Odisha State Board CHSE Odisha Class 12 Odia Solutions Grammar ସଂକ୍ଷିପ୍ତକରଣ Sankhiptakarana Exercise Questions and Answers.
CHSE Odisha Class 12 Odia Grammar ସଂକ୍ଷିପ୍ତକରଣ Sankhiptakarana
ଅନୁଚ୍ଛେଦ – (୧)
ପୁରୁଙ୍କୁ ଜିଣି ସାରିଲା ପରେ ବିଜୟୀ ସିକନ୍ଦର ଧରିନେଲେ ଯେ ସାରା ଭାରତ ତାଙ୍କର ପଦାନତ ହେଲା ଆଉ ସେ ହେଲେ ବିଶ୍ୱବିଜୟୀ ସମ୍ରାଟ୍ – ସମସ୍ତଙ୍କର ହର୍ଭା ଓ କର୍ତ୍ତା । ଭାରତ ଜୟ ପୂର୍ବରୁ ଯୁଦ୍ଧରେ ଜିଣିଥିବା ଅନ୍ୟାନ୍ୟ ଦେଶମାନଙ୍କର ଗାଁ ଗହଳି ଦେଇ ସେ ଯେତେବେଳେ ତାଙ୍କ ସେନାବାହିନୀ ସହ ଯାଆନ୍ତି, ଆବାଳବୃଦ୍ଧବନିତା ସମସ୍ତେ ଆଣ୍ଠୁମାଡ଼ି ମୁଣ୍ଡ ନୁଆଁଇ ଅଥବା ଲମ୍ବ ହୋଇ ତଳେ ଶୋଇଯାଇ ତାଙ୍କର ଅଭିବାଦନ କରନ୍ତି । ବିଜୟୋନ୍ମତ୍ତ ସିକନ୍ଦର ସ୍ଵାଭାବିକ ଭାବରେ ଧରି ନେଇଥିଲେ ଯେ ଭାରତର ଗାଁ ଗହଳିରେ ମଧ୍ୟ ଲୋକେ ବିଶ୍ଵ ସମ୍ରାଟଙ୍କୁ ସେହି ରକମର ଅଭିବାଦନ ଜଣାଇବେ । କିନ୍ତୁ ଏ ଦେଶରେ ତା’ର ବିପରୀତ ହେଲା । ସୂର୍ଯ୍ୟ କିରଣରେ ଝଲସି ଯାଉଥିବା ଶିରସ୍ତ୍ରାଣ, ସାମ୍ପୁ ଓ ତରବାରିରେ ସଜ୍ଜିତ ଅଶ୍ଵାରୋହୀଙ୍କ ଗହଣରେ ସେ ଯେତେବେଳେ ଭାରତର ଗାଁ ଗହଳି ମଧ୍ୟ ଦେଇଗଲେ ବୁଢ଼ାମାନେ ତାଙ୍କ ଦଉଡ଼ିଆ ଖଟରେ ବସି ହୁକ୍ ଟାଣୁଥିଲାବେଳେ ଆଉ ବୁଢ଼ୀମାନେ ସପ ଉପରେ ବସି ଖରା ପୁହାଉଁପୁହାଉଁ ନାତୁଣୀ ମୁଣ୍ଡରୁ ଉକୁଣି ବାଛୁଥିବା ସମୟରେ କୌତୂହଳରେ ମୁଣ୍ଡଟେକି ଏଇ ଅଦ୍ଭୁତ ମଣିଷମାନଙ୍କ ଆଡ଼କୁ ଅନାଉଥିଲେ ସତ, କିନ୍ତୁ ଅଭିବାଦନ କରିବା ତ ଦୂରେ ଥାଉ; କେହି ଠିଆ ହେବାକୁ ମଧ୍ୟ ଚେଷ୍ଟା କରୁ ନଥିଲେ । ସିକନ୍ଦର ଧରିନେଲେ ଯେ ଭାରତର ଲୋକେ ଅଶିକ୍ଷିତ, ବର୍ବର, ମାନସମ୍ମାନ ଜ୍ଞାନରହିତ ।
ଦିନେ ସେ ଗୋଟିଏ ଗାଁର ରାସ୍ତା ଦେଇ ନିଜ ଶିବିରକୁ ଫେରୁଛନ୍ତି, ହଠାତ୍ ଦେଖିଲେ ଯେ ଏହି ବୁଢ଼ାବୁଢ଼ୀମାନେ ନିଜ ନିଜ ସ୍ଥାନରୁ ଦଉଡ଼ିଯାଇ ରାସ୍ତାରେ ଚାଲି ଯାଉଥିବା ଜଣେ ଲୋକର ପାଦ ଛୁଇଁ ତାଙ୍କୁ ଅଭିବାଦନ ଜଣାଉଛନ୍ତି । ସାମାନ୍ୟ ଖଣ୍ଡିଏ ଲେଙ୍ଗୁଟି ବ୍ୟତୀତ ଲୋକଟି ପ୍ରାୟ ଲଙ୍ଗଳା, ପାଉଁଶବୋଳା ଦେହ, ମୁଣ୍ଡର ନୁଖୁରା ବାଳ ଜଟାବାନ୍ଧି ଯାଇଛି । ଏପରି ଜଣକୁ ଲୋକେ ଅଭିବାଦନ ଜଣାଉଥିବା ଦେଖି ସିକନ୍ଦର ଧରିନେଲେ ଯେ ସେ ନିଶ୍ଚୟ ଜଣେ ଛଦ୍ମବେଶୀ ରାଜା । କୌପିନଧାରୀ ଅବଧୂତ ସୈନିକଦ୍ଵାରା ଧୃତ ହୋଇ ଶିବିରକୁ ନୀତ ହେଲ । ଶିବିରରେ ସମ୍ରାଟଙ୍କୁ ପ୍ରଣାମ ନ କରିବାରୁ ତାଙ୍କୁ ଯେତେବେଳେ କୈଫିୟତ୍ ମଗାଗଲା ସେ ଉତ୍ତର ଦେଲେ ଯେ, ଭାରତବର୍ଷରେ ରାଜା ସନ୍ନ୍ୟାସୀଙ୍କୁ ପ୍ରଣାମ କରେ, ସନ୍ନ୍ୟାସୀ ରାଜାଙ୍କୁ ନୁହେଁ ।
ସନ୍ନ୍ୟାସୀ ବନ୍ଦୀ ହେଲେ ଓ ସମ୍ରାଟଙ୍କୁ ଅପମାନ ଦେଇଥିବାରୁ ନିର୍ଯାତିତ ହେଲେ । କାରାଗାରରେ କିନ୍ତୁ ସନ୍ନ୍ୟାସୀଙ୍କ କିଛି ପରିବର୍ତ୍ତନ ହେଲାନି । ସମ୍ରାଟଙ୍କ ପାଖକୁ ଏହ ବନ୍ଦୀ ଯେତେଥର ନୀତି ହୁଅନ୍ତି ଘଟନାର ପୁନରାବୃତ୍ତି ହୁଏ, ନିର୍ଯାତନା ବଢ଼େ । ଏପରି ଶରୀରିକ କଷ୍ଟ ଭିତରେ ବିକାର ଓ ଦ୍ବନ୍ଦ୍ବରହିତ ସନ୍ନ୍ୟାସୀଙ୍କ ପ୍ରଶାନ୍ତ ବଦନ ଓ ହୃଷ୍ଟଚିତ୍ତ ଦେଖ୍ ସିକନ୍ଦର ଶେଷରେ ମନେକଲେ ଯେ ଏ ଲୋକଟିକୁ ପ୍ରୀତ କଲେ ଅବା କିଛି ଫଳଲାଭ ହୋଇପାରେ ! ଦିନେ ସେ ନିଜେ କାରାଗାରାରେ ବନ୍ଦୀ ସନ୍ନ୍ୟାସୀଙ୍କୁ ଦେଖା କରି ସହାସ୍ୟ ବଦନରେ ପଚାରିଲେ ଯେ, ବନ୍ଦୀ ଯାହା ଚାହାନ୍ତି ସେ ସମ୍ରାଟଙ୍କୁ ନିବେଦନ କରିପାରିଛି । ସମ୍ରାଟ୍ ଆଶା କରିଥିଲେ ଯେ ବନ୍ଦୀ ମୁକ୍ତି ଚାହିଁବେ । କିନ୍ତୁ ସନ୍ନ୍ୟାସୀ ଟିକିଏ ହସିଲେ ଆଉ କହିଲେ, ସମ୍ରାଟଙ୍କ ଯଦି ଏତେ ଦୟା ତେବେ ସେ ଠିଆ ହୋଇଥିବା ସ୍ଥାନରୁ ଟିକିଏ ଘୁଞ୍ଚ୍ ଯଦି ଠିଆ ହୁଅନ୍ତେ ତେବେ ଭଲ ହୁଅନ୍ତା -କାନ୍ଥର ଗୋଟିଏ ଛିଦ୍ର ଦେଇ ଯେଉଁ ସୂର୍ଯ୍ୟରଶ୍ମି ସନ୍ନ୍ୟାସୀଙ୍କ ଦେହରେ ପଡ଼ୁଥିଲା ତାହା ସମ୍ରାଟଙ୍କ ଦେହଦ୍ଵାରା ଢାଙ୍କି ନହୋଇ ଆଉଥରେ ତାଙ୍କ ଦେହରେ ପଡ଼ନ୍ତା ।
ସିକନ୍ଦର କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ । ଏପରି ତାଚ୍ଛଲ୍ୟ ସେ କେବେ ମଧ୍ୟ ଆଶାକରି ନଥିଲେ । ସେଦିନ ତାଙ୍କର ପ୍ରଥମ କରି ମନେହେଲା ଯେ ଭାରତ ଗୋଟିଏ ଅଦ୍ଭୁତ ଦେଶ ଆଉ ଏ ଦେଶର ଲୋକମାନେ ମଧ୍ୟ ଅଦ୍ଭୁତ ।
ସମ୍ଭାବ୍ୟ ଉତ୍ତର :
ପୁରୁଙ୍କୁ ଜିଣି ସାରା ଭାତରକୁ ଜୟକଲେ ବୋଲି ସିକନ୍ଦର ନିଜକୁ ବିଶ୍ଵବିଜୟୀ ସମ୍ରାଟ ମନେକଲେ । ପୂର୍ବରୁ ଜିଣିଥିବା ଦେଶର ଆବାଳବୃଦ୍ଧବନିତା ତାଙ୍କୁ ଓ ତାଙ୍କ ସୈନ୍ୟବାହିନୀକୁ ମୁଣ୍ଡ ନୁଆଇଁ ଅଭିବାଦନ ଜଣାଉଥିବାବେଳେ ସେ ଭାବିଥିଲେ ଯେ ଭାରତୀୟ ତାଙ୍କୁ ଅନୁରୂପ ବ୍ୟବହାର ଦେଖାଇବେ । ମାତ୍ର ଭାରତରେ ବୁଢ଼ାବୁଢ଼ୀମାନେ ନିଜ ନିଜ କାମରେ ବ୍ୟସ୍ତଥାଇ ବିଶ୍ୱବିଜୟୀଙ୍କୁ ଚାହିଁଥିଲେ ବି ଅଭିବାଦନ ଜଣାଇ ନଥିଲେ । ଅଥଚ ଦିନେ ସିକନ୍ଦର ଦେଖିଲେ ଯେ ବୁଢ଼ାବୁଢ଼ୀମାନେ ଜଣେ ଲେଙ୍ଗୁଟି ପିନ୍ଧା
ସନ୍ୟାସୀଙ୍କୁ ଅଭିବାଦନ ଜଣାଉଛନ୍ତି । ସିକନ୍ଦର ତାଙ୍କୁ ଜଣେ ଛଦ୍ମବେଶୀ ରାଜା ଭାବି ଶିବିରକୁ ଧରିନେଲ୍ ଏବଂ ସେ ସିକନ୍ଦରଙ୍କୁ ପ୍ରଣାମ ନ କରିବାର କାରଣ ପଚାରିଲେ । ‘ଭାରତବର୍ଷରେ ରାଜା ସନ୍ନ୍ୟାସୀଙ୍କୁ ପ୍ରଣାମ କରେ, ସନ୍ନ୍ୟାସୀ ରାଜାଙ୍କୁ ନୁହେଁ,’’ ବୋଲି ସେ ଉତ୍ତର ଦେଇଥିଲେ । ଏହାକ ଅପମାନ ମନେକରି ସିକନ୍ଦର ସନ୍ନ୍ୟାସୀଙ୍କୁ କାରାଗାରରେ ନିର୍ଯାତନା ଦେଲେ । ମାତ୍ର ସନ୍ନ୍ୟାସୀ ଥିଲେ ପ୍ରଶାନ୍ତ ଓ ହୃଷ୍ଟଚିତ୍ତ । ସମ୍ରାଟ ଦିନେ ବନ୍ଦୀଙ୍କ ଶେଷଇଚ୍ଛା ପଚାରିବାରୁ ସନ୍ନ୍ୟାସୀ ସମ୍ରାଟଙ୍କୁ ଟିକେ ଘୁଞ୍ଚିଯିବା ପାଇଁ କହିଲେ, ଯାହା ଫଳରେ ଛିଦ୍ର ଦେଇ ଆସୁଥିବା ରଶ୍ମି ତାଙ୍କ ଦେହରେ ପଡ଼ିପାରିବ । ଏପରି ତାଚ୍ଛଲ୍ୟ ଶୁଣି ସିକନ୍ଦର ମନେକଲେ ଯେ ଭାରତ ଦେଶ ଓ ଏହାର ଲୋକ ଉଭୟେ ଅଦ୍ଭୁତ ।
ଶୀର୍ଷକ : ‘ସିକନ୍ଦରଙ୍କର ଦୃଷ୍ଟିରେ ଭାରତ’
ଅନୁଚ୍ଛେଦ – (୨)
ମନୁଷ୍ୟ ନିଜର ସମସ୍ୟା ସମ୍ପର୍କରେ ଏ ଯୁଗରେ ଏତେ ବେଶୀ ସଚେତନ ଯେ ଏ ଯୁଗ ‘ସଙ୍କଟର ଯୁଗ’ ବୋଲି ବାରମ୍ବାର ଅଭିହିତ ହେଉଛି । ସଙ୍କଟର ସ୍ବରୂପ ନିରୂପଣ ଦିଗରେ ତଥା ସମାଧାନ ଦିଗରେ ମନୁଷ୍ୟର ଉଦ୍ୟମର ମଧ୍ୟ ଅନ୍ତ ନାହିଁ ଆଜି । ସେ ସ୍ବରୂପ ନିରୂପଣ କରୁଛି, କିନ୍ତୁ କାହାରି ନିର୍ଣ୍ଣୟ ଆଉ କାହାରି ସହିତ ଖାପ୍ ଖାଉ ନାହିଁ – ଦଳେ ଅନ୍ଧ ହାତୀର ସ୍ଵରୂପ ନିରୂପଣ କଲାଭଳି । ଫଳରେ ବାସ୍ତବ ସଙ୍କଟ ତ ରହିଛି, ପୁଣି ସଙ୍କଟର ସ୍ଵରୂପ ନିର୍ଣ୍ଣୟ କରିବାକୁ ଯାଇ ଯେଉଁ ଅଜସ୍ର ମତର ଉଦ୍ଭବ ହେଉଛି, ଚିନ୍ତାରାଜ୍ୟରେ ସେ ପୁଣି ନୂତନ ବିଭ୍ରାନ୍ତି ସୃଷ୍ଟି ନ କରି ଛାଡୁନାହିଁ । ଏହିପରି ଭାବରେ ସଙ୍କଟ ଓ ବିଭ୍ରାନ୍ତିର ନାଗଫାଶ ଭିତରେ ମଣିଷ କ୍ରମାଗତ ଭାବରେ ଅଧିକରୁ ଅଧ୍ଵ ନିପୀଡ଼ିତ ଓ ଦିଗହରା ହୋଇପଡ଼ୁଛି ।
ଗ୍ରୀକ୍ ଦେଶର ଜନଶ୍ରୁତିରେ ରହିଛି Bed of Procrustes ବୋଲି ଏକ କାହାଣୀ । ପ୍ରୋକ୍ରାସ୍ଟଟିସ୍ ନାମଧେୟ ବ୍ୟକ୍ତିଟି ଉପରଦେଖା ବ୍ୟବହାରରେ ଥିଲା ଅତି ନମ୍ର ଓ ଦରଦୀ । ଅତିଥ୍ୟସେବା ପାଇଁ ସତେ ଅବା ସେ ସର୍ବଦା ଉନ୍ମୁଖ । ପଥକ୍ଳାନ୍ତ କୌଣସି ଯାତ୍ରୀ ତା’ ଆଖିରେ ପଡ଼ିଲେ ସେ ସାଦରେ ତାଙ୍କୁ ନେଇ ବହୁତ ଖାଇବା ପିଇବାକୁ ଦିଏ । ତା’ପରେ ବିଶ୍ରାମ କରିବାପାଇଁ ଅତିଥିଙ୍କୁ ସୁନ୍ଦର ଶଯ୍ୟାବିଶିଷ୍ଟ ଗୋଟିଏ ପଲଙ୍କ ଦେଖାଇଦିଏ । ଅତିଥ୍ ଯାଇ ଶୁଅନ୍ତି । ପ୍ରୋକ୍ରାସ୍ଟିଟିସ୍ ଓ ତା’ର ସ୍ତ୍ରୀ ଦଣ୍ଡାୟମାନ ହୋଇ ଦେଖନ୍ତି – ଯଦି ଅତିଥ୍ ପଲଙ୍କ ଅପେକ୍ଷା ଲମ୍ବରେ ଛୋଟ ହୋଇଥିବେ, ତେବେ ଅତିଥ୍ୟପରାୟଣ ପ୍ରୋକ୍ରାଷ୍ଟିସ୍ -ଦମ୍ପତି ଉଭୟ ଦିଗରୁ ରବରଭଳି ଅତିଥିଙ୍କୁ ଟାଣି ଟାଣି ଲମ୍ବମାନ କରି ପଲଙ୍କ ସହିତ ଖାପଖୁଆଇବାକୁ ଚେଷ୍ଟାକରିବେ । ଯଦି ଅତିଥି ପଲଙ୍କ ଅପେକ୍ଷା ଲମ୍ବରେ ବେଶି ହୋଇଥବେ, ତେବେ ତାଙ୍କୁ କାଟିକୁଟି ଛୋଟ କରି ପଲଙ୍କ ସହିତ ଫିଟ୍ କରିନିଆଯାଏ । କହିବା ବାହୁଲ୍ୟ, କୌଣସି ଅତିଥଙ୍କୁ ଆଉ ସେଇ ଅତିଥୁଭବନରୁ ଜୀବନ ଧରି ବାହାରିଯିବାକୁ ପଡ଼େନା ।
ଆଦି ମାନବ ଜାତିର ସଙ୍କଟର ସମୀକ୍ଷା କରିବାକୁ ଯାଇ ଯେତେ ମତବାଦର ଉଦ୍ଭବ ହୋଇଛି, ସେ ସବୁରେ ସତ୍ୟତା ଯେ ନାହିଁ, ତାହା ନୁହେଁ । ଅଧିକାଂଶ ମତବାଦର କିଛି ନା କିଛି ସତ୍ୟତା ନିଶ୍ଚିତ ଭାବରେ ରହିଛି । କିନ୍ତୁ ସମସ୍ୟା ହେଲା, ପ୍ରତ୍ୟେକ ନିଜ ମତବାଦଟିକୁହିଁ ଶେଷ ତଥା ସର୍ବାଙ୍ଗ ସତ୍ୟ ବୋଲି ଘୋଷଣା କରିବାକୁ ଚାହାନ୍ତି । ସଙ୍କଟର ସ୍ବରୂପ ସଂକ୍ରାନ୍ତରେ ଜଣେ ଯେଉଁ ମତବାଦ ଘୋଷଣା କରେ, ସେ ଏ ପୃଥିବୀର ପ୍ରତ୍ୟେକ ଘଟଣା ଓ ଦୁର୍ଘଟଣାକୁ ସେହି ମତବାଦ ଅନୁସାରେ ସାବ୍ୟସ୍ତ କରିବାକୁ ବଦ୍ଧପରିକର ହୁଏ । ଘଟଣା ବା ଦୁର୍ଘଟଣାକୁ ସେ ତା’ର ନିଜ ମତାନୁଯାୟୀ ବ୍ୟାଖ୍ୟା କରିବା ସକାଶେ ପ୍ରୟୋଜନ ପଡ଼ିଲେ ଟାଣି ଓଟାରି ଅତିରଞ୍ଜିତ କରିବାକୁ ଯେମିତି ପଶ୍ଚାପ୍ଦ ହୁଏ ନାହିଁ, ସେହିପରି ତା’ ମତବାଦ ଅନୁସାରେ ସାବ୍ୟସ୍ତ ହୋଇ ନପାରୁଥିବା ଅଂଶକୁ ସେ କାଟିକୁଟି ବାଦ୍ କରିଦେବାକୁ ମଧ୍ୟ ଭୁଲେ ନାହିଁ । ଏହିଭଳି ଭାବରେ ସତ୍ୟ ହୁଏ ବିକୃତ, ସତ୍ୟ ହୁଏ ମିଥ୍ୟାରେ ପରିଣତ ।
ସମ୍ଭାବ୍ୟ ଉତ୍ତର :
ଆଜିର ସଙ୍କଟ ଯୁଗରେ ସଙ୍କଟର ସ୍ଵରୂପ ନିରୂପଣ ନିମନ୍ତେ ମଣିଷର ଅଶେଷ ଉଦ୍ୟମରେ ଯେଉଁ ଅଜସ୍ର ମତବାଦ ସୃଷ୍ଟି ହେଉଛି ସେଥୁରେ କାହା ସହ କାହାର ମେଳ ନାହିଁ । ଫଳତଃ ମଣିଷ ଅଧ୍ଵତର ଦିଗହରା ଓ ନିପୀଡ଼ିତ ହେଉଛି । ଗ୍ରୀକ୍ ଦେଶର ‘Bed of Procrustes’ କାହାଣୀର ପ୍ରୋକାଲ୍ଟିସ୍ ନାମଧେୟ ବ୍ୟକ୍ତି ଖୁବ୍ ନମ୍ର, ଦରଦୀ, ଅତିଥ୍ୟପରାୟଣ ଜଣାପଡ଼ନ୍ତି । ପଥକ୍ଳାନ୍ତ ବ୍ୟକ୍ତିଙ୍କୁ ଖାଦ୍ୟପେୟ ଦେଇ ସୁନ୍ଦର ପଲଙ୍କରେ ଶୟନ କରାଇଥା’ନ୍ତି । କିନ୍ତୁ ସେହି ଦମ୍ପତି ଅତିଥିଙ୍କୁ ପଲଙ୍କ ଆକାରର କରିବାପାଇଁ ଟଣାଟଣି, କଟାକଟି କରନ୍ତି । ସେହି ଅତିଥୁଭବନରୁ କେହି ଜୀବନ ଧରି ଫେରେନାହିଁ । ସେହିପରି ଆଜି ସଙ୍କଟର ସ୍ବରୂପ ନିରୂପିତ ପ୍ରତ୍ୟେକ ମତବାଦରେ କିଛି ନା କିଛି ସତ୍ୟତା ଥିଲେହେଁ ପ୍ରତ୍ୟେକ ନିଜ ମତବାଦକୁ ଉତ୍କୃଷ୍ଟ ବୋଲି ଘୋଷଣା କରନ୍ତି । ପ୍ରତ୍ୟେକ ଘଟଣା-ଦୁର୍ଘଟଣାର ସ୍ୱମତାନୁସାରୀ ବ୍ୟାଖ୍ୟା ନିମନ୍ତେ ସେ ଅତିରଞ୍ଜିତ କରିବାକୁ ଏବଂ ସାବ୍ୟସ୍ତ ହେଉନଥ ଅଂଶକୁ ବାଦେବାକୁ ପଶ୍ଚାତ୍ଦ ହୁଅନ୍ତି ନାହିଁ । ଫଳତଃ ପ୍ରକୃତ ସତ୍ୟ ବିକୃତ ହୋଇ ମିଥ୍ୟା
ରୂପ ଧାରଣ କରେ ।
ଶୀର୍ଷକ : ସଙ୍କଟ ନିରାକରଣର ପ୍ରଚେଷ୍ଟା ଓ ପରିଣତି
ଅନୁଚ୍ଛେଦ – (୩)
କଣ୍ଟାବାଡ଼ରେ ଲୁଗା ପକାଇ କଳି ଭିଆଣ କରିବା ବୋଧହୁଏ ମଣିଷର ସବୁଦିନିଆ ପ୍ରକୃତି । ସତେ ଯେମିତି କାହା ସଙ୍ଗରେ କଳିଗୋଳ ନ କଲେ ତା’ ଭାତ ହଜମ ହୁଏନି । ତେଣୁ ସେ ସବୁବେଳେ କଳି କରିବାପାଇଁ କିଛି-ନା-କିଛି ବାହାନା ଖୋଜି ବୁଲୁଥାଏ – ଚାଲିଯିବା ଶଗଡ଼ରେ ହାତ ମାରିଦିଏ- ଖୁଣ ନଥିବା ଜାଗାରେ ଖୁଣ ବାହାର କରେ- ସଜ ମାଛରେ ପୋକ ପକାଏ- ଆଖି ବଡ଼ କି କାନ ବଡ଼, ପେଟ ବଡ଼ କି ପାଟି ବଡ଼, ଗାନ୍ଧିଜୀ ବଡ଼ କି ରବୀନ୍ଦ୍ରନାଥ ବଡ଼, ଏପରି ଅବାନ୍ତର ତୁଳନା ସବୁ ଆରମ୍ଭ କରିଦିଏ । ସାହିତ୍ୟ କ୍ଷେତ୍ରରେ ଗଦ୍ୟ ବଡ଼ କି ପଦ୍ୟ ବଡ଼, ପ୍ରବନ୍ଧ ନା ନିବନ୍ଧ, ରଚନା କିମ୍ବା ଆଲୋଚନା, ନାଟକ ଅବା ଉପନ୍ୟାସ ଏ ଧରଣର ତୁଳନାତ୍ମକ ଚିନ୍ତାଧାରା ସେହି କଳିଭିଆଣ ପ୍ରକୃତିର ହିଁ ପରିପ୍ରକାଶ ବୋଲି ଧନିଆଯାଇପାରେ । କ୍ରିୟାକ୍ଷେତ୍ର ଯେଉଁଠି ବିଭିନ୍ନ, ସେଠାରେ ଯଥାର୍ଥ ତୁଳନା ସମ୍ଭବ ନୁହେଁ । ଯଦି ଅବା ତୁଳନା କରାଯାଏ, ସେ ତୁଳନା ଏକଦେଶଦର୍ଶୀ ହେବା ହିଁ ସ୍ଵାଭାବିକ । ତେଣୁ ସେ ତୁଳନାର ଫଳାଫଳ ତୁଳନାକାରୀର ବ୍ୟକ୍ତିଗତ ଦୃଷ୍ଟିକୋଣ ତଥା ମାନସିକ ଦୃଷ୍ଟିଭଙ୍ଗୀ ଉପରେ ହିଁ ନିର୍ଭରକରେ।
ଅନ୍ଧ କିପରି ନିଶ୍ଚିତ ଭାବେ କହିପାରିବ ଯେ କାନ ଅପେକ୍ଷା ଆଖି ବଡ଼ ? ବଧୂର କିପରି ନିର୍ବିବାଦରେ ଗ୍ରହଣ କରିନେବ ଯେ ବଧୂରହେବା ଅପେକ୍ଷା ଅନ୍ଧ ହେବା ଶ୍ରେୟସ୍କର ? ଯଦି ସେ ଏପରି କୌଣସି ନିର୍ଦ୍ଦିଷ୍ଟ ମତାମତକୁ ଗ୍ରହଣ କରିନିଏ, ଧରିବାକୁ ହେବ ଯେ ସେ ଯାହା ହଜାଇ ବସିଛି, ମାନସିକ ଅଶାନ୍ତି ଯୋଗୁଁ ତାକୁ ହିଁ ସେ ଅମୂଲ୍ୟ ନିଧୁ ବୋଲି ମନେକରୁଛି- ଡେଇଁ ପଳାଇଥବା କେରାଣ୍ଡି ବିରାଟ ରୋହିମାଛ ନ୍ୟାୟରେ- ହଜିଯାଇଥିବା କଣାପଇସା ରତ୍ନ ମୁଦି ପରି ।
ଗଳ୍ପ ଏବଂ କବିତାକୁ ନ୍ୟାୟତଃ ତୁଳନା କରାଯାଇ ପାରେନା । ଏ ଦିଓଟି ଭିତରେ କେହି ବଡ଼ ନୁହେଁ କି କେହି ସାନ ନୁହେଁ – ଗଳ୍ପ ରାଜା ନୁହେଁ କି କବିତା ରାଣୀ ନୁହେଁ । ଦୁହେଁ ଦୁହିଁଙ୍କର ପରିପୂରକ ବୋଲି ମଧ୍ୟ କହିହେବ ନାହିଁ । ଏ ଦୁହିଁଙ୍କର କ୍ଷେତ୍ର ସମ୍ପୂର୍ଣ୍ଣ । ପ୍ରତ୍ୟେକ ନିଜ ଗୁଣ ବଳରେ ନିଜେ ସ୍ଵୟଂସମ୍ପୂର୍ଣ !
ଏକଥା କିନ୍ତୁ ସତ ଯେ, ଏ ଦୁଇ ମଧ୍ୟରୁ ଯେକୌଣସି ଗୋଟିକର ଅଭାବରେ ସାହିତ୍ୟର ଅଙ୍ଗହାନି ହୁଏ- ଲାବଣ୍ୟ ହ୍ରାସ ପାଏ- ସୌଷ୍ଠବରେ ଆଞ୍ଚ ଆସେ- ଦୁଇ ଆଖୁ ଗୋଟିଏ ନଷ୍ଟ ହୋଇଗଲେ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ କଣା ମଣିଷର ଅବସ୍ଥା ଯେପରି ।
କିନ୍ତୁ ଏ ଦୁହିଁଙ୍କର ପାରସ୍ପରିକ ତୁଳନା ଅଯୌକ୍ତିକ ଏବଂ ଅସଙ୍ଗତ ହେଲେ ମଧ୍ୟ ପ୍ରତ୍ୟେକର ନିଜସ୍ୱ ବୈଶିଷ୍ଟ ରହିଛି- ଯେପରି ଚିନି ଏବଂ ଲୁଣ । ତେଣୁ ସେହି ବୈଶିଷ୍ଟ୍ୟର ଚିତ୍ରଣକୁ ବୈଚିତ୍ର ବୋଲି ଦର୍ଶାଇ କେହି ଯଦି ନିଜ ତେରେଛା ନଜରର ମାନଦଣ୍ଡରେ ଏ ଦୁହିଁଙ୍କୁ ଓଜନ କରିବସନ୍ତି ଏବଂ ସେଥୁରୁ ଦୁହିଁଙ୍କର ମୂଲ୍ୟାଙ୍କନ କରି କିଏ ବଡ଼ କିଏ ସାନ ଘୋଷଣା କରନ୍ତି, ତହିଁକି ଉପାୟ ନାହିଁ । ଖଟା ଏବଂ ଲୁଣିଆ ପସନ୍ଦ କରୁଥିବା ଇଡ଼ଲି ଶମ୍ବର ଆଉ ବରା ସିଙ୍ଗଡ଼ାବାଲା, ପିଠା ଖିରି ଆଉ ସନ୍ଦେଶ ରସଗୋଲାବାଲାଙ୍କୁ ଛୋଟ ନଜରରେ ଦେଖିବାକୁ ଚେଷ୍ଟା କଲାପରି ଯନ୍ତ୍ର-ସଙ୍ଗୀତ କଣ୍ଠ-ସଙ୍ଗୀତକୁ ଡାଉନ୍ କରିବା ଢଙ୍ଗରେ । ଏହି ପୃଷ୍ଠଭୂମିରେ କବିତାକୁ କୌଣସିମତେ ଗୌଣ ନ କରି ଗଳ୍ପର ବିଶେଷତ୍ଵ କିଛି ଦର୍ଶାଇ ଦିଆଯାଇପାରେ ।
ସମ୍ଭାବ୍ୟ ଉତ୍ତର :
ବିନା କାରଣରେ କଳି କରିବା ମଣିଷର ନିତିଦିନଆ ପ୍ରକୃତି । ଏଥିପାଇଁ ସେ ବିଭିନ୍ନ ବାହାନା ଖୋଜେ । ସାହିତ୍ୟ କ୍ଷେତ୍ରରେ ଗଦ୍ୟ ସହ ପଦ, ରଚନା ସହ ଆଲୋଚନା, ନାଟକ ସହ ଉପନ୍ୟାସକୁ ତୁଳନା କରି ବଡ଼ ସାନ ବାଛିବା ମଧ୍ୟ କଳିଭିଆଣ ପ୍ରକୃତି ଅଟେ । କାରଣ ଏଭଳି ତୁଳନା ଏକଦେଶଦର୍ଶୀ ଓ ବ୍ୟକ୍ତିଗତ ଦୃଷ୍ଟିକୋଣ ଓ ମାନସିକ ଦୃଷ୍ଟିଭଙ୍ଗୀ ସହ ଜଡ଼ିତ । ଏଭଳି ତୁଳନା ଅନ୍ଧ କାନ ଅପେକ୍ଷା ଆଖୁ, ବଧୂଲ ବଧୂରତା ଅପେକ୍ଷା ଅନ୍ଧତ୍ବକୁ ଶ୍ରେୟସ୍କର ବୋଲି ମତଦେବା ଭଳି ନିତାନ୍ତ ଅମୂଳକ । ଗଳ୍ପ ଓ କବିତା ମଧ୍ୟରେ ତୁଳନା ଅସମ୍ଭବ, କାରଣ ଉଭୟର କ୍ଷେତ୍ର ସମ୍ପୂର୍ଣ୍ଣ ଭିନ୍ନ । ଏଥୁରୁ ଯେକୌଣସି ଗୋଟିକର ଅଭାବରେ ସାହିତ୍ୟର ଅଙ୍ଗହାନି ହୁଅ । ସାହିତ୍ୟର ପ୍ରତ୍ୟେକ ବିଭାଗର ସ୍ବତନ୍ତ୍ର ବୈଶିଷ୍ଟ୍ୟ ଅଛି । ଯଦି ଯେକୌଣସି ଦୁଇ ବିଭାଗ ମଧ୍ୟରେ ତୁଳନା କରି କିଏ କାହାକୁ ବଡ଼ ଓ ସାନ ବୋଲି ବିବେଚନା କରେ ଏହା ତା’ର ବ୍ୟକ୍ତିଗତ ପସନ୍ଦ ଓ ଦୃଷ୍ଟିଭଙ୍ଗୀ । ଏଭଳି ତୁଳନା ଅମୂଳକ; ବରଂ ଏ ପୃଷ୍ଠଭୂମିରେ କାହାକୁ ଗୌଣ ନ କରି ଗୋଟିଏ ବିଭାଗର ସ୍ବତନ୍ତ୍ର ବୈଶିଷ୍ଟ୍ୟ ଦର୍ଶାଯାଇପାରେ ।
ଶୀର୍ଷକ : ‘ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ତୁଳନା ଓ ଫଳାଫଳ’
ଅନୁଚ୍ଛେଦ – (୪)
ଜଣେ ଥିଲେ ରାଜା, ସୁଶାସକ ତଥା ସୁଗୁଣ-ସମ୍ପନ୍ନ । କିନ୍ତୁ ତାଙ୍କର ଦୁର୍ବଳତା ହେଲା, ନିଜର ଦାର୍ଶନିକତା ବା ତତ୍ତ୍ୱଜ୍ଞାନକୁ ହିଁ ସେ ଏକମାତ୍ର ସତ୍ୟ ବୋଲି ଧରିନେଇଥିଲେ ।
ଦିନେ ସେ ଖବର ପାଇଲେ, ତାଙ୍କ ରାଜ୍ୟର ଏକ ଦୂର ପ୍ରାନ୍ତରେ ଆସି ବସବାସ କରୁଛନ୍ତି ଏପରି ଜଣେ ସନ୍ଥ, ଭଗବାନ୍ଙ୍କ ସମ୍ପର୍କରେ ଯାହାଙ୍କ ମତ ତାଙ୍କ ମତଠାରୁ ପୃଥକ୍ ।
କ୍ଷୁବ୍ଧ ହେଲେ ରାଜା । ସନ୍ଥଙ୍କୁ ରାଜସଭାକୁ ତଲବ୍ କରାଗଲା । ସେ ହାଜର ହୁଅନ୍ତେ ରାଜା କଠୋର କଣ୍ଠରେ ତାଙ୍କୁ ପ୍ରଶ୍ନ କଲେ, ‘ଭଗବାନ୍ଙ୍କ ସମ୍ପର୍କରେ ମୁଁ ଓ ମୋ ପ୍ରଜାମାନେ ଯେଉଁ ମତ ପୋଷଣ କରିଆସିଛୁ, ତମେ ତାହାଠୁଁ ଭିନ୍ନ ମତ ପୋଷଣ କରୁଛ । ମୋ ଦୃଷ୍ଟିକୋଣରୁ ତାହା ଅସତ୍ୟ । କ’ଣ କୈଫିୟତ୍ ଦେବ ???
ସନ୍ଥ କହିଲେ, ‘‘ମହାରାଜ ! ଆପଣଙ୍କର ଏ ଅତ୍ୟନ୍ତ ଗୁରୁ ପ୍ରଶ୍ନର ଉତ୍ତର ମୁଁ ଦେବି । କିନ୍ତୁ ତହିଁ ପୂର୍ବରୁ ମୋର ଏକ ଲଘୁ ପ୍ରଶ୍ନର ଉତ୍ତର ଆପଣ ଏବଂ ଆପଣଙ୍କର ଚାରି ବିଜ୍ଞ ମନ୍ତ୍ରୀ ଦେବାକୁ ସମ୍ମତ ହେବେ କି ?’’
ରାଜା ସମ୍ମତି ଦେଲେ । ସନ୍ଥ ପ୍ରଶ୍ନଟିଏ ପାଞ୍ଚଖଣ୍ଡି କାଗଜରେ ଲେଖୁ ପାଞ୍ଚଜଣଙ୍କ ହାତକୁ ବଢ଼ାଇଦେଲେ ଏବଂ ପ୍ରତ୍ୟେକେ ନିଜ ନିଜ ଉତ୍ତର ପ୍ରଶ୍ନଟି ତଳେ ଲେଖିଦେବାକୁ ଅନୁରୋଧ କଲେ ।
ନୀରବରେ ଏବଂ ଅବିଳମ୍ବେ ସମସ୍ତେ ଉତ୍ତର ଲେଖିଦେଲେ । କାଗଜଖଣ୍ଡମାନ ହାତକୁ ଆଣି ସନ୍ଥ ଏକ ପରେ ଏକ ଉତ୍ତର ପାଠକଲେ । ପ୍ରଶ୍ନଟି ଥୁଲା, ‘ମାଟି କ’ଣ ?’ ରାଜା ଲେଖୁଥଲେ, ‘ମାଟି ହେଲା ଧରିତ୍ରୀର କଳେବର ।’’ ପ୍ରଧାନମନ୍ତ୍ରୀ ଲେଖୁଥିଲେ, ‘ମୃତ୍ୟୁପରେ ଯେଉଁଥରେ ଏକାକାର ହୋଇଯିବ ଆମ ଦେହ ।’’ ଦ୍ୱିତୀୟ ମନ୍ତ୍ରୀ ଲେଖୁଥିଲେ, ‘ଆମକୁ ଫସଲ ଯୋଗାଏ ସିଏ ।’’ ତୃତୀୟ ମନ୍ତ୍ରୀଙ୍କ ଉତ୍ତର, ‘ଜଳଠୁଁ ସ୍ବତନ୍ତ୍ର ପୃଥିବୀର ଯେଉଁ ଉପାଦାନ ।’’ ଚତୁର୍ଥ ମନ୍ତ୍ରୀ : ‘ମାଟି ହିଁ ପ୍ରାଣର ଆଧାର ।’’
ପାଞ୍ଚଗୋଟିଯାକ ଉତ୍ତର ପଢ଼ିସାରି ସନ୍ଥ ରାଜାଙ୍କୁ କହିଲେ, ‘ମହାରାଜ ! ଆପଣ ଏବଂ ଆପଣଙ୍କ ମନ୍ତ୍ରୀବର୍ଗ ଅସଂଖ୍ୟ ବିଷୟ ଉପରେ ଆଲୋଚନା କରନ୍ତି ଏବଂ ଏକମତ ହୁଅନ୍ତି । ସେସବୁର ଅନ୍ତର୍ଭୁକ୍ତ ବହୁ ଜଟିଳ ପ୍ରଶ୍ନ । ମାଟି କ’ଣ ? ଏଭଳି ଏକ ମାମୁଲି ପ୍ରଶ୍ନ ଉପରେ ଯଦି ପାଞ୍ଚଜଣଙ୍କର ଉତ୍ତର ପାଞ୍ଚ ପ୍ରକାର ହୁଏ, ତେବେ ଭଗବାନ୍ କ’ଣ ଭଳି ପରମ ପ୍ରଶ୍ନ ଉପରେ ଆପଣଙ୍କ ଉତ୍ତର ଏବଂ ମୋ ଉତ୍ତର ଏକା ନ ହେବାରେ ବିସ୍ମୟ କ’ଣ ? ଆହୁରି ପ୍ରାସଙ୍ଗିକ ପ୍ରଶ୍ନ ହେଲା, ମାଟି କ’ଣ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ପାଞ୍ଚଗୋଟିଯାକ ବିବୃତିରୁ କୌଣସି ଗୋଟିଏ ଭୁଲ ବୋଲି ଆପଣ କହିପାରିବେ କି ? ପ୍ରତ୍ୟେକ ଉତ୍ତର ଏକ ଏକ ସତ୍ୟ । ସେହିପରି ଭଗବାନ୍ଙ୍କ ସମ୍ପର୍କରେ ଆପଣଙ୍କ ମତ ଏବଂ ମୋ ମତ ପ୍ରତ୍ୟେକ ଏକ ଏକ ସତ୍ୟ-ଭିନ୍ନତା ମାନେ ହିଁ ଅସତ୍ୟ ନୁହେଁ ।’’
ସମ୍ଭାବ୍ୟ ଉତ୍ତର :
ରାଜା ଜଣକ ଗୁଣୀ ଓ ସୁଶାସକ ହେଲେହେଁ ନିଜର ଦର୍ଶନ ଓ ତତ୍ତ୍ୱଜ୍ଞାନକୁ ଏକମାତ୍ର ସତ୍ୟ ବୋଲି ଧରିନେଇଥିଲେ । ଏକଦା ରାଜା ଖବର ପାଇଲେ ଦୂର ପ୍ରାନ୍ତରେ ବାସ କରୁଥିବା ସନ୍ନ୍ୟାସୀଙ୍କର ଭଗବାନ୍ଙ୍କ ସମ୍ପର୍କରେ ମତ ତାଙ୍କଠାରୁ ଭିନ୍ନ । ସେ ସନ୍ନ୍ୟାସୀଙ୍କୁ ରାଜ ଉଆସକୁ ଡକାଇ ରୁକ୍ଷ କଣ୍ଠରେ ଏହାର କୈଫିୟତ ମାଗିଲେ । ଏହାର ଉତ୍ତର ଦେବା ପୂର୍ବରୁ ସନ୍ନ୍ୟାସୀ ରାଜା ଓ ତାଙ୍କ ଚାରି ବିଜ୍ଞ ମନ୍ତ୍ରୀଙ୍କୁ ଏକ ଲଘୁ ପ୍ରଶ୍ନ ପଚାରିବାକୁ ଇଚ୍ଛା କଲେ । ରାଜାଙ୍କ ସମ୍ମତିକ୍ରମେ ସେ ପ୍ରଶ୍ନ ଲେଖୁ ପାଞ୍ଚଖଣ୍ଡି କାଗଜ ପାଞ୍ଚଜଣଙ୍କୁ ଦେଲେ ଓ ଉତ୍ତର ପ୍ରଶ୍ନ ତଳେ ଲେଖୁବାପାଇଁ ଅନୁରୋଧ କଲେ । ପ୍ରଶ୍ନଟି ଥିଲା – ମାଟି କ’ଣ ? ଉତ୍ତର ଲେଖା ସରିବା ପରେ ସନ୍ନ୍ୟାସୀ ପ୍ରତ୍ୟେକଙ୍କ ଉତ୍ତର ପାଠ କଲେ । ଉତ୍ତରଗୁଡ଼ିକ ଭିନ୍ନ ଥିଲେହେଁ ପ୍ରତ୍ୟେକ ଠିକ୍ ଥିଲା । ଶେଷରେ ସନ୍ନ୍ୟାସୀ ରାଜାଙ୍କୁ ବୁଝାଇଦେଲେ ଯେ ଯେପରି ‘ମାଟି କ’ଣ ?’ ଭଳି ସାମାନ୍ୟ ପ୍ରଶ୍ନର ପାଞ୍ଚଟି ଠିକ୍ ଉତ୍ତର ହୋଇପାରେ, ସେହିପରି ଭଗବାନ୍ କ’ଣ ଭଳି ପରମ ପ୍ରଶ୍ନ ସମ୍ପର୍କରେ ଭିନ୍ନ ମତ ହେବା ସ୍ଵାଭାବିକ । ତେଣୁ ଉଭୟ ମତ ଭିନ୍ନ ହେଲେ ହେଁ ଏକ ଏକ ସତ୍ୟ ।
ଶୀର୍ଷକ : ‘ଭିନ୍ନତା ଅର୍ଥ ଅସତ୍ୟ ନୁହେଁ ’
ଅନୁଚ୍ଛେଦ – (୫)
କୋଇଲି ବୈକୁଣ୍ଠରେ ମହା ବିଶ୍ରାମ ନେଲାପରେ ଅଶୌଚ ସମୟ ଆରମ୍ଭ ହୋଇଯାଏ । ତେଣୁ ଏହି ସମୟମାନଙ୍କରେ ପ୍ରାୟ ତେର ଦିନ ଧରି ନୂତନ ବିଗ୍ରହମାନଙ୍କର କୌଣସି ନୀତି କରାଯାଏ ନାହିଁ । ସେମାନେ କେବଳ ଅଣସର ଘରେ ରହି ଥାଆନ୍ତି ଏବଂ ନୂତନ ଦାରୁରେ ଯେଉଁ ମୂର୍ତ୍ତି ନିର୍ମାଣ ହୋଇଥାଆନ୍ତି, ତାହା ଠାକୁରଙ୍କ ଶରୀରର ଅସ୍ଥି ସଦୃଶ ମାତ୍ର । ଆମେ ଯେଉଁ ଠାକୁରଙ୍କୁ ଦେଖୁଥାଉ, ସେ ଠାକୁର ସେତେବେଳେ ପ୍ରସ୍ତୁତ ହୋଇ ନ’ଥାନ୍ତି । ଏହି ଅଶୌଚ ସମୟ ଅତିକ୍ରାନ୍ତ ହେବା ପରେ ଯାଇଁ ଦାରୁବିଗ୍ରହଙ୍କର ପୂର୍ଣ ରୂପାୟନ ହୋଇଥାଏ । ତେବେ ଘଟ ପରିବର୍ତ୍ତନ ପରେ କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ନବମୀ ତିଥ୍ ପର୍ଯ୍ୟନ୍ତ ନୂତନ ବିଗ୍ରହଙ୍କର ଶ୍ରୀଅଙ୍ଗରେ ଶ୍ଵେତ ଅଙ୍ଗରାଗ ବୋଳା ଯାଉଥାଏ । ଏହାକୁ ଖଡ଼ିଲାଗି କୁହାଯାଏ ।
ଏହିଠାରେ ଜାଣି ରଖୁବା ଆବଶ୍ୟକ, ନୂତନ ବିଗ୍ରହଙ୍କ ବ୍ରହ୍ମକୋଠରୀରେ ବ୍ରହ୍ମ ପୋଟଳ ସଂସ୍ଥାପନା ପରେ ତା’ ଭିତରର ଗହ୍ବରକୁ ଚନ୍ଦନ, କସ୍ତୁରୀ, କର୍ପୂରର ଏକ ବ୍ରହ୍ମଲେପରେ ପୂର୍ଣ କରିଦିଆଯାଇଥାଏ । ତା’ ଉପରେ ବ୍ରହ୍ମକୋଠରୀର ଦ୍ଵାର ନ୍ୟାସଦାରୁ ଦେଇ କୋଠରୀକୁ ପୂରାପୂରି ବନ୍ଦ କରିଦିଆଯାଏ ।
ସଂସ୍କୃତ ଶାସ୍ତ୍ର ଅନୁଯାୟୀ ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ମାନବର ଶରୀର ସାତୋଟି ଧାତୁରେ ନିର୍ମିତ । ତେଣୁ ଶ୍ରୀଶ୍ରୀଠାକୁରଙ୍କର ବିଗ୍ରହକୁ ପୂର୍ଣ ରୂପାୟନ ଦିଆଗଲାବେଳେ ସପ୍ତାବରଣ ପଦ୍ଧତିରେ ସାତୋଟି ଆବରଣ ଦିଆଯାଇଥାଏ ।
ଦାରୁରେ ନିର୍ମିତ ଅସ୍ଥି ଉପରେ ଅବିକଳ ମାନବ ଶରୀର ଭଳି ଶିରା, ପ୍ରଶିରା, ମାଂସ, ରକ୍ତ, ଚର୍ମ, ଶୁକ୍ର ଆଦିର ବ୍ୟବସ୍ଥାମାନ ନୂତନ ବିଗ୍ରହଙ୍କ ଶରୀରରେ କରାଯାଇଥାଏ । ଏ ସମ୍ବନ୍ଧରେ ‘ନୀଳାଦ୍ରି ମହୋଦୟ’ ଗ୍ରନ୍ଥରେ ସ୍ପଷ୍ଟ ଚିତ୍ର ଦିଆଯାଇଅଛି । ଦାରୁଙ୍କ ଅସ୍ଥି ଉପରେ ପ୍ରଥମେ ଏକ ସୁଗନ୍ଧଯୁକ୍ତ ତୈଳ ବୋଲି ଦିଆଯାଏ । ତାହା ଅସ୍ଥି ଭିତରର ରସ ଭଳି ଗ୍ରହଣ ସଞ୍ଚାଳନ ପାଇଁ ଶିରା ପ୍ରଶିରା ଭାବେ ଗ୍ରହଣ କରାଯାଏ । ଏହା ଉପରେ ଚନ୍ଦନ, କସ୍ତୁରୀ, ଝୁଣାର ଏକ ବିଶେଷ ଭାବେ ପ୍ରସ୍ତୁତ ମୋଟା ବହଳିଆ ପ୍ରଲେପ ସାରା ଶରୀରରେ ମୋଟାଳିଆ ଭାବେ ଦିଆଯାଏ ।
ପ୍ରଲେପ ଦେବା ପରେ ହିଁ ଆମେ ଦେଖୁଥିବା ଜଗନ୍ନାଥଙ୍କର ରୂପର ଆକୃତି ପ୍ରକାଶ ହୋଇଥାଏ । ଏହି ପ୍ରଲେପକୁ ଶରୀରର ମାଂସ ଭାବେ ଗ୍ରହଣ କରାଯାଇଥାଏ । ଏହି ମୋଟା ପ୍ରଲେପ ଉପରେ ଚର୍ମ ସଦୃଶ ମଜଭୁତ ସୂତାରେ ତିଆରି ବସ୍ତ୍ର (କନା) ପରସ୍ତ ପରସ୍ତ କରି ନାନା ପରସ୍ତ ସମ୍ପୂର୍ଣ୍ଣ ବିଗ୍ରହଙ୍କ ଶରୀରେ ଭିଡ଼ାଯାଏ । ଏହି ବସ୍ତ୍ର ଉପରେ ଶେଷ ସ୍ତର ଭାବରେ ଅରୁଆ ଚାଉଳରେ ପ୍ରସ୍ତୁତ ଏକ ବିଶେଷ ପ୍ରଲେପ ଅଟକାଳି, ଖଳିଲାଗି ଦିଆଯାଏ । ଏହାକୁ ଶରୀରର ଶୁକ୍ର ଭାବରେ ଗ୍ରହଣ କରାଯାଇଥାଏ । ଏହି ସାତୋଟି ସ୍ତରର ଆବରଣ ପରେ ଶ୍ରୀଜଗନ୍ନାଥଙ୍କର ସମ୍ପୂର୍ଣ ଆକୃତି, ରୂପାୟନ ପ୍ରକାଶ ପାଇଥାଏ ।
ଏହାପରେ ଚିତ୍ରକାରମାନଙ୍କୁ ଠାକୁରଙ୍କୁ ରଙ୍ଗ କରିବାର ଦାୟିତ୍ଵ ଅର୍ପଣ କରାଯାଏ । ଏହାକୁ କନକଲାଗି କୁହାଯାଏ । ଠାକୁରଙ୍କ ଶରୀରର ରଙ୍ଗ ପାଇଁ ଧଳା ରଙ୍ଗ ପାଇଁ ଶୁଦ୍ଧ ଶଙ୍ଖ ଦ୍ରବ୍ୟ, ହଳଦିଆ ରଙ୍ଗ ପାଇଁ ଜମିର ରଙ୍ଗ ଓ ସମାର୍ଜିତ ହରିତାଳ, ଇ ରଙ୍ଗ ପାଇଁ ଶୁଦ୍ଧ ପାରଦଘଟିତ ହିଙ୍ଗୁଳ, କଳାରଙ୍ଗ ପାଇଁ ଷଢ଼େଇ (ନଡ଼ିଆ) ପୋଡ଼ି ଚୁନାକରି ଅଙ୍ଗାରରୁ ବାହାର କରାଯାଏ । ଚିତ୍ରକାରମାନେ ଠାକୁରଙ୍କ ଶରୀରରେ ସମସ୍ତ ଅଙ୍କନ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଚକ୍ଷୁର ଡୋଳା ବା ନେତ୍ର ପିତୁଳା ଅଙ୍କନ କରିବାର ଅଧିକାର ସେମାନଙ୍କୁ ଦିଆଯାଇ ନଥାଏ ।
ଏହା ଶୁଦ୍ଧ ଆଷାଢ଼ ଶୁକ୍ଳପକ୍ଷର ପ୍ରଥମ ଦିନ ବ୍ରାହ୍ମଣମାନଙ୍କଦ୍ୱାରା କରାଯାଇଥାଏ । ଏହି ନୀତିକୁ ନେତ୍ରୋତ୍ସବ ନୀତି କୁହାଯାଏ । ଏହାପରେ ଶ୍ରୀବିଗ୍ରହମାନଙ୍କୁ ଦର୍ପଣରେ ସ୍ନାନାଦି କରାଇ ପବିତ୍ର କରାଯାଇଥାଏ । କାରଣ ଦୀର୍ଘଦିନ ହେବ ଶ୍ରୀବିଗ୍ରହ ବିଭିନ୍ନ ସ୍ତରରେ ମହାରଣା, ବିଶ୍ଵକର୍ମା, ଚିତ୍ରକାରମାନଙ୍କ ହାତର ପରଶ ଦେଇ ଗତି କରୁଥାଆନ୍ତି । ତେଣୁ ଏହି ସ୍ନାନାଦିରେ ଶୁଦ୍ଧପୂତ, ପବିତ୍ର କରାଇ ଶ୍ରୀଜଗନ୍ନାଥଙ୍କୁ ସର୍ବସାଧାରଣଙ୍କ ପାଇଁ ନବଯୌବନ ଦର୍ଶନ କରାହୋଇଥାଏ । ତା’ ପରଦିନ ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।
ସମ୍ଭାବ୍ୟ ଉତ୍ତର :
କୋଇଲି ବୈକୁଣ୍ଠରେ ମହାବିଶ୍ରାମ ନେଲାପରେ ଠାକୁର ଅଣସର ଘରେ ରହନ୍ତି । ତେର ଦିନ ଧରି ନୂତନ ବିଗ୍ରହମାନଙ୍କର କୌଣସି ନୀତି କରାଯାଏ ନାହିଁ । ଆମେ ଯେଉଁ ଠାକୁରଙ୍କୁ ଦେଖୁ ତାହା ନୂତନ ଦାରୁରେ ନିର୍ମିତ ଠାକୁରଙ୍କ ଅସ୍ଥି ସଦୃଶ ମୂର୍ତ୍ତି । ଅଶୌଚ ସମୟ ଅତିକ୍ରାନ୍ତ ହେବାପରେ ଦାରୁ ବିଗ୍ରହଙ୍କ ବ୍ରହ୍ମ କୋଠରୀରେ ବ୍ରହ୍ମ ପୋଟଳ ସଂସ୍ଥାପନା ପରେ ନ୍ୟାସଦାରୁ ଦେଇ କୋଠରୀକୁ ରୁଦ୍ଧ କରାଯାଏ । ମାଦଳାପାଞ୍ଜି ଅନୁଯାୟୀ ଠାକୁରଙ୍କ ବିଗ୍ରହର ପୂର୍ଣ ରୂପାୟନବେଳେ ମାନବ ଶରୀରର ସପ୍ତଧାତୁ ସଦୃଶ ସାତୋଟି ଆବରଣ ଦିଆଯାଏ । ଦାରୁଙ୍କ ଅସ୍ଥିରେ ବୋଳାଯାଉଥିବା ସୁଗନ୍ଧିତ ତୈଳ ଅସ୍ଥିଭିତର ରସ ସଦୃଶ, ଶରୀରରେ ବନ୍ଧା ଯାଉଥିବା ଲାଲ ପାଟ୍ଟଡ଼ୋର ଶିରା ପ୍ରଶିରା ସଦୃଶ ।
ଶରୀରର ମାଂସ ସଦୃଶ ଚନ୍ଦନ, କସ୍ତୁରୀ ଓ ଝୁଣାର ବହଳିଆ ପ୍ରଲେପ ଚାଉଳର ବିଶେଷ ପ୍ରଲେପ ଦିଆଯାଏ ଯାହାକୁ ଶରୀରର ଶୁକ୍ରଭାବେ ବିବେଚନା କରାଯାଏ । ଏହାପରେ ଚିତ୍ରକାରମାନେ ବିଭିନ୍ନ ରଙ୍ଗରେ ଠାକୁରଙ୍କୁ ରଙ୍ଗାନ୍ତି । ଶୁଦ୍ଧ ଆଷାଢ଼ ଶୁକ୍ଳପକ୍ଷର ପ୍ରଥମଦିନ ବ୍ରାହ୍ମଣଙ୍କଦ୍ବାରା ଶ୍ରୀବିଗ୍ରହର ନେତ୍ର ପିତୁଳା ଅଙ୍କନ ବିଭିନ୍ନ ରଙ୍ଗରେ ଠାକୁରଙ୍କୁ ରଙ୍ଗାନ୍ତି । ଶୁଦ୍ଧ ଆଷାଢ଼ ଶୁକ୍ଳପକ୍ଷର ପ୍ରଥମଦିନ ବ୍ରାହ୍ମଣଙ୍କଦ୍ବାରା ଶ୍ରୀବିଗ୍ରହର ନେତ୍ର ପିତୁଳା ଅଙ୍କନ କରାଯାଏ । ଏହାପରେ ଶ୍ରୀବିଗ୍ରହଙ୍କୁ ସ୍ନାନାଦିରେ ଶୁଦ୍ଧପୂତ କରାଇ ସର୍ବସାଧାରଣଙ୍କ ନିମନ୍ତେ ନବଯୌବନ ଦର୍ଶନ କରାହୋଇଥାଏ । ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୁଏ ।
ଣୀର୍ଷକ : ଶ୍ରୀଜଗନ୍ନାଥଙ୍କ ନବକଳେବର ବିଧି