Odisha State Board CHSE Odisha Class 12 Sociology Solutions Unit 4 ସାମାଜିକ ବୈଷମ୍ୟ, ବହିଷ୍କରଣ ଓ ଆନ୍ଦୋଳନ Short Answer Questions.
CHSE Odisha 12th Class Sociology Unit 4 Short Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।
୧ । ଜାତି ବ୍ୟବସ୍ଥାର ପ୍ରକାର୍ଯ୍ୟ ଉପରେ ସଂକ୍ଷେପରେ ଲେଖ ।
Answer:
ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ଭାବେ ଜାତି ବ୍ୟବସ୍ଥା ଅନେକ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ଏହା ବ୍ୟକ୍ତି ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ସାମାଜିକ ଜୀବନରେ ମଧ୍ୟ ଅନେକ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ଜାତି ସମ୍ପାଦନ କରୁଥିବା ପ୍ରକାର୍ଯ୍ୟଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ; ଯଥା –
(କ) ବ୍ୟକ୍ତି ଜୀବନରେ ଜାତିର ପ୍ରକାର୍ଯ୍ୟ,
(ଖ) ସାମୁଦାୟିକ ଜୀବନରେ ଜାତିର ପ୍ରକାର୍ଯ୍ୟ ଏବଂ
(ଗ) ସମାଜ ପାଇଁ ଜାତିର ପ୍ରକାର୍ଯ୍ୟ ।
୨ । ଶ୍ରେଣୀ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଜାତି ପରି ଶ୍ରେଣୀ ମଧ୍ଯ ଏକ ସାମାଜିକ ସ୍ତରୀକରଣ ବ୍ୟବସ୍ଥା ଅଟେ । କିନ୍ତୁ ଶ୍ରେଣୀ ବ୍ୟକ୍ତିର ସାଧଗତ ବା ଅର୍ଜିତ ବୈଷମ୍ୟ ଉପରେ ପ୍ରତିଷ୍ଠିତ ଅଟେ । ଶ୍ରେଣୀ ମୁଖ୍ୟତଃ ଶିଳ୍ପଭିଭିକ ସମାଜରେ ପରିଲକ୍ଷିତ ହୋଇଥାଏ । ଏହା ସମାନ ସାମାଜିକ ଓ ଆର୍ଥିକ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କର ଏକ ସ୍ତର ବା ସାମାଜିକ ସମୂହକୁ ବୁଝାଇଥାଏ । ଶିକ୍ଷା, ଧନ, ସମ୍ପଦ ଓ ବ୍ୟବସାୟ ଆଦି ଶ୍ରେଣୀର ନିର୍ଣ୍ଣାୟକ ଅଟନ୍ତି ।
୩ । ଶ୍ରେଣୀ ସଚେତନତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଶ୍ରେଣୀ ସଚେତନତା ଶ୍ରେଣୀ ବ୍ୟବସ୍ଥାର ଅନ୍ୟ ଏକ ପ୍ରମୁଖ ଲକ୍ଷଣ ଅଟେ । ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ଦୃଢ଼ ସଚେତନ ଭାବ ବା ଆତ୍ମିକ ଭାବନାକୁ ଶ୍ରେଣୀ ସଚେତନତା କୁହାଯାଏ । ଏହି ସଚେତନତାଦ୍ୱାରା ସେମାନେ ନିଜକୁ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟଭାବେ ପରିଚିତ କରାଇଥା’ନ୍ତି ।
୪ । ଶ୍ରେଣୀର ସଂଜ୍ଞା ପ୍ରଦାନ କର ।
Answer:
କାର୍ଲ ମାର୍କସ୍ଙ୍କ ମତରେ, ‘ଜଣଙ୍କର ଶ୍ରେଣୀ ପ୍ରସ୍ଥିତି ଉତ୍ପାଦନର ଉତ୍ପାଦକ ସହ ଥିବା ଏହାର ସମ୍ପର୍କଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଶ୍ରେଣୀ ମୁଖ୍ୟତଃ ଅଧିକୃତ ଧନ ସମ୍ପଦ, ବୃତ୍ତି ଏବଂ ଆୟ ଆଦି ଅନେକ ଆର୍ଥିକ ମାନଦଣ୍ଡଦ୍ୱାରା ସ୍ଥିର ହୋଇଥାଏ ।’’ କିନ୍ତୁ ମାକାଇଭର ଓ ପେଜ୍ଙ୍କ ମତରେ, ‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଏକ ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’
୫ । ଜାତିର ସଂଜ୍ଞା ପ୍ରଦାନ କର ।
Answer:
ଜାତି ଏକ ପାରମ୍ପରିକ ଜୀବିକା ଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଗୋଷ୍ଠୀ । ସି.ଏଚ୍.କୁଲେଙ୍କ ମତରେ, ‘‘ଯେତେବେଳେ ଗୋଟିଏ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତି ହୋଇଯାଏ, ଆମେ ତାକୁ ଜାତି କହିଥାଉ ।’’ ସେହିପରି କେଟ୍ରଙ୍କ ମତରେ, ‘ଜାତି ହେଉଛି ଦ୍ବିବିଧ ଲକ୍ଷଣ ଥିବା ଏକ ସାମାଜିକ ସମୂହ ।
ପ୍ରଥମତଃ, ଏହା ଗୋଷ୍ଠୀର ସଦସ୍ୟମାନଙ୍କଠାରୁ ଜନ୍ମ ହୋଇଥିବା ବ୍ୟକ୍ତି ହିଁ ଏହାର ସଦସ୍ୟ ହୋଇପାରିବ । ଦ୍ଵିତୀୟତଃ, ଏକ ଅଲଙ୍ଘନୀୟ ସାମାଜିକ ନିୟମଦ୍ୱାରା ସଦସ୍ୟମାନଙ୍କର ନିଜ ସମୂହ ବହିର୍ଭୂତ ବିବାହକୁ ନିଷେଧ କରାଯାଇଥାଏ ।
୬ । ଜାତି ବ୍ୟବସ୍ଥାର ଅପକାରିତା ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
Answer:
ଜାତି ବ୍ୟବସ୍ଥା ବ୍ୟକ୍ତି ଓ ସମାଜ ପାଇଁ ଅନେକ ପ୍ରକାର୍ଯ୍ୟ ସମ୍ପାଦନ କରୁଥିଲେ ମଧ୍ୟ ଏହାର ଅନେକ ଅପକାରିତା ଓ ଅପକାର୍ଯ୍ୟ ରହିଛି । ଜାତି ବ୍ୟବସ୍ଥା ସାମାଜିକ ପ୍ରଗତିର ଅନ୍ତରାୟ ସୃଷ୍ଟି କରିବା ସହିତ ଅର୍ଥନୈତିକ ପ୍ରଗତିରେ ମଧ୍ୟ ବାଧା ପହଞ୍ଚାଇଥାଏ । ଜାତି ବ୍ୟବସ୍ଥା ମଧ୍ୟ ସମାଜରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଥାଏ ।
ଏହା ମଧ୍ୟ ସାମାଜିକ ଅସମାନତାକୁ ଚିରସ୍ଥାୟୀ କରିବା ସହିତ ଅସ୍ପୃଶ୍ୟତା ସୃଷ୍ଟି କରିଥାଏ । ଜାତି ବ୍ୟବସ୍ଥାରେ ନାରୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥାଏ ।
୭ । ଜାତିର କେତେକ ଲକ୍ଷଣକୁ ସଂକ୍ଷେପରେ ଲେଖ ।
Answer:
ପାରମ୍ପରିକ ଜୀବିକା ଗ୍ରହଣ କରୁଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଗୋଷ୍ଠୀକୁ ଜାତି କୁହାଯାଏ । ଜି.ଏସ୍.ଘୂରେ ଏବଂ ଏନ୍.କେ. ଦତ୍ତ ଜାତିର କେତେକ ସ୍ବତନ୍ତ୍ର ଲକ୍ଷ୍ୟ ପ୍ରଦାନ କରିଛନ୍ତି ।
(୧) ଜାତିଭିଭିକ ସମାଜ ଅନେକ କ୍ଷୁଦ୍ର ଗୋଷ୍ଠୀରେ ବିଭାଜିତ ।
(୨) ଏକ ଜାତିଭିତ୍ତିକ ସମାଜରେ ଥିବା ସମସ୍ତ ଜାତିଗୁଡ଼ିକ ଉଚ୍ଚ ନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି ।
(୩) ଏକ ଜାତି ବ୍ୟବସ୍ଥା ଏହାର ସଦସ୍ୟମାନଙ୍କ ଉପରେ ଖାଦ୍ୟ ପାନୀୟ ଓ ସାମାଜିକ ସଂସର୍ଗ ସ୍ଥାପନ କ୍ଷେତ୍ରରେ କେତେକ କଟକଣା ଜାରି କରିଥାଏ ।
(୪) ପ୍ରତ୍ୟେକ ଜାତିର ଏକ ପାରମ୍ପରିକ ବୃତ୍ତି ଓ ଜାତି ପଞ୍ଚାୟତ ରହିଥାଏ ।
୮ । ଜାତି ବ୍ୟବସ୍ଥାରେ ପରିଲକ୍ଷିତ ହୋଇଥିବା ସାମ୍ପ୍ରତିକ ପରିବର୍ତ୍ତନଗୁଡ଼ିକ ସମ୍ବନ୍ଧରେ ସଂକ୍ଷେପରେ ଦର୍ଶାଅ ।
Answer:
ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ଭାବେ ଜାତି ବ୍ୟବସ୍ଥା ସେଥୁରୁ ବାଦ୍ ପଡ଼ିନାହିଁ । ବିଭିନ୍ନ କାରଣର ପ୍ରଭାବରେ ଜାତି ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରଲକ୍ଷିତ ହୋଇଛି । ସମ୍ପ୍ରତି ଏକ ଜାତିଭିତ୍ତିକ ସମାଜରେ ବ୍ରାହ୍ମଣମାନଙ୍କ ନୀତିରେ ଅନେକ ପରିବର୍ତ୍ତନ ଦେଖାଯିବା ସହିତ ବୃଦ୍ଧି ନିର୍ବାଚନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଏତଦ୍ବ୍ୟତୀତ ଜାତି ପଞ୍ଚାୟତର ଗୁରୁତ୍ଵ ହ୍ରାସ ପାଇଛି ।
୯ । ଜାତି ପଞ୍ଚାୟତ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଜାତି ପଞ୍ଚାୟତ ଜାତିର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ । ଜାତି ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ଜାତିର ଗୋଟିଏ ଜାତି ପଞ୍ଚାୟତ ଥାଏ । ଏହି ଜାତି ପଞ୍ଚାୟତ ଜାତିର ମୁରବୀ, ବୟସ୍କ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥାଏ । ଏହା ଜାତିର ନୀତି ନିୟମ ପାଳନ ହେବା ଦେଖିବା ସହିତ ଜାତିଗତ ଗଣ୍ଡଗୋଳର ସମାଧାନ କରିଥାଏ । ଏହା ନିୟମ ଉଲ୍ଲଙ୍ଘନ କରିଥିବା ସଦସ୍ୟକୁ ଦଣ୍ଡବିଧାନ କରିଥାଏ ।
୧୦ । ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ସଂକ୍ଷେପରେ ଦର୍ଶାଅ ।
Answer:
ଜାତି ବ୍ୟବସ୍ଥା ଏକ କଠୋର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମ୍ପ୍ରତି ଏଥିରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଲାଣି । କେତେଗୁଡ଼ିଏ ଶକ୍ତିଶାଳୀ କାରକ ଓ ପ୍ରତିକୂଳ ଉପାଦାନ ଯୋଗୁ ଏହି ପରିବର୍ତ୍ତନ ଦେଖାଦେଇଛି । ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ପ୍ରମୁଖ କାରଣଗୁଡ଼ିକ ହେଉଛି ଆଧୁନିକ ଶିକ୍ଷା, ଶିଳ୍ପୀକରଣ ଓ ସହରୀକରଣର ବ୍ୟାପକ ପ୍ରସାର, ଆଧୁନିକ ପରିବହନ, ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରସାର, ନୂତନ ସମାଜ ସଂସ୍କାର ଆନ୍ଦୋଳନ, ନୂତନ ଆଇନ ବ୍ୟବସ୍ଥା, ଭାରତର ସମ୍ବିଧାନ, ରାଜନୈତିକ ଆନ୍ଦୋଳନ ଇତ୍ୟାଦି ।
୧୧ । ଶ୍ରେଣୀର ଲକ୍ଷଣଗୁଡ଼ିକ ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ସମାନ ଆର୍ଥିକ ଓ ସାମାଜିକ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କର ଏକ ସ୍ତରକୁ ଶ୍ରେଣୀ କୁହାଯାଏ । ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି – ଗୋଟିଏ ଶ୍ରେଣୀ ବ୍ୟବସ୍ଥାରେ ଶ୍ରେଣୀଗୁଡ଼ିକ ଉଚ୍ଚନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି । ପ୍ରତ୍ୟେକ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଏକ ପ୍ରକାରର ଶ୍ରେଣୀ ସଚେତନତା ରହିଥାଏ ।
ଶ୍ରେଣୀ:ବ୍ୟବସ୍ଥାରେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଅର୍ଜିତ ଦକ୍ଷତା ଓ କର୍ମକୁଶଳତା ଉପରେ ନିର୍ଭର କରିଥାଏ । ଶ୍ରେଣୀ ବ୍ୟବସ୍ଥାର ସଂରଚନା ନମନୀୟ ହେବା ସହିତ ଏଠାରେ ଦ୍ରୁତ ସଞ୍ଚଳନତା ଦେଖାଯାଇଥାଏ । ଗୋଟିଏ ଶ୍ରେଣୀ ବ୍ୟବସ୍ଥାର ବିଭିନ୍ନ ଶ୍ରେଣୀର ସଦସ୍ୟମାନଙ୍କର ଜୀବନଶୈଳୀରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।
୧୨ । ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ସଂକ୍ଷେପରେ ଦର୍ଶାଅ ।
Answer:
ଜାତି ବ୍ୟବସ୍ଥା ଏକ କଠୋର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମ୍ପ୍ରତି ଏଥିରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଲାଣି । କେତେଗୁଡ଼ିଏ ଶକ୍ତିଶାଳୀ କାରକ ଓ ପ୍ରତିକୂଳ ଉପାଦାନ ଯୋଗୁଁ ଏହି ପରିବର୍ତ୍ତନ ଦେଖାଦେଇଛି ।
ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ପ୍ରମୁଖ କାରଣଗୁଡ଼ିକ ହେଉଛି – ଆଧୁନିକ ଶିକ୍ଷା, ଶିଳ୍ପୀକରଣ ଓ ସହରୀକରଣର ବ୍ୟାପକ ପ୍ରସାର, ଆଧୁନିକ ପରିବହନ, ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରସାର, ନୂତନ ସମାଜ ସଂସ୍ଥାର ଆନ୍ଦୋଳନ, ନୂତନ ଆଇନ ବ୍ୟବସ୍ଥା, ଭାରତର ସମ୍ବିଧାନ, ରାଜନୈତିକ ଆନ୍ଦୋଳନ ଇତ୍ୟାଦି ।
୧୩ । ଅର୍ଜିତ ପ୍ରସ୍ଥିତି ଉପରେ ଟିପ୍ପଣୀ ଦିଅ ।
Answer:
ଯେତେବେଳେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଜନ୍ମଦ୍ଵାରା ସ୍ଥିର ନ ହୋଇ ତା’ର ବୃତ୍ତି, ଦକ୍ଷତା ଓ କର୍ମକୁଶଳତା ଭିରିରେ ସ୍ଥିରୀକୃତ ହୋଇଥାଏ, ତା’ର ସେହି ପ୍ରସ୍ଥିତିକୁ ଅର୍ଜିତ ପ୍ରସ୍ଥିତି କୁହାଯାଏ । ଏହା ଶ୍ରେଣୀ ବ୍ୟବସ୍ଥାର ଏକ ଲକ୍ଷଣ ଅଟେ ।
୧୪ । ଜାତି ବା କାଷ୍ଠ କ’ଣ ?
Answer:
ଜାତି ହିନ୍ଦୁ ସମାଜର ଏକ ମୌଳିକ ସାମାଜିକ ଅନୁଷ୍ଠାନ ଅଟେ । ଜାତିର ଇଂରାଜୀ ପ୍ରତିଶବ୍ଦ କାଷ୍ଟ ପର୍ତ୍ତୁଗୀଜ୍ ଶବ୍ଦ କାଷ୍ଟାରୁ ଆସିଅଛି ଯାହାର ଅର୍ଥ ବଂଶ, ପ୍ରଜାତି ବା ଗୋଷ୍ଠୀ । ଏହା ହିନ୍ଦୁ ସମାଜର ଏକ କ୍ଷୁଦ୍ର ସାମାଜିକ ସମୂହକୁ ବୁଝାଇଥାଏ । ଜାତି ଶବ୍ଦଟି ସଂସ୍କୃତ ଶବ୍ଦ ‘ଜାନା’ରୁ ଆସିଛି ଯାହାର ଅର୍ଥ ଜନ୍ମ ଦେବା । ତେଣୁ ଜନ୍ମ ଉପରେ ପର୍ଯ୍ୟବସିତ ଏକ ସମୂହକୁ ଜାତି କୁହାଯାଏ ।
୧୫ । ଜନଜାତିର ସଂଜ୍ଞା ଦିଅ ।
Answer:
ଗିଲିନ୍ ଏବଂ ଗିଲିନ୍ଙ୍କ ମତରେ ‘କୌଣସି ଏକ ନିର୍ଦ୍ଦିଷ୍ଟ ଭାଷା ଓ ସଂସ୍କୃତିଦ୍ୱାରା ଅନୁପ୍ରାଣିତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଧୂକୃତ ଓ ସ୍ବଳ୍ପ ଶିକ୍ଷାପ୍ରାପ୍ତ ସ୍ଥାନୀୟ ସମୂହର ସମଷ୍ଟିକୁ ଜନଜାତି କୁହାଯାଏ ।’’
୧୬ । ଜାତି ବ୍ୟବସ୍ଥା କ’ଣ ?
Answer:
ହିନ୍ଦୁ ସମାଜର ସାମାଜିକ ସ୍ତରୀକରଣ ବ୍ୟବସ୍ଥାକୁ ଜାତି ବ୍ୟବସ୍ଥା କୁହାଯାଏ । ଏହି ସ୍ଥିରୀକୃତ ବ୍ୟବସ୍ଥାରେ ବିଭିନ୍ନ ଜାତିଗୁଡ଼ିକ ଉଚ୍ଚନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି । ଏହା ଜନ୍ମ ବା ବଂଶ ଉପରେ ପ୍ରତିଷ୍ଠିତ ।
୧୭ । ଜନଜାତି ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଜନଜାତି କହିଲେ ଆମେ ସାଧାରଣତଃ ଆଦିବାସୀ, ଗିରିଜନ ଓ ଆଦିମ ଅଧିବାସୀଙ୍କୁ ବୁଝିଥାଉ । ଲୁସି ମେୟରଙ୍କ ମତରେ, ‘ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ରାଜନୈତିକ ବିଭାଜନକୁ ଜନଜାତି କୁହାଯାଏ । ସାନ୍ତାଳ ଓ ପରଜା ଜନଜାତିର ଉଦାହରଣ ଅଟନ୍ତି ।
୧୮ । ଭାରତୀୟ ଜନଜାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଭାରତୀୟ ଜନଜାତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନେ ସମ୍ମୁଖୀନ ହେଉଥିବା ପ୍ରମୁଖ ସମସ୍ୟାଗୁଡ଼ିକ ହେଉଛି – ଧର୍ମାନ୍ତରୀକରଣ, ଦାରିଦ୍ର୍ୟ, ଶୋଷଣ, ଅର୍ଥନୈତିକ ଅନୁନ୍ନତତା, ଜଙ୍ଗଲରୁ ସେମାନଙ୍କର ଅଧିକାର ପ୍ରତ୍ୟାହାର, ଋଣଗ୍ରସ୍ତତା, ନିରକ୍ଷରତା, ଅଜ୍ଞତା, ଅନ୍ଧବିଶ୍ୱାସ, ଗୋତିଶ୍ରମିକ, ସାପ୍ତାହିକ ହାଟର ବିଲୋପ ଓ ସାଂସ୍କୃତିକ ଗୋଳିଆମିଶା ଇତ୍ୟାଦି ।
୧୯ । ଜନଜାତିର ଲକ୍ଷଣ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
ଜନଜାତି ଏକ ଆଞ୍ଚଳିକ ସମୂହ ଅଟେ । ଜନଜାତି କେତେଗୁଡ଼ିଏ ପରିବାରକୁ ନେଇ ଗଠିତ । ଜନଜାତିର ସଦସ୍ୟମାନଙ୍କ ମଧ୍ୟରେ ଏକ ଦୃଢ଼ ଆମେକ ଭାବନା ରହିଥାଏ । ଜନଜାତିମାନେ ଏକ ନିର୍ଦ୍ଦିଷ୍ଟ ଭାଷାରେ କଥା ହୋଇଥା’ନ୍ତି । ସେମାନଙ୍କର ଏକ ସାଧାରଣ ସଂସ୍କୃତି ରହିଥାଏ । ଜନଜାତିମାନଙ୍କର ଏକ ସ୍ୱତନ୍ତ୍ର ରାଜନୈତିକ ବ୍ୟବସ୍ଥା ରହିଥାଏ ।
୨୦ । ଜନଜାତିମାନଙ୍କର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:
ଜନଜାତିମାନଙ୍କର ଉନ୍ନତି ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ମଧ୍ୟରୁ କେତେକ ହେଉଛି –
- ଭାରତୀୟ ସମ୍ବିଧାନର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ ।
- ଜନଜାତିମାନଙ୍କୁ ବିଭିନ୍ନ ପ୍ରକାରର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ।
- ଜନଜାତିମାନଙ୍କର ଉନ୍ନତି ପାଇଁ କେନ୍ଦ୍ରୀୟ ସ୍ତରରେ ଜଣେ କମିଶନର ନିଯୁକ୍ତି ।
- ସେମାନଙ୍କର ସଂସ୍କୃତି ଓ ସମସ୍ୟାକୁ ପାଠ କରିବାପାଇଁ ସ୍ଵତନ୍ତ୍ର ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠା ଇତ୍ୟାଦି ।
୨୧ । ଜାତି ଓ ଜନଜାତି ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଜାତି ଏକ ବଂଶାନୁକ୍ରମିକ ସମୂହ ହୋଇଥିବାବେଳେ ଜନଜାତି ଏକ ଆଞ୍ଚଳିକ ସମୂହ ଅଟେ । ଜାତି ଏକ ସାମାଜିକ ସମୂହ ହୋଇଥିବାବେଳେ ଜନଜାତି ଏକ ଆଞ୍ଚଳିକ ସମୂହ ଅଟେ । ଜାତି ମଧ୍ୟରେ ଉଚ୍ଚନୀଚ କ୍ରମ ପରିଲକ୍ଷିତ ହେଉଥିବାବେଳେ ଜନଜାତିରେ ଏହା ପରିଲକ୍ଷିତ ହୋଇନଥାଏ ।
୨୨ । ଅନୁସୂଚିତ ଜାତିର ଅର୍ଥ ବୁଝାଅ ।
Answer:
ଅନୁସୂଚିତ ଜାତି ସାଧାରଣତଃ ଶୂଦ୍ର ଜାତିକୁ ବୁଝାଇଥାଏ । ଆମ ସମ୍ବିଧାନ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନର ଲକ୍ଷ୍ୟ ରଖ୍ ଶୂଦ୍ର ବା ନୀଚ ଜାତିକୁ ଏକ ଚିଠାଭୁକ୍ତ କରାଯାଇଛି । ସମ୍ବିଧାନର ଚିଠାଭୁକ୍ତ ହୋଇଥିବା ଏହି ଜାତିମାନଙ୍କୁ ଅନୁସୂଚିତ ଜାତି କୁହାଯାଏ ।
୨୩ । ଜନଜାତିର ଅର୍ଥ କ’ଣ ବୁଝାଅ ।
Answer:
ସାଧାରଣତଃ ଆଦିବାସୀ ଓ ପାହାଡ଼ ପର୍ବତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଜନଜାତି କୁହାଯାଏ । କିନ୍ତୁ ଲୁସି ମେୟରଙ୍କ ମତରେ, ‘ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ରାଜନୈତିକ ବିଭାଜନକୁ ଜନଜାତି କୁହାଯାଏ ।’’ ଏହା କେତେଗୁଡ଼ିଏ ପରିବାରର ସମଷ୍ଟି ଯେଉଁମାନେ କି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବାସ କରନ୍ତି ଓ ଏକ ନିର୍ଦ୍ଦିଷ୍ଟ ଭାଷାରେ କଥା ହୋଇଥା’ନ୍ତି ।
୨୪ । ଶ୍ରେଣୀ କ’ଣ ବୁଝାଅ ।
Answer:
ସାମାଜିକ ସ୍ତରୀକରଣର ଏକ ପ୍ରକାର ହେଉଛି ଶ୍ରେଣୀ । ସମାନ ସାମାଜିକ ଓ ଆର୍ଥିକ ପ୍ରତିଷ୍ଠା ଲାଭ କରିଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ସାମାଜିକ ସମୂହକୁ ଶ୍ରେଣୀ କୁହାଯାଏ । ମାର୍କସ୍ଙ୍କ ମତରେ, ଶ୍ରେଣୀ ମୁଖ୍ୟତଃ ଅଧିକୃତ ଧନ ସମ୍ପତ୍ତି, ବୃତ୍ତି ଏବଂ ଆୟ ଆଦି କେତେକ ଆର୍ଥିକ ମାନଦଣ୍ଡଦ୍ୱାରା ସ୍ଥିର ହୋଇଥାଏ । ମାକାଇଭର୍ ଓ ପେଜ୍ଙ୍କ ମତରେ, ‘‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।
(ଖ) ପାଞ୍ଚଟି । ଛଅଟି ବାକ୍ୟରେ ଉତ୍ତର ଦିଅ ।
୧ । ଜାତି ବ୍ୟବସ୍ଥାରେ ଦେଖାଯାଇଥିବା ପରିବର୍ତ୍ତନଗୁଡ଼ିକୁ ବୁଝାଅ ।
Answer:
ପରିବର୍ତ୍ତନ ପ୍ରକୃତିର ଏକ ଅପରିବର୍ତ୍ତନୀୟ ନିୟମ ଓ ଜାତି ବ୍ୟବସ୍ଥା ଏଥିରୁ ବାଦ୍ ପଡ଼ିନାହିଁ । ଅନେକ କାରକର ପ୍ରଭାବରେ ଜାତି ବ୍ୟବସ୍ଥାରେ ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ଯଥା –
- ଜାତିର ବିଭିନ୍ନ ପ୍ରକାର୍ଯ୍ୟରେ ଅନେକ ପରିବର୍ତ୍ତନ ଦେଖାଦେଇଛି ।
- ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟରେ ଯଥେଷ୍ଟ ହ୍ରାସ ଘଟିଛି ।
- ଜାତି ସଂରଚନା କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ସଂଘଟିତ ହୋଇଛି ।
- ଜାତି, ଖାଦ୍ୟ ପାନୀୟ ଓ ମିଳାମିଶା କ୍ଷେତ୍ରରେ ଥିବା କଟକଣାଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ସଂଘଟିତ ହୋଇଛି ।
- ଜାତି ବୃତ୍ତି ଓ ବିବାହ ସମ୍ବନ୍ଧୀୟ ନୀତିରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି ।
୨ । ତଫସିଲଭୁକ୍ତ ଜାତି
Answer:
ସମ୍ବିଧାନରେ ଅସ୍ପୃଶ୍ୟ ଜାତି ବା ଶୂଦ୍ର ଜାତିର ସଦସ୍ୟମାନଙ୍କୁ ତଫସିଲଭୁକ୍ତ ଜାତିର ସଦସ୍ୟ ଭାବରେ ସ୍ଵୀକୃତି ପ୍ରଦାନ କରାଯାଇଛି । ଜାତିର ଜନକ ମହାତ୍ମା ଗାନ୍ଧି ଏହି ଜାତିର ସଦସ୍ୟମାନଙ୍କୁ ଅତି ସ୍ନେହରେ ‘ହରିଜନ’ ଅର୍ଥାତ୍ ଈଶ୍ବରଙ୍କ ସନ୍ତାନ ବୋଲି ଅଭିହିତ କରିଥିଲେ । ପୂର୍ବେ ଏହି ଜାତିର ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ ।
୩୮ । ଜନଜାତିମାନଙ୍କର ବିଶେଷ ଲକ୍ଷଣ
Answer:
ସାଧାରଣତଃ ଭାରତରେ ଜନଜାତି ସମୂହକୁ ଆଦିବାସୀ ବା ଆଦିମ ଜାତି ବୋଲି ଗ୍ରହଣ କରାଯାଇଛି । ଏହାର ବିଶେଷ ଲକ୍ଷଣମାନ ହେଲା
(1) ନିର୍ଦ୍ଦିଷ୍ଟ ଭୂଖଣ୍ଡ,
(2) ସାଧାରଣ ଭାଷା,
(3) ଅନ୍ତର୍ବିବାହ,
(4) ରକ୍ତଗତ ସମ୍ପର୍କ,
(5) ସାଧାରଣ ସଂସ୍କୃତି,
(6) ସାଧାରଣ ଧର୍ମ,
(7) ସାଧାରଣ ନାମ ଓ
(8) ରାଜନୈତିକ ସଂଗଠନ ଇତ୍ୟାଦି ।
ମୁଣ୍ଡା, ସାନ୍ତାଳ, ସଉରା, ଜୁଆଙ୍ଗ, ବଣ୍ଡା ଇତ୍ୟାଦି କେତେକ ଜନଜାତିର ଉଦାହରଣ ଅଟନ୍ତି ।
୪ । ଜାତିର ମୁଖ୍ୟ ଲକ୍ଷଣସମୂହ
Answer:
ପାରମ୍ପରିକ ଜୀବିକା ଗ୍ରହଣ କରୁଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଗୋଷ୍ଠୀକୁ ଜାତି କୁହାଯାଏ ।
ଏହାର ଲକ୍ଷଣଗୁଡିକ ହେଲା –
- ଉଚ୍ଚନୀଚ କ୍ରମ,
- ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶାରେ କଟକଣା,
- କୌଳିକ ବୃଦ୍ଧି,
- ଆନ୍ତର୍ବିବାହୀ ସମୂହ,
- ଜାତି ପଞ୍ଚାୟତ ଇତ୍ୟାଦି ।
୫ । ଜାତି ବ୍ୟବସ୍ଥା
Answer:
ହିନ୍ଦୁ ସମାଜରେ ଜାତି ବ୍ୟବସ୍ଥା ସ୍ତରୀକରଣର ଏକ ମୁଖ୍ୟ ମାଧ୍ୟମ ଅଟେ । ଜାତିର ଇଂରାଜୀ ପ୍ରତିଶବ୍ଦ କାଷ୍ଟ (CASTE) ପର୍ତ୍ତୁଗୀଜ୍ ଶବ୍ଦ ‘କାଷ୍ଟା’ରୁ ଆସିଅଛି ଯାହାର ଅର୍ଥ ବଂଶ, ପ୍ରଜାତି ବା ଗୋଷ୍ଠୀ । ଜାତି ଶବ୍ଦଟି ସଂସ୍କୃତ ଶବ୍ଦ ‘ଜାନା’ରୁ ଆସିଛି, ଯାହାର ଅର୍ଥ ଜନ୍ମନେବା । ତେଣୁ ଜନ୍ମ ଉପରେ ପର୍ଯ୍ୟବସିତ ଏକ ସମୂହକୁ ଜାତି କୁହାଯାଏ । ଉଚ୍ଚନୀଚ କ୍ରମରେ ଜାତି ବ୍ୟବସ୍ଥା ପରିଲକ୍ଷିତ ହୋଇଥାଏ ।
୬ । ଜାତିର ମୁଖ୍ୟ ପ୍ରକାର୍ଯ୍ୟ
Answer:
(a) ଏହା ବ୍ୟକ୍ତିର ପ୍ରସ୍ଥିତି ନିର୍ଦ୍ଧାରଣ କରିଥାଏ ।
(b) ଏହା ବ୍ୟକ୍ତିର ବୃତ୍ତି ନିର୍ଦ୍ଧାରଣ କରିଥାଏ ।
(c) ସମାଜରେ ଶ୍ରମ ବିଭାଜନକୁ ଉତ୍ସାହିତ କରିଥାଏ ।
(d) ପ୍ରଜାତୀୟ ବିଶୁଦ୍ଧତା ରକ୍ଷା କରିଥାଏ ।
(e) ଜାତି ବ୍ୟବସ୍ଥା ଏହାର ସଦସ୍ୟମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ ।
୭ । ଜାତି ବ୍ୟବସ୍ଥାର ମୁଖ୍ୟ ଅପକାରିତା
Answer:
(i) ଏହା ବ୍ୟକ୍ତିତ୍ଵ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।
(ii) ଏହା ସାମାଜିକ ଅସମାନତାକୁ ବୃଦ୍ଧି କରିଥାଏ ।
(iii) ଏହା ଅସ୍ପୃଶ୍ୟତାରୂପକ ସାମାଜିକ କଳଙ୍କକୁ ଉତ୍ସାହିତ କରିଥାଏ ।
(iv) ଏହା ସାମାଜିକ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିଥାଏ ।
(v) ଏହା ଜାତିବାଦର ବୃଦ୍ଧି ଘଟାଇଥାଏ ।
(vi) ଏହି ବ୍ୟବସ୍ଥାରେ ନାରୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥାଏ ।
୮ । ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା କାରକ
Answer:
ଜାତି ବ୍ୟବସ୍ଥାକୁ ଅନେକଗୁଡ଼ିଏ କାରକ ପ୍ରଭାବିତ କରିଥା’ନ୍ତି । ସେଗୁଡିକ ହେଲା–
(i) ଆଧୁନିକ ଶିକ୍ଷା ବ୍ୟବସ୍ଥା
(ii) ଆଧୁନିକ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାର ଉନ୍ନତି
(iii) ନୂତନ ସମାଜ ସଂସ୍କାର ଆନ୍ଦୋଳନ
(iv) ଭାରତୀୟ ସମ୍ବିଧାନ
(v) ନୂତନ ସାମାଜିକ ଆଇନ
(vi) ଶିଳ୍ପୀକରଣ
(vi) ସହରୀକରଣ
(viii) ନୂତନ ରାଜନୈତିକ ଆନ୍ଦୋଳନ ଇତ୍ୟାଦି ।
୯ । ଜାତି ବ୍ୟବସ୍ଥାରେ ସାଂପ୍ରତିକ ପରିବର୍ତ୍ତନ
Answer:
ସଂପ୍ରତି ବିଭିନ୍ନ କାରଣର ପ୍ରଭାବରେ ପୁରାତନ ଜାତି ବ୍ୟବସ୍ଥାରେ ଅନେକଗୁଡ଼ିଏ ପରିବର୍ତ୍ତନ ସଂଘଟିତ ହୋଇଅଛି । ସେଗୁଡିକ ହେଲା –
(i) ସଂପ୍ରତି ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ସମ୍ପୂର୍ଣ୍ଣଭାବେ ହ୍ରାସ ପାଇଛି ।
(ii) ବୃଦ୍ଧି ନିର୍ବାଚନ ସମ୍ପୂର୍ଣ୍ଣଭାବେ ବ୍ୟକ୍ତିର ପ୍ରତିଭା, ଜ୍ଞାନ, ମେଧା ଓ କ୍ଷମତା ଭିତ୍ତିରେ ନିର୍ଦ୍ଧାରିତ ହେଉଅଛି, ଯାହାକି ପୂର୍ବେ ଜାତିଭିଭିକ ଥିଲା ।
(iii) ବିବାହ କ୍ଷେତ୍ରରେ ସାଥୀ ନିର୍ବାଚନ ଜାତି ବାହାରେ ମଧ୍ୟ ସମ୍ଭବ ହେଉଛି ।
(iv) ଖାଦ୍ୟ, ପାନୀୟ, ସାମାଜିକ ମିଳାମିଶା କ୍ଷେତ୍ରରେ ଥିବା କଟକଣା ସମ୍ପୂର୍ଣ୍ଣଭାବେ ହ୍ରାସ ପାଇଛି ।
(v) ସାମାଜିକ ପ୍ରସ୍ଥିତି ଅର୍ଜିତ ପ୍ରସ୍ଥିତିକୁ ରୂପାନ୍ତରିତ ହୋଇଅଛି ।
୧୦ । ଶ୍ରେଣୀ
Answer:
ଜାତି ପରି ଶ୍ରେଣୀ ମଧ୍ଯ ସାମାଜିକ ସ୍ତରୀକରଣର ଏକ ବ୍ୟବସ୍ଥା ଅଟେ । ଶ୍ରେଣୀ ବ୍ୟକ୍ତିର ଅର୍ଜିତ ପ୍ରସ୍ଥିତି ଉପରେ ପ୍ରତିଷ୍ଠିତ ଅଟେ । ଶ୍ରେଣୀ ବ୍ୟବସ୍ଥା ମୁଖ୍ୟତଃ ଶିଳ୍ପଭିତ୍ତିକ ସମାଜରେ ପରିଲକ୍ଷିତ ହୋଇଥାଏ ।
ଏହା ସମାନ ସମାଜିକ ଓ ଆର୍ଥିକ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କର ଏକ ସ୍ତର ବା ସାମାଜିକ ସମୂହକୁ ବୁଝାଇଥାଏ । ଶିକ୍ଷା, ଧନ, ସମ୍ପଦ, ଆୟ ଓ ବ୍ୟବସାୟ ଆଦି ଶ୍ରେଣୀର ନିର୍ଣ୍ଣାୟକ ଅଟନ୍ତି ।
୧୧ । ଶ୍ରେଣୀର ଲକ୍ଷଣ
Answer:
ଶ୍ରେଣୀର ପ୍ରମୁଖ ଲକ୍ଷଣଗୁଡିକ ହେଲା –
(i) ଶ୍ରେଣୀ ବ୍ୟବସ୍ଥାରେ ଶ୍ରେଣୀଗୁଡ଼ିକ ଉଚ୍ଚନୀଚ କ୍ରମରେ ରହିଥା’ନ୍ତି ।
(ii) ଶ୍ରେଣୀ ବ୍ୟବସ୍ଥାରେ ପ୍ରତ୍ୟେକ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଏକ ପ୍ରକାର ଶ୍ରେଣୀ ସଚେତନତା ରହିଥାଏ ।
(iii) ଶ୍ରେଣୀ ବ୍ୟବସ୍ଥାରେ ଜଣେ ବ୍ୟକ୍ତିର ପ୍ରସ୍ଥିତି ଅର୍ଜିତ ଦକ୍ଷତା ଓ କର୍ମକୁଶଳତା ଉପରେ ନିର୍ଭର କରିଥାଏ ।
(iv) ଶ୍ରେଣୀ ସଂରଚନା ଅତି ନମନୀୟ ଅଟେ ।
୧୨ । ଜାତି ପଞ୍ଚାୟତ
Answer:
ପ୍ରତ୍ୟେକ ଜାତିରେ ଏକ ଜାତି-ପଞ୍ଚାୟତ ବା ଜାତି-ପରିଷଦ କାର୍ଯ୍ୟ କରିଥାଏ । ଏହା ଜାତିର ବୟସ୍କ, ମୁରବୀ ଓ ଗଣ୍ୟମାନ୍ୟ ବ୍ୟକ୍ତିକୁ ନେଇ ଗଠିତ ହୋଇଥାଏ । ଜାତି ମଧ୍ୟରେ ପରିଲକ୍ଷିତ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ । ଏହା ପ୍ରତ୍ୟେକ ଜାତି ପାଇଁ ନିୟମମାନ ପ୍ରଣୟନ କରିଥାଏ ଓ କୌଣସି ସଦସ୍ୟ ନିୟମ ଭଙ୍ଗ କଲେ ଜାତି-ପଞ୍ଚାୟତ-ଦ୍ବାରା ଦଣ୍ଡିତ ହୋଇଥା’ନ୍ତି ।
୧୩ । ଜନଜାତି
Answer:
ଜନଜାତି କହିଲେ ଆମେ ସାଧାରଣତଃ ଆଦିବାସୀ, ଆଦିମ ଜାତି, ଗିରିଜନ ଓ ଆଦିମ ଅଧିବାସୀମାନଙ୍କୁ ବୁଝିଥାଉ । ଲୁସି ମେୟର୍ଙ୍କ ମତରେ, ‘ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ରାଜନୈତିକ ବିଭାଜନକୁ ଜନଜାତି କୁହାଯାଏ ।’’
ଏହା ଏକ ଆଞ୍ଚଳିକ ସମୂହ ଅଟେ । ଜନଜାତି ସମୂହଗୁଡ଼ିକର ନିର୍ଦ୍ଦିଷ୍ଟ ଭାଷା ରହିଥାଏ ଓ ସାଧାରଣ ସଂସ୍କୃତି ରହିଥାଏ । ଜନଜାତିମାନଙ୍କର ଏକ ସ୍ଵତନ୍ତ୍ର ରାଜନୈତିକ ବ୍ୟବସ୍ଥା ରହିଥାଏ । ମୁଣ୍ଡା, ସାନ୍ତାଳ, ସଉରା, ଜୁଆଙ୍ଗ, ବଣ୍ଡା ଇତ୍ୟାଦି କେତେକ ଜନଜାତିର ଉଦାହରଣ ଅଟନ୍ତି ।
୧୪ । ଜନଜାତିମାନଙ୍କର ମୁଖ୍ୟ ସମସ୍ୟା
Answer:
ଜନଜାତିମାନଙ୍କର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା –
- ଧର୍ମାନ୍ତରୀକରଣ,
- ଶୋଷଣ,
- ଦରିଦ୍ରତା,
- ଅର୍ଥନୈତିକ ଅନୁନ୍ନତତା,
- ନିରକ୍ଷରତା,
- ଋଣଗ୍ରସ୍ତତା,
- ମଦ୍ୟପାନ,
- ଅଜ୍ଞତା,
- ଅନ୍ଧବିଶ୍ଵାସ,
- ଗୋତି ଶ୍ରମିକ,
- ଯୌନ ଶୋଷଣ ଇତ୍ୟାଦି ।
୧୫ । ଜନଜାତିର ମୁଖ୍ୟ ଗୁଣ
Answer:
ଲୁସି ମେୟରଙ୍କ ମତରେ, ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ରାଜନୈତିକ ବିଭାଜନକୁ ଜନଜାତି କୁହାଯାଏ । ଏହାର ମୁଖ୍ୟ ଗୁଣ ବା ଲକ୍ଷଣଗୁଡ଼ିକ ହେଲା – ସାଧାରଣ ଅଞ୍ଚଳ, ଐକ୍ୟ ମନୋଭାବ, ସାଧାରଣ ଭାଷା, ରକ୍ତସମ୍ପର୍କ, ଅନ୍ତର୍ବିବାହ, ସାଧାରଣ ସଂସ୍କୃତି, ସାଧାରଣ ଧର୍ମ, ସାଧାରଣ ନାମ ଓ ରାଜନୈତିକ ସଙ୍ଗଠନ ଇତ୍ୟାଦି । ୧୯୯୧ ଜନଗଣନା ଅନୁସାରେ ଭାରତରେ ୫୨ ନିୟୁତ ଲୋକ ଜନଜାତି ସମ୍ପ୍ରଦାୟର ଅଟନ୍ତି ।
୧୬ । ଶ୍ରେଣୀର ଗୁଣ ବା ଲକ୍ଷଣ
Answer:
ସାଧାରଣତଃ ସାମାଜିକ ଶ୍ରେଣୀ ସମାଜର ଏକ ଅଂଶକୁ ବୁଝାଇଥାଏ । ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଓ ସେମାନଙ୍କର ସମାନ ପ୍ରସ୍ଥିତି ଥାଏ । ଶ୍ରେଣୀର ମୁଖ୍ୟ ଗୁଣ ବା ଲକ୍ଷଣଗୁଡ଼ିକ ହେଲା – ମୁକ୍ତ ଶ୍ରେଣୀ ବ୍ୟବସ୍ଥା, ଉଚ୍ଚନୀଚ କ୍ରମ, ଶ୍ରେଣୀ ସଚେତନତା, ସାର୍ବଜନୀନତା, ପ୍ରସ୍ଥିତି ସମୂହ ଇତ୍ୟାଦି ।
ଏହାଛଡ଼ା ଶ୍ରେଣୀର ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ହେଲା ଅର୍ଜିତ ପ୍ରସ୍ଥିତି, ସାମାଜିକ ସଂଚାଳନ, ଜୀବନ ଧାରଣର ମାନରେ ପାର୍ଥକ୍ୟ ଇତ୍ୟାଦି । ଶ୍ରେଣୀ ଅପେକ୍ଷାକୃତ ସ୍ଥାୟୀ ଅଟେ । ଏହା ଏକ ଅର୍ଥନୈତିକ ସମୂହ ଅଟେ ।
୧୭ । ଜାତିର ଗୁଣ ବା ଲକ୍ଷଣ
Answer:
ଜାତି ଏକ ବଂଶାନୁକ୍ରମିକ ଅନ୍ତର୍ବିବାହୀ ସମୂହ, ଯାହାର ଏକ ପାରମ୍ପରିକ ଜୀବିକା ବା ବୃତ୍ତି ରହିଛି । ପ୍ରତ୍ୟେକ ଜାତିସମୂହ ସ୍ଥାନୀୟ ଜାତିର ଉଚ୍ଚ ନୀଚ କ୍ରମରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଅଧିକାର କରିଥାଏ । ଜାତିର ମୁଖ୍ୟ ଲକ୍ଷଣ ହେଲା – ସମାଜର ବିଭାଜନ, ଉଚ୍ଚନୀଚ କ୍ରମ, ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶାରେ କଟକଣା, ସାମାଜିକ ଓ ଧାର୍ମିକ ବାଧା ବନ୍ଧନ ତଥା ସୁବିଧା ସୁଯୋଗ, ବୃତ୍ତି ନିର୍ବାଚନ କ୍ଷେତ୍ରରେ ବାଧାବନ୍ଧନ, ଅନ୍ତର୍ବିବାହୀ ସମୂହ ଇତ୍ୟାଦି ।
ଜାତି ବ୍ୟବସ୍ଥା ବ୍ୟକ୍ତିଗତ ଜୀବନରେ, ସାମୁଦାୟିକ ଜୀବନରେ ଓ ସାମାଜିକ ଜୀବନରେ ଅନେକ ପ୍ରକାର୍ଯ୍ୟ ସମ୍ପାଦିତ କରିଥାଏ ।
୧୮ । ଜନଜାତି କଲ୍ୟାଣପାଇଁ ସାମ୍ବିଧାନିକ ପଦକ୍ଷେପ ।
Answer:
(i) ଧାରା ୧୫ ଅନୁସାରେ ଜନଜାତିମାନଙ୍କର ସମାନ ଅଧିକାର ଓ ସୁଯୋଗ ପ୍ରଦାନ ।
(ii) ଧାରା ୧୫(୧)ରେ ନିଯୁକ୍ତିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।
(iii) ଧାରା ୧୯(୫)ରେ ଜନଜାତିର ଲୋକମାନେ ଭାରତର ଯେ କୌଣସି କ୍ଷେତ୍ରରେ ସମ୍ପତ୍ତି ଅର୍ଜନ କରିପାରିବେ ।
(iv) ଧାରା ୪୬ (୪) ଅନୁସାରେ ଜନଜାତି ଲୋକମାନଙ୍କର ଅର୍ଥନୈତିକ ଶିକ୍ଷାର ଉନ୍ନତି ସୁରକ୍ଷା ପ୍ରତି ବିଶେଷ ଧ୍ୟାନଦେବା ପ୍ରତ୍ୟେକ ରାଜ୍ୟର କର୍ତ୍ତବ୍ୟ ।
(v) ସମ୍ବିଧାନର ୧୬୪ (୬) ଅନୁସାରେ ଚାରିଟି ଜନଜାତିବହୁଳ ରାଜ୍ୟରେ ସ୍ୱତନ୍ତ୍ର ମନ୍ତ୍ରୀପଦ ସୃଷ୍ଟି ଓ ୨୭୫ ଧାରା ପାଣ୍ଠି ସଂଗ୍ରହ ଓ ବିନିଯୋଗର ନିର୍ଦେଶ ପ୍ରଦାନ କରେ ।
(vi) ଧାରା ୩୩୦, ୩୩୨, ୩୩୪ ଅନୁସାରେ ରାଜ୍ୟ ବିଧାନସଭା ଓ ଲୋକସଭାରେ ସ୍ଥାନ ସଂରକ୍ଷଣ ।
(ଗ) ପାର୍ଥକ୍ୟ ଦର୍ଶାଅ ।
୧ । ଜାତି ଓ ଶ୍ରେଣୀ
Answer:
(i) ଜାତି ଏକ ସାମାଜିକ ସମୂହ ହୋଇଥିବାବେଳେ ଶ୍ରେଣୀ ମୁଖ୍ୟତଃ ଏକ ଅର୍ଥନୈତିକ ସମୂହ ଅଟେ ।
(ii) ଗୋଟିଏ ଜାତିର ନିର୍ଦ୍ଦିଷ୍ଟ ଜାତିଭିଭିକ କୌଳିକ ବୃତ୍ତି ରହିଥିବାବେଳେ ଶ୍ରେଣୀର କୌଣସି କୌଳିକ ବୃତ୍ତି ନଥାଏ ।
(iii) ଜାତି ସଂରଚନା ଆବଦ୍ଧ ଓ ଅନମନୀୟ ହୋଇଥିବାବେଳେ ଶ୍ରେଣୀ ସଂରଚନା ମୁକ୍ତ ଓ ନମନୀୟ ଅଟେ ।
(iv) ଜାତି ଧର୍ମଭିଭିକ ହୋଇଥିବାବେଳେ ଶ୍ରେଣୀ ଧର୍ମନିରପେକ୍ଷ ଅଟେ ।
୨ । ଜାତି ଓ ଜନଜାତି
Answer:
(i) ଯେତେବେଳେ ଏକ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତ ହୋଇଥାଏ, ଆମେ ତାକୁ ଜାତି କହିଥାଉ । କିନ୍ତୁ ଏକ ସାଧାରଣ ସଂସ୍କୃତି ଥାଇ ଏକ ଜନସଂଖ୍ୟାର ଆତ୍ମନିର୍ଭରଶୀଳ ରାଜନୈତିକ ବିଭାଜନକୁ ଜନଜାତି କୁହାଯାଏ ।
(ii) ଜାତି ଏକ ବଂଶାନୁକ୍ରମିକ ସମୂହ ହୋଇଥିବାବେଳେ ଜନଜାତି ଏକ ଆଞ୍ଚଳିକ ସମୂହ ଅଟେ ।
(ii) ଜାତିରେ କୌଣସି ରାଜନୈତିକ ବ୍ୟବସ୍ଥା ନଥାଏ, କିନ୍ତୁ ପ୍ରତ୍ୟେକ ଜନଜାତିର ସ୍ବତନ୍ତ୍ର ରାଜନୈତିକ ବ୍ୟବସ୍ଥା ରହିଥାଏ ।
(iv) ଏକ ଜନଜାତି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବାସ କରିଥା’ନ୍ତି, କିନ୍ତୁ ଏକ ଜାତିର ନିର୍ଦ୍ଦିଷ୍ଟ ଭୂଖଣ୍ଡ ପରିଲକ୍ଷିତ ହୋଇନଥାଏ ।