Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Short & Long Answer Questions.
CHSE Odisha 12th Class History Chapter 2(b) Short Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।
୧। କେଉଁମାନେ ବୈଦିକ ସଭ୍ୟତାର ସ୍ରଷ୍ଟା ଥିଲେ ଏବଂ ସେମାନଙ୍କ ସମ୍ପର୍କରେ କେଉଁଥରୁ ଜଣାପଡ଼ିଥାଏ ?
Answer:
ଆର୍ଯ୍ୟମାନେ ବୈଦିକ ସଭ୍ୟତାର ସ୍ରଷ୍ଟା ଥିଲେ । ଆର୍ଯ୍ୟ ଶବ୍ଦର ଅର୍ଥ ହେଉଛି ସ୍ଵାଧୀନ ଓ ଉଦାରସମ୍ପନ୍ନ ମଣିଷ । ବୈଦିକ ସଭ୍ୟତାକୁ ରଗ୍ବୈଦିକ ଏବଂ ପରବର୍ତ୍ତୀ ବୈଦିକ ସଭ୍ୟତା ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଛି । ଆର୍ଯ୍ୟମାନଙ୍କର ସାହିତ୍ୟ ‘ବେଦ’ରୁ ବୈଦିକ ସଭ୍ୟତା ସମ୍ପର୍କରେ ଜଣାପଡ଼ିଥାଏ ।
୧। ଋଗ୍ବୈଦିକ ଆର୍ଯ୍ୟମାନେ କେଉଁ ଅଞ୍ଚଳରେ ବାସ କରିଥିଲେ ଏବଂ ସେମାନଙ୍କ ସାମାଜିକ ଜୀବନ କିପରି ଥୁଲା ?
Answer:
ଋଗ୍ବୈଦିକ ଆର୍ଯ୍ୟମାନେ ସପ୍ତସିନ୍ଧୁ ଅଞ୍ଚଳରେ ବାସ କରିଥିଲେ । ଏହିଠାରେ ପରିସ୍ଫୁଟ ଘଟିଥିଲା ଆର୍ଯ୍ୟମାନଙ୍କର ସାମାଜିକ ଜୀବନ । ସେମାନଙ୍କର ସାମାଜିକ ଜୀବନ ଥୁଲା ସରଳ, ନିରାଡ଼ମ୍ବର ଏବଂ ପବିତ୍ର । ଗ୍ରାମୀଣ ଜୀବନର ବାସ୍ତବ ପ୍ରତିଫଳନ ଘଟିଥିଲା ସେମାନଙ୍କର ସାମାଜିକ ଜୀବନରେ ।
୩ । ପରବର୍ତୀ ବୈଦିକ ଯୁଗର ଜାତିପ୍ରଥା କିପରି ଥୁଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଜାତିପ୍ରଥା ଜଟିଳ ଆକାର ଧାରଣ କରିଥିଲା । ସମାଜରେ ନିର୍ଦ୍ଦିଷ୍ଟ ଚାରିଜାତି ଦେଖାଦେଇଥିଲା, ତାହା ହେଲା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର । ସମୟକ୍ରମେ ଏହି ଚାରି ଜାତିରୁ ବହୁ ଉପଜାତି, ଯଥା- କମାର, ବଢ଼େଇ, ତନ୍ତୀ, ରଥକାର, ମାଂସ ବ୍ୟବସାୟୀ ଆଦି ସୃଷ୍ଟି ହୋଇଥିଲା ।
୪। ଚତୁରାଶ୍ରମ କ’ଣ ?
Answer:
ପରବର୍ତ୍ତୀ ବୈଦିକ ଯୁଗର ଆର୍ଯ୍ୟମାନେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ସମଗ୍ର ଜୀବନକୁ ସେମାନେ ଚାରିଗୋଟି ଆଶ୍ରମ ବା ଅବସ୍ଥାରେ ବିଭକ୍ତ କରିଥିଲେ । ସେଗୁଡ଼ିକ ଥିଲା – ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ । ଏହି ଚତୁରାଶ୍ରମ ପରବର୍ତ୍ତୀ ବୈଦିକ ଯୁଗରେ ସମାଜର ମୂଳାଧାର ଥିଲା ।
୫। ଆଦିବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ କିପରି ଥୁଲା ?
Answer:
ଆଦିବୈଦିକ ଯୁଗରେ ନାରୀମାନଙ୍କର ସ୍ଥାନ ବହୁ ଉଚ୍ଚରେ ଥିଲା । ସେମାନଙ୍କ ବିନା ପୁରୁଷମାନେ ଯଜ୍ଞାଦି କୌଣସି ଧାର୍ମିକ କାର୍ଯ୍ୟାନୁଷ୍ଠାନ କରିବାକୁ ସକ୍ଷମ ହେଉ ନଥିଲେ । ସମାଜରେ ସତୀପ୍ରଥା ପ୍ରଚଳିତ ନଥିଲେ ମଧ୍ୟ ବିଧବା ବିବାହ ପ୍ରଚଳିତ ଥିଲା । ସମାଜରେ ପର୍ଦା ପ୍ରଥା ନଥିଲା । ଆପାଲା, ଗାର୍ଗୀ, ମୈତ୍ରେୟୀ, ବିଶ୍ଵବାରା, ଲୋପାମୁଦ୍ରା ଆଦି ବିଦୁଷୀ ରମଣୀ ଏହି ଯୁଗରେ ପ୍ରସିଦ୍ଧି ଲାଭ କରିଥିଲେ ।
୬ । ପରବର୍ତୀ ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ କିପରି ଥୁଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସେମାନଙ୍କର ପ୍ରାଧାନ୍ୟ ହରାଇ ବସିଥିଲେ । ସେମାନେ ରାଜନୈତିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହ ଭାଗ ନେଇପାରୁ ନଥିଲେ । ସମାଜରେ ବାଲ୍ୟବିବାହ ଏବଂ ଯୌତୁକ ଆଦି କଳଙ୍କିତ ପ୍ରଥାର ପ୍ରଚଳନ ହୋଇଥିଲା ।
୭। ବେଦର ଅନ୍ୟନାମ କାହିଁକି ଶ୍ରୁତି ହୋଇଛି ?
Answer:
ବେଦର ଅନ୍ୟ ନାମ ଶ୍ରୁତି, କାରଣ ବହୁକାଳ ପର୍ଯ୍ୟନ୍ତ ଏହା ଲିପିବଦ୍ଧ ହୋଇ ନଥିଲା ଏବଂ ଗୁରୁ ଓ ଶିଷ୍ୟ ପରମ୍ପରାରେ ଶ୍ରବଣଦ୍ଵାରା ତାହା ମନେରଖାଯାଉଥିଲା । ହିନ୍ଦୁମାନେ ବିଶ୍ଵାସ କରନ୍ତି ଯେ ବେଦ ଭଗବାନଙ୍କ ମୁଖନିଃସୃତ ବାଣୀ ।
୮। ଆରଣ୍ୟକ ସମ୍ପର୍କରେ ଲେଖ ।
Answer:
ବେଦର ଏକ ଅଂଶବିଶେଷ ହେଉଛି ଆରଣ୍ୟକ । ଏଥୁରେ ରହିଛି ଦର୍ଶନତତ୍ତ୍ଵ । ସର୍ବମୋଟ ୬ ଗୋଟି ଆରଣ୍ୟକ ରହିଛି । ଆରଣ୍ୟକ କ୍ରମେ ପରିବର୍ତ୍ତିତ ହୋଇ ଉପନିଷଦ୍ ରୂପେ ପରିଚିତ ହେଉଥିଲା ।
୯। ଉପନିଷଦ୍ ସମ୍ପର୍କରେ ଲେଖ ।
Answer:
ଆରଣ୍ୟକର ପରିବର୍ଦ୍ଧିତ ରୂପକୁ ଉପନିଷଦ କୁହାଯାଏ । ଉପନିଷଦରେ ଗଭୀର ଆଧ୍ୟାତ୍ମିକ ଓ ବ୍ରହ୍ମତତ୍ତ୍ଵମାନ ଆଲୋଚିତ ହୋଇଛି । କର୍ମବାଦ, ପୁନର୍ଜନ୍ମ ପ୍ରଭୃତି ହିନ୍ଦୁଧର୍ମର ଗଭୀର ଦାର୍ଶନିକ ତତ୍ତ୍ବମାନ ଏଥିରେ ସନ୍ନିବେଶିତ ।
୧୦ । ବେଦ କେଉଁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ ? ଏହା କେତେ ଭାଗରେ ବିଭକ୍ତ ? ସେଗୁଡ଼ିକର ନାମ ଲେଖ ।
Answer:
ବେଦ ଆର୍ଯ୍ୟମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ । ଏହା ଚରି ଭାଗରେ ବିଭକ୍ତ; ଯଥା— ଋକ୍, ସାମ୍, ଯଦୁଃ, ଅଥର୍ବ । ଋଗ୍ବେଦ ସବୁଠାରୁ ପୁରାତନ ବେଦ ଅଟେ ।
୧୧ । ବ୍ରହ୍ମାବର୍ତ୍ତ କେଉଁ ନଦୀଦ୍ୱୟ ମଧ୍ୟରେ ଅବସ୍ଥିତ ଥିଲା ? ଏଠାରେ କେଉଁମାନେ ପ୍ରଥମେ ବସତି ସ୍ଥାପନ କରିଥିଲେ ?
Answer:
ସତ୍ଲେଜ୍ ଓ ଯମୁନା ନଦୀଦ୍ଵୟ ମଧ୍ଯରେ ବ୍ରହ୍ମାବଉଁ ଅବସ୍ଥିତ ଥିଲା । ଏଠାରେ ଆର୍ଯ୍ୟମାନେ ପ୍ରଥମେ ବସତି ସ୍ଥାପନ କରିଥିଲେ ।
୧୨ । ଋଗ୍ବୈଦିକ ପରିବାରର ମୁଖ୍ୟ କିଏ ଥିଲେ ? ତାଙ୍କର କର୍ତ୍ତବ୍ୟ କ’ଣ ଥିଲା ?
Answer:
ଋଗ୍ବୈଦିକ ପରିବାରର ମୁଖ୍ୟ ପିତା ଥିଲେ । ପରିବାରର ପ୍ରତିପୋଷଣ, ସନ୍ତାନମାନଙ୍କ ଶିକ୍ଷାଦାନ, ଶାନ୍ତିଶୃଙ୍ଖଳା ରକ୍ଷା, କନ୍ୟାଦାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ ତଥା ବିଭିନ୍ନ ସମସ୍ୟାର ସମାଧାନ ଥିଲା ପିତାଙ୍କର କର୍ତ୍ତବ୍ୟ ।
୧୩ । ଆର୍ଯ୍ୟମାନେ ପିନ୍ଧୁଥିବା ପୋଷାକ କେତେ ପ୍ରକାର ଓ କ’ଣ କ’ଣ ?
Answer:
ଆର୍ଯ୍ୟମାନେ କାର୍ପାସ୍ ଓ ପଶମ ନିର୍ମିତ ବସ୍ତ୍ର ପରିଧାନ କରୁଥିଲେ । ସେମାନେ ସାଧାରଣତଃ ତିନିପ୍ରକାର ପୋଷାକ ବ୍ୟବହାର କରୁଥିଲେ ଯଥା ନୀଭି ବା ନିମ୍ନବସ୍ତ୍ର, ପରିଧାନ ବା ବାସ ଓ ଅଧ୍ୟାସ, ଅଚକ ବା ବହିର୍ବାସ ।
୧୪ । ଋଗ୍ବୈଦିକ ସମୟରେ ପ୍ରସିଦ୍ଧି ଲାଭ କରିଥିବା ନାରୀମାନଙ୍କର ନାମ ଲେଖି ।
Answer:
ଋଗ୍ଦକ ସମୟରେ ପ୍ରସିଦ୍ଧି ଲାଭ କରିଥିବା ନାରୀମାନେ ହେଲେ ଆପାଲା, ବିଶ୍ଵବାରା, ଘୋଷା, ଲୋପାମୁଦ୍ରା ଓ ସିକତା । ସମାଜରେ ସେମାନଙ୍କ ସ୍ଥାନ ଉଚ୍ଚରେ ଥିଲା ।
୧୫। ‘ବିପଥ’ କହିଲେ କ’ଣ ବୁଝ ? ଆର୍ଯ୍ୟମାନେ ହସ୍ତୀକୁ କେଉଁ କାର୍ଯ୍ୟରେ ଲଗାଉଥିଲେ ?
Answer:
ଅଙ୍କାବଙ୍କା ରାସ୍ତାରେ ଗମନ କରିବାପାଇଁ ଆର୍ଯ୍ୟମାନେ ‘ବିପଥ’ ନାମକ ଏକ ପ୍ରକାର ଯାନ ବ୍ୟବହାର କରୁଥିଲେ । ସେମାନେ ହସ୍ତୀକୁ ସାମରିକ କାର୍ଯ୍ୟରେ ଲଗାଉଥିଲେ ।
୧୬ । ଯଜୁର୍ବେଦରେ କ’ଣ ଉଲ୍ଲେଖ ଅଛି ? ଏହାକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ଯଜୁର୍ବେଦରେ ପୂଜାପଦ୍ଧତି ବ୍ୟାଖ୍ୟା କରାଯାଇଛି । ଏଥିରେ ରହିଛି ୪୦ଟି ମଣ୍ଡଳ । ଏହାକୁ ଶୁକ୍ଳ ଯଜୁର୍ବେଦ ଓ କୃଷ୍ଣ ଯଜୁର୍ବେଦ ନାମରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
୧୭ । ବୈଦିକ ଯୁଗରେ ଛାତ୍ରମାନେ ଅଧ୍ୟୟନ କରୁଥିବା ବିଦ୍ୟାପୀଠର ନାମ କ’ଣ ଥିଲା ? ସେଠାରେ କେଉଁ କେଉଁ ବିଷୟରେ ଶିକ୍ଷାଦାନ କରାଯାଉଥିଲା ?
Answer:
ବୈଦିକ ଯୁଗରେ ଛାତ୍ରମାନେ ଅଧ୍ୟୟନ କରୁଥିବା ବିଦ୍ୟାପୀଠର ନାମ ଗୁରୁକୁଳ ଥିଲା । ସେଠାରେ ଜ୍ଞାନ ଓ ଚରିତ୍ରର ବିକାଶ କରିବା ଶିକ୍ଷା ଦିଆଯିବା ସଙ୍ଗେ ସଙ୍ଗେ ତର୍କଶାସ୍ତ୍ର, ନୀତିଶାସ୍ତ୍ର, ଧାତୁଶାସ୍ତ୍ର, ଯୁଦ୍ଧଶାସ୍ତ୍ର, ବ୍ରହ୍ମବିଦ୍ୟା, ଗଣିତ, ଜ୍ୟୋତିର୍ବିଦ୍ୟା ଓ ଦର୍ଶନ ଆଦି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।
୧୮ । ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା ମୁଖ୍ୟ କର୍ମଚାରୀମାନେ କିଏ ଥିଲେ ? କିଏ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ଥଲେ ?
Answer:
ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା ମୁଖ୍ୟ କର୍ମଚାରୀମାନଙ୍କ ମଧ୍ୟରେ ପୁରୋହିତ, ସେନାନୀ ଓ ଗ୍ରାମଣୀମାନେ ମୁଖ୍ୟ ଥ୍ଷଲ । ପୁରୋହିତ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ଥିଲେ ।
୧୯ । ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ କେଉଁ ସଂସ୍ଥା ରହିଥିଲା ଓ କ’ଣ କ’ଣ ?
Answer:
ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ ଦୁଇଟି ଗଣତାନ୍ତ୍ରିକ ସଂସ୍ଥା ରହିଥିଲା । ତାହା ହେଲା–ସଭା ଓ ସମିତି ।
୨୦ । ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା କର୍ମଚାରୀମାନଙ୍କ ନାମ କ’ଣ ଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହଯ୍ୟ କରୁଥିବା କର୍ମଚାରୀମାନେ ହେଲେ — ବ୍ରାହ୍ମଣ ( ପୁରୋହିତ), ରାଜନ୍ୟ(ସମ୍ଭ୍ରାନ୍ତ), ମହିଷୀ (ପାଟରାଣୀ), ସୂତ(ରଥଚାଳକ), ସଂଗ୍ରହିତ୍ରୀ (କୋଷାଧ୍ୟକ୍ଷ), ଭାଗଦୁଘ (କର ଆଦାୟକାରୀ) କ୍ଷତ୍ରୀ ଓ ଅକ୍ଷବପ (ପଶାଖେଳ ତତ୍ତ୍ଵାବଧାରକ) ।
B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।
୧ | ଋଗ୍ବେଦୀୟ ଧର୍ମର ପ୍ରଧାନ ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
ବୈଦିକ ଆର୍ଯ୍ୟମାନଙ୍କର ଆଧ୍ୟାତ୍ମିକ ଜୀବନ ଥିଲା ଭାରତୀୟ ସଂସ୍କୃତିର ମୂଳପିଣ୍ଡ । ସେମାନେ ପ୍ରକୃତିର ଉପାସକ ଥିଲେ । ସେମାନେ ପ୍ରକୃତିର ବିଭିନ୍ନ ରୂପକୁ ଦେବତା ବୋଲି ମନେକରି ଉପାସନା କରୁଥିଲେ । ପୃଥିବୀ, ଆକାଶ, ସୂର୍ଯ୍ୟ, ଇନ୍ଦ୍ର, ମରୁତ, ବାୟୁ, ଉଷା ଓ ବୃକ୍ଷ ଇତ୍ୟାଦିଙ୍କୁ ସେମାନେ ପୂଜା କରୁଥିଲେ । ଆର୍ଯ୍ୟମାନେ ଏକେଶ୍ୱରବାଦ ଉପରେ ଗୁରୁତ୍ଵ ପ୍ରଦାନ କରୁଥିଲେ । ସ୍ତୋତ୍ର ଓ ମନ୍ତ୍ର ଉଚ୍ଚାରଣଦ୍ଵାରା ସେମାନେ ଦେବଦେବୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ପୂଜାପଦ୍ଧତିରେ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ନଥିଲା । ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପ୍ରାର୍ଥନା ଏବଂ ଯଜ୍ଞ ସମାପନ କରୁଥିଲେ । ସେତେବେଳେ ଜଟିଳ ଯଜ୍ଞ ଓ କର୍ମକାଣ୍ଡ ପ୍ରଚଳିତ ନଥିଲା । ସନାତନ ଧର୍ମ ଏହି ଆର୍ଯ୍ୟ ଧର୍ମର ରୂପାନ୍ତର ମାତ୍ର ।
୧। ପରବର୍ତୀ ବୈଦିକ ଯୁଗର ଧର୍ମଭାବନା ବିଷୟରେ ଯାହା ଜାଣ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଧର୍ମ କ୍ଷେତ୍ରରେ ଆରାଧନା, ଯାଗଯଜ୍ଞ ଓ ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବାରେ ଲାଗିଲା । ଋଗ୍ବୈଦିକ ଯୁଗର ସରଳ, ନିରାଡ଼ମ୍ବର ଏବଂ ପ୍ରାକୃତିକତା ଉପରେ ପର୍ଯ୍ୟବସିତ ଧର୍ମଧାରଣାର ପରିବର୍ତ୍ତନ ଘଟିଲା । ଧର୍ମଭାବନା ଜଟିଳ ଓ କଳୁଷିତ ହୋଇପଡ଼ିଲା । ବ୍ରହ୍ମା, ବିଷ୍ଣୁ, ମହେଶ୍ଵର, ଗଣେଶ ଓ ଦୁର୍ଗା ଆଦି ନୂତନ ଦେବଦେବୀଙ୍କର ଆବିର୍ଭାବ ଘଟିଥିଲା । ଯଜ୍ଞରେ ପଶୁବଳି ଦିଆଗଲା । କର୍ମବାଦ ଉପରେ ବିଶ୍ଵାସ ପ୍ରକଟିତ ହେଲା । ମନ୍ତ୍ର, ତନ୍ତ୍ର, ଗୁଣିଗାରେଡ଼ି ଓ ଭୂତ-ପ୍ରେତଙ୍କ ଭୟ ଲୋକମାନଙ୍କ ମଧ୍ୟରେ ପ୍ରବେଶ କଲା । ସମାଜରେ ବହୁ କୁସଂସ୍କାରର ସୂତ୍ରପାତ ଘଟିଥିଲା ।
୩ । ପରବର୍ତୀ ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ନିରୂପଣ କର ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସେମାନଙ୍କର ପ୍ରାଧାନ୍ୟ ହରାଇ ବସିଥିଲେ । ଏ ଯୁଗରେ ନାରୀମାନେ ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ଭାଗ ନେଇପାରୁ ନଥିଲେ । ନାରୀମାନେ ନିଜର ସମ୍ପଭିଗତ ଅଧିକାର ହରାଇ ବସିଥିଲେ । ନାରୀ ସ୍ଵାଧୀନତା ହ୍ରାସ ପାଇଥିଲା । ସମାଜରେ ବାଲ୍ୟବିବାହ, ବହୁପନ୍ଥୀଗ୍ରହଣ, ଯୌତୁକ ପ୍ରଥା, ସତୀଦାହ ପ୍ରଥା ଓ ପରଦା ପ୍ରଥା ଭଳି କୁସଂସ୍କାରଗୁଡ଼ିକ ମୁଣ୍ଡ ଟେକିଥିଲା । ଶିକ୍ଷା କ୍ଷେତ୍ରରେ ନାରୀମାନେ ପୂର୍ବପରି ପୁରୁଷମାନଙ୍କ ସହିତ ସମକକ୍ଷ ହୋଇପାରିଲେ ନାହିଁ । ପରିବାର ପାଇଁ କନ୍ୟା ଜନ୍ମ ଅଶୁଭ ଓ ଅବାଞ୍ଛିତରୂପେ ପରିଗଣିତ ହେବାକୁ ଲାଗିଲା । ସମାଜରେ ନାରୀ ସମ୍ପୂର୍ଣ୍ଣରୂପେ ଅବଦମିତ ହୋଇ ରହିଲା ।
୪ । ବୈଦିକ ଆର୍ଯ୍ୟମାନଙ୍କର ରାଜନୈତିକ ସଂଗଠନ ସମ୍ପର୍କରେ ଲେଖ ।
Answer:
ଆର୍ଯ୍ୟ ସମାଜରେ ସୁଦୃଢ଼ ରାଜନୈତିକ ଅନୁଷ୍ଠାନଗୁଡ଼ିକର ଅଭ୍ୟୁଦୟ ସମ୍ଭବ ହୋଇଥିଲା କେବଳ ସ୍ଥାୟୀ ବସତି ସ୍ଥାପନ, ସମୃଦ୍ଧ ଜୀବନଯାପନ ଏବଂ ଉନ୍ନତ ଚିନ୍ତାଶକ୍ତି ପାଇଁ । ରାଜନୈତିକ ସଂଗଠନର ମୂଳ ସ୍ତରରେ ଥିଲା ପରିବାର । ପରିବାରର ମୁଖ୍ୟ ଥିଲେ ପିତା । କେତେକ ପରିବାରର ସମ୍ମିଶ୍ରଣରେ ଗୋଟିଏ ଗ୍ରାମ ସୃଷ୍ଟି ହୋଇଥିଲା । ଗ୍ରାମର ମୁଖ୍ୟ ଥିଲେ ଗ୍ରାମଣୀ । କେତେକ ଗ୍ରାମକୁ ନେଇ ସୃଷ୍ଟି ହୋଇଥିଲା ‘ଅଞ୍ଚଳ’ ବା ‘ବିଶ୍’ । ‘ବିଶ୍’ର ପରିଚାଳନା ଦାୟିତ୍ଵରେ ଥିଲେ ‘ବିଶ୍ଵପତି’ । କେତେକ ବିଶ୍ଵକୁ ନେଇ ସୃଷ୍ଟି ହୋଇଥିଲା ‘ଜନ’ । ‘ଗୋପ’ ଥିଲେ ଏହାର ମୁଖ୍ୟ । କେତେକ ଜନକୁ ନେଇ ଏକ ବୃହତ୍ ରାଷ୍ଟ୍ର ଗଠିତ ହୋଇଥିଲା । ଏହାକୁ ଜନପଦ କୁହାଯାଉଥିଲା ଏବଂ ରାଜା ଥିଲେ ଏହାର ମୁଖ୍ୟ ।
୫ । ବୈଦିକ ଯୁଗର ସଭା ଓ ସମିତି ସମ୍ପର୍କରେ ଲେଖ ।
Answer:
ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ନେଇ ସଭା ଗଠିତ ହୋଇଥିଲା । ସଭାର ମୁଖ୍ୟଙ୍କୁ ସଭାପତି କୁହାଯାଉଥିଲା । ସଭାରେ ଧନୀ, ଜ୍ଞାନୀ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଯୋଗଦାନ କରିପାରୁଥିଲେ । ସ୍ଥାନୀୟ ନିୟମ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାଙ୍କୁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରୁଥିଲା । ସମିତି ଥିଲା ଏକ ଜାତୀୟ ସଭା । ଏଥିରେ ପୁରୁଷ ଓ ନାରୀ ସଦସ୍ୟ ରହିପାରୁଥିଲେ । ସମସ୍ତ ଜାତୀୟ ସମସ୍ୟା ସମିତିରେ ମୁକ୍ତଭାବେ ଆଲୋଚିତ ହେଉଥିଲା । କେବଳ ରାଜା ନିର୍ବାଚନ ନୁହେଁ, ଯୁଦ୍ଧ, ରାଜ୍ୟରକ୍ଷା ଓ ଶାନ୍ତି ପ୍ରତିଷ୍ଠାପାଇଁ ସମିତିର ମତାମତ ଥିଲା ଏକାନ୍ତଭାବେ ଅପରିହାର୍ଯ୍ୟ । ସମିତି ଥିଲା ଏକ ଜନପ୍ରିୟ ରାଜନୈତିକ ସଂଗଠନ ।
୬ । ବୈଦିକ ଯୁଗର ଶିକ୍ଷା ବ୍ୟବସ୍ଥା କିପରି ଥିଲା ?
Answer:
ବୈଦିକ ଯୁଗରେ ଶିକ୍ଷାପ୍ରତି ଆର୍ଯ୍ୟମାନଙ୍କର ବିଶେଷ ଆଗ୍ରହ ଥିଲା । ଋଷି ଆଶ୍ରମ ଥିଲା ଶିକ୍ଷାୟତନ । ସେଠାରେ ମୌଖ୍ୟକ ଭାବରେ ଶିକ୍ଷାଦାନ ବ୍ୟବସ୍ଥା ଥିଲା । କ୍ଷତ୍ରିୟମାନଙ୍କ ପାଇଁ ଯୁଦ୍ଧବିଦ୍ୟା ଏବଂ ବ୍ରାହ୍ମଣମାନଙ୍କ ପାଇଁ ବେଦ ଅଧ୍ୟୟନ ବାଧ୍ୟତାମୂଳକ ଥିଲା । ଉପନୟନ ଉତ୍ସବ ପରେ ବାଳକମାନେ ଶିକ୍ଷାୟତନରେ ଯୋଗ ଦେଉଥିଲେ । ଆଦର୍ଶ ଓ ଶୃଙ୍ଖଳିତ ଜୀବନଯାପନ ପାଇଁ ଗୁରୁମାନେ ସର୍ବଦା ପରାମର୍ଶ ଦେଉଥିଲେ । ଗୁରୁସେବା ଛାତ୍ରର ପ୍ରଧାନ କର୍ତ୍ତବ୍ୟ ଥିଲା । ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନ ଶିକ୍ଷାର ଲକ୍ଷ୍ୟ ଥିଲା । ଶିକ୍ଷାଲାଭ କରୁଥିବା ବାଳକମାନଙ୍କୁ ବ୍ରହ୍ମଚାରୀ କୁହାଯାଉଥିଲା । ସେ ସମୟରେ ବେଦ ଦର୍ଶନ ଆଦି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।
୭ | ବୈଦିକ ଯୁଗର ପରିବାର ବିଷୟରେ ଆଲୋଚନା କର ।
Answer:
ବୈଦିକ ପରିବାର ଥୁଲା ଆର୍ଯ୍ୟ ସାମାଜିକ ସଂଗଠନର ମୂଳପିଣ୍ଡ । ବୈଦିକ ଯୁଗର ପରିବାର ଥିଲା ପିତୃକୈନ୍ଦ୍ରିକ । ପିତାଙ୍କୁ କୁଳପ ବା କୁଳପତି କୁହାଯାଉଥିଲା । ପରିବାରର ମୁଖ୍ୟ ହିସାବରେ ସେ ପରିବାରର ପ୍ରତିପାଳନ, ସନ୍ତାନମାନଙ୍କର ଶିକ୍ଷା ଓ ବିବାହ ସମ୍ପାଦନା ସମ୍ପତ୍ତି କ୍ରୟ ବିକ୍ରୟ ଏବଂ ଧାର୍ମିକ କାର୍ଯ୍ୟ ଆଦି କର୍ତ୍ତବ୍ୟ ପାଳନ କରୁଥିଲେ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ତାଙ୍କର ପୂର୍ଣ କର୍ତ୍ତୃତ୍ଵ ରହିଥିଲା । ବୈଦିକ ଯୁଗରେ ଯୌଥ ପରିବାର ପ୍ରଥା ପ୍ରଚଳିତ ଥିଲା ।
୮। ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ କିପରି ଥୁଲା ?
Answer:
ଋଗ୍ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ଉନ୍ନତ ଥିଲା । କୃଷି ଓ ପଶୁପାଳନ ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଶିଳ୍ପ ଓ କାରିଗରୀ ବିଦ୍ୟାରେ ସେମାନେ ନିପୁଣ ଥିଲେ । ଲୁହା, କାଠ, ଚମଡ଼ା, ସ୍ପର୍ଶ ଓ ମାଟିକାମ ଉପରେ ଆର୍ଯ୍ୟମାନେ ପାରଦର୍ଶିତା ଲାଭ କରିଥିଲେ । ସେମାନେ ଉଭୟ ସ୍ଥଳ ଓ ଜଳପଥରେ ବାଣିଜ୍ୟ କାରବାରରେ ଲିପ୍ତ ଥିଲେ । ଶିଳ୍ପ ପ୍ରତିଷ୍ଠା କରି ସେମାନେ ମଧ୍ଯ ଜୀବିକା ନିର୍ବାହ କରୁଥିଲେ । ଶଗଡ଼, ରଥ, ଘୋଡ଼ା, ଓଟ ଓ ଗଧଦ୍ଵାରା ସେମାନେ ସ୍ଥଳପଥରେ ବାଣିଜ୍ୟିକ ଦ୍ରବ୍ୟଗୁଡ଼ିକ ଚାଲାଣ କରୁଥିଲେ ।
୯ | ଚାରିବେଦର ବିଷୟବସ୍ତୁଗୁଡ଼ିକ ଆଲୋଚନା କର ।
Answer:
ବେଦକୁ ଋକ୍, ସାମ୍, ଯଜୁ ଓ ଅଥର୍ବ ଏହିପରି ଚାରିଗୋଟି ଭାଗରେ ବିଭକ୍ତ କରାଯାଇଛି । ରଗ୍ବେଦ ହେଉଛି ସର୍ବପ୍ରାଚୀନ ବେଦ । ଏଥିରେ ୧୦ଟି ମଣ୍ଡଳ ଓ ୧୦୨୮ଟି ସ୍ତୋତ୍ର ରହିଛି । ଏହି ବେଦରେ ଆର୍ଯ୍ୟମାନଙ୍କର ସ୍ତୁତିମାନ ସମ୍ମିଳିତ ହୋଇଛି । ସାମବେଦରେ ୧୫୪୯ଟି ସ୍ତୁତି ରହିଛି । ଏହା ଭଜନ ଓ ପ୍ରାର୍ଥନାରେ ପରିପୂର୍ଣ୍ଣ । ଯଜୁର୍ବେଦରେ ଜଟିଳ ପୂଜାପଦ୍ଧତି ଓ କର୍ମକାଣ୍ଡମାନ ସ୍ଥାନ ପାଇଛି । ଅଥର୍ବ ବେଦ ୨୦ଟି ମଣ୍ଡଳ ଓ ୭୩୧ଟି ସ୍ତୋତ୍ରକୁ ନେଇ ଗଠିତ । ଅଥର୍ବ ବେଦରେ ଭୂତପ୍ରେତାଦି ଦୋଷରୁ ରକ୍ଷା ପାଇବାପାଇଁ ମନ୍ତ୍ର, ଯନ୍ତ୍ର ଓ ଇନ୍ଦ୍ରଜାଲ ଇତ୍ୟାଦି ଲିପିବଦ୍ଧ ।
୧୦ । ମହାଭାରତ ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ରାମାୟଣଠାରୁ ମହାଭାରତ ମହାକାବ୍ୟଟି ବଡ଼ । ଏହି ମହକାବ୍ୟଟି ମହର୍ଷି ବ୍ୟାସଦେବଙ୍କଦ୍ୱାରା ରଚିତ । ରାମାୟଣ ପରେ ଏହା ରଚିତ ହୋଇଥିବାର ଅନୁମାନ କରାଯାଏ । ମହାଭାରତରେ ୧୦୦,୦୦୦ ଶ୍ଳୋକ ସନ୍ନିବେଶିତ । ଏହାକୁ ଶତ ସହସ୍ର ସଂହିତା କୁହାଯାଏ । ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ସଂଘର୍ଷ ହେଉଛି ଏହାର ମୁଖ୍ୟ କାରଣ । ତତ୍କାଳୀନ ଭାରତରେ ରାଜନୈତିକ, ସାମାଜିକ ଓ ଧର୍ମ ସମ୍ବନ୍ଧୀୟ ଜୀବନୀ ମହାଭାରତରୁ ଜଣାପଡ଼େ । ସେତେବେଳେ ସାମାଜିକ ଜୀବନ ଥିଲା ସନ୍ତୁଳିତ, ଧାର୍ମିକ ରୀତିରେ ସମାଜ ପରିଚାଳିତ ହେଉଥିଲା । ଏହି ଯୁଗରେ ମାନବିକ ମୂଲ୍ୟବୋଧର ଉନ୍ମେଷ ଘଟିଥିଲା ।
୧୧। ଋଗ୍ବୈଦିକ ଯୁଗ ଓ ପରବର୍ତୀ ବୈଦିକ ଯୁଗ ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କର ।
Answer:
ରଗ୍ବୈଦିକ ଯୁଗ ଏବଂ ପରବର୍ତ୍ତୀ ବୈଦିକ ଯୁଗ ମଧ୍ୟରେ ନିମ୍ନଲିଖତ କେତେକ ପାର୍ଥକ୍ୟ ଦେଖାଯାଏ ।
- ଋଗ୍ବୈଦିକ ଯୁଗରେ ରାଜାଙ୍କର କ୍ଷମତା ସୀମିତ ଥିଲା । ସେହି ସମୟର ପ୍ରଚଳିତ ପରମ୍ପରା ଓ ବିଧ୍ ଅନୁସାରେ ସେ କାର୍ଯ୍ୟ କରୁଥିଲେ ମାତ୍ର ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଥିଲା ।
- ଋଗ୍ବୈଦିକ ଯୁଗରେ ନାରୀମାନେ ସମାଜରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲେ । ସେମାନେ ଧର୍ମ ଅନୁଷ୍ଠାନମାନଙ୍କରେ ଯୋଗ ଦେଉଥିଲେ । ସେମାନେ ରାଜନୈତିକ ବ୍ୟାପାରରେ ମଧ୍ୟ ଅଂଶଗ୍ରହଣ କରିପାରୁଥିଲେ । ମାତ୍ର ପରବର୍ତ୍ତୀ ବୈଦିକ ଯୁଗରେ ସମାଜରେ ସେମାନଙ୍କର ସମ୍ମାନ ହ୍ରାସ ପାଇଥିଲା । ପର୍ଦାପ୍ରଥା, ବାଲ୍ୟବିବାହ, ସତୀଦାହ ପ୍ରଥା ଆଦି ପ୍ରଚଳିତ ହୋଇଥିଲା ।
- ଋଗ୍ବୈଦିକ ଯୁଗର ଧର୍ମ ଅତ୍ୟନ୍ତ ସରଳ ଥିଲା ଓ ବ୍ୟୟସାପେକ୍ଷ ନଥିଲା । କିନ୍ତୁ ପରବର୍ତୀ ବୈଦିକ ଯୁଗରେ ଧର୍ମ ଜଟିଳ ହୋଇପଡ଼ିଥିଲା ଓ ସେଥିରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ପ୍ରବେଶ କରି ଏହାକୁ କଳୁଷିତ କରିଦେଲା ।
- ରଗ୍ବୈଦିକ ଯୁଗରେ କର୍ମ ଅନୁସାରେ ଆର୍ଯ୍ୟମାନଙ୍କର ବିଭାଗୀକରଣ ହେଉଥିଲା । କିନ୍ତୁ ପରବର୍ତ୍ତୀ ବୈଦିକ ଯୁଗରେ କର୍ମ ଅନୁସାରେ ଜାତିପ୍ରଥା ବା ଚତୁଃବର୍ଣ୍ଣ ସୃଷ୍ଟି ହୋଇ ବଂଶାନୁକ୍ରମିକ ହେଲା । କ୍ରମେ ଏହି ପ୍ରଥା ଅତ୍ୟନ୍ତ କଠୋର ହୋଇପଡ଼ିଥିଲା ।