Odisha State Board CHSE Odisha Class 12 Economics Solutions Chapter 11 ସମଷ୍ଟି ଅର୍ଥନୀତି Long Answer Questions.
CHSE Odisha 12th Class Economics Chapter 11 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ସମଷ୍ଟିଗତ ଅର୍ଥଶାସ୍ତ୍ର କହିଲେ କ’ଣ ବୁଝ ? ଏହାର ପରିସର, ଗୁରୁତ୍ବ ଓ ସୀମାବଦ୍ଧତା ଦର୍ଶାଅ ।
Answer:
ଅର୍ଥନୀତିକୁ ମୁଖ୍ୟତଃ ବ୍ୟକ୍ତିବାଚକ (ବ୍ୟଷ୍ଟି) ଅର୍ଥନୀତି (Micro Economics) ଓ ସମଷ୍ଟି ଅର୍ଥନୀତି (Macro Economics) ଆଦି ଦୁଇଭାଗରେ ବିଭକ୍ତ କରାଯାଇଛି । ସମଷ୍ଟି ଅର୍ଥନୀତି, ଅର୍ଥ ବ୍ୟବସ୍ଥାର ଏକ ସାମଗ୍ରୀକ ଅଧ୍ୟୟନ । ଅର୍ଥନୀତିର ଯେଉଁ ବିଭାଗ ଅର୍ଥ ବ୍ୟବସ୍ଥାର ସାମୂହିକ ଏକକମାନଙ୍କର ବ୍ୟାଖ୍ୟା କରିଥାଏ, ତାହାକୁ ସମଷ୍ଟି ଅର୍ଥନୀତି କୁହାଯାଏ । ଏହି ବିଭାଗରେ ମୋଟ ଜାତୀୟ ଆୟ, ଉତ୍ପାଦ ଓ ନିୟୋଜନ, ମୋଟ ଉପଭୋଗ, ସଞ୍ଚୟ ଓ ବିନିଯୋଗ, ସାମୁହିକ ଯୋଗାଣ ଓ ଚାହିଦା, ସାଧାରଣ ଦାମ୍ ସ୍ତର ଆଦି ସଂପର୍କରେ ଆଲୋକପାତ କରାଯାଇଥାଏ । ତେଣୁ ଏହା ଅର୍ଥ ବ୍ୟବସ୍ଥାର କୌଣସି ନିର୍ଦ୍ଦିଷ୍ଟ ଏକକ ସଂପର୍କରେ ଆଲୋଚନା ନ କରି ସାମୂହିକ ବିଶ୍ଳେଷଣ କରିଥାଏ । ଅଧ୍ୟାପକ ବୋଲ୍ଙ୍କ ମତରେ, “ସମଷ୍ଟିଗତ ଅର୍ଥନୀତି ବ୍ୟକ୍ତିଗତ ଉତ୍ପାଦର ପରିମାଣ, ବ୍ୟକ୍ତିଗତ ଆୟ, ନିର୍ଦ୍ଦିଷ୍ଟ ଦାମ, ବ୍ୟକ୍ତିଗତ ଉତ୍ପାଦ ବିଷୟ ଆଲୋଚନା ନକରି ସମୂହ ଉତ୍ପାଦ, ଜାତୀୟ ଆୟ, ଦାମ୍ ସ୍ତର, ଜାତୀୟ ଉତ୍ପାଦ ବିଷୟ ଆଲୋଚନା କରିଥାଏ ।’’
ପରିସର :
(1) ଜାତୀୟ ଆୟ – ଆଧୁନିକ ଅର୍ଥ ବ୍ୟବସ୍ଥାରେ ସମଷ୍ଟି ଅର୍ଥନୀତିର ପରିସର ଖୁବ୍ ବ୍ୟାପକ । ଏହା ଜାତୀୟ ଆୟ ଅଭିଧାରଣା ସଂପର୍କରେ ସମ୍ୟକ୍ ଦୃଷ୍ଟି ନିକ୍ଷେପ କରିଥାଏ । ଏହି ଅର୍ଥନୀତି ଜାତୀୟ ଆୟର ସଂଜ୍ଞା ନିରୂପଣ, ଏହାର ବିଭିନ୍ନ ଉପାଦାନ ଓ ଏହାର ପରିମାପ ସଂପର୍କରେ ଆଲୋଚନା କରିଥାଏ । ତେଣୁ ଜାତୀୟ ଆୟ ତତ୍ତ୍ଵର ବିଶ୍ଳେଷଣ ଏହି ବିଭାଗର ପରିସରଭୁକ୍ତ ।
(2) ଉତ୍ପାଦ, ଆୟ ଓ ନିୟୋଜନର ସ୍ତର – ସମଷ୍ଟି ଅର୍ଥନୀତି, ଦେଶର ଜାତୀୟ ଉତ୍ପାଦ, ଆୟ ଏବଂ ନିୟୋଜନ ସ୍ତର ନିର୍ଦ୍ଧାରଣ କରିଥାଏ । ଏହି ନିର୍ଦ୍ଧାରଣ କ୍ଷେତ୍ରରେ ଏଥ୍ ସହିତ ଜଡ଼ିତ ଉପାଦାନମାନଙ୍କର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥାଏ ।
(3) ବଣ୍ଟନ ତତ୍ତ୍ବ – କୌଣସି ଅର୍ଥ ବ୍ୟବସ୍ଥାରେ ସମଷ୍ଟି ଅର୍ଥନୀତି ବଣ୍ଟନ ତତ୍ତ୍ଵର ବିଶ୍ଳେଷଣ କରିଥାଏ । ଏହି ସମଷ୍ଟି ଆର୍ଥନୀତିକ ବଣ୍ଟନତତ୍ତ୍ଵ ଜାତୀୟ ଆୟର ବଣ୍ଟନ ପ୍ରକ୍ରିୟା ସଂପର୍କରେ ଅବଗତ କରାଇଥାଏ ଓ ଏହି ବଣ୍ଟନରୁ ଉପାଦାନମାନଙ୍କର ଅଂଶ ସଂପର୍କରେ ସୂଚନା ମିଳିଥାଏ ।
(4) ଅର୍ଥନୈତିକ ବିକାଶ – ଅର୍ଥନୈତିକ ଉନ୍ନୟନ ବା ବିକାଶ ଭଳି ଗୁରୁତ୍ଵପୂର୍ଣ୍ଣ ଅଧ୍ୟୟନ ସମଷ୍ଟି ଅର୍ଥନୀତିର ବିଷୟଭୁକ୍ତ ହୋଇଥାଏ ।
(5) ଆନ୍ତର୍ଜାତିକ ବାଣିଜ୍ୟ ତତ୍ତ୍ବ – ସମଷ୍ଟି ଅର୍ଥନୀତି ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ଓ ଏ ସଂପର୍କିତ ନୀତି ସଂପର୍କରେ ଆଲୋକପାତ କରିଥାଏ ।
(6) ଦାମ୍ ସ୍ତର – ସମଷ୍ଟିଗତ ଅର୍ଥନୀତି ସାଧାରଣ ଦାମ୍ ସ୍ତରର ହ୍ରାସ ଓ ବୃଦ୍ଧିଜନିତ ପ୍ରକ୍ରିୟାକୁ ପ୍ରତିଫଳିତ କରିଥାଏ । ଅନ୍ୟ ଅର୍ଥରେ ଏହା ସ୍ତ୍ରୀତି ଓ ଅବସ୍ତୀତି ସଂପର୍କରେ ଆଲୋଚନା କରିଥାଏ ।
ଗୁରୁତ୍ଵ – ନିମ୍ନଲିଖିତ ଉପାଦାନଗୁଡ଼ିକ ସମଷ୍ଟି ଅର୍ଥନୀତିର ଗୁରୁତ୍ବ ସଂପର୍କରେ ସୂଚନା ପ୍ରଦାନ କରିଥାଏ ।
(1) ଅର୍ଥବ୍ୟବସ୍ଥାର ପରିଚାଳନା ସଂପର୍କରେ ଧାରଣା ସମଷ୍ଟି ଅର୍ଥନୀତି, ଅର୍ଥ ବ୍ୟବସ୍ଥାର ପରିଚାଳନା ତଥା କାର୍ଯ୍ୟଧାରା ସଂପର୍କରେ ଅବଗତ କରାଇଥାଏ । ଏହା ଅର୍ଥ ବ୍ୟବସ୍ଥାର ପ୍ରଚଳିତ ବୈଶିଷ୍ଟ୍ୟ ପ୍ରଦାନ କରିବା ସହ ଜଡ଼ିତ ଅର୍ଥନୈତିକ ଆଭିମୁଖ୍ୟ, ସମସ୍ୟା; ଯଥା – ଆୟ, ଉତ୍ପାଦ ଓ ନିୟୋଜନ ସଂପର୍କିତ ସମସ୍ୟା ଓ ସାଧାରଣ ଦାମ୍ର ସ୍ତର ସଂପର୍କିତ ସମସ୍ୟା ପ୍ରତିଫଳିତ କରାଇଥାଏ । ଏସବୁ ତଥ୍ୟ ପ୍ରଦାନ କରୁଥିବାରୁ ଏହାର ଗୁରୁତ୍ଵ ସହଜରେ ଅନୁମେୟ ।
(2) ବ୍ୟକ୍ତିଗତ ଏକକର ଆଚରଣ ସଂପର୍କରେ ସୂଚନା – ଏହି ଅର୍ଥନୀତି ଅର୍ଥ ବ୍ୟବସ୍ଥାର ସାମୂହିକ ତଥ୍ୟ ପରିବେଷଣ କରିବା ସହ ବ୍ୟକ୍ତିଗତ ନିର୍ଦ୍ଦିଷ୍ଟ ଏକକର ଆଚରଣ ସଂପର୍କରେ ସୂଚନା ଦେଇଥାଏ । ଉଦାହରଣସ୍ୱରୂପ, କୌଣସି ନିର୍ଦ୍ଦିଷ୍ଟ ଉତ୍ପାଦର ଚାହିଦା ଅର୍ଥ ବ୍ୟବସ୍ଥାର ସାମୂହିକ ଚାହିଦା ଉପରେ ନିର୍ଭର କରେ । ନିର୍ଦ୍ଦିଷ୍ଟ ଦ୍ରବ୍ୟର ଚାହିଦାର ବୃଦ୍ଧି ଓ ହ୍ରାସଜନିତ ଅବସ୍ଥା ସାମୂହିକ ଚାହିଦାର ଅନୁକୂଳ ବା ପ୍ରତିକୂଳ ଅବସ୍ଥା ଉପରେ ନିର୍ଭର କରିଥାଏ । ତେଣୁ ଏହି ଦୃଷ୍ଟିକୋଣରୁ ଏକ ବ୍ୟକ୍ତିକ ବିଶ୍ଲେଷଣ କ୍ଷେତ୍ରରେ ମଧ୍ୟ ସମଷ୍ଟିଗତ ଅର୍ଥନୀତିର ଭୂମିକା ରହିଛି ।
(3) ଅର୍ଥନୈତିକ ଯୋଜନା – ସମଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ନୀତି, ଯୋଜନା ପ୍ରଣୟନ କ୍ଷେତ୍ରରେ ଅତିମାତ୍ରାରେ ସାହାଯ୍ୟ କରିଥାଏ । ମୁଦ୍ରାସ୍ତ୍ରୀତି, ଜନବିସ୍ଫୋରଣ, ସ୍ୱଳ୍ପ ଉତ୍ପାଦନ କ୍ଷେତ୍ରରେ ସମଷ୍ଟି ଅର୍ଥନୀତି ଉପଯୁକ୍ତ ଦିଗ୍ଦର୍ଶନ ଦେଇଥାଏ ।
(4) ଜାତୀୟ ଆୟର ଅଧ୍ୟୟନ – ଆଧୁନିକ କାଳରେ କୌଣସି ଦେଶର ଆର୍ଥିକ ଅବସ୍ଥା ସଂପର୍କରେ ଜାତୀୟ ଆୟ ହିଁ ସୂଚନା ପ୍ରଦାନ କରିଥାଏ । ତେଣୁ ନୀତି ପ୍ରଣୟନ କ୍ଷେତ୍ରରେ ପ୍ରତିଟି ଦେଶ ଜାତୀୟ ଆୟ ସଂପର୍କରେ ସମ୍ୟକ୍ ଧାରଣା ପାଇବାପାଇଁ ଆଗ୍ରହ ପ୍ରକାଶ କରିଥା’ନ୍ତି । ଏ ସମ୍ବନ୍ଧୀୟ ତଥ୍ୟ ସମଷ୍ଟି ଅର୍ଥନୀତି ହିଁ ପ୍ରଦାନ କରିଥାଏ ।
(5) ସାଧାରଣ ଦାମ୍ ସ୍ତରରେ ପରିବର୍ତ୍ତନ – ସାଧାରଣ ଦାମ୍ ସ୍ତରରେ ପରିବର୍ତ୍ତନ ଓ ମୁଦ୍ରାର ମୂଲ୍ୟ ମଧ୍ଯରେ ନିବିଡ଼ ସଂପର୍କ ରହିଛି । ପ୍ରଥମଟିର ବୃଦ୍ଧି, ଅନ୍ୟଟିର ହ୍ରାସ ଘଟାଏ ଓ ପ୍ରଥମଟିର ହ୍ରାସ ଅନ୍ୟଟିର ବୃଦ୍ଧି ଘଟାଏ । ଏହି ପରିବର୍ତ୍ତନ ସମଷ୍ଟି ଅର୍ଥନୀତିର ବିଶ୍ଳେଷଣ ଓ ଅନୁଶୀଳନରୁ ହିଁ ପ୍ରତୀୟମାନ ହୋଇଥାଏ ।
ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କରାଗଲେ ସମଷ୍ଟି ଅର୍ଥନୀତିର ପ୍ରଭୂତ ଗୁରୁତ୍ଵ ରହିଛି । ଆଧୁନିକ ଅର୍ଥବ୍ୟବସ୍ଥାରେ ସମଷ୍ଟି ଅର୍ଥନୀତିର ଅଧ୍ୟୟନ ଅତ୍ୟନ୍ତ ଅପରିହାର୍ଯ୍ୟ ।
ସୀମାବଦ୍ଧତା – ‘ସମଷ୍ଟିଗତ ଅର୍ଥନୀତି’ର ଅଧ୍ୟୟନରେ ନିମ୍ନଲିଖିତ ଦୋଷତ୍ରୁଟି ପରିଲକ୍ଷିତ ହୋଇଥାଏ ।
(1) ଅତିରଞ୍ଜିତ ଉପସ୍ଥାପନା – ଅର୍ଥବ୍ୟବସ୍ଥାର ଏକକମାନଙ୍କର ସାମଗ୍ରିକ ଅଧୟନ ହିଁ ସମଷ୍ଟିଗତ ଅର୍ଥନୀତିର ବିଷୟବସ୍ତୁ । ଏହା ଏକକମାନଙ୍କର ସାମୂହିକ ପରିପ୍ରକାଶ କରୁଥିବାରୁ ଏହା ଅର୍ଥନୈତିକ ପରିସ୍ଥିତି ବା ଅବସ୍ଥାକୁ ସର୍ବଦା ସ୍ୱାଭାବିକ ତଥା ସ୍ଵଚ୍ଛଳ ବୋଲି ଉପସ୍ଥାପନା କରିଥାଏ । ମାତ୍ର ନିର୍ଦ୍ଦିଷ୍ଟ ଏକକଗୁଡ଼ିକ ସମଜାତୀୟ ନହୋଇ ବିଷମଜାତୀୟ ହୋଇଥିବାରୁ ସାମୂହିକଭାବେ ପ୍ରତିପାଦିତ ହୋଇଥିବା ସ୍ଵାଭାବିକ ଅବସ୍ଥା ବାସ୍ତବତା ଦୃଷ୍ଟିକୋଣରୁ ଭିନ୍ନ ହୋଇଥାଏ । ଏ ଦୃଷ୍ଟିକୋଣରୁ ସମଷ୍ଟି ଅର୍ଥନୀତି ବାସ୍ତବିକତାରୁ ଦୂରରେ ବୋଲି ବିଚାର କରାଯାଏ ।
(2) ବ୍ୟକ୍ତିଗତ ଏକକମାନଙ୍କ ମଧ୍ୟରେ ଭିନ୍ନତା ବା ପାର୍ଥକ୍ୟ – ସମଷ୍ଟି ଅର୍ଥନୀତି ସାମଗ୍ରିକ ଭାବେ ପରିପ୍ରକାଶ କରୁଥିବା ନିର୍ଦ୍ଦିଷ୍ଟ ଏକକମାନଙ୍କ ମଧ୍ୟରେ ଭିନ୍ନତା ବା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଯେତେବେଳେ ସମଷ୍ଟି ଅର୍ଥନୀତି ଏହିସବୁ ଉପାଦାନମାନଙ୍କ ସାମୂହିକ ଉପସ୍ଥାପନ କରିଥାଏ, ଏହି ଉପାଦାନମାନଙ୍କ ସମ୍ବନ୍ଧୀୟ ମୌଳିକ ତଥ୍ୟ ଅପରିପ୍ରକାଶିତ ଥାଏ କାରଣ ଏହି ନିର୍ଦ୍ଦିଷ୍ଟ ଏକକମାନଙ୍କର ବୈଶିଷ୍ଟ୍ୟରେ ବିଶେଷ ଭିନ୍ନତା ରହିଥାଏ । ବେଳେବେଳେ ନିର୍ଦ୍ଦିଷ୍ଟ ଉପାଦାନମାନଙ୍କର ବୈଶିଷ୍ଟ୍ୟ ବା ଲକ୍ଷଣ ସାମୁହିକ ଉପସ୍ଥାପନା ବେଳେ ଉପଲବଧୂ କରାଯାଏନା ।
(3) ସମାଜକୁ ସମଧାରାରେ ପ୍ରଭାବିତ କରିବାକୁ ଅକ୍ଷମ – ଏକ ସାମୂହିକ ଉପସ୍ଥାପନା ସମାଜର ସବୁସ୍ତରକୁ ପ୍ରଭାବିତ କରିପାରେନାହିଁ । ଉଦାହରଣସ୍ୱରୂପ ମୁଦ୍ରାଷ୍ଟୀତି ସମାଜର ସବୁବର୍ଗର ଲୋକଙ୍କ ଉପରେ ସମପ୍ରଭାବ ପକାଇ ନଥାଏ । କେତେକ ବର୍ଗର ବ୍ୟକ୍ତି ଏହି ପ୍ରଭାବରୁ ମୁକ୍ତ ରହିଥା’ନ୍ତି ।
ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କରାଗଲେ ସମଷ୍ଟି ଅର୍ଥନୀତିର କେତେକ ଦୋଷତ୍ରୁଟି ରହିଛି । ମାତ୍ର ଏହି ଦୋଷତ୍ରୁଟି ବାସ୍ତବ ଦୃଷ୍ଟିକୋଣରୁ ସେତେଟା ଗୁରୁତ୍ଵପୂର୍ଣ୍ଣ ବୋଲି ଉପଲବ୍ଧ ହୁଏନା । ଏହାସତ୍ତ୍ବେ ବି ଆଧୁନିକ ସମୟରେ ସମଷ୍ଟି ଅର୍ଥନୀତିର ଗୁରୁତ୍ଵ ସମସ୍ତେ ଅନୁଭବ କରିଥା’ନ୍ତି ।
2. ବ୍ୟଷ୍ଟି ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର କ’ଣ ବୁଝାଇ ଲେଖ ।
Answer:
ଅର୍ଥଶାସ୍ତ୍ରକୁ ଅଧ୍ୟୟନ କଲାବେଳେ ଏହାକୁ ସମୂହଗତ ବା ବ୍ୟକ୍ତିକ ଦୃଷ୍ଟିକୋଣରୁ ବିଚାର କରାଯାଏ ଓ ଏହା ମଧ୍ୟ ଅଧ୍ୟୟନର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ମାତ୍ର ଏହି ଚିନ୍ତାଧାରାର ସୃଷ୍ଟି ଅତୀବ ପୂରାତନ ନୁହେଁ । 1933 ମସିହାରେ ଓସ୍ ବିଶ୍ଵ ବିଦ୍ୟାଳୟର ପ୍ରଫେସର ରାଗ୍ନର ଫ୍ରିସ୍କ (Ragner Frisch of Oslo University) ପ୍ରଥମେ ଏହି ଚିନ୍ତାଧାରର ସୃଷ୍ଟି କରିଥିଲେ ଓ ଏହା ପରଠାରୁ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳେ ।
ବ୍ୟକ୍ତିକ ଅର୍ଥଶାସ୍ତ୍ର (Micro Economics)
ଅର୍ଥଶାସ୍ତ୍ରକୁ ଆମେ ଯେତେବେଳେ ଅର୍ଥବ୍ୟବସ୍ଥାର ଏକ କ୍ଷୁଦ୍ରାଶକୁ ନେଇ ଆଲୋଚନା କରୁ, ଏହା ବ୍ୟକ୍ତିକ ଅର୍ଥଶାସ୍ତ୍ରର ଗୁଣ ପ୍ରକାଶ କରେ । ଏଠାରେ ବ୍ୟକ୍ତିଗତ ଆର୍ଥନୀତିକ ଆଚରଣକୁ ଆଲୋଚନା କରାଯାଏ । ବ୍ୟକ୍ତିଗତ ଆର୍ଥନୀତିକ ଆଚରଣକୁ ଆଲୋଚନା କରିବା ଅର୍ଥ ବ୍ୟବସ୍ଥାର କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଏକକୁ ସମଷ୍ଟିଗତ ଦୃଷ୍ଟିକୋଣରୁ ଆଲୋଚନା କରିବା ସମ୍ଭବ ହେଲେ ହେଁ ସେହି ବ୍ୟକ୍ତି ବା ଏକକକୁ ସ୍ବତନ୍ତ୍ର ଭାବରେ ଆଲୋଚନା କରି କେବଳ ସେହି ବ୍ୟକ୍ତି ବା ଏକକର ଆଚରଣକୁ ପ୍ରକାଶ କରିବ । ଅନ୍ୟ ଅର୍ଥରେ କୌଣସି ଗୋଷ୍ଠୀବଦ୍ଧ ଏକକଗୁଡିକ ମଧ୍ୟରୁ ଏକ ନିର୍ଦ୍ଦିଷ୍ଟ ଏକକକୁ ଅଧ୍ୟୟନ କରିବା ତେଣୁ, ବ୍ୟକ୍ତିକ ଅର୍ଥଶାସ୍ତ୍ର ପ୍ରଥମେ ଯେଉଁ ବୈଶିଷ୍ଟ୍ୟ ପ୍ରତିପାଦନ କରେ ତାହା ହେଲା- ଗୋଷ୍ଠୀବଦ୍ଧ ଏକକଗୁଡିକ ମଧ୍ୟରୁ କୌଣସି ଏକ ନିର୍ଦ୍ଦିଷ୍ଟ ଏକକର ଆଚରଣକୁ ସ୍ବତନ୍ତ୍ର ଭାବେ ଅଧ୍ୟୟନ କରିବା ଯାହା ଗୋଷ୍ଠୀବଦ୍ଧ ନୁହେଁ । ସେପରି ଏକକର ଅଧ୍ୟୟନ ବ୍ୟକ୍ତିକ ଅର୍ଥଶାସ୍ତ୍ରର ପରିସରଭୁକ୍ତ ହୋଇ ନଥାନ୍ତି । ତେଣୁ, ବ୍ୟକ୍ତିକ ଅର୍ଥଶାସ୍ତ୍ର ଯେଉଁ ଏକକ ଆଚରଣ ପ୍ରକାଶ କରେ ତାହା ଅର୍ଥବ୍ୟବସ୍ଥାର ମଧ୍ୟ ଏକ ଏକକ ରୂପେ ବିବେଚିତ ହୋଇଥିବା ଆବଶ୍ୟକ । ତେଣୁ, ଏହା କେବଳ ଗୋଷ୍ଠୀଗତ ଗୁଣ ପ୍ରକାଶ କରୁଥିବା ଏକକମାନଙ୍କ ଅଧ୍ୟୟନକୁ ବୁଝାଏ ।
ଉଦାହରଣ ସ୍ଵରୂପ ରାମର ଆୟ 1 ଘଣ୍ଟା ପ୍ରତି ଦର ଇତ୍ୟାଦି । ରାମର ଆୟ ଏକ ବ୍ୟକ୍ତିଗତ ଆଲୋଚନା ହେଲେ ଏହାର ସମଷ୍ଟିଗତ ଗୁଣରୁ ଆମେ ଜାତୀୟ ଆୟ ଜାଣିପାରୁ । ସେହିପରି ଘଣ୍ଟା ପ୍ରତି ଦର ମଧ୍ୟ ସାଧାରଣ ବଜାର ଦର ନିର୍ଦ୍ଧାରଣରେ ସହାୟକ ହୁଏ ।
ପୁନଶ୍ଚ, ବ୍ୟକ୍ତିକ ଅର୍ଥଶାସ୍ତ୍ର ଅର୍ଥ ବ୍ୟବସ୍ଥାର କ୍ଷୁଦ୍ରାଶ ବା ବ୍ୟକ୍ତିଗତ କ୍ଷେତ୍ରର ଆଲୋଚନାକୁ ବୁଝାଇଲେ ହେଁ ଏହା ସର୍ବଦା କେବଳ ନିର୍ଦ୍ଦିଷ୍ଟ ଏକକର ଅଧ୍ୟୟନକୁ ବୁଝାଇ ନଥାଏ । ବେଳେବେଳେ ଏହା କେତେକ ଏକକଗୁଡ଼ିକର ସମଷ୍ଟିରେ ସୃଷ୍ଟ ଛୋଟ ଛୋଟ ଦଳ ବା ଗୋଷ୍ଠୀକୁ ମଧ୍ୟ ବୁଝାଇନଥାଏ । ବେଳେବେଳେ ଏହା କେତେକ ଏକକଗୁଡିକର ସମଷ୍ଟିରେ ସୃଷ୍ଟ ଛୋଟ ଛୋଟ ଦଳ ବା ଗୋଷ୍ଠୀକୁ ମଧ୍ୟ ବୁଝାଇଥାଏ । ଅର୍ଥାତ୍, ଐକିକ ଅଧ୍ୟୟନ ସର୍ବଦା ପ୍ରତି ଏକକର ଅଧ୍ୟୟନ ପରିବର୍ତ୍ତେ ବେଳେବେଳେ କେତେକ ଏକକଗୁଡିକର ସମଷ୍ଟିରୁ ସୃଷ୍ଟ ଛୋଟ ଛୋଟ ଗୋଷ୍ଠୀ ବା ଦଳକୁ ମଧ୍ଯ ବୁଝାଇଥାଏ । ମାତ୍ର ଏଠାରେ ଗୋଷ୍ଠୀର ଆଚରଣକୁ ସମୂହ ଗତି ଅର୍ଥରେ ବିଚାର କରାନଯାଇ ବ୍ୟକ୍ତିଗତ ଅର୍ଥରେ ବା ଐକିକ ଦୃଷ୍ଟିକୋଣରୁ ବିଚାର କରାଯାଏ । ଉଦାହରଣ ସ୍ଵରୂପ ଏକ ଶ୍ରେଣୀ । ଗୋଟିଏ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ସମଷ୍ଟିରୁ ଉତ୍ପନ୍ନ । ମାତ୍ର, ଏହା ଯେତେବେଳେ ବିଭିନ୍ନ ଶ୍ରେଣୀ ମଧ୍ଯରୁ ଗୋଟିଏ ବୋଲି ବିଚାର କରାଯାଏ, ଏହା ସାମୂହିକ ଅର୍ଥ ପରିବର୍ତ୍ତେ ଐକିକ ଭାବ ପ୍ରକାଶ କରେ ।
ତେଣୁ ବ୍ୟକ୍ତିକ ଅର୍ଥଶାସ୍ତ୍ର ଅର୍ଥ ବ୍ୟବସ୍ଥାର ଏକ ନିର୍ଦ୍ଦିଷ୍ଟ ଏକକ ବା କିଛି ଏକକ ସମ୍ମିଶ୍ରଣରୁ ଉତ୍ପନ୍ନ ଛୋଟ ଛୋଟ ଗୋଷ୍ଠୀକୁ ବିଚାର କଲେ ହେଁ ସର୍ବଦା ଐକିକ ଆର୍ଥିକ ଆଚରଣର ଭାବବ୍ୟକ୍ତ କରିଥାଏ । ଅର୍ଥଶାସ୍ତ୍ରକୁ ଐକିକ ଚିନ୍ତାଧାରାରୁ ବିଚାର କରିବା ମଧ୍ୟ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ପ୍ରଥମେ, ଏହା ଅର୍ଥ ବ୍ୟବସ୍ଥା ପ୍ରତି ଏକ ସାଧାରଣ ଧାରଣା ସୃଷ୍ଟି କରେ । ବ୍ୟକ୍ତିକୁ ଲକ୍ଷ୍ୟ କରି ଆମେ ଅର୍ଥ ବ୍ୟବସ୍ଥା ପ୍ରତି ବିଭିନ୍ନ ସିଦ୍ଧାନ୍ତରେ ଉପନୀତ ହୋଇଥାଉ । ଦ୍ୱିତୀୟ, ବିଭିନ୍ନ ନୀତି ପ୍ରଣୟନ କ୍ଷେତ୍ରରେ ଏହାର ଉପଯୋଗିତା ମଧ୍ୟ ଅଧ୍ଵ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହିଁ ଆର୍ଥନୀତିକ ସମସ୍ୟାର ସମାଧାନର ମୂଳ ଉତ୍ସ ରୂପେ ବିବେଚନା କରାଯାଏ । ତୃତୀୟ, ଏହା ସମୀପ ସମ୍ବଳର ସଦୁପଯୋଗରେ ସହାୟକ ହୁଏ । ଚତୁର୍ଥ, କର ନିର୍ଦ୍ଧାରଣ ଲାଗି ଏହା ସହାୟତା ପ୍ରଦାନ କରେ । ଏସବୁ ସତ୍ତ୍ବେ ଏହା ମଧ୍ୟ କେତେକ ଦୁର୍ଗୁଣ ପ୍ରକାଶ କରେ । ଏହା ଅର୍ଥ ବ୍ୟବସ୍ଥା ପ୍ରତି ସାଧାରଣ ଧାରଣା ସୃଷ୍ଟି କଲେ ହେଁ ସର୍ବଦା ସତ୍ୟ ହୁଏ ନାହିଁ । ତେଣୁ, ସାମୂହିକ ଆଚରଣକୁ ଅବହେଳା କରେ । ତଥାପି, ଅର୍ଥଶାସ୍ତ୍ରର ଅଧ୍ୟୟନ କ୍ଷେତ୍ରରେ ବ୍ୟକ୍ତିକ ଅର୍ଥଶାସ୍ତ୍ରକୁ ମୂଳପିଣ୍ଡ ରୂପେ ବିବେଚନା କରାଯାଇ ଆସୁଅଛି ।
3. ସମଷ୍ଟିଗତ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ରର ଅଧ୍ୟୟନ ସ୍ଥଳେ ଅର୍ଥ ବ୍ୟବସ୍ଥାକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଯଥା- ସମଷ୍ଟିଗତ ବା ବ୍ୟକ୍ତିଗତ ଭାବରେ ଆଲୋଚନା କରାଯାଇପାରେ । ଏଠାରେ ଅର୍ଥ ବ୍ୟବସ୍ଥାକୁ ବିଭିନ୍ନ ଏକକ ଗୁଡ଼ିକୁ ମିଳିତ ଅଧ୍ୟୟନ କରିବାକୁ ସମଷ୍ଟିଗତ ଅର୍ଥଶାସ୍ତ୍ର ଓ ବିଭିନ୍ନ ଏକକଗୁଡିକ ମଧ୍ୟରୁ କୌଣସି ଏକକଙ୍କୁ ସ୍ବତନ୍ତ୍ର ଭାବେ ଅଧ୍ୟୟନ କରିବାକୁ ବ୍ୟକ୍ତିକ ଅର୍ଥଶାସ୍ତ୍ର ବୋଲି କୁହାଯାଏ । ତେଣୁ, ଏକ ପକ୍ଷରେ ସାମୂହିକ ଭାବ ବା ଆଚରଣ ବ୍ୟକ୍ତ ହେବାବେଳେ ଅନ୍ୟ ପକ୍ଷରେ ଐକିକ ଆଚରଣ ପ୍ରକାଶ ପାଇଥାଏ । ଏହି ଦୁଇ ଚିନ୍ତାଧାରା ମଧ୍ଯରେ ଆମେ କେତେକ ପାର୍ଥକ୍ୟ ମଧ୍ୟ ଦେଖିବାକୁ ପାଉ । ସେଗୁଡିକ ନିମ୍ନରେ ଆଲୋଚନା କରାଗଲା ।
ସମଷ୍ଟିଗତ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ (Difference between Macro and Micro Economics)
(କ) ସମଷ୍ଟିଗତ ପାର୍ଥକ୍ୟ
(ଖ) ଲକ୍ଷ୍ୟଗତ ପାର୍ଥକ୍ୟ
(ଗ) ବିଷୟବସ୍ତୁଗତ ପାର୍ଥକ୍ୟ
(ଘ) ଅଧ୍ୟୟନ ମାଧ୍ଯମଗତ ପାର୍ଥକ୍ୟ
(ଙ) ଧାରଣାଗତ ପାର୍ଥକ୍ୟ
(ଚ) ସନ୍ତୁଳନରେ ପାର୍ଥକ୍ୟ
(ଛ) ଦ୍ବନ୍ଦାତ୍ମକ ପାର୍ଥକ୍ୟ
(କ) ସମଷ୍ଟିଗତ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ (Difference between Macro and Micro Economics) : ସମଷ୍ଟିଗତ ଅର୍ଥଶାସ୍ତ୍ର, ଅର୍ଥ ବ୍ୟବସ୍ଥାର ପ୍ରତ୍ୟେକ ଏକକଗୁଡିକୁ ମିଳିତ ଅନୁଧ୍ୟାନ କରି ଆର୍ଥନୀତିକ ଆଚରଣ ପ୍ରକାଶ କରିବା ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କେବଳ ଏକ ନିର୍ଦ୍ଦିଷ୍ଟ ଏକକର ଅଧ୍ୟୟନରୁ ସୀମିତ ଆଚରଣ ପ୍ରକାଶ କରିଥାଏ । ତେଣୁ, ସମଷ୍ଟିଗତ ଅଧ୍ୟୟନ ଅର୍ଥ ବ୍ୟବସ୍ଥାର ମୋଟାମୋଟି ଅଧ୍ୟୟନ ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ଏହାର ଅଂଶବିଶେଷ ଅଟେ । ତେଣୁ, ସମଷ୍ଟିଗତ ଅର୍ଥଶାସ୍ତ୍ରର ବ୍ୟକ୍ତିକ ଅର୍ଥଶାସ୍ତ୍ର ଏକ ଅଂଶବିଶେଷ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ରର ସମଷ୍ଟିଗତ ଆଚରଣକୁ ସମଷ୍ଟିଗତ ଅର୍ଥଶାସ୍ତ୍ର ବୁଝାଏ ।
ଉଦାହରଣ ସ୍ଵରୂପ, ସମଷ୍ଟିଗତ ଅର୍ଥଶାସ୍ତ୍ର ଜାତୀୟ ଆୟର ଅଧ୍ୟୟନ କରିବା ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କେବଳ ବ୍ୟକ୍ତିର ଆୟକୁ ଅଧ୍ୟୟନ କରିଥାଏ । ମାତ୍ର ବ୍ୟକ୍ତି ଆୟ, ଜାତୀୟ ଆୟ ଅନ୍ତର୍ଭୁକ୍ତ ଓ ବ୍ୟକ୍ତି ଆୟର ସମଷ୍ଟି ମଧ୍ୟ ଜାତୀୟ ଆୟ ସଙ୍ଗେ ସମାନ ।
(ଖ) ଲକ୍ଷ୍ୟଗତ ପାର୍ଥକ୍ୟ (Difference in Objective): ସମଷ୍ଟିଗତ ଅର୍ଥଶାସ୍ତ୍ର ସାଧାରଣତଃ ପ୍ରତ୍ୟେକ ସ୍ଥଳେ ଅଭିବୃଦ୍ଧିର ଲକ୍ଷ୍ୟ ପୋଷଣ କରୁଥିବା ବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ବ୍ୟବହାରିକ ମୂଲ୍ୟବୋଧ ପ୍ରତି ପ୍ରାଧାନ୍ୟତା ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ, କୌଣସି ଅର୍ଥ ବ୍ୟବସ୍ଥାରେ ସମ୍ବଳକୁ ଚାବିକାଠି ସଦୃଶ ଗୁରୁତ୍ୱର ସହ ବିଚାର କଲେ ସମଷ୍ଟିଗତ ଅର୍ଥବ୍ୟବସ୍ଥା ସର୍ବଦା ସମ୍ବଳ ବୃଦ୍ଧି ପ୍ରତି ଧ୍ୟାନ ଅର୍ପଣ କରିବା ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ସମ୍ବଳର ସଦୁପଯୋଗ ଓ ପୂର୍ଣ୍ଣ ବିନିଯୋଗ ପ୍ରତି ଧ୍ୟାନ ଅର୍ପଣ କରେ । ତେଣୁ, ସମଷ୍ଟିଗତ ଅର୍ଥ ବ୍ୟବସ୍ଥା ପ୍ରଗତିମୂଳକ ସ୍ଥଳେ ବ୍ୟକ୍ତିକ ଅର୍ଥ ବ୍ୟବସ୍ଥା ପ୍ରତି ଏକକର ସର୍ବୋତ୍କୃଷ୍ଟ କାର୍ଯ୍ୟକାରିତା ପ୍ରତି ଧ୍ୟାନ ଦିଏ । ଏଠାରେ ଉଭୟ ଲକ୍ଷ୍ୟ ମଧ୍ୟ ପରିପୂରକ । ବ୍ୟକ୍ତିକ ସର୍ବୋତ୍କୃଷ୍ଟ କାର୍ଯ୍ୟକାରିତାରୁ ହିଁ ପ୍ରଗତି ସମ୍ଭବ ହୋଇପାରିଥାଏ ।
(ଗ) ବିଷୟବସ୍ତୁଗତ ପାର୍ଥକ୍ୟ (Difference in Subject matter) : ସମଷ୍ଟିଗତ ଅର୍ଥଶାସ୍ତ୍ର ସର୍ବଦା ଅର୍ଥ ବ୍ୟବସ୍ଥା ମୋଟାମୋଟି ଦିଗଗୁଡ଼ିକ ପ୍ରତି ଧ୍ୟାନ ଅର୍ପଣ କରେ ବା ପାଥେୟ କରେ । ମାତ୍ର ବ୍ୟକ୍ତିକ ଅର୍ଥଶାସ୍ତ୍ର ବ୍ୟକ୍ତି ସମସ୍ୟାକୁ ନେଇ ଗଢ଼ି ଉଠେ ଓ ଏହାର ସମାଧାନର ସୂତ୍ର ବାହାର କରେ । ଉଦାହରଣ ସ୍ୱରୂପ, ସମଷ୍ଟିଗତ ଅର୍ଥଶାସ୍ତ୍ର ପୂର୍ଣ୍ଣ ନିୟୋଜନ, ଜାତୀୟ ଆୟ, ସାଧାରଣ ବଜାର ଦର, ବାଣିଜ୍ୟିକ ଉତ୍ଥାନ ଓ ପତନ, ଆର୍ଥିକ ଅଭିବୃଦ୍ଧି ଆଦି କ୍ଷେତ୍ରଗୁଡ଼ିକୁ ମୁଖ୍ୟତଃ ଆଲୋଚନା କଲାବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ବଜାର ଦର, ଉପଭୋକ୍ତାଙ୍କ ସନ୍ତୁଳନ, ବଣ୍ଟନ, ଜନମଙ୍ଗଳ ଆଦି ଦିଗଗୁଡ଼ିକୁ ବିଶେଷ କରି ଆଲୋଚନା କରେ ।
(ଘ) ଅଧ୍ୟୟନ ମାଧ୍ଯମଗତ ପାର୍ଥକ୍ୟ (Difference in Method of study) : ସମଷ୍ଟିଗତ ଅର୍ଥଶାସ୍ତ୍ରରେ ସାଧାରଣ ସନ୍ତୁଳନ ଅବସ୍ଥା ପ୍ରତି ଗୁରୁତ୍ୱ ପ୍ରଦାନ କରାଗଲାବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କ୍ଷେତ୍ରରେ ଆଂଶିକ ସନ୍ତୁଳନ ଅବସ୍ଥା ପ୍ରତି ବିଶେଷ ଧାନ ପ୍ରଦାନ କରାଯାଇଥାଏ । ଏହି ଗୁଣରୁ ସମଷ୍ଟିଗତ ଅର୍ଥଶାସ୍ତ୍ରର ସମସ୍ତ ସୂତ୍ରଗୁଡ଼ିକ ଅନୁସନ୍ଧାନମୂଳକ ହୋଇଥିବାବେଳେ ବ୍ୟକ୍ତିକ ସୂତ୍ରଗୁଡିକ କେତେକ ଧାରଣା ଉପରେ ପର୍ଯ୍ୟବସିତ ହୋଇ କାରଣ ଓ ଫଳାଫଳ ମଧ୍ୟରେ ସମ୍ପର୍କ ସ୍ଥାପନ କରିଥାଏ ।
(ଙ) ଧାରଣାଗତ ପାର୍ଥକ୍ୟ (Difference in Assumption) : ବ୍ଯକ୍ତିକ ଅର୍ଥଶାସ୍ତ୍ରପୂର୍ଣ୍ଣ ନିୟୋଜନ, ସ୍ଥିର ଉତ୍ପାଦନ ଓ ଆୟ ଭଳି ଧାରଣା ଉପରେ ପର୍ଯ୍ୟବସିତ । ମାତ୍ର ସମଷ୍ଟିଗତ ଅର୍ଥଶାସ୍ତ୍ର ଏପରି ଧାରଣାଗୁଡ଼ିକୁ ପ୍ରତ୍ୟାଖାନ କରି ପରିବର୍ତ୍ତନୀୟ ସ୍ଥିତି ଉପରେ ପର୍ଯ୍ୟବସିତ ।
(ଚ) ସନ୍ତୁଳନର ପାର୍ଥକ୍ୟ (Difference of the forces of equilibrium) : ସମଷ୍ଟିଗତ ଅର୍ଥଶାସ୍ତ୍ର ସ୍ଥଳେ ସନ୍ତୁଳନ ନିର୍ଦ୍ଧାରଣ ଲାଗି ସମୂହଗତ ଭାବ ପ୍ରକାଶକାରୀ ଉପାଦାନମାନଙ୍କୁ ବିଚାର କରିବା ବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କ୍ଷେତ୍ରରେ ବ୍ୟକ୍ତିଗତ ଭାବ ପ୍ରକାଶକାରୀ ଉପାଦାନମାନଙ୍କୁ ବିଚାର କରି ସନ୍ତୁଳନ ରକ୍ଷା କରାଯାଏ । ଉଦାହରଣ ସ୍ୱରୂପ, ବ୍ୟକ୍ତିକ କ୍ଷେତ୍ରରେ ବ୍ୟକ୍ତିଗତ ଚାହିଦା ଓ ବ୍ୟକ୍ତିଗତ ଯୋଗାଣକୁ ନେଇ ସାଧାରଣ ବଜାର ଦର ନିର୍ଦ୍ଧାରଣ କରାଯାଇଥାଏ ।
(ଛ) ଦ୍ଵାହାତ୍ମକ ପାର୍ଥକ୍ୟ (Paradox of Value) : ସମଷ୍ଟିଗତ ଅର୍ଥଶାସ୍ତ୍ର, ବ୍ୟକ୍ତିକ ଅର୍ଥଶାସ୍ତ୍ରର ସମୂହଗତ ଅବସ୍ଥା ହେଲେହେଁ ବେଳେବେଳେ ଯାହା ସମଷ୍ଟିଗତ ଅର୍ଥଶାସ୍ତ୍ର ଲାଗି ବିଶେଷ ଉପାଦେୟ ତାହା ବ୍ୟକ୍ତିକ ଅର୍ଥଶାସ୍ତ୍ର ପ୍ରତି କ୍ଷତିକାରକ ହୋଇଥାଏ ଓ ଏହାର ବିପରୀତ ମଧ୍ୟ ସତ୍ୟ ହୋଇଥାଏ । ସର୍ବଶେଷରେ ଆମେ ଉଭୟଙ୍କ ପାର୍ଥକ୍ୟରୁ ଏହି ସିଦ୍ଧାନ୍ତରେ ଉପନୀତ ହେଉକି ଉଭୟ ମାତ୍ର ସ୍ଥଳବିଶେଷରେ ପୃଥକ; ମାତ୍ର ବାସ୍ତବତା ବହୁତ କମ୍ । ଯଥା- ଯାହା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥଳେ ବ୍ୟକ୍ତିକ ଭାବନା ପ୍ରକାଶ କରେ ତାହା ଅନ୍ୟସ୍ଥଳେ ସମଷ୍ଟିଗତ ଭାବନା ପ୍ରକାଶ କରିପାରେ ବା ଯାହା ବର୍ତ୍ତମାନ ସମଷ୍ଟିଗତ ଭାବନା ବ୍ୟକ୍ତ କରେ ତାହା ଅନ୍ୟସ୍ଥଳେ ବ୍ୟକ୍ତିକ ଭାବନା ପ୍ରକାଶ କରେ । ଉଦାହରଣ ସ୍ଵରୂପ, ଦେଶ ବିଶେଷରେ ଏକ ରାଜ୍ୟ ବ୍ୟକ୍ତିକ ଭାବନା ପ୍ରକାଶ କରେ । ମାତ୍ର ରାଜ୍ୟ ବିଶେଷରେ ସେହି ରାଜ୍ୟ ଜିଲ୍ଲାମାନଙ୍କ କ୍ଷେତ୍ରରେ ସମଷ୍ଟିଗତ ଗୁଣ ପ୍ରକାଶ କରିଥାଏ । ତେଣୁ, ଆମ ଉଭୟଙ୍କ ମଧ୍ୟରେ କେତେକ ଭାବନାଗତ ପାର୍ଥକ୍ୟ ସୃଷ୍ଟିକଲେ ହେଁ ସେମାନଙ୍କ ମଧ୍ୟରେ ରେଖାଙ୍କିତ ପାର୍ଥକ୍ୟତା ସୃଷ୍ଟି କରିବା ଏକ କଷ୍ଟକର ବ୍ୟାପାର ।
4. ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ ବର୍ଣନା କର ।
Answer:
ସମଷ୍ଟି ଅର୍ଥନୀତି ଏକ ବିରାଟ ସମୂହ ବିଷୟ; ଅର୍ଥାତ୍ ସମଗ୍ର ଅର୍ଥନୀତି କିପରି କାର୍ଯ୍ୟ କରୁଛି ତାହା ବର୍ଣ୍ଣନା କରେ । ଏହି ଅଧ୍ୟୟନରେ ମୁଖ୍ୟତଃ ଜାତୀୟ ଉତ୍ପାଦ, ମୋଟ ନିଯୁକ୍ତି, ସାମଗ୍ରିକ ଉପଭୋଗ, ମୋଟ ପୁଞ୍ଜି ନିବେଶ ଏବଂ ସାଧାରଣ ଦର ସ୍ତର ଆଲୋଚିତ ହୋଇଥାଏ । ତେଣୁ ସମଷ୍ଟି ଅର୍ଥନୀତି ବ୍ୟଷ୍ଟି ଏକକ ଅର୍ଥନୀତିର ସମାହାର, ଯଦିଓ ସମଷ୍ଟି ଅର୍ଥନୀତିର ପରିସର ବ୍ୟାପକ ଓ ପରିବର୍ତ୍ତନଶୀଳ । ତଥାପି ନିମ୍ନରେ ସମଷ୍ଟି ଅର୍ଥନୀତିର ପରିସର ଓ ବିଷୟବସ୍ତୁ ବର୍ଣ୍ଣନା କରାଯାଇଛି ।
(କ) ଜାତୀୟ ଆୟ : ସମଷ୍ଟି ଅର୍ଥନୀତିର ମୁଖ୍ୟ ବିଷୟ ଭାବରେ ଜାତୀୟ ଆୟ, ଏହାର ଆକଳନ ପଦ୍ଧତି, ବିଭିନ୍ନ ଅଂଶ, ଧାରଣା, ସାମାଜିକ ଆଲେଖନ ଆଦି ସ୍ଥାନ ପାଇଥାଏ ।
(ଖ) ନିଯୁକ୍ତି : ସମଷ୍ଟି ଅର୍ଥନୀତି ନିଯୁକ୍ତି ଓ ବେକାରଜନିତ ସମସ୍ୟା ସମ୍ବନ୍ଧରେ ଅଧ୍ୟୟନ କରିଥାଏ । ଏହା ନିଯୁକ୍ତିକୁ ପ୍ରଭାବିତ କରୁଥିବା ବିଭିନ୍ନ ତତ୍ତ୍ୱ ଓ ଉପାଦାନ ସମ୍ବନ୍ଧରେ ଆଲୋଚନା କରିଥାଏ । ମୁଖ୍ୟତଃ ଏଥରେ ବିଷତଃ ଫଳପ୍ରଦ ଚାହିଦା, ସାମୂହିକ ଚାହିଦା, ସାମୂହିକ ଯୋଗାଣ, ସାମୂହିକ ନିବେଶ, ସଞ୍ଚୟ ଆଦି ଅଧ୍ୟୟନ କରିଥାଏ ।
(ଗ) ବାଣିଜ୍ୟିକ ଚକ୍ର : ସମଷ୍ଟି ଅର୍ଥନୀତି, ବାଣିଜ୍ୟିକ ଚକ୍ରର ଉତ୍ଥାନ ସ ପତନର କାରଣମାନ ଅନୁଶୀଳନ କରିଥାଏ ।
(ଘ) ବିତ୍ତୀୟ ନୀତି : ଯେଉଁସବୁ ନୀତି ସରକାରଙ୍କଦ୍ବାରା ପ୍ରଣୀତ ହୋଇଥାଏ ତାହାକୁ ବିତ୍ତୀୟ ନୀତି କୁହାଯାଏ । ଏହି ନୀତିଗୁଡିକ ମଧ୍ୟରେ କର ନୀତି, ଋଣ ନୀତି, ବଜେଟ୍ ନୀତି ଆଦି ଅନୁଧ୍ୟାନ କରିଥାଏ ।
(ଡ) ମୁଦ୍ରାନୀତି : ମୁଦ୍ରା ପରିମାର ହ୍ରାସ ଓ ବୃଦ୍ଧି ନିୟୋଜନ, ଦରର ସ୍ତର, ସଞ୍ଚୟ, ନିବେଶ ଇତ୍ୟାଦି ଆଦି ବ୍ୟବସ୍ଥାକୁ ପ୍ରଭାବିତ କରେ ।
(ଚ) ବୈଦେଶିକ ବାଣିଜ୍ୟ : ସମଷ୍ଟି ଅର୍ଥନୀତି ଏକ ରାଷ୍ଟ୍ରର ଅନ୍ୟ ଏକ ରାଷ୍ଟ୍ରର ବାଣିଜ୍ୟ ବିଷୟରେ ଆଲୋଚନା କରିଥାଏ । ଏହି ବିଷୟରେ, ଆନ୍ତର୍ଜାତୀୟ ବାଣିଜ୍ୟର ଦିଗ, ରପ୍ତାନି-ଆମଦାନି ନୀତି ଏବଂ ଏହାର ଆଦାନପ୍ରଦାନ ସନ୍ତୁଳନ ବିଷୟ ଆଦି ଗୁରୁତ୍ଵପୂର୍ଣ୍ଣ ଦିଗକୁ ଅଧ୍ୟୟନ କରେ ।