Odisha State Board BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ Textbook Exercise Questions and Answers.
BSE Odisha Class 10 History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ
୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।
(କ) ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ଓ ତାହାର ଫଳାଫଳ ଆଲୋଚନା କର ।
Answer:
- ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଇଂରେଜ ସରକାରଙ୍କ ମନୋଭାବ ପରିବର୍ତ୍ତନ ହେବା ଫଳରେ ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରସାର ଘଟିଲା । ୧୮୨୩ରେ ଖ୍ରୀଷ୍ଟିୟାନ୍ ମିଶନାରୀମାନଙ୍କଦ୍ୱାରା ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେଲା ଓ ୧୮୪୧ରେ ସରକାର ଏହାର ପରିଚାଳନା ଭାର ହାତକୁ ନେଲେ ।
- ୧୮୫୪ ମସିହାରେ ଚାର୍ଲସ୍ ଉଡ଼ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଓ ୧୮୫୭ ମସିହାରେ କୋଲ୍କତା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହେଲା ।
- ୧୮୫୮ ମସିହାରେ ଓଡ଼ିଶାରେ ପୁରୀ, କଟକ ଓ ବାଲେଶ୍ଵର ଜିଲ୍ଲାରେ ଗୋଟିଏ ଲେଖାଏଁ ଜିଲ୍ଲା ସ୍କୁଲ ସମେତ ସରକାରୀ ଓ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ଏହିପରି ମୋଟ ୩୩ଟି ବିଦ୍ୟାଳୟ ସ୍ଥାପିତ ହେଲା ।
- ୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇ ପରେ ସେଥିରେ ସ୍ନାତକ ଖୋଲାଯାଇଥିଲା ଓ ଏହି ମହାବିଦ୍ୟାଳୟଟି ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ ହେଲା ।
- ଫଳରେ ରେଭେନ୍ସା କଲେଜରେ ବହୁ ଓଡ଼ିଆ ଯୁବକ ଉଚ୍ଚତର ଶିକ୍ଷାଲାଭ କଲେ, ଯେଉଁମାନେ କି ଓଡ଼ିଆ ଜାତୀୟତାକୁ ଜାଗ୍ରତ କରି ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଆମାନଙ୍କ ଏକତ୍ରୀକରଣ ପାଇଁ ସ୍ଵର ଉତ୍ତୋଳନ କଲେ ।
(ଖ) ଓଡ଼ିଶାରେ ସମ୍ବାଦପତ୍ରର କିପରି ବିକାଶ ହୋଇଥିଲା ?
Answer:
- ଓଡ଼ିଶାରେ ଛାପାଖାନା ପ୍ରତିଷ୍ଠା ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ନିମନ୍ତେ ସହାୟକ ହୋଇଥିଲା ।
- ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ୍ ନାମରେ ପ୍ରତିଷ୍ଠିତ ହେଲା । ତେଣୁ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ ସହଜ ହେଲା ।
- ୧୮୬୬ ମସିହାରେ କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ‘ଉତ୍କଳ ଦୀପିକା’, ୧୮୬୮ ମସିହାରେ ବାଲେଶ୍ଵରରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ‘ସମ୍ବାଦବାହିକା’ ଓ ‘ବୋଧଦାୟିନୀ’, ୧୮୮୯ ମସିହାରେ ନୀଳମଣି ବିଦ୍ୟାରତ୍ନଙ୍କଦ୍ୱାରା ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ର ପ୍ରକାଶ ପାଇବା ଫଳରେ ଓଡ଼ିଶାରେ ସମ୍ବାଦପତ୍ରର ବିକାଶ ହୋଇଥିଲା ।
- ଏଗୁଡ଼ିକ ବ୍ୟତୀତ ଅନ୍ୟାନ୍ୟ ଅନେକ ପତ୍ରିକା ବିଭିନ୍ନ ସ୍ଥାନରେ ପ୍ରକାଶିତ ହୋଇଥିଲା ।
- ଫଳରେ ଓଡ଼ିଶାରେ ସମ୍ବାଦପତ୍ରର ବିକାଶ ହୋଇଥିଲା ଓ ଜନମତ ଜାଗ୍ରତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
(ଗ) ଓଡ଼ିଆ-ବଙ୍ଗଳା ଭାଷା ବିବାଦ କିପରି ଓଡ଼ିଶାରେ ଜାତୀୟ ଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ?
Answer:
- ଓଡ଼ିଆ-ବଙ୍ଗଳା ଭାଷା ବିବାଦ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିଥିଲା । ଓଡ଼ିଆ ଭାଷାଆନ୍ଦୋଳନକୁ ଓଡ଼ିଶାରେ ଜାତୀୟତାବାଦର ଜନନୀ ବୋଲି କୁହାଯାଏ ।
- ଇଂରେଜମାନେ ଓଡ଼ିଶାକୁ ବଙ୍ଗଳାର ଏକ ଅଂଶ ରୂପେ ବିବେଚନା କରି ବଙ୍ଗୀୟମାନଙ୍କୁ ରାଜକର୍ମଚାରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରିଥିଲେ ଓ ଏହି ବଙ୍ଗୀୟମାନେ ଓଡ଼ିଶାରେ ବଙ୍ଗଳା ଭାଷା ପ୍ରଚାରରେ ମଗ୍ନ ରହିଲେ । .
- ୧୮୪୯ ମସିହାରେ କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ପ୍ରଦାନ କରିଥିଲେ; ଫଳରେ ଭାଷା ବିବାଦ ମୁଣ୍ଡ ଟେକିଲା ।
- ପୁନଶ୍ଚ ଓଡ଼ିଶାରେ ଛାପାଖାନାର ଅଭାବ ଏବଂ ଓଡ଼ିଆ ବୁଦ୍ଧିଜୀବୀଙ୍କ ସଂଖ୍ୟା କମ୍ ହେତୁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିଲା । ଏହାର ସୁଯୋଗ ନେଇ କେତେକ ପ୍ରଭାବଶାଳୀ ବଙ୍ଗୀୟ ବ୍ୟକ୍ତି ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ ।
- ତେଣୁ ନିଜ ଭାଷାକୁ ରକ୍ଷା କରିବାକୁ ନେଇ ଆରମ୍ଭ ହୋଇଥିବା ସଂଘର୍ଷ ଏବଂ ଓଡ଼ିଶାର କେତେକ ବଙ୍ଗଭାଷୀ ବ୍ୟକ୍ତିଙ୍କର ଓଡ଼ିଆ ଭାଷା ପ୍ରତି ସମର୍ଥନ ଓଡ଼ିଆମାନଙ୍କ ମନରେ ଏକ ନୂତନ ଜାତୀୟ ଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ।
(ଘ) ଊନବିଂଶ ଶତାବ୍ଦୀରେ ଗଠିତ ହୋଇଥିବା କେଉଁ ଅନୁଷ୍ଠାନଗୁଡ଼ିକ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ?
Answer:
- ଓଡ଼ିଆ ଜାତୀୟ ଜାଗରଣର ସୃଷ୍ଟି ନିମନ୍ତେ ଊନବିଂଶ ଶତାବ୍ଦୀରେ ଗଠିତ ଅନେକ ଅନୁଷ୍ଠାନର ଉଲ୍ଲେଖନୀୟଅବଦାନ ରହିଥିଲା ।
- ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ କଟକରେ ‘ଉତ୍କଳ ସଭା’ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ।
- ଏହି ‘ଉତ୍କଳ ସଭା’ ଜାତୀୟତାବାଦ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
- ଏହାବ୍ୟତୀତ ବାଲେଶ୍ବରରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’, କଟକରେ ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ‘ଉତ୍କଳ ଉଲ୍ଲାସିନୀ ସଭା’ ଆଦି ଅନୁଷ୍ଠାନଗୁଡ଼ିକ ଜାତୀୟ ଜାଗରଣ ସୃଷ୍ଟିରେ ସହାୟକ ହୋଇଥିଲା ।
- ସେହିପରି ବ୍ରହ୍ମପୁର (ଗଞ୍ଜାମ)ରେ ‘ଉତ୍କଳ ହିତବାଦିନୀ ସଭା’ ନାମକ ଅନୁଷ୍ଠାନ ଓଡ଼ିଆ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ।
(ଙ) ଧର୍ମକ୍ଷେତ୍ରରେ ଓଡ଼ିଶାରେ ଦେଖାଦେଇଥିବା ‘ନବଜାଗରଣ’ କ’ଣ ଏବଂ ଓଡ଼ିଆ ଜାତୀୟତା ବିକାଶ ଦିଗରେ ଏହା କିପରି ସହାୟକ ହୋଇଥିଲା ?
Answer:
- ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।
- ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଏକ ସଂସ୍କାରଧର୍ମୀ ଧର୍ମର ଆବଶ୍ୟକତା ଅନୁଭୂତ ହୋଇଥିଲା ।
- ଏହି ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥିଲା ଓଡ଼ିଶା ମାଟିରୁ ସମ୍ଭୂତ ‘ସତ୍ୟ ମହିମା ଧର୍ମ’ । ଏହି ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ।
- ଏହି ଧର୍ମ ଓଡ଼ିଶାର ଜନଜୀବନ ଓ ଓଡ଼ିଆ ସାହିତ୍ୟକୁ ବହୁଳ ଭାବରେ ପ୍ରଭାବିତ କରିଥିଲା । ଭୀମଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ । ତାଙ୍କଦ୍ୱାରା ରଚିତ କବିତାଗୁଡ଼ିକ ଓଡ଼ିଆମାନଙ୍କ ମନରେ ନିଃସ୍ୱାର୍ଥ ସେବା, ଜାତିପ୍ରୀତି ଓ ଆତ୍ମବଳି ଭାବନା ସୃଷ୍ଟି କରିଥିଲା ।
- ମହିମା ଧର୍ମ ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଏକ ଅପୂର୍ବ ଏକତା ଆଣିଦେଲା; ଫଳରେ ସେମାନଙ୍କର ଜାତୀୟ ଚେତନାର ବିକାଶ ଘଟିଥିଲା ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) କେବେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଥିଲା ଏବଂ କେବେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ?
Answer:
- ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଥିଲା ।
- ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ।
(ଖ) ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ କ’ଣ ସହାୟକ ହୋଇଥିଲା ?
Answer:
ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରସାର, ୧୮୫୪ ମସିହାରେ ଚାର୍ଲସ୍ ଉଙ୍କ ପାଠ୍ୟକ୍ରମ ସଂସ୍କାର ଆଇନ ପ୍ରଣୟନ, ଏବଂ ୧୮୫୭ ମସିହାରେ କୋଲକତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାରରେ ସହାୟକ ହୋଇଥିଲା ।
(ଗ) ଓଡ଼ିଶାରେ ଶିକ୍ଷିତ ଯୁବଗୋଷ୍ଠୀର ସଂକଳ୍ପ କ’ଣ ଥିଲା ?
Answer:
- ଓଡ଼ିଶାରେ ଶିକ୍ଷିତ ଯୁବଗୋଷ୍ଠୀର ସଂକଳ୍ପ ଥିଲା ଅନ୍ୟାୟ ଅନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ସଙ୍ଗେ
- ଓଡ଼ିଶାର ନୂତନ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷା ଓ ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ଉଦ୍ୟମ କରିବା ନିମନ୍ତେ ସଂକଳ୍ପ ନେଇଥିଲେ ।
(ଘ) କେବେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ଥିଲା ?
Answer:
- ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକଠାରେ ପ୍ରତିଷ୍ଠା କରାଯାଇଥିଲା ।
- ଏହାର ନାମ ଥିଲା କଟକ ମିଶନ୍ ପ୍ରେସ୍ ।
(ଙ) ‘ଉତ୍କଳ ଦୀପିକା’ର ସମ୍ପାଦକଙ୍କର ନାମ କ’ଣ ଥିଲା ଏବଂ ଏହା କେଉଁଠାରୁ ପ୍ରକାଶ ପାଉଥିଲା ?
Answer:
- ‘ଉତ୍କଳ ଦୀପିକା’ର ସମ୍ପାଦକଙ୍କର ନାମ ଥିଲା ଗୌରୀଶଙ୍କର ରାୟ ।
- ଏହା କଟକରୁ ପ୍ରକାଶ ପାଉଥିଲା ।
(ଚ) ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ସମ୍ବାଦପତ୍ରଗୁଡ଼ିକର ନାମ କ’ଣ ?
Answer:
- ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ବାଲେଶ୍ଵରରୁ ଦୁଇଟି ପତ୍ରିକା ପ୍ରକାଶ ପାଉଥିଲା ।
- ସେଗୁଡ଼ିକ ହେଲା – ‘ସମ୍ବାଦବାହିକା’ ଏବଂ ‘ବୋଧଦାୟିନୀ’ ।
(ଛ) ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିବାର କାରଣ କ’ଣ ଥିଲା ?
Answer:
- ପ୍ରଥମତଃ ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ଛାପାଖାନାର ଅଭାବ ଥିଲା ।
- ଦ୍ବିତୀୟତଃ ଓଡ଼ିଶାରେ ବୁଦ୍ଧିଜୀବୀଙ୍କ ସଂଖ୍ୟା ମଧ୍ୟ କମ୍ ଥିବାରୁ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିଲା ।
(ଜ) ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକରେ କେଉଁ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ?
Answer:
- ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକରେ ‘ଉତ୍କଳ ସଭା’ ନାମକ ଏକ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ।
- ଏହା ବ୍ୟତୀତ କଟକରେ ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ‘ଉତ୍କଳ ଉଲ୍ଲାସିନୀ ସଭା’ ଆଦି ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା ।
(ଝ) କିଏ ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ଏବଂ କିଏ ଏହାର ମୁଖ୍ୟ ପ୍ରଚାରକ ଥିଲେ ?
Answer:
- ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ।
- ଭୀମ ଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ ।
(ଞ) ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନ୍ଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ କେବେ ଏବଂ କେଉଁଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ?
Answer:
- ୧୮୮୨ ମସିହା ଜୁନ୍ ୩୦ ତାରିଖରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନ୍ଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
- ଏହି ସଭା କଟକଠାରେ ଅନୁଷ୍ଠିତ ହୋଇଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କଲିକତା ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ?
Answer:
କଲିକତା ବିଶ୍ଵବିଦ୍ୟାଳୟ ୧୮୫୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
(ଖ) ରେଭେନ୍ସା କଲେଜ କେବେ ଜନ୍ମଲାଭ କରିଥିଲା ?
Answer:
ରେଭେନ୍ସା କଲେଜ ୧୮୭୬ ମସିହାରେ ଜନ୍ମଲାଭ କରିଥିଲା ।
(ଗ) ୧୮୬୭ରେ କେଉଁ ଶିକ୍ଷାନୁଷ୍ଠାନକୁ ଉନ୍ନୀତ କରାଯାଇ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ କରାଗଲା ?
Answer:
୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ।
(ଘ) କିଏ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ?
Answer:
ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ।
(ଙ) ‘ସମ୍ବଲପୁର ହିତୈଷିଣୀ’ର ପ୍ରକାଶକ କିଏ ଥିଲେ ?
Answer:
‘ସମ୍ବଲପୁର ହିତୈଷିଣୀ’ର ପ୍ରକାଶକ ଥିଲେ ନୀଳମଣି ବିଦ୍ୟାରତ୍ନ ।
(ଚ) ମରହଟ୍ଟାମାନେ କେଉଁ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ?
Answer:
ମରହଟ୍ଟାମାନେ ପାର୍ଶୀ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ।
(ଛ) ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ଅବସ୍ଥିତ ଥିଲା ?
Answer:
‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ବାଲେଶ୍ଵରରେ ଅବସ୍ଥିତ ଥିଲା ।
(ଜ) ଭୀମଭୋଇ କେଉଁ ଧର୍ମକୁ ଭିତ୍ତିକରି ତାଙ୍କର କବିତାଗୁଡ଼ିକ ରଚନା କରିଥିଲେ ?
Answer:
ଭୀମଭୋଇ ମହିମା ଧର୍ମକୁ ଭିଭିକରି ତାଙ୍କର କବିତାଗୁଡ଼ିକ ରଚନା କରିଥିଲେ ।
(ଝ) ଟି.ଇ. ରେଭେନ୍ସା କେଉଁଠାରେ ନୂତନ ନଦୀବନ୍ଧ ନିର୍ମାଣ କରିଥିଲେ ?
Answer:
ଟି.ଇ. ରେଭେନ୍ସା ଆଳି ଓ ବାଙ୍କୀଠାରେ ନୂତନ ନଦୀବନ୍ଧ ନିର୍ମାଣ କରିଥିଲେ ।
(ଞ) ଲର୍ଡ଼ ରିପନ୍ କେବେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ?
Answer:
ଲର୍ଡ଼ ରିପନ୍ ୧୮୮୨ ମସିହାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) କେବେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ?
(i) ୧୮୦୩
(iii) ୧୮୪୧
(ii) ୧୮୨୩
(iv) ୧୮୫୪
Answer:
(ii) ୧୮୨୩
(ଖ) କିଏ ‘‘ବୋଧଦାୟିନୀ’’ର ସମ୍ପାଦକ ଥିଲେ ?
(i) ଫଜାରମୋହନ ସେନାପଢି
(ii) ରାଧାନାଥ ରାୟ
(iii) ଗୌରୀଶଙ୍କର ରାୟ
(iv) ନୀଳମଣି ବିଦ୍ୟାରତ୍ନ
Answer:
(i) ଫକୀରମୋହନ ସେନାପତି
(ଗ) ମୁଖ୍ୟତଃ କେଉଁ ଅଞ୍ଚଳଗୁଡ଼ିକୁ ନେଇ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଶାସିତ ହେଉଥିଲା ?
(i) ଗଞ୍ଜାମ, ପୁରୀ, କଟକ
(ii) ପୁରୀ, କଟକ, ବାଲେଶ୍ଵର
(iii) କଟକ, ବାଲେଶ୍ଵର, ସମ୍ବଲପୁର
(iv) ପୁରୀ, ଗଞ୍ଜାମ, ସମ୍ବଲପୁର
Answer:
(ii) ପୁରୀ, କଟକ, ବାଲେଶ୍ୱର
(ଘ) କେବେ କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ଦେଇଥିଲେ ?
(i) ୧୮୦୩
(iii) ୧୮୬୬
(ii) ୧୮୪୯
(iv) ୧୮୬୮
Answer:
(ii) ୧୮୪୯
ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)