Odisha State Board CHSE Odisha Class 12 History Solutions Chapter 11 ଭାରତରେ ବ୍ରିଟିଶ୍ ଔପନିବେଶିକ ଅର୍ଥନୀତି (୧୭୫୭ ରୁ ୧୮୫୭) Short & Long Answer Questions
CHSE Odisha 12th Class History Chapter 11 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।
୧। ଡେଲ୍ହାଉସୀଙ୍କ ସମୟରେ ହୋଇଥିବା କୃଷିର ବ୍ୟବସାୟୀକରଣ ବିଷୟରେ ଲେଖ ।
Answer:
ଡେଲ୍ହାଉସୀଙ୍କ ସମୟରେ ଉନ୍ମୋଚିତ ହୋଇଥିବା ଗଙ୍ଗା କେନାଲ ପରି ପରବର୍ତ୍ତୀ ସମୟରେ ବହୁ କେନାଲ ଉଦ୍ଘାଟିତ ହୋଇଥିଲା । ଏହା ଜଳସେଚନରେ ସହାୟକ ହୋଇ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା ଦିଗରେ ସହାୟକ ହୋଇଥଲା । ମରୁଡ଼ି ଏବଂ ଜଳାଭାବ ସମୟରେ କେନାଲରୁ ଜଳ ନେଇ କୃଷିକାର୍ଯ୍ୟରେ ବିନିଯୋଗ କରାଯାଇପାରିଥିଲା ।
୨। ଭାରତରେ ସଡ଼କର ଉନ୍ନତି ପାଇଁ କିଏ ଦୃଷ୍ଟି ଦେଇଥିଲେ ? କେଉଁ ସଡ଼କର ନିର୍ମାଣ କାର୍ଯ୍ୟ ୧୮୩୯ ଖ୍ରୀ.ଅ.ରୁ ଆରମ୍ଭ ହୋଇ ୧୮୫୦ ଖ୍ରୀ.ଅ.ରେ ଶେଷ ହେଲା ?
Answer:
ଭାରତରେ ସଡ଼କର ଉନ୍ନତି ପାଇଁ ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ଦୃଷ୍ଟି ଦେଇଥିଲେ । ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ନିର୍ମାଣ କାର୍ଯ୍ୟ ୧୮୩୯ ଖ୍ରୀ.ଅ.ରୁ ଆରମ୍ଭ ହୋଇ ୧୮୫୦ ଖ୍ରୀ.ଅ.ରେ ଶେଷ ହୋଇଥିଲା ।
୩ । କେବେ ଭାରତରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ? ୧୮୫୩ ଖ୍ରୀ.ଅ.ରେ ବ୍ୟବହୃତ ପ୍ରଥମ ରେଳପଥ କେଉଁଠାରୁ କେଉଁ ପର୍ଯ୍ୟନ୍ତ ନିର୍ମିତ ହୋଇଥିଲା ?
Answer:
୧୮୫୦ ଖ୍ରୀ.ଅ.ରେ ଭାରତରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ୧୮୫୩ ଖ୍ରୀ.ଅ.ରେ ପ୍ରଥମେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳରାସ୍ତା ନିର୍ମିତ ହୋଇଥିଲା ।
୪। କିଏ ଭାରତରେ ଡାକ ଆଇନ ପ୍ରଚଳନ କରିଥିଲେ ? ଡାକ ମାହାସୁଲ କିପରି ନିର୍ଦ୍ଧାରିତ ହୋଇଥିଲା ?
Answer:
ଲର୍ଡ ଡେଲ୍ହାଉସୀ ଭାରତରେ ଡାକ ଆଇନ ପ୍ରଚଳନ କରିଥିଲେ । ଦୂରତ୍ୱ ନିର୍ବିଶେଷରେ ଅଧତୋଳା ଓଜନର ପ୍ରତି ଚିଠି ପାଇଁ ଦୁଇ ପଇସା ମୂଲ୍ୟର ଡାକ ମାହାସ୍କୁଲ ଧାର୍ଯ୍ୟ ହୋଇଥିଲା ।
୫। ଇଂରେଜମାନଙ୍କର ବାଣିଜ୍ୟ ନୀତି ଭାରତରେ କୁଟୀରଶିଳ୍ପକୁ କିପରି ଏକ ଶକ୍ତ ଧକ୍କା ଦେଇଥୁଲା ?
Answer:
ଭାରତୀୟମାନଙ୍କର ବାଣିଜ୍ୟକୁ ଶକ୍ତ ଧକ୍କା ଦେଇଥିବା ଇଂରେଜମାନେ ଭାରତରୁ କଞ୍ଚାମାଲ ଲୁଟିନେବା ସହିତ ଭାରତୀୟ କୁଟୀରଶିଳ୍ପକୁ ରୁଗ୍ଣ କରିଦେଇଥିଲେ । ଭାରତର ବୁଣାକାର, ବଢ଼େଇ ଓ ତୈଳିକ ଆଦି ବିଭିନ୍ନ ପେସାର ବ୍ୟକ୍ତିମାନଙ୍କୁ ନିରୁତ୍ସାହିତ କରାଗଲା । ଏହା ଭାରତୀୟମାନଙ୍କର ବାଣିଜ୍ୟକୁ ଶକ୍ତ ଧକ୍କା ଦେବା ସହିତ ଭାରତର ଅର୍ଥନୀତିକୁ ବହୁମାତ୍ରାରେ ହଁବଳ କରିଦେଇଥିଲା ।
୬। ଚିରସ୍ଥାୟୀ ବନ୍ଦୋବସ୍ତ କ’ଣ ?
Answer:
୧୭୯୩ ଖ୍ରୀଷ୍ଟାବ୍ଦରେ ଲର୍ଡ଼ କର୍ଡୱାଲିସ୍ ବଙ୍ଗଦେଶରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ । ଏହି ବନ୍ଦୋବସ୍ତ ଅନୁଯାୟୀ ଜମିଦାରମାନଙ୍କୁ ଜମିର ସ୍ବତ୍ବାଧୀକାରୀଭାବେ ସ୍ଵୀକାର କରାଗଲା ଏବଂ ସେମାନେ ପ୍ରତିବର୍ଷ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଭୂ-ରାଜସ୍ୱ ଦେବାକୁ ବାଧ୍ୟ ହେଲେ ।
୭ । କେଉଁ ଉଦ୍ଦେଶ୍ୟରେ କମ୍ପାନୀକୁ ଭୂ-ରାଜସ୍ୱ ବନ୍ଦୋବସ୍ତ କରିବାକୁ ପଡ଼ିଥିଲା ?
Answer:
ଭାରତୀୟ ରାଜନୀତିରେ ଔପନିବେଶବାଦକୁ ସମ୍ପୂର୍ଣ୍ଣରୂପେ ପ୍ରବେଶ କରାଇବା ଲକ୍ଷ୍ୟରେ କମ୍ପାନୀକୁ ଭୂ- ରାଜସ୍ଵ ବନ୍ଦୋବସ୍ତ କରିବାକୁ ପଡ଼ିଥିଲା । ତେଣୁ ୧୮୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରଶାସନିକ ଓ ବିଚାର ବିଭାଗରେ ଯେଉଁ ପରିବର୍ତ୍ତନ କରାଗଲା ତା’ର ଅସଲ ଉଦ୍ଦେଶ୍ୟ ହେଲା ସାମ୍ରାଜ୍ୟବାଦ ଅଭିବୃଦ୍ଧି ପାଇଁ ଭୂ-ରାଜସ୍ୱ ଆଦାୟ । ରୟତମାନଙ୍କୁ ରାଜସ୍ଵର ବୋଝ ବହନ କରିବାକୁ ପଡ଼ିଥିଲା ।
୮। ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି ସୁଫଳ ଲେଖ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି ସୁଫଳ ହେଲା ।
- ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ କୃଷିର ଉନ୍ନତି ସମ୍ଭବ ହୋଇପାରିଥିଲା ।
- କୃଷିର ଉନ୍ନତି ଘଟିବା ଫଳରେ କୃଷକମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବାକୁ ଲାଗିଲା । ଏହାଦ୍ୱାରା ଜମିଦାରମାନେ ମଧ୍ୟ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ କରି ଏହାର ଶ୍ରୀବୃଦ୍ଧି ଘଟାଇଥିଲେ ।
୯ । ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି କୁଫଳ ଲେଖ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି କୁଫଳ ହେଲା
- ଏହି ଚିରସ୍ଥାୟୀ ବନ୍ଦୋବସ୍ତ କୃଷକମାନଙ୍କର ସ୍ବାର୍ଥକୁ ଉପେକ୍ଷା କରିଥିଲା ।
- ଏହି ବନ୍ଦୋବସ୍ତ ଫଳରେ ବିଳାସୀ ଜମିଦାରୀ ଗୋଷ୍ଠୀର ଉଦ୍ଭବ ଘଟିଥିଲା ।
୧୦ । ବିତ୍ତର ବହିଃପ୍ରବାହ ତତ୍ତ୍ଵକୁ କେଉଁମାନେ ସମାଲୋଚନା କରି କ’ଣ ମନ୍ତବ୍ୟ ଦେଇଥିଲେ ?
Answer:
ବିତ୍ତର ବହିଃପ୍ରବାହ ତତ୍ତ୍ଵକୁ ରମେଶଚନ୍ଦ୍ର ଦତ୍ତ, ଜି.ଭି. ଯୋଶୀ ଏବଂ ଥର୍ନଟର୍ନ କଠୋର ସମାଲୋଚନା କରିଥିଲେ । ସେମାନେ ମତବ୍ୟକ୍ତ କରିଥିଲେ ଯେ, ‘ଭାରତୀୟ ଅର୍ଥନୀତି ଏବଂ ବାଣିଜ୍ୟର ବିକାଶ କ୍ଷେତ୍ରରେ ବିତ୍ତର ବହିଃପ୍ରବାହ ପ୍ରଧାନ ପ୍ରତିବନ୍ଧକ ଅଟେ ।’’
୧୧ । ରେଳପଥର ବିକାଶ କିପରି ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଆଣିବାରେ ସଫଳ ହୋଇଥିଲା ?
Answer:
ଭାରତରେ ରେଳପଥର ବିକାଶ ଯୋଗୁ ଲୋକମାନେ ସହଜରେ ଓ ସ୍ଵଳ୍ପ ମୂଲ୍ୟରେ ଯାତାୟାତ କରିପାରିଲେ । ଧନୀ, ଦରିଦ୍ର, ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକମାନେ ଗୋଟିଏ ବଗିରେ ଏକତ୍ର ଯାତ୍ରା କରିବାରୁ ଉଚ୍ଚନୀଚ ଭେଦଭାବ ଓ ତାରତମ୍ୟ ହ୍ରାସ ପାଇଥିଲା । ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଆଣିବାରେ ରେଳପଥର ବିକାଶ ଥିଲା ଏକ ଆଶୀର୍ବାଦ ।
୧୨ । କେଉଁ କାରଣ ପାଇଁ ଶିଳ୍ପୀ ଓ କାରିଗରମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ?
Answer:
ବିଦେଶୀ ଦ୍ରବ୍ୟ ପ୍ରତି ଭାରତୀୟମାନେ ଆକୃଷ୍ଟ ହୋଇପଡ଼ିବାରୁ ଶିଳ୍ପୀ ଓ କାରିଗରମାନେ ନିରୁତ୍ସାହିତ ହୋଇପଡ଼ିଥିଲେ । ଇଂଲଣ୍ଡର କଳକାରଖାନାଗୁଡ଼ିକ ପାଇଁ ଭାରତରୁ କଞ୍ଚାମାଲ ଚାଲାଣ କରି ନିଆଯିବାରୁ ଭାରତୀୟ କାରିଗରମାନେ ନିଜ ନିଜର ଶିଳ୍ପ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଶସ୍ତାରେ ପାଇପାରି ନଥିଲେ । ଫଳରେ କୁଟୀରଶିଳ୍ପର ବିନାଶ ଘଟିଥିଲା । ଅପରପକ୍ଷେ ଇଂରେଜମାନଙ୍କ ଅତ୍ୟାଚାର ସହ୍ୟ କରିନପାରି ଶିଳ୍ପୀ ଓ କାରିଗରମାନେ ସେମାନଙ୍କର କୌଳିକ ବୃତ୍ତି ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ।
୧୩ । ରୟତରୀ ବନ୍ଦୋବସ୍ତ କେଉଁଠାରେ ଆରମ୍ଭ ହୋଇଥିଲା ? ଏହି ବ୍ୟବସ୍ଥା ଅନୁଯାୟୀ କିଏ ଓ ଉତ୍ପାଦନର କେତେ ଭାଗ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନେଲେ ?
Answer:
ମାଡ୍ରାସ୍ ଓ ବମ୍ବେ ପ୍ରେସିଡ଼େନ୍ସିର ଅନେକ ଭାଗରେ ରୟତରୀ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହି ବ୍ୟବସ୍ଥା ଅନୁଯାୟୀ ଗ୍ରାମ କର୍ମଚାରୀମାନେ ଉତ୍ପାଦନର ଶତକଡ଼ା ୫୦ ଭାଗ ରାଜସ୍ୱ ଆଦାୟ କରିବା ଦାୟିତ୍ୱ ନେଲେ ।
୧୪ । ମାହାଲୱାରୀ ବ୍ୟବସ୍ଥା କେବେ ଓ କାହା ସୁପାରିସରେ ପ୍ରଚଳନ କରାଗଲା ?
Answer:
ମାହାଲୱାରୀ ବ୍ୟବସ୍ଥା ୧୮୨୨ ଖ୍ରୀ.ଅ.ରେ ହୋଲ୍ଟ ମେକେଞ୍ଜିଙ୍କ ସୁପାରିସରେ ପ୍ରଚଳନ କରାଗଲା ।
୧୫ । ଇଂରେଜମାନେ ଭାରତରେ କାହିଁକି ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ ? କେଉଁ ବ୍ରିଟିଶ୍ ଇଞ୍ଜିନିୟର ଡେଲ୍ହାଉସୀଙ୍କ ଟେଲିଗ୍ରାଫ୍ ଯୋଜନା କାର୍ଯ୍ୟକାରୀ କରିଥିଲେ ?
Answer:
ନିଜ ସାମ୍ରାଜ୍ୟବାଦୀ ମନୋଭାବକୁ ଚରିତାର୍ଥ କରିବାପାଇଁ ଡେଲ୍ହାଉସୀ ଭାରତରେ ଟେଲିଗ୍ରାଫ୍ ଓ ଡାକ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଓ’ ସାନେସୀ ନାମକ ବ୍ରିଟିଶ୍ ଇଞ୍ଜିନିୟର ଡେଲ୍ହାଉସୀଙ୍କ ଟେଲିଗ୍ରାଫ୍ ଯୋଜନା କାର୍ଯ୍ୟକାରୀ କରିଥିଲେ ।
୧୬ । କୃଷକମାନଙ୍କ ଦାରିଦ୍ର୍ୟର କାରଣମାନ କ’ଣ ଥିଲା ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ତ୍ରୁଟିପୂର୍ଣ୍ଣ ଭୂ-ରାଜସ୍ଵ ନୀତି ଏବଂ ଭାରତର ଗ୍ରାମ୍ୟ ଓ ହସ୍ତଶିଳ୍ପର ପତନ କୃଷକମାନଙ୍କ ଦାରିଦ୍ର୍ୟର ମୁଖ୍ୟ କାରଣ ଥିଲା । ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପରେ କମ୍ପାନୀ ସରକାର ଇଂଲଣ୍ଡରୁ ଭାରତକୁ କାର୍ପାସ ବସ୍ତ୍ର ରପ୍ତାନୀ କରିବା ଫଳରେ ଭାରତରେ ହସ୍ତଶିଳ୍ପର ପତନ ଘଟିଥିଲା ଏବଂ ସେହି କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲେ । ମାତ୍ର ସରକାର କୃଷିଜାତ ଦ୍ରବ୍ୟପାଇଁ କୃଷକମାନଙ୍କୁ ଉପଯୁକ୍ତ ମୂଲ୍ୟ ଦେଉନଥିଲେ ।
୧୭ । ରୟତରୀ ବ୍ୟବସ୍ଥାରେ କୃଷକମାନେ କିପରି ଅତ୍ୟାଚାରିତ ହେଉଥିଲେ ?
Answer:
ରୟତରୀ ବ୍ୟବସ୍ଥାରେ ରୟତମାନେ ନିଜ ଇଚ୍ଛାନୁସାରେ ଜମି ବାଣ୍ଟିନେବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରକୃତରେ ଏହା ଘଟୁନଥିଲା । ରୟତମାନଙ୍କୁ ବଳପୂର୍ବକ ଯେକୌଣସି ଜମି ଚାଷ କରିବାକୁ ସରକାରୀ କର୍ମଚାରୀମାନେ ବାଧ୍ୟ କର ଥିଲେ । ଏଥରେ ରାଜି ନ ହେଲେ ରୟତମାନଙ୍କ ବେତ୍ରାଘାତ କରାଯାଉଥିଲା । ଏହି ବ୍ୟବସ୍ଥାରେ ରୟତମାନଙ୍କର ଜମି ମାଲିକାନା ସ୍ୱତ୍ଵ ରହିନଥିଲା ।
୧୮ । ବ୍ରିଟେନ୍ର ବାଣିଜ୍ୟ ନୀତି ଭାରତର ପାରମ୍ପରିକ ଅର୍ଥନୀତିକୁ କିପରି ବିନାଶ କରିଥିଲା ?
Answer:
ଭାରତରୁ କଞ୍ଚାମାଲ ବ୍ରିଟେନ୍ରୁ ରପ୍ତାନୀ କରିବା ଓ ଭାରତକୁ ବିଟ୍ରେନ୍ର ଖାଉଟି ରାଜ୍ୟରେ ପରିଣତ କରିବା କାର୍ଯ୍ୟରେ ଇଂରେଜମାନେ ମନୋନିବେଶ କରିଥିଲେ । ଭୂରାଜସ୍ଵ ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟ କରି ଇଂରେଜମାନେ ଉଦ୍ଦେଶ୍ୟମଳକ ଭାବରେ ଭାରତୀୟ ଆର୍ଥନୀତିକ ଢାଞ୍ଚା ବଦଳାଇ ଦେଇଥିଲେ । ଶୋଷଣରେ ଭାରତୀୟମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଇଂରେଜମାନେ ଭାରତରୁ କଞ୍ଚାମାଲ ବୋହିନେବାରୁ ଭାରତୀୟ ଶିଳ୍ପ ରୁଗ୍ଣ ହୋଇପଡ଼ିଥିଲା ।
B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।
୧। ଦେୱାନୀ ହସ୍ତାନ୍ତର କ’ଣ ?
Answer:
ବକ୍ସାର ଯୁଦ୍ଧ ପରେ କ୍ଲାଇଟ୍ ଇଂରେଜମାନଙ୍କର ବିଜୟ ଏବଂ ମିଳିତଶକ୍ତିଙ୍କ ପରାଜୟର ପୂର୍ଣ୍ଣସୁଯୋଗ ନେବାପାଇଁ ବୁଦ୍ଧି ପ୍ରୟୋଗ କରିଥିଲେ । ପ୍ରଥମେ ସେ ଅଯୋଧ୍ୟାର ନବାବ ସୁଜାଉଜୌଲାଙ୍କ ସହିତ ସନ୍ଧିଚୁକ୍ତିରେ ଆବଦ୍ଧ ହୋଇଥିଲେ । ଚୁକ୍ତି ଅନୁଯାୟୀ ନବାବ କ୍ଲାଇନ୍ଙ୍କୁ କାର ଓ ଏହ୍ଲାବାଦ ଅଞ୍ଚଳ ସହିତ ଯୁଦ୍ଧର କ୍ଷତିପୂରଣ ବାବଦକୁ ପଚାଶ ଲକ୍ଷ ଟଙ୍କା ଦେବାପାଇଁ ରାଜି ହୋଇଥିଲେ । ଏହାପରେ କ୍ଲାଇବ ମୋଗଲ ସମ୍ରାଟ୍ ଶାହାଆଲାମ୍ଙ୍କୁ ସନ୍ଧି ପାଇଁ ଆହ୍ୱାନ କରିଥିଲେ । ସମ୍ରାଟ୍ଙ୍କ ଶୋଚନୀୟ ଅବସ୍ଥା ଦେଖୁ ତାଙ୍କୁ କାରା ଓ ଏହ୍ଲାବାଦ ଦୁଇଟି ଅଞ୍ଚଳ ଦାନ କରିଥିଲେ ଏବଂ ଛବିଶ ଲକ୍ଷ ଟଙ୍କାର ଗୋଟିଏ ବାର୍ଷିକ ବୃତ୍ତି ଦେବାକୁ ରାଜି ହୋଇଥିଲେ । ପ୍ରତିଦାନରେ ଶାହାଆଲାମ୍ ଇଷ୍ଟଇଣ୍ଡିଆ କମ୍ପାନୀକୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ପ୍ରଦାନ କରିଥିଲେ । ଦେବୀ ଶବ୍ଦର ଅର୍ଥ ରାଜସ୍ୱ ଆଦାୟ ।
୨। ଇଂରେଜମାନେ କିପରି ଭାବରେ ଭାରତର କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଥିଲେ ?
Answer:
ଭାରତୀୟ କାରିଗରମାନେ ମୁଖ୍ୟତଃ କୁଟୀରଶିଳ୍ପ ଉପରେ ନିର୍ଭର କରି ଚଳୁଥୁଲେ । ଇଂରେଜମାନେ ଭାରତକୁ ଆସିବା ପରେ ଅତି ଅଳ୍ପ ଦରରେ କଞ୍ଚାମାଲଗୁଡ଼ିକ କ୍ରୟ କରି ସେଗୁଡ଼ିକୁ ଇଂଲଣ୍ଡ ପଠାଇ ଦେଉଥିଲେ । ଇଂଲଣ୍ଡର ଯନ୍ତ୍ର ତିଆରି ସୌଖୀନ ଦ୍ରବ୍ୟକୁ ଭାରତରେ ପ୍ରଚୁର ପରିମାଣରେ ବିକ୍ରୟ କରାଯାଉଥିଲା । ଏହା ଭାରତୀୟ କୁଟୀରଶିଳ୍ପଜାତ ଦ୍ରବ୍ୟ ଅପେକ୍ଷା ଶସ୍ତା ଥିବାରୁ ଲୋକମାନଙ୍କ ମଧ୍ୟରେ ଏହାର ଚାହିଦା ବୃଦ୍ଧି ପାଇଥିଲା । ଏହାଛଡ଼ା ଇଂରେଜମାନେ ଭାରତୀୟ ବୁଣାକାର ଓ କାଠକାମର କାରିଗରମାନଙ୍କୁ କୁଟୀରଶିଳ୍ପଜାତ ଦ୍ରବ୍ୟ ପ୍ରସ୍ତୁତ ନ କରିବାକୁ ତାଗିଦ କରିଦେଇଥିଲେ । ଏହିଭଳି ଭାବରେ ଇଂରେଜମାନେ ଭାରତୀୟ କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଥିଲେ ।
୩ । ଚିରସ୍ଥାୟୀ ବନ୍ଦୋବସ୍ତର ନୀତିଗୁଡ଼ିକ କ’ଣ ଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ଜମିଦାରୀ ପ୍ରଥାର ପୁନର୍ବିନ୍ୟାସ ଘଟିଥିଲା । ଏହି ବନ୍ଦୋବସ୍ତର ନୀତିଗୁଡ଼ିକ ଥିଲା –
- ଜମିଦାରମାନେ ନିର୍ଦ୍ଦିଷ୍ଟ ଇଲାକାରେ ଦଶବର୍ଷ ଯାଏ ରାଜସ୍ୱ ଆଦାୟ କରିବା ଦାୟିତ୍ଵ ନେଇଥିଲେ ।
- ଜମିଦାରମାନେ ବଂଶାନୁକ୍ରମିକ ଓ ଆଇନସମ୍ମତଭାବେ ସ୍ଵତ୍ୱ ଉପଭୋଗ କଲେ ଏବଂ ଏକ ନିର୍ଦ୍ଦିଷ୍ଟ ହାରରେ ସରକାରଙ୍କୁ ରାଜସ୍ଵ ଦେଲେ ।
- ଜମିଦାରମାନେ ଚାହିଁଲେ ଏହି ଜମିଦାରୀ ସ୍ଵତ୍ଵକୁ ହସ୍ତାନ୍ତର କିମ୍ବା ବିକ୍ରି କରିପାରୁଥିଲେ ।
- ଜମିଦାରମାନେ ନିୟମିତ ଭାବରେ ଏକ ନିର୍ଦ୍ଦିଷ୍ଟ ସମୟରେ ରାଜସ୍ୱ ଦେବାକୁ ଅସମର୍ଥ ହେଲେ ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରୀ ନିଲାମ ହେବାର ବ୍ୟବସ୍ଥା ରହିଥିଲା ।
୪ । ଭାରତୀୟ ବସ୍ତ୍ରଶିଳ୍ପର ଧ୍ବଂସ ସାଧନ କିପରି ହୋଇଥିଲା ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀ ଏକ ରାଜନୈତିକ ଶକ୍ତି ରୂପରେ ପରିଣତ ହେବାପରେ ଭାରତୀୟ ଶିଳ୍ପ ଉପରେ ବହୁ ରାଜନୈତିକ କଟକଣା ଜାରୀ କରିଥିଲା । ତନ୍ମଧ୍ୟରୁ ବଙ୍ଗଳା, ବିହାର ଓ ଓଡ଼ିଶାର ବସ୍ତ୍ରଶିଳ୍ପ ଉପରେ କଟକଣା ଥିଲା ଉଲ୍ଲେଖଯୋଗ୍ୟ । ଏହା ଫଳରେ ଏହି ରାଜ୍ୟର ଶିଳ୍ପଜାତ ବସ୍ତୁଗୁଡ଼ିକ ବହୁ ଅର୍ଥନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପୁନଶ୍ଚ କମ୍ପାନୀ ବସ୍ତ୍ର ବୟନ କାରୀଗରମାନଙ୍କୁ ବହୁ କମ୍ ପାରିଶ୍ରମିକ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ବାଧ୍ୟ କରୁଥିଲେ କେବଳ କମ୍ପାନୀକୁ ବସ୍ତ୍ରଗୁଡ଼ିକ ବିକ୍ରୟ କରିବାପାଇଁ । ପୁନଶ୍ଚ ତୁଳା ଓ ସୂତାର ବିକ୍ରୟ ଉପରେ କମ୍ପାନୀର ଏକଚାଟିଆ ଅଧିକାର ଥିବାରୁ କମ୍ପାନୀର ପ୍ରଶାସକମାନେ ଭାରତୀୟ ବସ୍ତ୍ର କାରୀଗରମାନଙ୍କୁ ତାହା ବହୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ଫଳରେ ଭାରତୀୟ ବସ୍ତ୍ର କାରିଗରମାନେ ଉଭୟ କ୍ରେତା ଓ ବିକ୍ରେତା ଭାବେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିଲେ । କେବଳ ସେତିକି ନୁହେଁ, ଭାରତ ତିଆରି ବସ୍ତ୍ର ଇଂଲଣ୍ଡର ବଜାରକୁ ପ୍ରବେଶ କଲାବେଳେ ଅତ୍ୟଧିକ କର ଆଦାୟ କରାଯାଉଥିଲା । ଏହିପରି ଭାବରେ ଭାରତୀୟ ବସ୍ତ୍ରବୟନ କାରିଗରମାନଙ୍କର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା ଓ ଏଣ୍ଟ୍ସହିତ ଭାରତର ସୂତା ଓ ବୟନଶିଳ୍ପର ଧ୍ୱଂସ ସାଧନ ହୋଇଥିଲା ।
୫ । ବିତ୍ତ ପ୍ରବାହର କୁଫଳ ସମ୍ପର୍କରେ ଲେଖ ।
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ଶହେ ବର୍ଷ (୧୭୫୭ରୁ ୧୮୫୭) ଶାସନ ମଧ୍ୟରେ ଭାରତରୁ ବିଭର ଯେଉଁ ବହିଃପ୍ରବାହ ଘଟିଥିଲା ତାହାର କୁଫଳ ଥିଲା ଅବର୍ଣ୍ଣନୀୟ । ପ୍ରଥମତଃ, ବିତ୍ତର ବହିଃପ୍ରବାହ ଭାରତୀୟମାନଙ୍କୁ ଦୁଃଖ ଦେବା ସହିତ ଭାରତର ଅର୍ଥନୀତିକୁ ଦାରୁଣ ଧକ୍କା ଦେଇଥିଲା । ଦ୍ଵିତୀୟତଃ, ବିତ୍ତର ବହିଃପ୍ରବାହ ଯୋଗୁଁ ଇଂଲଣ୍ଡ ପରିପୁଷ୍ଟ ହୋଇଥିଲା । ତୃତୀୟତଃ, ବିତ୍ତ ପ୍ରବାହ ଯୋଗୁଁ ଭାରତରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଶିହ୍ବଳତା ଦେଖାଯାଇଥିଲା । ଚତୁର୍ଥତଃ, ବିତ୍ତର ବହିଃପ୍ରବାହ ଫଳରେ ଭାରତରେ ଶିଳ୍ପର ଅବନତି ଦେଖାଦେଇଥିଲା । ଶେଷତଃ, ବିତ୍ତର ପ୍ରବାହ ଯୋଗୁଁ ଭାରତରେ ଅରାଜକତା ଦେଖାଦେଇଥିଲା ।
୬ । ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ସୁଫଳଗୁଡ଼ିକ ଉଲ୍ଲେଖ କର ।
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ଶହେବର୍ଷ (୧୭୫୭ରୁ ୧୮୫୭) ଶାସନ ମଧ୍ୟରେ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରସାର ଘଟିବାଦ୍ଵାରା ଭାରତୀୟମାନଙ୍କର ଜୀବନଯାତ୍ରାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ବିଶେଷକରି ରେଳପଥ ଓ ସଡ଼କପଥର ବିକାଶ ଘଟିବା ପରେ ଦେଶ ଭିତରେ ଏବଂ ବାହାରେ ବାଣିଜ୍ୟ କାରବାର ବୃଦ୍ଧି ପାଇଥଲା । ଏହାଦ୍ଵାରା ଶିଳ୍ପ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଜନସାଧାରଣ ମଧ୍ଯ ଅତି ଆନନ୍ଦରେ ଯାତାୟାତ କରିପାରିଲେ । ଡାକ ଓ ତାର ବିଭାଗ ପ୍ରତିଷ୍ଠା ହେବା ଫଳରେ ଲୋକମାନେ ଅତି ଅଳ୍ପ ମୂଲ୍ୟରେ ଏବଂ କମ୍ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମ୍ବାଦ ପ୍ରେରଣ କରିପାରିଲେ । ରେଳ ପ୍ରଚଳନ ହେବା ଫଳରେ ଭାରତ ବିଭିନ୍ନ ପ୍ରାନ୍ତ ସଂଯୋଜିତ ହୋଇଥିଲା ।
୭ । ଇଂରେଜ ଶାସନ କାଳରେ ଭାରତୀୟ ଶିଳ୍ପୀ ଓ କାରିଗରମାନଙ୍କ ଅବସ୍ଥା କିପରି ଦୁଃସ୍ଥ ହୋଇ ପଡ଼ିଥିଲା ?
Answer:
ଇଂରେଜ ଶାସନ କାଳରେ ଭାରତୀୟ ଶିଳ୍ପୀ ଏବଂ କାରିଗରମାନଙ୍କ ବିପର୍ଯ୍ୟସ୍ତ ଅବସ୍ଥା ପଶ୍ଚାତ୍ରେ ଅନେକ କାରଣ ନିହିତ ଥିଲା । ସେଗୁଡ଼ିକ ହେଲା- ପ୍ରଥମତଃ, ଇଂରେଜ ଅଫିସର ଏବଂ ଶିକ୍ଷିତ ଭାରତୀୟମାନଙ୍କ ମଧ୍ୟରେ ବିଦେଶୀ ଦ୍ରବ୍ୟପାଇଁ ପ୍ରବଳ ଆଗ୍ରହ ଦେଖାଦେଇଥିଲା । ଫଳତଃ ଭାରତୀୟ ଶିଳ୍ପୀ ଏବଂ କାରିଗରମାନେ ହତୋତ୍ସାହିତ ହୋଇପଡ଼ିଥିଲେ । ଦ୍ଵିତୀୟତଃ, ବିଭିନ୍ନ ସମୟରେ ପରିଲକ୍ଷିତ ହୋଇଥିବା ଦୁର୍ଭିକ୍ଷମାନ ଭାରତରେ ଗ୍ରାମୀଣ ଶିଳ୍ପୀ ଏବଂ କାରିଗରମାନଙ୍କ ପାଇଁ ଦୁଃଖର କାରଣ ହୋଇଥିଲା । ତୃତୀୟତଃ, ଇଂରେଜମାନେ ଭାରତରେ ଯାନ୍ତ୍ରିକ ପ୍ରଗତିକୁ ନିରୁତ୍ସାହିତ କରିଥିଲେ । ଚତୁର୍ଥତଃ, ଭାରତୀୟ ଶିଳ୍ପୀ ଓ କାରିଗରମାନେ ଆଉ ଶସ୍ତାରେ କଞ୍ଚାମାଲ ପାଇପାରି ନ ଥିଲେ । ପଞ୍ଚମତଃ, ଇଂରେଜମାନେ ଭାରତୀୟ ଶିଳ୍ପୀ ଏବଂ କାରିଗରମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଫଳରେ ଭୟଭୀତ ହୋଇ ଶିଳ୍ପୀ ଏବଂ କାରିଗରମାନେ ସେମାନଙ୍କ କୌଳିକ ବୃତ୍ତି ତ୍ୟାଗ କରିବାପାଇଁ ବାଧ୍ୟ ହୋଇଥିଲେ ।
୮ | ଦସ୍ତକ କହିଲେ କ’ଣ ବୁଝ ?
Answer:
କମ୍ପାନୀର ପଣ୍ୟଦ୍ରବ୍ୟ ପରିବହନ ନିମନ୍ତେ ‘ଦସ୍ତକ’ ନାମରେ ମୁକ୍ତ ବାଣିଜ୍ୟ ଅନୁମତି ପ୍ରଦାନର ବ୍ୟବସ୍ଥା ହୋଇଥିଲା । କିନ୍ତୁ କମ୍ପାନୀର କର୍ମଚାରୀମାନେ ଏହାର ଅପବ୍ୟବହାର କରି ବ୍ୟକ୍ତିଗତ ବାଣିଜ୍ୟରେ ମଧ୍ୟ ଉକ୍ତ ‘ଦସ୍ତକ’ର ବ୍ୟବହାର କରିଥିଲେ । ଏହାଦ୍ଵାରା କର୍ମଚାରୀମାନେ ପ୍ରଚୁର ଲାଭବାନ୍ ହୋଇଥୁଲେ ଓ ଲାଭର ସମସ୍ତ ଅଂଶ ଇଂଲଣ୍ଡକୁ ହିଁ ଚାଲିଯାଉଥଲା । ଆରମ୍ଭରୁ ଇଷ୍ଟଇଣ୍ଡିଆର କର୍ମଚାରୀମାନେ ଭାରତୀୟମାନଙ୍କଠାରୁ ବହୁ ଭାବରେ ଉପହାର ହେଉ କିମ୍ବା ଉନ୍ମୋଚ ଭାବରେ ହେଉ ପ୍ରଚୁର ପରିମାଣରେ ସୁନା ଗ୍ରହଣ କରୁଥିଲେ ଏବଂ ଏହା ଇଂଲଣ୍ଡକୁ ଚାଲିଯାଉଥିଲା । ଜଣାଯାଏ ଯେ, ଓ୍ବାରେନ୍ ହେଜିଂସ୍ଙ୍କ ସମୟରେ ବାର୍ଷିକ ଚାଳିଶ ଲକ୍ଷ ଟଙ୍କାର ସୁନା ଭାରତରୁ ଇଂଲଣ୍ଡକୁ ପଠା ଯାଉଥିଲା ।
୯ । ୧୮୫୪ ମସିହାର ଡାକ ଆଇନ କ’ଣ ?
Answer:
ଲର୍ଡ଼ ଡେହାଉସୀ ଡାକ ବିଭାଗର ଆମୂଳଚୂଳ ପରିବର୍ତ୍ତନ ଘଟାଇଥିଲେ । ୧୮୫୪ ଖ୍ରୀ.ଅ.ରେ ନୂତନ ‘ଡାକଘର ଆଇନ’ ପ୍ରଣୟନ କରାଗଲା । ସହର ତଥା ଗ୍ରାମରେ ଡାକଘରମାନ ସ୍ଥାପନ କରାଗଲା । ଡାକବିଭାଗର କାର୍ଯ୍ୟକାରିତାକୁ ତଦାରଖ କରିବାପାଇଁ ଜଣେ ‘ଡାଇରେକ୍ଟର ଜେନେରାଲ’ ନିଯୁକ୍ତ ହୋଇଥିଲେ । ପ୍ରତ୍ୟେକ ଚିଠି ଉପରେ ଦୁଇ ପଇସାର ଟିକେଟ୍ ଲଗାଯାଇଥିଲା । ମାତ୍ର ଦୁଇ ପଇସାରେ ଭାରତସାରା ଚିଠି ଅନାୟାସରେ ପହଞ୍ଚି ପାରୁଥିଲା । ଏହା ଯେ କେବଳ ସଂଯୋଗ ସ୍ଥାପନ ବା ବୃଦ୍ଧିରେ ସହାୟକ ହେଉଥିଲା ତାହା ନୁହେଁ, ଇଷ୍ଟଇଣ୍ଡିଆ କମ୍ପାନୀ ପାଇଁ ଏହା ଅର୍ଥ ଆଗମନର ପଥ ସୁଗମ କରିଦେଇଥିଲା ।
୧୦ । ତାଲୁକଦାରୀ ବ୍ୟବସ୍ଥା କ’ଣ ?
Answer:
ସମଗ୍ର ଉତ୍ତରପ୍ରଦେଶ ମାହାଲୱାରୀ ବ୍ୟବସ୍ଥା ଅଧୀନରେ ନ ଥିଲା । ଉତ୍ତରପ୍ରଦେଶର ଆବଧ ଜିଲ୍ଲାରେ ତାଲୁକଦାରୀ ନାମକ ଅନ୍ୟ ଏକ ଭୂବନ୍ଦୋବସ୍ତ ପ୍ରଚଳିତ ଥିଲା । ଏହି ତାଲୁକଦାରୀ ବ୍ୟବସ୍ଥା ଅନୁଯାୟୀ ଇଂରେଜ ସରକାର ତିରିଶ ବର୍ଷ ପାଇଁ ତାଲୁକଦାରଙ୍କ ସହ ଏକ ରାଜିନାମା କରିଥିଲେ । ସରକାରଙ୍କ ତରଫରୁ ତାଲୁକଦାର ବିଭିନ୍ନ ଗ୍ରାମରୁ ରାଜସ୍ୱ ଆଦାୟ କରିବାର ବ୍ୟବସ୍ଥା ହୋଇଥିଲା । ଜମି ଉପରେ ତାଲୁକଦାରଙ୍କର କୌଣସି ଅସ୍ଵୀକାର ନ ଥିଲା । ରାଜସ୍ୱ ଆଦାୟକାରୀଭାବେ ସେ ସରକାରଙ୍କଠାରୁ ତାଙ୍କର ପାରିଶ୍ରମିକ ବେତନ ଆକାରରେ ପାଉଥିଲେ । ଏହାକୁ ତାଲୁକଦାରୀ ବ୍ୟବସ୍ଥା କୁହାଯାଉଥିଲା ।
୧୧ । ସୂର୍ଯ୍ୟାସ୍ତ ନିୟମ କ’ଣ ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଅନ୍ୟତମ କୁଫଳ ଥିଲା ସୂର୍ଯ୍ୟାସ୍ତ ନିୟମ । ଏହି ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ ଦିନରେ ଜମିଦାରମାନେ କମ୍ପାନୀର କାର୍ଯ୍ୟାଳୟରେ ରାଜସ୍ଵ ଦାଖଲ କରିବାପାଇଁ ବାଧ୍ୟ ହେଉଥିଲେ । ଏହା ଜମିଦାରଙ୍କ କ୍ଷମତା ଉପରେ ଏକ ଅଙ୍କୁଶ ଲଗାଯାଇଥିଲା । ଫଳରେ କ୍ରମଶଃ ଏହି ବନ୍ଦୋବସ୍ତ ଜମିଦାରମାନଙ୍କ ମଧ୍ୟରେ ଅପ୍ରିୟ ହୋଇପଡ଼ିଲା । ଏହାର ଲୋକପ୍ରିୟତା ମଧ୍ୟ ହ୍ରାସ ହେବାକୁ ଲାଗିଲା । ଠିକ୍ ସମୟରେ ଅର୍ଥ ପୈଠ କରି ନ ପାରି ବହୁ ଜମିଦାର ଜମିର ମାଲିକାନା ସ୍ୱତ୍ଵ ହରାଇ ସର୍ବାସ୍ଵାନ୍ତ ହୋଇଗଲେ ।
୧୨ । ଭାରତରେ ପାଶ୍ଚାତ୍ୟ ବଜାରର ସୃଷ୍ଟି କିପରି ହୋଇଥିଲା ?
Answer:
ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ଫଳରେ ଉତ୍ପାଦନ ବୃଦ୍ଧି ପାଇଥିଲା । ଫଳରେ ରପ୍ତାନୀ ମଧ୍ୟ ବୃଦ୍ଧି ପାଇବା ଫଳରେ ଭାରତରେ ପାଶ୍ଚାତ୍ୟ ବଜାରମାନ ସୃଷ୍ଟି ହେବାକୁ ଲାଗିଲା । ସ୍ଵଦେଶୀ ଦ୍ରବ୍ୟ ପରିବର୍ତ୍ତେ ବିଦେଶୀ ଦ୍ରବ୍ୟମାନ ବଜାରରେ ବହୁପରିମାଣରେ ଦେଖିବାକୁ ମିଳିଲା । ଏହିସବୁ ଦ୍ରବ୍ୟ ଶସ୍ତା ଥିବାରୁ ଭାରତୀୟ ଦ୍ରବ୍ୟର ଚାହିଦା ହ୍ରାସ ପାଇଲା । ଭାରତୀୟ ଶିଳ୍ପ ଏବଂ କାରିଗରମାନେ ହତାଶ ହୋଇ ଦାରୁଣ ଦାରିଦ୍ର୍ୟ ମଧ୍ୟରେ ସଢ଼ିବାକୁ ଲାଗିଲେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ‘ଚିରସ୍ଥାୟୀ ବନ୍ଦୋବସ୍ତ’ କ’ଣ ? ଏହାର ସୁଫଳ ଓ କୁଫଳମାନ ଆଲୋଚନା କର ।
Answer:
ୱାରେନ୍ ହେଷ୍ଟିଙ୍ଗସ୍ଙ୍କ ବିଦାୟର ଗୋଟିଏ ବର୍ଷ ପରେ ଭାରତର ରାଜନୈତିକ ପଟ୍ଟଭୂମିରେ ଜଣେ ଗଭର୍ଣ୍ଣର ଜେନେରାଲଙ୍କ ଆବିର୍ଭାବ ଘଟିଥିଲା । ସେ ଥିଲେ ମାରକୁଲସ୍ କର୍ଡୱାଲିସ୍ । ସେ ଥିଲେ ଏକମାତ୍ର ବ୍ୟକ୍ତି ଯିଏକି ଦୁଇଥର ପାଇଁ ଉକ୍ତ ପଦବୀରେ ନିଯୁକ୍ତ ହୋଇଥିଲେ । ଏକ ସୁସ୍ଥ ଶାସନ ପ୍ରତିଷ୍ଠା ଦିଗରେ ତାଙ୍କ କାର୍ଯ୍ୟକାଳ ଇଂରେଜ ଇତିହାସରେ ଗୋଟିଏ ଅବିସ୍ମରଣୀୟ ଅଧ୍ୟାୟ । ଶାସନ କ୍ଷେତ୍ରରେ ଲର୍ଡ଼ କଣ୍ଠୱାଲିସ୍ଙ୍କ ଉଲ୍ଲେଖଯୋଗ୍ୟ କୃତିତ୍ଵ ହେଉଛି ଚିରସ୍ଥାୟୀ ବନ୍ଦୋବସ୍ତ । ଏହାକୁ ସଂକ୍ଷେପରେ ସରକାରଙ୍କ ଦୀର୍ଘମିଆଦୀ ରାଜସ୍ଵ ନୀତି କୁହାଯାଇଥାଏ । କମ୍ପାନୀ ରାଜସ୍ୱର ସର୍ବୋଚ୍ଚ ପରିମାଣ ଭୂମିରୁ ମିଳିଥାଏ ବୋଲି ଅବଗତ ହୋଇ କର୍ଡୱାଲିସ୍ ସର୍ବଶ୍ରେଷ୍ଠ ଦୃଷ୍ଟି ଦେଇଥିଲେ ଭୂରାଜସ୍ଵର ଅବସ୍ଥା ଉପରେ । ସେ ମଧ୍ୟ ରାଜସ୍ୱ ବିଭାଗରେ ବହୁ ତ୍ରୁଟି ରହିଥିବାର ଲକ୍ଷ୍ୟ କରିଥିଲେ ।
ପୂର୍ବପ୍ରଚଳିତ ରାଜସ୍ଵ ବ୍ୟବସ୍ଥା କାହାରି ମଙ୍ଗଳ ସାଧନ କରୁନଥିଲା । ତେଣୁ କର୍ଣ୍ଣାଲିସ ଏକ ସମୟୋପଯୋଗୀ ବ୍ୟବସ୍ଥା ପ୍ରବର୍ତ୍ତନ କରିବାର ଆବଶ୍ୟକତା ଉପଲବ୍ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସେ ଏ କ୍ଷେତ୍ରରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ ଏବଂ କର୍ମଚାରୀଙ୍କର ସାହାଯ୍ୟ ଓ ପରାମର୍ଶ ଗ୍ରହଣ କରିଥିଲେ । ବୋର୍ଡ଼ ଅଫ୍ ରେଭିନ୍ୟୁର ତତ୍କାଳୀନ ସଭାପତି ସାର୍ ଜନ୍ ସୋର୍, ମୁଖ୍ୟ ସେରସ୍ତାଦାର ଜେମସ୍ ଗ୍ରାଣ୍ଟ ଓ ଚାର୍ଲସ୍ ଷ୍ଟୁଆର୍ଟ, ଡନକାନ୍ ଓ ସାର୍ ଉଇଲିୟମ୍ ଜୋନ୍ସ୍ଙ୍କ ପରି କେତେକ ପଦସ୍ଥ କର୍ମଚାରୀଙ୍କ ସହିତ ଯେ ନିୟମିତ ଆଲୋଚନା କରି ଶେଷରେ ୧୭୯୩ ଖ୍ରୀ.ଅ.ରେ ଜମିଦାରମାନଙ୍କ ସହିତ ଏକ ଦଶବର୍ଷିଆ ବନ୍ଦୋବସ୍ତ ଧାର୍ଯ୍ୟ କରିଥିଲେ । ଏହା ଚିରସ୍ଥାୟୀ ବନ୍ଦୋବସ୍ତ (Permanent Settlement) ନାମରେ ଖ୍ୟାତ ।
ଚିରସ୍ଥାୟୀ ବନ୍ଦୋବସ୍ତର ବିଭିନ୍ନ ଧାରା – ଚିରସ୍ଥାୟୀ ବନ୍ଦୋବସ୍ତଦ୍ଵାରା ଜମିଦାରୀ ପ୍ରଥାର ପୁନର୍ବିନ୍ୟାସ ଘଟିଥିଲା । ଜମିଦାରମାନେ ଉଦ୍ଦିଷ୍ଟ ଇଲାକାରେ ଦଶବର୍ଷଯାଏ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନେଇଥିଲେ । ଜମିର କର ଓ ସରକାରଙ୍କ ପ୍ରାପ୍ୟ ଧାର୍ଯ୍ୟ କରାଯାଇଥିଲା । ଜମିଦାରମାନେ ବଂଶାନୁକ୍ରମିକ ଓ ଆଇସମ୍ମତଭାବେ ସ୍ଵତ୍ଵ ଉପଭୋଗ କରିବାକୁ ଲାଗିଲେ । ନିର୍ଦ୍ଦିଷ୍ଟ ତାରିଖରେ ଜମିଦାରମାନେ ନିଜ ଅଞ୍ଚଳରୁ ଆଦାୟ ଅର୍ଥକୁ ସରକାରୀ ରାଜକୋଷରେ ପଇଠ କରୁଥିଲେ । ଜମିଦାରମାନେ ଏହି ଜମିଦାରୀ ସ୍ଵତ୍ଵକୁ ହସ୍ତାନ୍ତର କରି ବିକ୍ରି କରିବାପାଇଁ ଅନୁମତି ପାଇଥିଲେ । ଜମିଦାରମାନେ ପ୍ରଜାମାନଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା ରହିଥିଲା । ତହିଁରେ ପରିମାଣ ଓ ରାଜସ୍ଵ ପଇଠର ତାରିଖ ଉଲ୍ଲେଖ ଥିଲା । ଏହି ବନ୍ଦୋବସ୍ତ ପ୍ରଚଳନ ହେବାରୁ କେତେକ ଦୃଷ୍ଟିରୁ ପ୍ରଜାମାନଙ୍କର ଲାଭ ହୋଇଥିଲା । କମ୍ପାନୀ ତଥା ସରକାରଙ୍କର ସ୍ଵାର୍ଥରକ୍ଷା ହୋଇପାରିଥିଲା । ସର୍ବୋପରି ଏହି ବ୍ୟବସ୍ଥାରୁ ଉଭୟ ସୁଫଳ ଓ କୁଫଳ ମିଳିଥିଲା ।
- ସୁଫଳ – ଚିରସ୍ଥାୟୀ ବନ୍ଦୋବସ୍ତ ଏକାଧାରରେ କମ୍ପାନୀ, ଜମିଦାର ଓ ରୟତମାନଙ୍କପାଇଁ ବହୁ ଆଶୀର୍ବାଦ ଆଣିଥିଲା ।
- ପ୍ରଥମତଃ, ପୂର୍ବର ରାଜସ୍ଵ ହାର ଅପେକ୍ଷା ବର୍ତ୍ତମାନର ରାଜସ୍ଵ ହାର ଦ୍ଵିଗୁଣିତ ହେବାରୁ ସରକରାଙ୍କ ଆୟ ହଠାତ୍ ପ୍ରଚୁରଭାବେ ବୃଦ୍ଧି ପାଇଥିଲା ।
- ଦ୍ଵିତୀୟତଃ, ଭୂ-ରାଜସ୍ଵରୁ କମ୍ପାନୀ ନିଶ୍ଚତରୂପେ କେତେ ପାଇବ ତାହା ଜଣାପଡ଼ିବା ଫଳରେ ଏହା ନିଜର ଆୟ- ବ୍ୟୟ ସମୀକ୍ଷା କରିବାକୁ ସମର୍ଥ ହୋଇପାରିଥିଲା ।
- ତୃତୀୟତଃ, ପ୍ରତ୍ୟେକ ବର୍ଷ ରାଜସ୍ଵ ବନ୍ଦୋବସ୍ତ କରିବାଜନିତ ବିପୁଳ ଅର୍ଥବ୍ୟୟରୁ କମ୍ପାନୀ ରକ୍ଷାପାଇଥିଲା ।
- ଚତୁର୍ଥତଃ, ଚିରସ୍ଥାୟୀ ବନ୍ଦୋବସ୍ତ ଏପରି ଏକ ଶ୍ରେଣୀ ସୃଷ୍ଟି କରିଥିଲା ଯେଉଁମାନେ କି ଇଂରେଜମାନଙ୍କ ପାଖରେ ସଦାସର୍ବଦା ଅନୁରକ୍ତ ଓ ବିଶ୍ବସ୍ତ ହୋଇ ରହିଥିଲେ ।
- ପଞ୍ଚମତଃ, ଜମିଦାରମାନେ ସରକାରଙ୍କୁ ନିୟମିତରୂପେ ରାଜସ୍ଵ ଦେଉଥିବା ପର୍ଯ୍ୟନ୍ତ ନିଜ ସ୍ଵତ୍ଵର ମାଲିକ ହୋଇ ରହିଥିଲେ । ସେମାନେ ପୁଲିସ୍ ଓ ବିଚାର ଦାୟିତ୍ୱରୁ ଅବ୍ୟାହତି ପାଇ କୃଷିକାର୍ଯ୍ୟରେ ମନୋନିବେଶ କରିବା ଫଳରେ ଧନଶାଳୀ ହୋଇପାରିଥିଲେ ।
- ଷଷ୍ଠତଃ, ଚିରସ୍ଥାୟୀ ବନ୍ଦୋବସ୍ତରେ ଜମିଦାରମାନେ ରୟତମାନଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା ଥିବାରୁ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିଥିଲା ।
- ସପ୍ତମତଃ, ସ୍ଥାୟୀଭାବରେ ରାଜସ୍ଵର ପରିମାଣ ଧାର୍ଯ୍ୟ ହେବାଦ୍ଵାରା କୃଷିର ଉନ୍ନତି ପାଇଁ ରୟତମାନେ ଅଧିକରୁ ଅଧିକ ଯନ୍ତ୍ରବାନ୍ ହୋଇଥିଲେ ।
ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ସାଧାରଣ ଲୋକଙ୍କର ସମୃଦ୍ଧିକୁ ଲକ୍ଷ୍ୟକରି ମାର୍ଗମେନ୍ କହିଛନ୍ତି, ‘ଏହା ଥିଲା ଏକ ସାହସିକ ତଥା ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ । ଏହାଫଳରେ ଜନସଂଖ୍ୟା ବୃଦ୍ଧି ପାଇଥିଲା ଏବଂ ଲୋକମାନଙ୍କର ସାଧାରଣ ଜୀବନରେ କ୍ରମ ଉନ୍ନତିର ସଂକେତମାନ ପରିଲକ୍ଷିତ ହୋଇଥିଲା ।’’ ଏସବୁ ସତ୍ତ୍ଵେ ଚିରସ୍ଥାୟୀ ବନ୍ଦୋବସ୍ତର କୁପରିଣାମ ଥିଲା ସମଭାବରେ ନୈରାଶ୍ୟଜନକ ।
କୁଫଳ –
- ଚିରସ୍ଥାୟୀ ବନ୍ଦୋବସ୍ତର ବ୍ୟବସ୍ଥାଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରି ନଥିବାରୁ ବହୁକ୍ଷେତ୍ରରେ ବିଶୃଙ୍ଖଳା ଉପୁଜି ବଙ୍ଗର ବହୁ ସମୃଦ୍ଧ ପରିବାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ସେମାନେ ମଧ୍ୟ ବହୁସଂଖ୍ୟାର ମକଦ୍ଦମାରେ ଜଡ଼ିତ ହୋଇ କ୍ଷତିଗ୍ରସ୍ତ ହୋଇଥିଲେ ।
- ସ୍ଥାୟୀଭାବରେ ରାଜସ୍ଵ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହାର ପରିମାଣ ପୂର୍ବାପେକ୍ଷା ଅଧିକ ହୋଇଥିବାରୁ ବହୁ ଜମିଦାର ରାଜସ୍ୱ ଦେଇନପାରି ସୂର୍ଯ୍ୟାସ୍ତ ଆଇନ ବଳରେ ନିଜର ସମ୍ପଭି ହରାଇ ବସିଥିଲେ ।
- କାଳକ୍ରମେ ଜମିଦାରମାନେ ଧନଶାଳୀ ହୋଇ ପ୍ରାଚୁର୍ଯ୍ୟ ଓ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଲାଗିଲେ । ଏପରିକି ରୟତମାନଙ୍କଠାରୁ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନିଜ ନିଜ ଗୁମାସ୍ତାମାନଙ୍କ ଉପରେ ନ୍ୟସ୍ତକରି ଇଲାକା ଛାଡ଼ି ଜମିଦାରମାନେ ସହରରେ ଯାଇ ବସବାସ କରିବାକୁ ଲାଗିଲେ । ଏଣେ ଗୁମାସ୍ତାମାନେ ରୟତମାନଙ୍କଠାରୁ ବିଭିନ୍ନ ଉପାୟରେ ରାଜସ୍ୱ ଆଦାୟ କରି ନିଜର ପୁଞ୍ଜି ବଢ଼ାଇ ଚାଲିଥିଲେ । ଫଳରେ ପ୍ରଜାହିତୈଷୀ ଜମିଦାର ସୃଷ୍ଟି କରିବାପାଇଁ
- ଚିରସ୍ଥାୟୀ ବନ୍ଦୋବସ୍ତ ମଧ୍ଯ ବହୁ କ୍ଷେତ୍ରରେ ରୟତମାନଙ୍କର ସ୍ଵାର୍ଥରକ୍ଷା କରିବା ଦିଗରେ ସାହାଯ୍ୟ କରିନଥିଲା । ସେମାନେ ଜମିଦାରମାନଙ୍କ ବିରୁଦ୍ଧରେ ନିଜର ସ୍ଵାର୍ଥରକ୍ଷା ନିମନ୍ତେ ବିଚାରାଳୟକୁ ଯିବାପାଇଁ ଆଇନରେ ରୟତମାନଙ୍କୁ କଣ୍ଠୱାଲିସ୍ଙ୍କର ବଳିଷ୍ଠ ଆଶା ଧୂଳିସାତ୍ ହୋଇଥିଲା ।
- ପ୍ରଥମେ ସରକାରଙ୍କ ଆଦାୟ ବୃଦ୍ଧି ପାଇଥିଲେ ମଧ୍ୟ ଯେତେବେଳେ ଜମିର ଉତ୍ପାଦନ ଆଶାତୀତ ଭାବରେ ବୃଦ୍ଧି ପାଇଥିଲା ସରକାର ସେତେବେଳେ ଅଧିକ ରାଜସ୍ଵ ପାଇବାର ସୁଯୋଗ ହରାଇ ବସିଥିଲେ ।
ଚିରସ୍ଥାୟୀ ବନ୍ଦୋବସ୍ତର କୁପରିମାଣ ଉପରେ ମତବ୍ୟକ୍ତ କରି ହୋମସ୍ ଲେଖୁଛନ୍ତି, ‘ଚିରସ୍ଥାୟୀ ବନ୍ଦୋବସ୍ତ ଥିଲା ଏକ ଦୁର୍ଭାଗ୍ୟଜନକ ପଦକ୍ଷେପ । ଦରିଦ୍ର ରୟତମାନେ ଏଥୁରୁ କୌଣସିପ୍ରକାର ସାହାଯ୍ୟ ପାଇପାରୁ ନଥିଲେ । ଜମିଦାରମାନେ ମଧ୍ୟ ରାଜସ୍ଵ ଦେବାରେ ଅସମର୍ଥ ହେବାରୁ ସେମାନଙ୍କ ଜମିଦାରୀ ବିକ୍ରି ହୋଇଯାଉଥିଲା ଏବଂ ଏଥିରେ ସରକାରଙ୍କରହିଁ ହିତ ସାଧୁତ ହୋଇଥିଲା ।’’ ମୋଟାମୋଟିଭାବେ ଦେଖିବାକୁ ଗଲେ ଏହା ଲର୍ଡ଼ କଣ୍ଠୱାଲିସ୍ଙ୍କର ସମୟୋପଯୋଗୀ ଏକ ଦୃଢ଼ ପଦକ୍ଷେପ ଥିଲା ।
୨। ଭାରତରୁ କିପରି ବିତ୍ତ ବା ସମ୍ପଦର ପ୍ରବାହ ଘଟିଥିଲା ଆଲୋଚନା କର ।
Answer:
୧୭୫୭ ଖ୍ରୀ.ଅ.ର ପଲାସୀ ଯୁଦ୍ଧ ପରଠାରୁ ୧୮୫୭ ଖ୍ରୀ.ଅ.ର ସିପାହି ବିଦ୍ରୋହ ମଧ୍ଯରେ ଇଂରେଜମାନେ ଭାରତରୁ ମନଇଚ୍ଛା ଧନସମ୍ପତ୍ତି ଇଂଲଣ୍ଡକୁ ବୋହିନେଇ ଭାରତର ଅର୍ଥନୀତିକୁ ଦୁର୍ବଳ କରିଦେଇଥିଲେ । ଭାରତୀୟ ବିତ୍ତର ଏହି ପ୍ରବାହକୁ ଦାଦାଭାଇ ନାରୋଜୀ ‘ପ୍ରବାହ ତତ୍ତ୍ୱ’ ନାମରେ ନାମିତ କରିଥିଲେ । ଅତି ବଳିଷ୍ଠଭାବରେ ସେ ଏହି ବିଭ ପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ବିତ୍ତ ପ୍ରବାହର କାରଣ – ଇଂରେଜମାନଙ୍କଦ୍ୱାରା ଇଂଲଣ୍ଡକୁ ଭାରତୀୟ ବିତ୍ତର ପ୍ରବାହ ଘଟୁଥିଲା । ଏହା ପଛରେ ବହୁ କାରଣ ନିହିତ ଥିଲା । ପ୍ରଥମତଃ, ସୁଦୂର ଇଂଲଣ୍ଡରୁ ଭାରତର ଔପନିବେଶିକ ଅର୍ଥନୀତି ପରିଚାଳିତ ହେଉଥିଲା । ପୁନଶ୍ଚ ଭାରତୀୟମାନଙ୍କର ନିୟନ୍ତ୍ରଣ ଏହା ଉପରେ ନ ଥିଲା । ଦ୍ଵିତୀୟତଃ, ଭାରତୀୟମାନଙ୍କ ଶିଳ୍ପ କ୍ଷେତ୍ରରେ ବିକାଶକୁ ଇଂଲଣ୍ଡ ମନପ୍ରାଣ ଦେଇ ବିରୋଧ କରୁଥିଲା ।
ତୃତୀୟତଃ, ଭାରତରେ ବ୍ରିଟିଶ୍ ପ୍ରଶାସନିକ ଅଫିସର ତଥା କର୍ମଚାରୀ ଏବଂ ରାଜ୍ୟଜୟ ପାଇଁ ଉଦ୍ଦିଷ୍ଟ ସେନାବାହିନୀର ପ୍ରତିପୋଷଣ ନିମିତ୍ତ ପ୍ରଚୁର ଅର୍ଥର ଆବଶ୍ୟକତା ଏହି ବିତ୍ତ ପ୍ରବାହର ଅନ୍ୟତମ କାରଣ ଥିଲା । ଚତୁର୍ଥତଃ, ଭାରତର ଭୌଗୋଳିକ ସ୍ଥିତି ଇଂରେଜମାନଙ୍କୁ ଭାରତ ବାହାରେ ସାମ୍ରାଜ୍ୟ ବିସ୍ତାର କରିବାପାଇଁ ସକ୍ଷମ କରାଇପାରିଥିଲା । ତେଣୁ ନିର୍ବିଘ୍ନରେ ଏବଂ ବିନା ପ୍ରତିରୋଧରେ ସେମାନେ ଭାରତର ବିପୁଳ ବିଭକୁ ଲୁଟି ନେଉଥିଲେ । ଶେଷରେ ରାଜସ୍ଵ, ବିଭିନ୍ନ ଶିଳ୍ପ ତଥା ରେଳ, ଡାକ ଏବଂ ଅନ୍ୟାନ୍ୟ ବିଭାଗରୁ ଆନୀତ ସମସ୍ତ ଅର୍ଥ ଇଂରେଜମାନେ ଭାରତୀୟମାନଙ୍କ ପାଇଁ ବ୍ୟୟ କରୁ ନ ଥିଲେ । ଫଳରେ ଭାରତରୁ ଇଂଲଣ୍ଡକୁ ନିର୍ବିବାଦରେ ବିତ୍ତର ପ୍ରବାହ ଘଟୁଥିଲା ।
ଦାଦାଭାଇ ନାରୋଜୀ ପ୍ରାକ୍ ବ୍ରିଟିଶ୍ ଏବଂ ଇଂରେଜମାନଙ୍କ ସମୟରେ ବିତ୍ତର ସ୍ଥିତି ସମ୍ପର୍କରେ ନିଜର ତୁଳନାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ତାଙ୍କ ମତରେ, ମୋଗଲ ଏବଂ ମରହଟ୍ଟାମାନଙ୍କ ଶାସନ ସମୟରେ ଭାରତୀୟ ରାଜ୍ୟମାନଙ୍କରୁ ଲୁଣ୍ଠିତ ବିତ୍ତମାନ ଏହି ଭାରତରେ ହିଁ ରହୁଥିଲା । ସେ ସମସ୍ତ ବିତ୍ତ ପୁଣି ଭାରତୀୟମାନଙ୍କ ପାଇଁ ବ୍ୟୟ କରାଯାଉଥିଲା । ବିତ୍ତର ଏହି ଅନ୍ତଃପ୍ରବାହ ଭାରତର ଅର୍ଥନୀତିକୁ ବିପନ୍ନ କରୁ ନ ଥିଲା । ମାତ୍ର ଇଂରେଜମାନଙ୍କ ଆଗମନ ସହିତ ବିତ୍ତ ପ୍ରବାହ କ୍ଷେତ୍ରରେ ପରିବର୍ତ୍ତନ ଘଟିଥିଲା । ମାତ୍ର ଶହେ ବର୍ଷ ମଧ୍ୟରେ (୧୭୫୭ରୁ ୧୮୫୭) କମ୍ପାନୀର କର୍ମକର୍ତ୍ତା, କର୍ମଚାରୀ ଏବଂ ବେପାରୀମାନେ ଭାରତର ବିଭକୁ ନିଜ ଦେଶକୁ ବୋହିନେଇଥିଲେ । ବିତ୍ତର ବହିଃପ୍ରବାହ ଯୋଗୁଁ ଭାରତ କ୍ରମଶଃ ଦରିଦ୍ର ହୋଇଯାଇଥିଲା ।
ବିତ୍ତ ପ୍ରବାହର ବିଭିନ୍ନ ଦିଗ – ବିତ୍ତ ପ୍ରବାହର ବିଭିନ୍ନ ଦିଗ ରହିଥିଲା । ପ୍ରଥମତଃ, ଇଂଲଣ୍ଡରେ ଅବସ୍ଥିତ ଇଷ୍ଟଇଣ୍ଡିଆ କମ୍ପାନୀର ପଦସ୍ଥ ଅଫିରମାନଙ୍କ ଦରମା ବାବଦକୁ ଭାରତରୁ ଅର୍ଥ ପଠାଯାଉଥିଲା ।
ଦ୍ଵିତୀୟତଃ, ୧୭୭୩ ଖ୍ରୀ.ଅ.ରେ ହୋଇଥିବା ଚାର୍ଟର ଆଇନ ବଳରେ ଇଷ୍ଟଇଣ୍ଡିଆ କମ୍ପାନୀର ଅଂଶୀଦାରମାନଙ୍କୁ ଭାରତରୁ ଆଦାୟ ହେଉଥିବା ରାଜସ୍ୱରୁ ୬,୩୦,୦୦୦ ପାଉଣ୍ଡ ଦେବା କଥା ସ୍ଥିର ହୋଇଥିଲା । ସେହିଦିନଠାରୁ ୧୮୫୭ ପର୍ଯ୍ୟନ୍ତ ଏହା ନିରବଚ୍ଛିନ୍ନ ଭାବରେ ଚାଲିଆସୁଥିଲା । ତୃତୀୟତଃ, ଭାରତୀୟ ପ୍ରଶାସନିକ କାର୍ଯ୍ୟ ଏବଂ ସୈନ୍ୟବାହିନୀରୁ ଅବସର ନେଇ ଇଂଲଣ୍ଡରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପେନ୍ସନ ପାଇଁ ମଧ୍ଯ ଭାରତରୁ ଅର୍ଥ ପଠାଯାଉଥିଲା ।
ତୃତୀୟତଃ, ଭାରତୀୟ ପ୍ରଶାସନିକ କାର୍ଯ୍ୟ ଏବଂ ସୈନ୍ୟବାହିନୀରୁ ଅବସର ନେଇ ଇଂଲଣ୍ଡରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପେନ୍ସନ ପାଇଁ ମଧ୍ୟ ଭାରତରୁ ଅର୍ଥ ପଠାଯାଉଥିଲା । ଚତୁର୍ଥତଃ, ନୌବାହିନୀ, ସାଧାରଣ ପ୍ରଶାସନିକ ସେବା ଏବଂ ସ୍ଥଳବାହିନୀ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଇଂଲଣ୍ଡ ବଜାରରେ କିଣାହେବା ବାବଦରେ ଅର୍ଥ ମଧ୍ଯ ଭାରତରୁ ଯାଉଥିଲା । ଶେଷତଃ, ବୈଦେଶିକ ବ୍ୟାଙ୍କ, ବୀମା ଏବଂ ଜାହାଜ କମ୍ପାନୀ ପାଇଁ ଇଂଲଣ୍ଡ ଯେଉଁ ଅର୍ଥ ବିନିଯୋଗ କରୁଥିଲା ତାହାର ମୋଟା ଅଙ୍କ ଭାରତରୁ ହିଁ ଯାଉଥିଲା । ଏହିସବୁ ଉପାୟରେ ଭାରତରୁ ବିଭର ବହିଃପ୍ରବାହ ଘଟୁଥିଲା ।
ବିତ୍ତ ପ୍ରବାହର କୁଫଳ – ଦୀର୍ଘ ଶହେ ବର୍ଷ ମଧ୍ୟରେ ଭାରତରୁ ବିଭର ଯେଉଁ ବହିଃପ୍ରବାହ ଘଟିଥିଲା ଏହାର କୁଫଳ ଥୁଲା ଅବର୍ଣ୍ଣନୀୟ । ଏହା ଭାରତୀୟମାନଙ୍କୁ ଅଶେଷ ଦୁଃଖ ଦେବା ସହିତ ଭାରତର ଅର୍ଥନୀତିକୁ ଦାରୁଣ ଧକ୍କା ଦେଇଥିଲା । ଏହାର କୁଫଳଗୁଡ଼ିକ ଥିଲା ନିମ୍ନ ପ୍ରକାରର । ପ୍ରଥମତଃ, ବିତ୍ତର ଏହି ବହିଃପ୍ରବାହ ଭାରତରେ ଦାରିଦ୍ର୍ୟ ବୃଦ୍ଧିର ପ୍ରଧାନ କାରଣରୂପେ ଦେଖାଦେଇଥିଲା । ଭାରତୀୟମାନଙ୍କ ଅର୍ଥରେ ଇଂଲଣ୍ଡ ପରିପୁଷ୍ଟ ହୋଇଥିବାବେଳେ ଭାରତର କୃଷକ, ଶ୍ରମିକ ଏବଂ ଶିଳ୍ପୀମାନଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା । ଦ୍ଵିତୀୟତଃ, ଭାରତରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଶିଥୁଳତା ଦେଖାଦେଇଥିଲା । ଧନିକ ବା ଜମିଦାର ଶ୍ରେଣୀୟ ଲୋକମାନେ ଇଂରେଜ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ପୁଞ୍ଜି ବିନିଯୋଗର ସୁଯୋଗ ପାଇପାରି ନ ଥିଲେ ।
ତୃତୀୟତଃ, ଏହି ବିତ୍ତୀୟ ବହିଃପ୍ରବାହ ଫଳରେ ଭାରତରେ ଶିଳ୍ପର ଅବନତି ଦେଖାଯାଇଥିଲା । ଭାରତରୁ ଲୁହାପଥର, ତୁଳା, କପା ଆଦି କଞ୍ଚାମାଲ ଇଂଲଣ୍ଡକୁ ଚାଲିଯିବା ଫଳରେ ଭାରତୀୟ ଶିଳ୍ପ ରୁଗ୍ଣ ହୋଇପଡ଼ିଥିଲା । ଶେଷତଃ, ଭାରତୀୟମାନେ ଚାକିରି ନ ପାଇବାରୁ ସେମାନଙ୍କର ବୃଦ୍ଧି ଉଚ୍ଛେଦ ହେବାରୁ ସେମାନେ ବିଦ୍ରୋହୀ ହୋଇ ଉଠିଥିଲେ । ବିଭିନ୍ନ ପ୍ରକାର କୁକର୍ମ ମାଧ୍ୟମରେ ଅନେକ ଜୀବିକା ନିର୍ବାହର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେଲେ । ଏହା ଭାରତରେ ଅରାଜକତା ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହୋଇଥିଲା ।
୩ । ଭାରତରେ ୧୭୫୭ ଖ୍ରୀ.ଅ. ରୁ ୧୮୫୭ ଖ୍ରୀ.ଅ. ମଧ୍ଯରେ ଗମନାଗମନ ଓ ଯୋଗାଯୋଗର ବିକାଶ କିପରି ଘଟିଥିଲା ଉଲ୍ଲେଖ କର ।
Answer:
ଭାରତରେ ଇଂରେଜ ଶାସନର ପ୍ରତିଷ୍ଠା ପରେ ତା’ର ଭାଗ୍ୟ ବଦଳିବାରେ ଲାଗିଥିଲା । ନିଜର ବ୍ୟାବସାୟିକ କାରବାର ବୃଦ୍ଧି କରିବାପାଇଁ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଗମନାଗମନର ସୁବିଧା କରିଥିଲା । ତେଣୁ ପରିବହନ ପାଇଁ ସଡ଼କ ଏବଂ ରେଳପଥର ବ୍ୟାପକ ପ୍ରସାର ଘଟିଥିଲା । ଯୋଗାଯୋଗ ନିମିତ୍ତ ଡାକ ଏବଂ ଟେଲିଗ୍ରାଫ୍ର ପ୍ରଚଳନ ମଧ୍ୟ ବିଧ୍ଵବଦ୍ଧଭାବରେ ଘଟିଥିଲା । ଭାରତକୁ ଆଧୁନିକୀକରଣ କରିବା ଦିଗରେ ଏଗୁଡ଼ିକର ଗୁରୁତ୍ଵ ଯଥେଷ୍ଟ ଥିଲା । ଏସବୁପାଇଁ ଡେହାଉସୀଙ୍କ ଅବଦାନ ଥିଲା ଉଲ୍ଲେଖଯୋଗ୍ୟ ।
ଭାରତରେ ଇଂରେଜମାନେ ପଦାର୍ପଣ କରିବା ପୂର୍ବରୁ ଏହାର ପରିବହନ ବ୍ୟବସ୍ଥା ଅତି ଅନୁନ୍ନତ ଅବସ୍ଥାରେ ଥିଲା । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଦ୍ରବ୍ୟ ଆଦି ପରିବହନ ନିମିତ୍ତ ସ୍ଥଳପଥରେ ଲୋକମାନେ ଶଗଡ଼, ଓଟ, ଗଧ, ଘୋଡ଼ା ଆଦି ଉପରେ ନିର୍ଭର କରୁଥିଲେ । ଜଳପଥରେ ନୌକା ଓ ଭେଳା ଉପରେ ନିର୍ଭର କରାଯାଉଥିଲା । ଇଂରେଜମାନେ ଉପଲବ୍ କରିଥିଲେ ଯେ ଭାରତରେ ବାଣିଜ୍ୟିକ ପ୍ରସାର ନିମିତ୍ତ ଏହାର ରାସ୍ତାଗୁଡ଼ିକ ସମ୍ପ୍ରସାରଣ କରିବା ତଥା ନଦୀଗୁଡ଼ିକରେ ଷ୍ଟିମର ସାହାଯ୍ୟରେ ପରିବହନର ସୁଯୋଗ ସୃଷ୍ଟି କରିବା ଏକାନ୍ତ ଅପରିହାର୍ଯ୍ୟ । ବିଶେଷକରି ଡେଲ୍ହାଉସୀ ଭାରତରେ ପଦାର୍ପଣ କରିବା ପରେ ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ଉଦ୍ୟମ କରିଥିଲେ ।
ସଡ଼କପଥର ବିକାଶ – ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ତାଙ୍କ ଶାସନ କାଳରେ ସଡ଼କପଥର ବିକାଶ ପାଇଁ ଦୃଷ୍ଟି ଦେଇଥିଲେ । ସେ କଲିକତାକୁ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ସହିତ ଯୋଗ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସେ କଲିକତାରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ଗ୍ରାଣ୍ଡ ଟ୍ରକ୍ ରୋଡ଼’ ନିର୍ମାଣ କରାଇଥିଲେ । ପରେ ପରେ ଏହି ସଡ଼କ ଲାହୋର ଏବଂ ପେଶର ସହିତ ମଧ୍ୟ ସଂଯୁକ୍ତ କରାଯାଇଥିଲା । ଏହାପରେ ବମ୍ବେଠାରୁ ଆଗ୍ରା ପର୍ଯ୍ୟନ୍ତ ଲମ୍ବିଥିଲା ବିଶାଳ ସଡ଼କପଥ । ପରେ ୧୮୫୪ ଖ୍ରୀ.ଅ.ରେ ଲର୍ଡ଼ ଡେଲ୍ହାଉସୀ ସଡ଼କପଥ, ରେଳପଥ ଓ କେନାଲ ଖନନ ଉପରେ ବିଶେଷଭାବେ ଦୃଷ୍ଟି ଦେଇଥିଲେ ଏବଂ ଏଥିପାଇଁ ପୂର୍ତ୍ତବିଭାଗ ଗଠନ କରିଥିଲେ । କ୍ରମେ ଭାରତବର୍ଷରେ ଗମନାଗମନ ଓ ପରିବହନ ପାଇଁ ସଡ଼କପଥର ବିକାଶ ଘଟିଥିଲା ।
ଜଳପଥ – ସଡ଼କପଥ ପରି ଜଳପଥର ଆବଶ୍ୟକତା ମଧ୍ଯ ଇଂରେଜମାନେ ଉପଲ୍ବଧୂ କରିଥିଲେ । ସେଥିପାଇଁ ଗଙ୍ଗା ଆଦି ନଦୀରେ ନୌକା ସହିତ ଷ୍ଟିମରର ବନ୍ଦୋବସ୍ତ ମଧ୍ଯ ସେମାନେ କରିଥିଲେ । କେବଳ ସେତିକି ନୁହେଁ, କୃଷିର ଉନ୍ନତି ନିମିତ୍ତ ସେମାନେ କେନାଲର ବିକାଶ ମଧ୍ଯ କରାଇଥିଲେ । ୧୮୫୪ ଖ୍ରୀ.ଅ.ରେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍ଘାଟିତ ହୋଇଥିଲା । ପରେ ୧୮୮୨ ଖ୍ରୀ.ଅ.ରେ ସରହିନ୍ଦ୍ କେନାଲର ଶୁଭ ଉଦ୍ଘାଟନ ହୋଇଥିଲା । ମାତ୍ର ସ୍ଥଳପଥ ତୁଳନାରେ ଜଳପଥର ସେମିତି ଆଦୃଶିଆ ବିକାଶ ହୋଇପାରିନଥିଲା ।
ରେଳପଥର ପ୍ରଚଳନ – ଶିଳ୍ପ ବିପ୍ଳବ ପରେ ୧୮୨୫ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ରେଳ ଚଳାଚଳ ହୋଇଥିଲା । ଏହି ରେଳପଥଦ୍ଵାରା କଞ୍ଚାମାଲ ଇତ୍ୟାଦିର ପରିବହନ ଏବଂ ଉତ୍ପନ୍ନ ଦ୍ରବ୍ୟର ବଣ୍ଟନ ସହଜ ହେବ ବୋଲି ଜଣାପଡ଼ିଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଏହାର ଆବଶ୍ୟକତା ଅନୁଭବ କରିଥିଲା । ଭାରତରେ ରେଳପଥର ବିକାଶ ନିମିତ୍ତ ଡେଲ୍ହାଉସୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବମ୍ବେରୁ କଲ୍ୟାଣ ନଗର, କଲିକତାରୁ ରାଣୀଗଞ୍ଜ ଏବଂ ମାନ୍ଦ୍ରାଜରୁ ଆର୍କୋଟ୍ ପର୍ଯ୍ୟନ୍ତ ରେଳପଥର ବିକାଶ ନିମିତ୍ତ ସେ ଉଦ୍ୟମ କରିଥିଲେ । ୧୮୫୩ ଖ୍ରୀ.ଅ.ରେ ପ୍ରଥମଥର ପାଇଁ ଥାନେ ଏବଂ ବମ୍ବେ ମଧ୍ୟରେ ରେଳ ଚଳାଚଳ କରିଥିଲା । ୧୮୫୪ ଖ୍ରୀ.ଅ.ରେ କଲିକତାଠାରୁ ରାଣୀଗଞ୍ଜଆଡ଼କୁ ୬୦ କିଲୋମିଟର ଲମ୍ବର ରେଳପଥ ନିର୍ମିତ ହୋଇଥିଲା । ୧୮୫୬ ଖ୍ରୀ.ଅ.ରେ ମାନ୍ଦ୍ରାଜ ଆର୍କୋଟ୍ ରେଳପଥର ଶୁଭାରମ୍ଭ ହୋଇଥିଲା । ୧୮୬୯ ଖ୍ରୀ.ଅ. ବେଳକୁ ୪,୦୦୦ ମାଇଲରୁ ଅଧିକ ରେଳପଥ ଭାରତରେ ବିସ୍ତାରଲାଭ କରିଥିଲା । ଅବଶ୍ୟ ଏହାପରେ ଭାରତରେ ରେଳପଥର ଦ୍ରୁତ ବିକାଶ ଘଟିଥିଲା ।
ଡାକ ବିଭାଗର ସ୍ଥାପନ – ଯୋଗାଯୋଗ ସ୍ଥାପନ ପାଇଁ ଭାରତରେ ଡାକ ବିଭାଗର ପ୍ରଚଳନ ଥିଲା ଇଂରେଜମାନଙ୍କର ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ । ଡେଲ୍ହାଉସୀଙ୍କ ଆଗମନ ପୂର୍ବରୁ ଭାରତରେ ଘୋଡ଼ାସବାର ଏବଂ ବ୍ୟକ୍ତିବିଶେଷଙ୍କଦ୍ଵାରା ଡାକ ପ୍ରେରଣ କରାଯାଉଥିଲା । ସମ୍ବାଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବାପାଇଁ ଅହେତୁକ ବିଳମ୍ବ ହେଉଥିଲା । ଇଂଲଣ୍ଡରେ ସାର୍ ରୋଲାଣ୍ଡ ହିଲ୍ ନାମକ ଜଣେ ବ୍ୟକ୍ତି ‘ପେନି ଡାକ ମାହାସୁଲ ପ୍ରଥା’ ଉଦ୍ଭାବନ କରିଥିଲେ । ଏହାଫଳରେ ଡାକଟିକଟ କିଣି ଚିଠି ଉପରେ ଲଗାଇ ଚିଠି ପକାଇବାକୁ ପଡ଼ିଲା । ଡେହାଉସୀ ଭାରତରେ ‘ଅର୍ଦ୍ଧଅଣା’ ଡାକ ପ୍ରଥା ପ୍ରଚଳନ କରିଥିଲେ । ଏଥୁ ସହିତ ‘ନୂତନ ଡାକଘର ଆଇନ’ ପ୍ରଣୟନ କରିଥିଲେ । ସହର ତଥା ଗ୍ରାମମାନଙ୍କରେ ଡାକଘରମାନ ସ୍ଥାପନ କରାଯାଇଥିଲା ।
ଡାକବିଭାଗର କାର୍ଯ୍ୟକାରିତାକୁ ତଦାରଖ କରିବାପାଇଁ ଜଣେ ଡାଇରେକ୍ଟର ଜେନେରାଲ ନିଯୁକ୍ତି ପାଇଥିଲେ । ଏହା ଯେ କେବଳ ସଂଯୋଗ ସ୍ଥାପନ କରିବାପାଇଁ ସହାୟକ ହୋଇଥିଲା ତାହା ନୁହେଁ, ଇଷ୍ଟଇଣ୍ଡିଆ କମ୍ପାନୀ ପାଇଁ ଏହା ଅର୍ଥ ଆଗମନର ପଥକୁ ସୁଗମ କରି ଦେଇଥିଲା । ଟେଲିଗ୍ରାଫ୍ ବ୍ୟବସ୍ଥାର ପ୍ରଚଳନ – ଲର୍ଡ଼ ଡେଲ୍ହାଉସୀ ଭାରତରେ ଟେଲିଗ୍ରାଫ୍ ପ୍ରଚଳନ କରାଇ ଭାରତରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଘଟାଇଥିଲେ । ଡେହାଉସୀଙ୍କ ସମୟରେ ଦୀର୍ଘ ୪୦୦୦ ମାଇଲ୍ ବ୍ୟାପୀ ଟେଲିଗ୍ରାଫ୍ ତାର ଟଣାଯାଇଥିଲା । ଏହା ଫଳରେ କଲକତା ସହିତ ବମ୍ବେ, ପେଶୱାର, ମାନ୍ଦ୍ରାଜ, ବାରାଣସୀ, ଅମ୍ବାଲା ଆଦି ସ୍ଥାନ ସହିତ ସଂଯୁକ୍ତ ହୋଇପାରିଥିଲା । ଏହା ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମ୍ବାଦ ପ୍ରେରଣ କରାଯାଇପାରିଲା । ୧୮୫୭ ଖ୍ରୀ.ଅ. ପରେ ଭାରତବର୍ଷରେ ଏହା ବହୁଳରୂପେ ପ୍ରସାରିତ ହୋଇଥିଲା ।
ଫଳାଫଳ – ଭାରତରେ ଇଂରେଜମାନଙ୍କର ପରିବହନ ଓ ଯୋଗାଯୋଗର ଫଳାଫଳ ଥିଲା ସୂଦୁରପ୍ରସାରୀ । ପ୍ରଥମତଃ, ରେଳ ପ୍ରଚଳନ ହେବାଫଳରେ ଭାରତର ବିଭିନ୍ନ ପ୍ରାନ୍ତ ସଂଯୋଜିତ ହୋଇପାରିଲା । ବିଭିନ୍ନ ପ୍ରାନ୍ତର ଲୋକମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ କ୍ରମଶଃ ଦୂରୀଭୂତ ହୋଇପାରିଥିଲା । ଏହା ସମୟକ୍ରମେ ଭାରତୀୟମାନଙ୍କ ମଧ୍ୟରେ ଏକତା ବୃଦ୍ଧି କରାଇ ଜାତୀୟତାବାଦ ଉନ୍ମେଷ କରିବା ଦିଗରେ ସହାୟକ ହୋଇଥିଲା । ଦ୍ଵିତୀୟତଃ, କୃଷିର ଉନ୍ନତିଲାଗି ଯଥେଷ୍ଟ ସହାୟକ ହୋଇଥିଲା କେନାଲ ଖନନ । ଏହା ଜଳସେଚନରେ ସହାୟକ ହୋଇ କୃଷି ଉତ୍ପାଦନ ବୃଦ୍ଧି କରିଥିଲା ଏବଂ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ସହାୟକ ହୋଇଥିଲା ।
ତୃତୀୟତଃ, ସଡ଼କପଥର ବିକାଶ ଘଟିବା ଫଳରେ ଯାତାୟାତ ଓ ପରିବହନ ବ୍ୟବସାୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଥିଲା । ଚତୁର୍ଥତଃ, ଡାକବିଭାଗ ଓ ଇଲେକ୍ଟ୍ରିକ୍ ଟେଲିଗ୍ରାଫ୍ର ପ୍ରଚଳନ ଫଳରେ ଭାରତରେ ସମ୍ବାଦ ସରବରାହ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଶେଷତଃ, ପରିବହନ ଓ ସଂଯୋଗ ବ୍ୟବସ୍ଥା ଫଳରେ ଇଂରେଜମାନେ ଭାରତାୟମାନଙ୍କ ବିଶେଷଭାବରେ ଶୋଷଣ କରିବାର ସୁଯୋଗ ପାଇପାରିଥିଲେ । ଭାରତର ବିଭିନ୍ନ ବନ୍ଦର ଏବଂ ସହର ତଥା ଉପାନ୍ତ ଅଞ୍ଚଳରେ ରେଳଦ୍ଵାରା ସଂଯୁକ୍ତ ହେବାଫଳରେ ଏ ଦେଶର କଞ୍ଚାମାଲ ଅନାୟାସରେ ଭାରତ ବାହାରକୁ ଯାଇପାରୁଥିଲା ଏବଂ ବିଦେଶୀ ଦ୍ରବ୍ୟ ମଧ୍ୟ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ପ୍ରସାରଲାଭ କରିପାରୁଥିଲା । ସର୍ବୋପରି ୧୭୫୭ ଖ୍ରୀ.ଅ.ରୁ ୧୮୫୭ ଖ୍ରୀ.ଅ.ରୁ ମଧ୍ଯରେ ଇଂରେଜମାନେ ଭାରତରେ ଗମନାଗମନ ଏବଂ ସଂଯୋଗ କ୍ଷେତ୍ରରେ ବହୁ ଉନ୍ନତି ସାଧନ କରିଥିଲେ । ଏହା ଏକପକ୍ଷରେ ଭାରତୀୟମାନଙ୍କ ଅଶେଷ ଉନ୍ନତିସାଧନ କରିଥିଲେ ମଧ୍ୟ ଅନ୍ୟପକ୍ଷରେ ଇଂରେଜମାନଙ୍କର ରାଜନୈତିକ ସ୍ଵାର୍ଥ ଏବଂ ଆର୍ଥନୀତିକ ଶୋଷଣକୁ ପାଥେୟ ଯୋଗାଇଥିଲା ।
୪। ଇଷ୍ଟଇଣ୍ଡିଆ କମ୍ପାନୀର ବାଣିଜ୍ୟନୀତି ଉପରେ ଆଲୋଚନା କର ।
Answer:
ଜଳପଥ ଆବିଷ୍କାର ପରେ ଇଉରୋପର ବିଭିନ୍ନ ଜାତି ଭାରତ ସହିତ ବାଣିଜ୍ୟ କରିବାପାଇଁ ଉତ୍ସାହ ପ୍ରକାଶ କରିଥିଲେ । ସେହି ଜାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ ପର୍ତ୍ତୁଗୀଜ୍, ଡଚ୍, ଇଂରେଜ ଓ ଫରାସୀମାନେ । ସପ୍ତଦଶ ଶତାବ୍ଦୀ ଆରମ୍ଭରେ ଯଦିଚ ପର୍ତ୍ତୁଗୀଜ୍ମାନେ ଭାରତରେ ବ୍ୟାପକ ବାଣିଜ୍ୟ କରୁଥିଲେ, ଅଷ୍ଟାଦଶ ଶତାବ୍ଦୀବେଳକୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣରୂପେ ଅଚଳ ହୋଇପଡ଼ିଥିଲା । ଡ୍ୟୁପ୍ଲେଙ୍କ ପରେ ଫରାସୀମାନଙ୍କର ବାଣିଜ୍ୟ ବ୍ୟବସାୟର ପତନ ଘଟିଥିଲା । ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଡଚ୍ ଓ ଇଂରେଜମାନେ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ରଖିଥିଲେ । ପଲାସୀ ଯୁଦ୍ଧ ପର୍ଯ୍ୟନ୍ତ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ଗୋଟିଏ ବାଣିଜ୍ୟ କର୍ପୋରେସନ୍ ପରି କାର୍ଯ୍ୟ କରୁଥିଲା । ପଲାସୀ ଯୁଦ୍ଧ ପରେ ଭାରତରେ ଇଂରେଜମାନଙ୍କର ଅର୍ଥନୈତିକ ନୀତିରେ ବିରାଟ ପରିବର୍ତ୍ତନ ଦେଖାଦେଇଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ନିଜର ରାଜନୈତିକ କ୍ଷମତା ମାଧ୍ୟମରେ ଭାରତର ବାଣିଜ୍ୟ ବ୍ୟବସାୟକୁ ନିୟନ୍ତ୍ରଣ କରିବାପାଇଁ ଚେଷ୍ଟା କରିଥିଲା ।
ଏହା ତିନୋଟି ମୂଳ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ ଥିଲା; ଯଥା –
- କମ୍ପାନୀର ଲାଭର ପରିମାଣକୁ ବୃଦ୍ଧି କରାଇବା
- ଭାରତକୁ ଅଧିକ ଲାଭଜନକ କରାଇବା
- ନିଜର ସ୍ଥିତିକୁ ଭାରତରେ ସୁଦୃଢ଼ କରିବା ।
ଏହାର ପରିଣାମସ୍ୱରୂପ ଇଂଲଣ୍ଡର ଅର୍ଥନୈତିକ ଶୋଷଣର ଶିକାର ହୋଇଥିଲା ଐଶ୍ଵର୍ଯ୍ୟଶାଳୀ ଭାରତବର୍ଷ । ପ୍ରଥମେ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତୀୟ ଦ୍ରବ୍ୟକୁ ନେଇ ଇଉରୋପୀୟ ବଜାରରେ ବିକ୍ରି କରୁଥିଲା । ସେତେବେଳେ ଭାରତର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇନଥିଲା । ମାତ୍ର ସେମାନେ ଭାରତରେ ସାମ୍ରାଜ୍ୟ ସ୍ଥାପନ କରିବା ପରେ (୧୮୫୭ ମସିହା) ବାଣିଜ୍ୟ ପ୍ରତି ଅଧିକ ଯନ୍ତ୍ରବାନ୍ ହୋଇଥିଲେ । ଏଥିପାଇଁ ସେମାନେ ବହୁ ନିୟମ ଓ ବେନିୟମ କାର୍ଯ୍ୟ କରିବାକୁ ପଛାଇନଥିଲେ । ଉଦାହରଣସ୍ୱରୂପ, ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପରେ ତା’ର ଶିଳ୍ପଜାତ ଦ୍ରବ୍ୟ ସବୁ ବହୁ ପରିମାଣରେ ପ୍ରସ୍ତୁତ ହେବାରୁ ସେଗୁଡ଼ିକୁ ଭାରତୀୟ ବଜାରରେ ଶସ୍ତାରେ ବିକ୍ରି କରିବାପାଇଁ ସେହି ଦ୍ରବ୍ୟ ଉପରେ କୌଣସି ଟିକସ ବସାଇନଥିଲେ ।
ଅପରପକ୍ଷେ ଭାରତୀୟ ଶିଳ୍ପଜାତ ଦ୍ରବ୍ୟ ଉପରେ ଟିକସ ବସାଇବା ଫଳରେ ତା’ର ମୂଲ୍ୟ ବଢ଼ିଯାଇଥିଲା । ଫଳରେ ଭାରତୀୟ ବାଣିଜ୍ୟ ଧ୍ୱଂସ ପାଇଯାଇଥିଲା । ଏହି ନୀତି ଫଳରେ ଭାରତର ବହୁ ଶିଳ୍ପ ଅଚଳ ହୋଇପଡ଼ିଥିଲା । ଭାରତୀୟ ଦ୍ରବ୍ୟର ରପ୍ତାନି ବୃଦ୍ଧି କରିବାକୁ କମ୍ପାନୀ ବଙ୍ଗଳାରେ ଅର୍ଥ ବିନିଯୋଗ କରିଥିଲା । ଏହାଦ୍ଵାରା ଭାରତୀୟ ଉତ୍ପାଦନକାରୀମାନେ ଲାଭବାନ୍ ହେବା କଥା; କିନ୍ତୁ କମ୍ପାନୀ ସେମାନଙ୍କ ଉପରେ କଟକଣା ଜାରି କରିଥିଲା । ରାଜନୈତିକ କ୍ଷମତା ଖଟାଇ ବଙ୍ଗଳାର ବୁଣାକାରମାନଙ୍କୁ ଅଳ୍ପମୂଲ୍ୟରେ, ଏପରିକି କ୍ଷତିରେ କାର୍ପାସ ବସ୍ତ୍ର ବିକ୍ରି କରିବାକୁ କମ୍ପାନୀ ବାଧ୍ୟ କରିଥିଲା । ଭାରତୀୟ କାରଖାନାରେ କାର୍ଯ୍ୟ କରିବାକୁ ବୁଣାକାରମାନଙ୍କୁ ବାରଣ କରାଯାଇଥିଲା ଏବଂ ସେମାନେ ଅଳ୍ପ ମଜୁରିରେ କମ୍ପାନୀର କାରଖାନାରେ କାର୍ଯ୍ୟକରିବାକୁ ବାଧ୍ୟ ହେଉଥିଲେ ।
ଗରିବ ବୁଣାକାରମାନେ ଦଣ୍ଡ ଭୟରେ କମ୍ପାନୀ କାରଖାନାରେ କାର୍ଯ୍ୟ କରିବାକୁ ବଣ୍ଡ ଲେଖିଦେଇଥିଲେ । ବଙ୍ଗଳାର ହସ୍ତଶିଳ୍ପୀମାନଙ୍କୁ ଅଧିକ ମଜୁରି ପ୍ରଦାନ ନକରିବାକୁ ଉଭୟ ଭାରତୀୟ ଓ ବିଦେଶୀ କମ୍ପାନୀମାନଙ୍କୁ ବାଧ୍ୟ କରାଯାଇଥିଲା । କମ୍ପାନୀର କର୍ମଚାରୀମାନେ ତୁଳା ବ୍ୟବସାୟ ମଧ୍ୟ ଏକଚାଟିଆ କରି ନେଇଥିଲେ । ଫଳରେ ଭାରତୀୟ ବୁଣାକାରମାନେ ଅଧିକ ମୂଲ୍ୟଦେଇ ତୁଳା କିଣୁଥିଲେ । ବ୍ରିଟେନ୍ରେ ଉତ୍ପାଦିତ ଦ୍ରବ୍ୟ ଭାରତୀୟ ଦ୍ରବ୍ୟଠାରୁ ଉତ୍କୃଷ୍ଟ ଓ ସୁଲଭ ନଥିଲେ ମଧ୍ୟ ବ୍ରିଟେନ୍ ତାହାର ଉତ୍ପାଦିତ ଦ୍ରବ୍ୟର ସ୍ଵାର୍ଥରକ୍ଷା ପାଇଁ ସଜାଇଥଲା । ବ୍ରିଟେନ୍ ସରକାର ମଧ୍ୟ ଭାରତୀୟ ହସ୍ତଶିଳ୍ପ ଉପରେ ଶୁଳ୍କ ବୃଦ୍ଧି କରିବାରୁ ବିଦେଶରେ ଚାଲୁଥିବା ଭାରତର ପୂର୍ବ କାରବାର ହ୍ରାସ ପାଇଥିଲା ।
ଶିଳ୍ପ ବିପ୍ଳବ ଯୋଗୁଁ ବ୍ରିଟେନ୍ରେ ଯେଉଁ କ୍ଷମତାଶାଳୀ ଉତ୍ପାଦନକାରୀ ଶ୍ରେଣୀର ଉତ୍ଥାନ ଘଟିଲା, ସେହି ଶ୍ରେଣୀ ପ୍ରତ୍ୟକ୍ଷ ରାଜନୀତିକ କ୍ଷମତା ହାସଲ କରି ଭାରତୀୟ ଶାସନକୁ ପ୍ରଭାବିତ କରିଥିଲା । ଉତ୍ପାଦନକାରୀମାନଙ୍କର ଲାଭ ଉତ୍ପାଦନରୁ ହିଁ ଆସୁଥୁଲା, ବାଣିଜ୍ୟରୁ ନୁହେଁ । ତେଣୁ ସେମାନେ ବିଟ୍ରେନ୍କୁ ଭାରତୀୟ ଦ୍ରବ୍ୟର ଆମଦାନୀ ପରିବର୍ତ୍ତେ ଭାରତରେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ନିଜର ଉଦ୍ୟୋଗ ପାଇଁ ଭାରତକୁ ତୁଳା ଓ ରେଶମ ପରି ଅନ୍ୟାନ୍ୟ କଞ୍ଚାମାଲ ପଠାଇବାକୁ କମ୍ପାନୀ ଉପରେ ଚାପ ପ୍ରୟୋଗ କରିଥିଲେ । ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା । ବ୍ରିଟେନ୍ର କାର୍ପାସ୍ ବସ୍ତ୍ର ପାଖ ଦେଶଗୁଡ଼ିକୁ ବିଶେଷଭାବରେ ଭାରତରୁ ରପ୍ତାନୀ କରାଗଲା ।
ବ୍ରିଟିଶ୍ ଉତ୍ପାଦନକାରୀମାନେ ଅନୁଭବ କରିଥିଲେ ଯେ କମ୍ପାନୀର ଭାରତରେ ରାଜସ୍ଵ ନିୟନ୍ତ୍ରଣ ଏବଂ ରପ୍ତାନୀ ବାଣିଜ୍ୟ ମୁଖ୍ୟତଃ ସେମାନଙ୍କ ସ୍ୱାର୍ଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ୧୭୯୩ ଖ୍ରୀ.ଅ. ରୁ ୧୮୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେମାନେ କମ୍ପାନୀ ଓ ତାହାର ବାଣିଜ୍ୟିକ ସୁବିଧା ବିରୋଧରେ ଅଭିଯାନ ଚଳାଇଥିଲେ । ଫଳରେ ୧୮୧୩ ଖ୍ରୀଷ୍ଟାବ୍ଦରେ କମ୍ପାନୀର ଭାରତୀୟ ବାଣିଜ୍ୟ ଉପରେ ଥିବା ଏକଚାଟିଆ ଅଧିକାର ଲୋପ କରାଯାଇଥିଲା । ଏହିଠାରୁ ଭାରତ ସଚିବ ବ୍ରିଟେନ୍ର ଆର୍ଥନୀତିକ ସମ୍ପର୍କରେ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । କୃଷିପ୍ରଧାନ ଭାରତ ପରିବର୍ତ୍ତିତ ହୋଇଥିଲା। ଶିଳ୍ପପ୍ରଧାନ ଇଂଲଣ୍ଡର ଆର୍ଥନୀତିକ କଲୋନୀରେ ।
ଭାରତର ସରକାରଙ୍କର ମୁକ୍ତ ବାଣିଜ୍ୟନୀତି ଯୋଗୁଁ ବ୍ରିଟିଶ୍ କଳପ୍ରସ୍ତୁତ ଦ୍ରବ୍ୟ ବିନା କଟକଣାରେ ଭାରତରେ ପ୍ରବେଶ କରିଥିଲା । ଫଳରେ ବ୍ରିଟିଶ୍ ଦ୍ରବ୍ୟ ସହିତ ଭାରତୀୟ ହସ୍ତଶିଳ୍ପ ଭୟଙ୍କର ଓ ଅତୁଳନୀୟ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଲୋପ ପାଇବାକୁ ବସିଥିଲା । ଭାରତକୁ ବ୍ରିଟିଶ୍ର ରପ୍ତାନୀ ଦ୍ରବ୍ୟ ପ୍ରକାଶ୍ୟ ଭାବରେ କିମ୍ବା ନାମମାତ୍ର ଟିକସ ଧାର୍ଯ୍ୟ ହୋଇଆସୁଥିଲା । ଭାରତରେ ବ୍ରିଟିଶ୍ ଦ୍ରବ୍ୟ ବିକ୍ରି କରିବାପାଇଁ ବଜାରବୃଦ୍ଧି କରିବା ହେଲା ଏହା ପରିବର୍ତ୍ତିତ ବାଣିଜ୍ୟ ନୀତିର ଉଦ୍ଦେଶ୍ୟ । ନୂତନ ରାଜ୍ୟଜୟ ଓ ଅଯୋଧ୍ୟା ପରି କରଦ ରାଜ୍ୟ ଅଧୁକାର କରିବା ନୀତି ଗ୍ରହଣ କରି ବ୍ରିଟିଶ୍ ଦ୍ରବ୍ୟର କ୍ରେତା ସଂଖ୍ୟା ବୃଦ୍ଧି କରିବାକୁ ସରକାର ଚେଷ୍ଟା କରିଥିଲେ । ଇଂରେଜମାନେ ଭାରତୀୟ ଦ୍ରବ୍ୟ ପରିବର୍ତ୍ତେ ନିଜ ଦେଶର କଳକାରଖାନା ପାଇଁ ଭାରତରୁ କଞ୍ଚାମାଲ ରପ୍ତାନୀ ଉପରେ ଜୋର୍ ଦେଇଥିଲେ । ଚୀନ୍ ଦେଶର ବାରଣ ସତ୍ତ୍ଵେ ଇଂରେଜମାନେ ଭାରତରୁ ଅଫିମ ନେଇ ସେ ଦେଶରେ ବାଣିଜ୍ୟ କଲେ । ଊନବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଭାରତରୁ ମୁଖ୍ୟତଃ ତୁଳା, ରେଶମ, ଝୋଟ, ତୈଳବୀଜ, ଗହମ, ଚମଡ଼ା, ନୀଳ ଓ ଚା’ ରପ୍ତାନୀ ହେଉଥିଲା ।
ଗୋଟିଏ ଶିଳ୍ପାନ୍ନତ ଦେଶ ପାଇଁ କୃଷିର ବ୍ୟବସାୟୀକରଣ ଏକାନ୍ତ ଆବଶ୍ୟକ । ଶିଳ୍ପର କଞ୍ଚାମାଲ ରୂପେ ସାଧାରଣତଃ କୃଷିଜାତ ଦ୍ରବ୍ୟ ବ୍ୟବହୃତ ହୋଇଥାଏ । ତେଣୁ ଶିଳ୍ପର ବିକାଶ ସହିତ କୃଷି ଉତ୍ପାଦନ ବୃଦ୍ଧି ଜରୁରୀ ହୋଇପଡ଼ିଥିଲା । ନିଜ ଶିଳ୍ପ ପାଇଁ କଞ୍ଚାମାଲ ଯୋଗାଇବା ଏବଂ ଇଉରୋପୀୟ ଓ ଆମେରିକା ବଜାରରେ ଅର୍ଥକରୀ ଫସଲ ବିକ୍ରିକରି ଲାଭବାନ୍ ହେବା ଉଦ୍ଦେଶ୍ୟରେ ଇଂରେଜମାନେ କୃଷିର ବ୍ୟବସାୟୀକରଣ କରିଥିଲେ । କୃଷିର ଉନ୍ନତି ପାଇଁ ଭାରତ ସରକାରଙ୍କ ଅଧୀନରେ ଏକ କୃଷି ବିଭାଗ ଖୋଲିବାକୁ ଦାବି କରାଗଲା । କପା ଚାଷର ଉନ୍ନତି ପାଇଁ ୧୮୩୯ମସିହାରେ କୋର୍ଟ ଅଫ୍ ଡାଇରେକ୍ଟର ବାରିଜଣ ଆମେରିକୀୟ ବିଶେଷଜ୍ଞଙ୍କୁ ଭାରତକୁ ପଠାଇଥିଲେ । ଭାରତୀୟ କପାଚାଷୀଙ୍କୁ ତାଲିମ ଦେବା ଥିଲା ସେମାନଙ୍କର ଦାୟିତ୍ଵ । ଉଦ୍ଦେଶ୍ୟ ଥିଲା, ବ୍ରିଟିଶ୍ ମିଲ୍ ପାଇଁ ଉନ୍ନତ ମାନର ତୁଳା ଉତ୍ପନ୍ନ ଓ ରପ୍ତାନୀ କରିବା ।
ଫଳରେ ଅଧୂକରୁ ଅଧିକ ଜମିରେ କପାଚାଷ କରାଗଲା । ଚା’ ଓ କଫି ଚାଷ ଅପେକ୍ଷା ନୀଳଚାଷ ଥିଲା ଅଧ୍ଵକ ଲାଭଦାୟକ । ତେଣୁ ଇଂରେଜମାନେ ଭାରତରେ ନୀଳ ଚାଷ ଉପରେ ଗୁରୁତ୍ଵ ଦେଇଥିଲେ । ଆମେରିକା ଓ ଇଉରୋପୀୟ ବଜାରରେ ଝୋଟ ପ୍ରସ୍ତୁତ ଦ୍ରବ୍ୟର ଚାହିଦା ଥିବାରୁ ଭାରତରେ ଝୋଟଚାଷ କରାଗଲା । ଏହା ସହିତ ଧୂଆଁପତ୍ର, ଅଫିମ, ଆଖୁ ଆଦି ନୂତନଭାବରେ ମଧ୍ଯ ଚାଷ କରାଗଲା ।
କୃଷିର ବ୍ୟବସାୟୀକରଣରେ ବ୍ରିଟିଶ୍ ବଣିକ, ଉତ୍ପାଦନକାରୀ ଏବଂ ଇଂରେଜମାନଙ୍କ ମଧ୍ୟସ୍ଥିରୂପେ କାର୍ଯ୍ୟ କରୁଥିବା ଭାରତୀୟ ବଣିକ ଓ ଋଣଦାତା ଲାଭବାନ୍ ହୋଇଥିଲେ । ଅବଶ୍ୟ ଏହାଦ୍ୱାରା ଭାରତରେ ଅଳ୍ପ କେତୋଟି ଶିଳ୍ପ ଗଢ଼ିଉଠିଥିଲା; କିନ୍ତୁ ଅଧିକାଂଶ ଭାରତୀୟ ଶିଳ୍ପର ମାଲିକ ଥିଲେ ବ୍ରିଟିଶ୍ ପୁଞ୍ଜିପତି । ଅନ୍ୟ ପକ୍ଷରେ ବ୍ରିଟିଶ୍ ବାଣିଜ୍ୟ ନୀତି ଯୋଗୁଁ ଭାରତୀୟମାନଙ୍କ ଅବସ୍ଥା ଦୁଃଖପୂର୍ଣ୍ଣ ହୋଇଥିଲା । ଅଧ୍ବକ ପରିମାଣରେ ଅର୍ଥକରୀ ଫସଲ ଉତ୍ପାଦନ କରାଯିବାରୁ ଖାଦ୍ୟଶସ୍ୟ ପାଇଁ ଉତ୍କୃଷ୍ଟ ଜମିର ପରିମାଣ କମିଯାଇଥିଲା । ଫଳରେ ଭାରତୀୟ କୃଷି ଓ କୃଷକମାନଙ୍କ ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା । କୃଷକମାନେ ମହାଜନମାନଙ୍କର ଋଣ ପରିଶୋଧ କରିନପାରି କ୍ରମେ ଦରିଦ୍ର ହୋଇଯାଇଥିଲେ ।
ବ୍ରିଟେନ୍ର ବାଣିଜ୍ୟ ନୀତି ଫଳରେ ଭାରତର ପାରମ୍ପରିକ ଅର୍ଥନୀତିର ବିନାଶ ଘଟିଥିଲା । ଭାରତରୁ କଞ୍ଚାମାଲ ବ୍ରିଟେନ୍କୁ ରପ୍ତାନୀ କରିବା ଓ ଭାରତକୁ ବ୍ରିଟେନ୍ର ଖାଉଟି ରାଜ୍ୟରେ ପରିଣତ କରିବା କାର୍ଯ୍ୟରେ ଇଂରେଜମାନେ ଅଧିକ ମନୋନିବେଶ କରିଥିଲେ । ଭୂ-ରାଜସ୍ଵ ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟ କରି ଇଂରେଜମାନେ ଉଦ୍ଦେଶ୍ୟମୂଳକ ଭାବରେ ଭାରତୀୟ ଆର୍ଥନୀତିକ ଢାଞ୍ଚା ବଦଳାଇ ଦେଇଥିଲେ । ସେମାନଙ୍କ ଶୋଷଣରେ ଭାରତର ବଳିଷ୍ଠ ଅର୍ଥନୀତି କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା । ଫଳରେ ଧନଶାଳୀ ଭାରତ ପରିବର୍ତ୍ତିତ ହୋଇଥିଲା ଏକ ଦରିଦ୍ର ଦେଶରେ ।
ଇଂରେଜମାନଙ୍କର ଅର୍ଥନୈତିକ ଶୋଷଣର କ୍ରମବର୍ଦ୍ଧିଷ୍ଣୁ ପରିଣାମ ହେଲା ଭାରତରୁ ଇଂଲଣ୍ଡକୁ ଅର୍ଥର ବହିର୍ଗମନ । ଇଷ୍ଟଇଣ୍ଡିଆ କମ୍ପାନୀ ଏକ ବ୍ୟବସାୟିକ ସଂସ୍ଥା ହୋଇଥିବାରୁ ଭାରତକୁ କେତେ ପରିମାଣରେ ବ୍ୟବସାୟିକ ଲାଭ ହାସଲ କରିପାରିବ ସେଥିପାଇଁ ସତତ ଚେଷ୍ଟା କରିଥିଲା । ଭାରତରୁ ଇଂଲଣ୍ଡକୁ କଞ୍ଚାମାଲ ପଠାଇ, ଇଂଲଣ୍ଡ ପ୍ରସ୍ତୁତ ଦ୍ରବ୍ୟକୁ ଭାରତରେ ଚଢ଼ା ଦାମ୍ରେ ବିକ୍ରିକରି, ଭାରତକୁ ଇଂଲଣ୍ଡକୁ ରପ୍ତାନୀ ଦ୍ରବ୍ୟ ଉପରେ ଅଧିକ ଶୁଳ୍କ ବସାଇ କମ୍ପାନୀ ପ୍ରଚୁର ଅର୍ଥ ରୋଜଗାର କରିଥିଲା । ଏଥୁସହିତ ‘ଦସ୍ତକ ପ୍ରଥା’ର ଅପବ୍ୟବହାର କରି କମ୍ପାନୀ ପ୍ରଚୁର ଅର୍ଥ ଭାରତରୁ ଲୁଟି ନେଇଥିଲା । ଉପଢୌକନ ଓ ଉତ୍କୋଚ ମାଧ୍ୟମରେ ମଧ୍ୟ ବହୁ ଅର୍ଥ କମ୍ପାନୀ ଭାରତରୁ ଆଦାୟ କରିଥିଲା । ଏହିପରି ଭାବରେ ବିପୁଳ ପରିମାଣର ଅର୍ଥ ପ୍ରତିବର୍ଷ ଇଂଲଣ୍ଡକୁ ନିର୍ଗମନ ହେଉଥିଲା । ଏହି ପ୍ରତିକ୍ରିୟାରେ ବାର୍ଷିକ ବାଇଶ ନିୟୁତ ପାଉଣ୍ଡ ଅର୍ଥ ଭାରତରୁ ଇଂଲଣ୍ଡକୁ ଚାଲାଣ ହେଉଥିଲା ବୋଲି ରମେଶଚନ୍ଦ୍ର ଦତ୍ତ ମତବ୍ୟକ୍ତ କରିଥିଲେ । ତେଣୁ ଆର୍ଥିକ କ୍ଷତି ଯୋଗୁ ଭାରତର ଅର୍ଥନୈତିକ ଅବସ୍ଥା କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା । ତେଣୁ ଯଥାର୍ଥରେ କୁହାଯାଇଛି, ‘‘ସୂର୍ଯ୍ୟ ପୃଥିବୀ ବକ୍ଷରୁ ଜଳୀୟ ଅଂଶ ଶୋଷଣ କରି ଇଂଲଣ୍ଡରେ ବର୍ଷା କରାଉଥିଲା ।’’
୫ । ଇଷ୍ଟଇଣ୍ଡିଆ କମ୍ପାନୀଦ୍ଵାରା କୃଷିର ବାଣିଜ୍ୟିକୀକରଣ କିପରି କୃଷକ ଗୋଷ୍ଠୀକୁ ଦାରିଦ୍ର୍ୟ ଓ କୃଷିକ୍ଷେତ୍ରରେ ଅବନତି ଆଡ଼କୁ ନେଇଯାଇଥିଲା ?
Answer:
ଭାରତୀୟମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା ଏବଂ ସେହି ଦୃଷ୍ଟିରୁ କୃଷିଜାତ ଦ୍ରବ୍ୟ ଉତ୍ପନ୍ନ କରି ବହୁ ଗ୍ରାମ ଆତ୍ମନିର୍ଭରଶୀଳ ହୋଇଥିଲେ । ସେଗୁଡ଼ିକ ମଧ୍ୟ ସହରାଞ୍ଚଳର ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଉଥିଲେ । ସେମାନେ ମୁଖ୍ୟତଃ ଧୂଆଁପତ୍ର, ନୀଳ, ଅଫିମ, ଆଖୁ, କପା ଆଦି ନୂତନ ଭାବେ ଚାଷ କରିଥିଲେ । ପୁନଶ୍ଚ କୃଷକମାନେ ସ୍ଥାନୀୟ ମହାଜନମାନଙ୍କ ଉପରେ ଅର୍ଥ ପାଇଁ ନିର୍ଭର କରୁଥିଲେ । ସେମାନେ ଋଣ ଆଣି ସଦାସର୍ବଦା ଏଥୁରେ ବୁଡ଼ି ରହୁଥିଲେ । କୃଷକମାନେ ଏହାସତ୍ତ୍ଵେ କୃଷିରେ ପ୍ରଚଳିତ ପାରମ୍ପରିକ ପ୍ରଥା ଭାରତୀୟ କୃଷକମାନଙ୍କୁ ନିରାପତ୍ତା ଯୋଗାଇଥିଲା । କୃଷକମାନେ ମହାଜନମାନଙ୍କର ଋଣ ପରିଶୋଧ କରିପାରୁ ନ ଥିଲେ ମଧ୍ୟ ସେମାନଙ୍କଠାରୁ ଜମି ଛଡ଼ାଇ ନେଉଥିଲେ । ମାତ୍ର ଭାରତରେ ଇଂରେଜ ରାଜତ୍ଵ ପରେ କୃଷି ଓ କୃଷକମାନଙ୍କର ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା ।
ଭାରତୀୟ କୃଷକମାନଙ୍କ ଦାରିଦ୍ର୍ୟର ଗୋଟିଏ କାରଣ ଥିଲା ଇଂରେଜମାନଙ୍କର ରାଜସ୍ଵ ନୀତି । କୃଷକମାନେ ଇଂରେଜ ସରକାରଙ୍କୁ ସର୍ବାଧିକ ପରିମାଣରେ ରାଜସ୍ଵ ଦେଉଥିଲେ । ଜମି ଉପରେ ସବୁଦିନ ପାଇଁ ଅଧିକାର ଜାହିର କରିପାରୁ ନ ଥିଲେ । ଜମିଦାର ଚାହିଁଲେ ଯେକୌଣସି ମୂହୂର୍ତ୍ତରେ କୃଷକମାନଙ୍କଠାରୁ ଜମି ଛଡ଼ାଇ ନେଉଥଲେ । ଏତଦ୍ବ୍ୟତୀତ ଜମିଦାରମାନେ ରାଜସ୍ୱ ଛଡ଼ା ବିଭିନ୍ନ ଉପାୟରେ କୃଷକମାନଙ୍କଠାରୁ ବହୁ ଅର୍ଥ ଆଦାୟ କରୁଥିଲେ । ଏପରିକି ସେମାନଙ୍କ ପାଖରୁ ବାଧ୍ୟତାମୂଳକ ଶ୍ରମ ଆଦାୟ କରାଯାଉଥିଲା । ଏହିପରି ଭାବେ ଇଂରେଜମାନଙ୍କର ରାଜସ୍ୱ ନୀତି କୃଷକମାନଙ୍କୁ ଦରିଦ୍ର କରିବା ଦିଗରେ ମୁଖ୍ୟ କାରଣ ହୋଇଥିଲା । ଭାରତୀୟ କୃଷକ ଗୋଷ୍ଠୀ ଏହିପରି ଭାବେ ଇଂରେଜ ସରକାର, ଜମିଦାର ଓ ମହାଜନମାନଙ୍କର ଶୋଷଣର ଶିକାର ହୋଇଥିଲେ । ପୁନଶ୍ଚ କୃଷକମାନେ ଅଶିକ୍ଷିତ ହୋଇଥିବାରୁ ସେମାନେ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇପାରୁ ନ ଥିଲେ ।
ଇଂରେଜମାନଙ୍କର ବାଣିଜ୍ୟନୀତି ଭାରତର ଗ୍ରାମ ଓ ସହରରେ ଗଢ଼ିଉଠିଥିବା କୁଟୀର ଶିଳ୍ପର ଧ୍ଵଂସ ସାଧନ କରିଥିଲା । ନଗରରେ ବାସ କରୁଥିବା ଶିଳ୍ପ କାରିଗରମାନେ ଗ୍ରାମକୁ ଚାଲିଯାଇ କୃଷିକାର୍ଯ୍ୟ କରିଥିଲେ । ଫଳରେ କୃଷି ଉପରେ ଅଧିକ ଚାପ ପଡ଼ିଥିଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଶତକଡ଼ା ୫୫ ଭାଗ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ହୋଇଥିବା ସ୍ଥଳେ ସେହି ଶତାବ୍ଦୀର ଶେଷଆଡ଼କୁ କୃଷକମାନଙ୍କର ସଂଖ୍ୟା ଶତକଡ଼ା ୭୫କୁ ବୃଦ୍ଧି ପାଇଥିଲା । ପୁନଶ୍ଚ ଭାରତବର୍ଷର ଜନସଂଖ୍ୟା ଦ୍ରୁତଗତିରେ ବଢୁଥିବା ସ୍ଥଳେ ଜମିର ପରିମାଣ ବଢୁ ନ ଥିଲା । ବଡ଼ ବଡ଼ ଚାଷଜମି ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଯାଇଥିଲା । କୃଷି ଉତ୍ପାଦନ କାଳକ୍ରମେ ହ୍ରାସ ପାଇଥିଲା ।
ଇଂରେଜ ସରକାର ମଧ୍ୟ ଜଳସେଚନ ବ୍ୟବସ୍ଥାର ଉନ୍ନତି ଦିଗରେ ବିଶେଷ ଭାବେ ଯନ୍ତ୍ରବାନ୍ ହୋଇନଥିଲେ । ଅପରପକ୍ଷେ ଇଂରେଜ ସରକାରଙ୍କଦ୍ଵାରା କୃଷିର ବାଣିଜ୍ୟିକୀକରଣ ମଧ୍ଯ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଥିଲା । ଇଂରେଜ ସରକାର କାର୍ପାସ୍ ଭଳି କେତୋଟି କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ସେହିସବୁ ଦ୍ରବ୍ୟ ହିଁ ଇଂଲଣ୍ଡକୁ ପଠାଯାଉଥିଲା । ତା’ର ନିର୍ଦ୍ଧାରିତ ମୂଲ୍ୟ ଅନେକ ପରିମାଣରେ କମ୍ ରଖାଯାଇଥିବାରୁ କୃଷକମାନେ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲେ ।