବଳୟରେ ଉଙ୍କି ମାରିଥିଲେ । ବ୍ରାହ୍ମଣ୍ୟ ଧର୍ମକୁ ବିରୋଧକରି ଉଭୟ ଧର୍ମର ଆବିର୍ଭାବ ଘଟିଥିଲା । ବର୍ତ୍ତମାନ ମହାବୀର ଏବଂ ଗୌତମ ବୁଦ୍ଧ ସେମାନଙ୍କର ଧର୍ମବାଣୀ ସରଳ ଭାଷାରେ ପ୍ରଚାର କରିଥିଲେ । ଅହିଂସା, ବୈଦିକ କର୍ମକାଣ୍ଡର ବିରୋଧ, ଜାତିପ୍ରଥାର ଉଚ୍ଛେଦ, ନିର୍ବାଣ ଆଦି କ୍ଷେତ୍ରରେ ଉଭୟ ଜୈନଧର୍ମ ଏବଂ ବୌଦ୍ଧଧର୍ମ କ୍ଷେତ୍ରରେ ବହୁ ସାଦୃଶ୍ୟ ପରିଲକ୍ଷିତ ହୋଇଥିଲା । ପ୍ରଚାରକଦ୍ଵୟ ମଧ୍ୟ । ଥିଲେ ଶାନ୍ତ ସ୍ଵଭାବର ଅଧିକାରୀ । ଅପର ପକ୍ଷରେ କର୍ମବାଦ, ଈଶ୍ଵର, ମୋକ୍ଷପ୍ରାପ୍ତି ମାର୍ଗ ଆଦି କ୍ଷେତ୍ରରେ ଉଭୟ ଜୈନ ଏବଂ ବୌଦ୍ଧଧର୍ମ ଭିନ୍ନ ମତପୋଷଣ କରିଥିଲେ ।
- ବ୍ରାହ୍ମଣ୍ୟ ଧର୍ମର ବିରୋଧ– ଉଭୟ ଜୈନଧର୍ମ ଓ ବୌଦ୍ଧଧର୍ମ ବ୍ରାହ୍ମଣ୍ୟଧର୍ମର ବିରୁଦ୍ଧାଚରଣ କରିଥିଲେ । ବୈଦିକ କର୍ମକାଣ୍ଡ, ଯାଗଯଜ୍ଞ ଇତ୍ୟାଦି ବିରୁଦ୍ଧରେ ଧର୍ମପ୍ରଚାରକ ଦ୍ଵୟ ସ୍ଵର ଉତ୍ତୋଳନ କରିଥିଲେ । ସେମାନେ ବେଦ ଏବଂ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ଅସ୍ଵୀକାର କରିଥିଲେ ।
- ଜାତିପ୍ରଥାର ବିରୋଧ– ବୌଦ୍ଧଧର୍ମ ଏବଂ ଜୈନଧର୍ମ ସମାଜର ପ୍ରଚଳିତ ଜାତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଉଭୟ ଧର୍ମ ସମାଜର ପ୍ରତ୍ୟେକ ଜାତି ଏବଂ ଧର୍ମର ଲୋକଙ୍କୁ ଗ୍ରହଣ କରିଥିଲେ । ଉଭୟ ଧର୍ମ ସମାଜରୁ ଜାତିଆଣ ମନୋବୃତ୍ତିକୁ ଭାଙ୍ଗି ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ଇଚ୍ଛା କରିଥିଲେ ।
- ଅହିଂସା – ଉଭୟ ବୁଦ୍ଧ ଏବଂ ମହାବୀର ଅହିଂସା ନୀତିରେ ବିଶ୍ଵାସ କରୁଥିଲେ । ଅହିଂସା ମାନବ ଜୀବନର ପରମ ଧର୍ମ ବୋଲି ସେମାନେ ବିବେଚନା କରୁଥିଲେ । ଏହି ନୀତି ଉଭୟ ବୌଦ୍ଧ ଏବଂ ଜୈନଧର୍ମକୁ ଲୋକପ୍ରିୟ କରାଇଥିଲା ।
- କର୍ମଫଳ ଏବଂ ନିର୍ବାଣ– ଗୌତମ ବୁଦ୍ଧ ଏବଂ ମହାବୀର ଉଭୟ କର୍ମଫଳରେ ବିଶ୍ଵାସ କରୁଥିଲେ । ସକର୍ମଦ୍ଵାରା ମଣିଷ ସୁଫଳ ଓ କୁକର୍ମଦ୍ଵାରା କୁଫଳ ଲାଭ କରିଥାଏ । କୁକର୍ମ କଲେ ମଣିଷ ମନରେ ବାରମ୍ବାର କାମନା ଜାଗ୍ରତ ହୋଇଥାଏ ଏବଂ ସେ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରି ସାଂସାରିକ ଦୁଃଖଭୋଗ କରେ । ମାତ୍ର ସତ୍ଵକର୍ମଦ୍ଵାରା ମଣିଷ କର୍ମବନ୍ଧନରୁ ମୁକ୍ତି ଲାଭ କରି ନିର୍ବାଣପ୍ରାପ୍ତ ହୋଇଥାଏ ।
- ଧର୍ମର ବିଭାଜନ– ଉଭୟ ଧର୍ମରେ ବିଭାଜନ ସୃଷ୍ଟି ହୋଇଥିଲା । ଜୈନଧର୍ମ ଶ୍ଵେତାମ୍ବର ଏବଂ ଦିଗମ୍ବର ଏହି ଦୁଇଭାଗରେ ବିଭକ୍ତ ହୋଇଥିବାବେଳେ ବୌଦ୍ଧଧର୍ମ ହୀନଯାନ ଓ ମହାଯାନରେ ବିଭକ୍ତ ହୋଇଥିଲା । ସମୟକ୍ରମେ ବୌଦ୍ଧଧର୍ମ ପୁନର୍ବାର ବଜ୍ରଯାନ, ତନ୍ତ୍ରଯାନ, ସହଜଯାନ ଇତ୍ୟାଦିରେ ବିଭକ୍ତ ହୋଇଥିଲା ।
- ସଂସ୍କାରକ– ଗୌତମ ବୁଦ୍ଧ ଓ ମହାବୀର ଧର୍ମସଂସ୍କାରକ ଥିଲେ । ସେମାନେ ସମାଜର ଜାତିପ୍ରଥା, କର୍ମକାଣ୍ଡର କଠୋରତା, ପଶୁବଳି ଇତ୍ୟାଦି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ସମାଜରୁ କୁସଂସ୍କାର ଦୂରୀଭୂତ କରିଥିଲେ ।
ଜୈନଧର୍ମ ଓ ବୌଦ୍ଧଧର୍ମର ମଧ୍ଯରେ ଥିବା ପାର୍ଥକ୍ୟ :
ଜୈନଧର୍ମ ଓ ବୌଦ୍ଧଧର୍ମ ମଧ୍ୟରେ ଅନେକ ସାଦୃଶ୍ୟ ଥିଲେ ମଧ୍ୟ କେତେକ ପାର୍ଥକ୍ୟ ଦେଖାଯାଏ ।
- ଅହିଂସା ନୀତି— ଉଭୟ ଜୈନଧର୍ମ ଓ ବୌଦ୍ଧଧର୍ମ ଅହିଂସା ନୀତିରେ ବିଶ୍ଵାସ କରୁଥିଲେ । ବୌଦ୍ଧଧର୍ମର ଅହିଂସା ନୀତି ଅତି ସରଳ ଥିବାବେଳେ ଜୈନଧର୍ମର ଅହିଂସା ନୀତି ଅତି କଠୋର ଥିଲା । ବୁଦ୍ଧ ପ୍ରାଣୀମାନଙ୍କ ପ୍ରତି ଅହିଂସା ନୀତି ଅବଲମ୍ବନ କରିବାପାଇଁ ଉପଦେଶ ଦେଉଥୁବାସ୍ଥଳେ ଜୈନମାନେ ବୃକ୍ଷ, ଲତା, କୀଟ, ପତଙ୍ଗ, ପାଣି, ପବନ, ପଥର ଉଭୟ ଜୀବ ଓ ଅଜୀବ ପ୍ରତି ଅହିଂସା ନୀତି ଆଚରଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।
- ମୋକ୍ଷପ୍ରାପ୍ତିର ମାର୍ଗ— ନିର୍ବାଣ ପ୍ରାପ୍ତି ପାଇଁ ମହାବୀର କଠୋର ତପସ୍ୟା ଓ ଆତ୍ମଶୁଦ୍ଧି ଉପରେ ଗୁରୁତ୍ଵ ଆରୋପ କରୁଥିବାବେଳେ ଗୌତମ ବୁଦ୍ଧ ‘ମଧ୍ୟମ ମାର୍ଗ’ର ପ୍ରଚାର କରିଥିଲେ । ଏଥିପାଇଁ ବୌଦ୍ଧଧର୍ମ ଖୁବ୍ ଲୋକପ୍ରିୟ ହୋଇଥିବାବେଳେ ଜୈନଧର୍ମ ଧୀରେ ଧୀରେ ଲୋକମାନଙ୍କ ମନରୁ ଅପସରି ଯାଇଥିଲା । କାରଣ ବୌଦ୍ଧଧର୍ମର ‘ଅଷ୍ଟାଙ୍ଗମାର୍ଗ’ ଖୁବ୍ ସରଳ ଥିବାବେଳେ ଜୈନଧର୍ମର ‘ତ୍ରିରନ୍’ ଖୁବ୍ କଠିନ ମନେ ହୋଇଥିଲା । ଜୈନମାନେ ଆତ୍ମା ଚିରସ୍ଥାୟୀ ବୋଲି ବିଶ୍ଵାସ କରୁଥିବାବେଳେ ବୌଦ୍ଧମାନେ ଆତ୍ମା ଚିରସ୍ଥାୟୀ ବୋଲି ମନେକରୁ ନ ଥିଲେ ।
- ଆତ୍ମା – ଜୈନଧର୍ମରେ ଆତ୍ମାର ସ୍ଵରୂପ ଏବଂ ବୌଦ୍ଧଧର୍ମରେ ଆତ୍ମାର ସ୍ଵରୂପ ଅତି ବ୍ୟାପକ ଅର୍ଥରେ ବ୍ୟବହୃତ ହୋଇଥିଲା । ବୌଦ୍ଧମାନେ ଜୀବନ୍ତ ପ୍ରାଣୀ ଦେହରେ ଆତ୍ମାର ସନ୍ଧାନ ଦେଉଥିବାବେଳେ ଜୈନମାନେ ନିର୍ଜୀବ ପଦାର୍ଥ ଦେହରେ ମଧ୍ୟ ଆତ୍ମା ଥିବାର ବିଶ୍ଵାସ କରୁଥିଲେ ।
- ପ୍ରଚାର କ୍ଷେତ୍ର – ପ୍ରଚାର କ୍ଷେତ୍ରରେ ଏହି ଦୁଇ ଧର୍ମ ମଧ୍ଯରେ ଅନେକ ପାର୍ଥକ୍ୟ ଦେଖାଯାଇଥିଲା । ବୌଦ୍ଧଧର୍ମ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଆରୋପ କରୁଥିବାବେଳେ ଜୈନଧର୍ମ ପ୍ରଚାରଧର୍ମୀ ନଥିଲା । ଜୈନଧର୍ମ ବୌଦ୍ଧଧର୍ମ ପରି ଏତେ ବ୍ୟାପକ ଭାବରେ ପ୍ରଚାରିତ ହୋଇପାରି ନଥିଲା ।
- ଈଶ୍ଵରଙ୍କ ଅସ୍ତିତ୍ଵ – ମହାବୀର ଈଶ୍ଵରଙ୍କ ଅସ୍ତିତ୍ଵକୁ ଆଦୌ ସ୍ଵୀକାର କରିନଥିଲେ । ଅନ୍ୟ ପକ୍ଷର ବୁଦ୍ଧି ଈଶ୍ଵରଙ୍କ ସମ୍ବନ୍ଧରେ ସମ୍ପୂର୍ଣ୍ଣ ନୀରବ ଥିଲେ ।
- ସ୍ଥିତି – ବୌଦ୍ଧଧର୍ମାବଲମ୍ବୀମାନେ ହୁନ ଆକ୍ରମଣ, ରାଜପୁତମାନଙ୍କର ଉତ୍ଥାନ ଏବଂ ମୁସଲମାନମାନଙ୍କର ଆକ୍ରମଣରେ ଅତିଷ୍ଠ ହୋଇ ଭାରତ ବାହାରକୁ ପଳାୟନ କରିଥିଲେ । ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ମଧ୍ୟ ଜୈନଧର୍ମ ଭାରତରେ ତିଷ୍ଠି ରହିଥିଲା । ମୋଟ ଉପରେ ଜୈନଧର୍ମ ଓ ବୌଦ୍ଧଧର୍ମ ବୈଦିକ ଧର୍ମକୁ ବିରୋଧ କରି ଭାରତରେ ପ୍ରସାର ଲାଭ କରିଥିଲା । ଉଭୟ ବୁଦ୍ଧ ଏବଂ ମହାବୀର ଜୈନ ବୈଦିକ ଯୁଗରେ ସମାଜରୁ ଅନେକ କୁସଂସ୍କାରକୁ ଅପସାରଣ କରିବାକୁ ସକ୍ଷମ ହୋଇଥିଲେ । ଏଣୁ ଏହି ଦୁଇଧର୍ମ ମଧ୍ଯରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥିଲେ ମଧ୍ୟ ଉପରଲିଖିତ କେତେକ ପାର୍ଥକ୍ୟ ଦେଖାଯାଇଥିଲା ।