Odisha State Board BSE Odisha 10th Class History Notes Chapter 17 ଶିକ୍ଷାର ବିକାଶ will enable students to study smartly.
BSE Odisha Class 10 History Notes Chapter 17 ଶିକ୍ଷାର ବିକାଶ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
→ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା:
- ଦେଶର ସବୁଠାରୁ ମୂଲ୍ୟବାନ୍ ସମ୍ପଦ ମାନବ ସମ୍ବଳର ବିକାଶ ନିମନ୍ତେ ସ୍ଵାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଗାନ୍ଧିଜୀଙ୍କ ମୌଳିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ଵ ଦିଆଯାଇଥିଲା ।
- ୧୯୪୭-୪୮ ଶିକ୍ଷାବର୍ଷରେ ମୌଳିକ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାପାଇଁ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଅନୁଗୁଳ ଓ ରସୁଲକୋଣ୍ଡାଠାରେ ଖୋଲାଯାଇଥିଲା ।
- ୧୯୫୦ ମସିହାବେଳକୁ ଆଉ ୬୦ଟି ମୌଳିକ ଶିକ୍ଷା ବିଦ୍ୟାଳୟ ଓ ୨ଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହେଲା । ସେହି ବର୍ଷ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ଥିଲା ୧୦,୧୬୫ ଏବଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୪,୪୧,୯୬୭ ।
- ଷଷ୍ଠ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଧ୍ୟମିକ ଶିକ୍ଷା କୁହାଯାଉଥିଲା ।
- ଷଷ୍ଠ ଓ ସପ୍ତମ ଶ୍ରେଣୀକ ମଧ୍ଯ ଇଂରାଜୀ ବିଦ୍ୟାଳୟର ଅନ୍ତର୍ଭୁକ୍ତ କରାଯାଉଥିଲା ଓ ଅଷ୍ଟମଠାରୁ ଏକାଦଶ ପର୍ଯ୍ୟନ୍ତ ଚାରିବର୍ଷର ଶିକ୍ଷାକୁ ହାଇସ୍କୁଲ ଶିକ୍ଷା କୁହାଯାଉଥିଲା ।
- ୧୯୫୦ ମସିହା ବେଳକୁ ଓଡ଼ିଶାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ହାଇସ୍କୁଲ ସଂଖ୍ୟା ଯଥାକ୍ରମେ ୪୮୯ ଓ ୧୫୩ ଥିଲା ଓ ସେଗୁଡ଼ିକରେ ଯଥାକ୍ରମେ ୪୬,୨୧୭ ଓ ୪୩,୮୯୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ।
- ଓଡ଼ିଶା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଓଡ଼ିଶା ସେକେଣ୍ଡାରୀ ଏଜୁକେଶନ ଏକ୍ସ ୧୯୫୩ ବଳରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଗଠିତ ହୋଇଥିଲା ।
- ବିଂଶ ଶତାବ୍ଦୀର ଶେଷ ଦୁଇ ଦଶକରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଲା ଏବଂ ଏଗୁଡ଼ିକର ପରୀକ୍ଷା ପରିଚାଳନା ଭାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ଼ ଓ ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ହସ୍ତରେ ନ୍ୟସ୍ତ କରାଗଲା ।
- ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ୧୯୯୫ ମସିହାଠାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।
- କେନ୍ଦ୍ର ସରକାରଙ୍କ ସହାୟତାରେ ‘ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା’ (ଡି.ପି.ଇ.ପି.) ୧୯୯୬ ମସିହାଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ।
- ପ୍ରାଥମିକ ଶିକ୍ଷାକୁ ଲୋକପ୍ରିୟ କରିବାପାଇଁ ସରକାରଙ୍କ ‘ସର୍ବଶିକ୍ଷା ଅଭିଯାନ’ ଯୋଜନା ମାଧ୍ୟମରେ ଅନେକ ନୂତନ ବିଦ୍ୟାଳୟ ଖୋଲାଯାଇଛି ଓ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି ।
- ୨୦୦୯-୧୦ ଶିକ୍ଷାବର୍ଷଠାରୁ କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ’ (ଆର.ଏମ୍.ଏସ୍.ଏ.) ନାମକ ଏକ ବହୁମୁଖୀ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି । ୧୪-୧୮ ବର୍ଷର ପିଲାମାନେ ଯେପରି ସୁଲଭ ଓ ସୁଶିକ୍ଷା ଲାଭ କରିପାରିବେ ତାହା ଏହି ଅଭିଯାନର ମୂଳ ଲକ୍ଷ୍ୟ ।
- ବାଳିକାମାନଙ୍କୁ ମାଧ୍ୟମିକ ଶିକ୍ଷା ପ୍ରତି ଆକୃଷ୍ଟ କରିବାପାଇଁ ସରକାର ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ବ୍ଲକ୍ମାନଙ୍କରେ ଝିଅମାନଙ୍କ ପାଇଁ ଛାତ୍ରୀ ନିବାସ ନିର୍ମାଣ କରିବା ସହ ମଡ଼େଲ ସ୍କୁଲ ପ୍ରତିଷ୍ଠା କରିଛନ୍ତି ।
- ସୂଚନା ପ୍ରଯୁକ୍ତି ବିଦ୍ୟାକୁ ପ୍ରୋତ୍ସାହନ ପ୍ରଦାନ, ମଦ୍ରାସା ଶିକ୍ଷାକୁ ଆଧୁନିକୀକରଣ ଓ ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି ।
→ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ:
- ସ୍ଵାଧୀନତାବେଳକୁ ଓଡ଼ିଶାରେ ଉତ୍କଳ ବିଶ୍ୱବିଦ୍ୟାଳୟ ନାମରେ ଗୋଟିଏ ମାତ୍ର ବିଶ୍ବବିଦ୍ୟାଳୟ ଥିଲା । ଏହା ୧୯୪୩ ମସିହାରୁ ପରୀକ୍ଷା ପରିଚାଳକ ବିଶ୍ଵବିଦ୍ୟାଳୟ ଭାବେ କାର୍ଯ୍ୟାରମ୍ଭ କରିଥିଲା ।
- ସେହି ସମୟରେ ରେଭେନ୍ସା ମହାବିଦ୍ୟାଳୟ ଉଚ୍ଚଶିକ୍ଷା ପାଇଁ ଏକମାତ୍ର ଅନୁଷ୍ଠାନ ଥିଲା । ୧୯୪୭ ମସିହାରେ ବାଲେଶ୍ୱର, ପୁରୀ ଓ ସମ୍ବଲପୁରର କନିଷ୍ଠ ମହାବିଦ୍ୟାଳୟରେ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କରାଗଲା ।
- ୧୯୪୭ ମସିହାରେ କୋରାପୁଟଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା ଓ ପାରଳାଖେମୁଣ୍ଡି ମହାବିଦ୍ୟାଳୟକୁ ସରକାର ହାତକୁ ନେଲେ ।
- ୧୯୫୦ ମସିହା ବେଳକୁ ଓଡ଼ିଶାର ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା ଥିଲା ୧୪ ଏବଂ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଥିଲା ୫୬୮୯ ।
- ୧୯୬୭ ମସିହାରେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଲା ।
- ୧୯୮୧ ମସିହାରେ ପୁରୀଠାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଏବଂ ୧୯୯୯ ମସିହାରେ ଉତ୍ତର ବାଲେଶ୍ୱରରେ ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ବାରିପଦାରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲା ।
- ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟ ଏକକ ବିଶ୍ବବିଦ୍ୟାଳୟରେ ପରିଣତ ହେଲା ଓ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
- ଶିକ୍ଷକ ପ୍ରଶିକ୍ଷଣ ପାଇଁ କଟକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରବର୍ତ୍ତୀକାଳରେ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ନାମରେ ନାମିତ ହେଲା । ଅନୁଗୁଳ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ପ୍ରଶିକ୍ଷଣ ମହାବିଦ୍ୟାଳୟମାନ ଖୋଲାଗଲା । ପରବର୍ତ୍ତୀ କାଳରେ ସମସ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲାଗଲା
- ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟର ବର୍ତ୍ତମାନ ନାମ ହେଉଛି– ‘ରାଧାନାଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ମିଭାନ୍ସଡ୍ ଷ୍ଟଡ଼ିଜ୍ ଇନ୍ ଏଡୁକେସନ୍ (R.N.I.A.S.E.) ।
→ ବୈଷୟିକ ଶିକ୍ଷା:
- ୧୯୫୦ ମସିହାବେଳକୁ କଟକରେ ଗୋଟିଏ ଯାନ୍ତ୍ରିକ ବିଦ୍ୟାଳୟ, କେତୋଟି ଶିଳ୍ପ ତାଲିମ କେନ୍ଦ୍ର ଓ ରେଭେନ୍ସା ମହାବିଦ୍ୟାଳୟରେ ବେତାର ପ୍ରଶିକ୍ଷଣ ପାଠ୍ୟକ୍ରମ ବ୍ୟବସ୍ଥା ଥିଲା ।
- ୧୯୫୬ ମସିହାରେ ବୁର୍ଲାରେ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ୧୯୬୧ ମସିହାରେ ରାଉରକେଲାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ କରାଯାଇଥିଲା ।
- ଭୁବନେଶ୍ବରରେ କଲେଜ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ନାମକ ଯାନ୍ତ୍ରିକ ବୈଷୟିକ ମହାବିଦ୍ୟାଳୟ, ସରାଙ୍ଗରେ ଏକ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା । ଏହାଛଡ଼ା ଅନେକ ଘରୋଇ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।
- ୨୦୦୨ ମସିହାରେ ସମସ୍ତ ଯାନ୍ତ୍ରିକ ମହାବିଦ୍ୟାଳୟର ପରିଚାଳନା ପାଇଁ ରାଉରକେଲାଠାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
→ କୃଷି, ପଶୁପାଳନ, ମତ୍ସ୍ୟଚାଷ ସମ୍ପର୍କିତ ଶିକ୍ଷା ଓ ଗବେଷଣା:
- ୧୯୫୪ ମସିହାରେ ଏକ କୃଷି ମହାବିଦ୍ୟାଳୟ ଭୁବନେଶ୍ବରରେ ପ୍ରତିଷ୍ଠା କରାଯାଇଥିଲା । ଏହାକୁ ସଂପ୍ରସାରିତ କରି ୧୯୬୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ।
- ପରବର୍ତୀ ସମୟରେ କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ ମତ୍ସ୍ୟ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ଓ ଚିପିଲିମାଠାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
→ ଚିକିତ୍ସା ବିଜ୍ଞାନ ଶିକ୍ଷା:
- ୧୯୪୯-୫୦ ଶିକ୍ଷାବର୍ଷରେ କଟକ ମେଡ଼ିକାଲକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ନାମରେ ନାମିତ କରାଗଲା ।
- ୧୯୫୯ ମସିହାରେ ସମ୍ବଲପୁରର ବୁର୍ଲାଠାରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ବ୍ରହ୍ମପୁରଠାରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇଥିଲା ।
- ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭୁବନେଶ୍ଵରଠାରେ ହାଇଟେକ୍ ମେଡ଼ିକାଲ୍ କଲେଜ, କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଓ ହସ୍ପିଟାଲ୍ ଏବଂ ସମ୍ ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜ ନାମକ ତିନୋଟି ଘରୋଇ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଛି ।
- ୨୦୧୨ରୁ ଭୁବନେଶ୍ଵର ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଛି ।
→ ଅନ୍ୟାନ୍ୟ ଶିକ୍ଷା:
- ସଂସ୍କୃତି ଶିକ୍ଷାର ବିକାଶ ପାଇଁ ଓଡ଼ିଶା ସରକାର ଭୁବନେଶ୍ଵରରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କଲେ ।
- ବ୍ୟାବସାୟିକ ପରିଚାଳନା ଶିକ୍ଷା ପାଇଁ ଭୁବନେଶ୍ଵରରେ ଜାଭିଅର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ଭାରତୀୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ଏବଂ ବିଜ୍ଞାନ ଶିକ୍ଷା ଓ ଗବେଷଣା ପାଇଁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି ।
- ଏତଦ୍ବ୍ୟତୀତ ଭୁବନେଶ୍ଵରରେ ଭାରତୀୟ ବୈଷୟିକ ପ୍ରତିଷ୍ଠାନ, କଟକଠାରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଢେଙ୍କାନାଳରେ ଭାରତୀୟ ଗଣଯୋଗାଯୋଗ ଆଦି କେନ୍ଦ୍ରୀୟ ଅନୁଷ୍ଠାନମାନ ଗଢ଼ିଉଠିଛି ।
- ଖଣିଜ ଓ ଧାତବ ପଦାର୍ଥ ଗବେଷଣା ପାଇଁ ଭୁବନେଶ୍ବରରେ ଆଞ୍ଚଳିକ ଗବେଷଣା ପରୀକ୍ଷାଗାର, ଶିକ୍ଷା, ଗବେଷଣା ପାଇଁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଆୟୁର୍ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଅଛି ।
- ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ ଜୈବ ବିଜ୍ଞାନ ପ୍ରତିଷ୍ଠାନ ବିଜ୍ଞାନ ଶିକ୍ଷା ପ୍ରସାରରେ ସହାୟକ ହୋଇଛି ଏବଂ ଏକ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ମଧ୍ଯ କାର୍ଯ୍ୟ କରୁଅଛି ।
- ଓଲଟପୁରଠାରେ ଜାତୀୟ ପ୍ରନଃ ଥାଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଅଛି ।
ଐତିହାସିକ ଘଟଣାବଳୀ ଓ ସମୟ
୧୯୪୩ ଖ୍ରୀ.ଅ. – ଏକ ସହବନ୍ଧନ ଓ ପରୀକ୍ଷା ପରିଚାଳକ ବିଶ୍ୱବିଦ୍ୟାଳୟ ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟାରମ୍ଭ ।
୧୯୪୭-୪୮ ଖ୍ରୀ.ଅ. – ରାଜ୍ୟ ସରକାରଙ୍କଦ୍ବାରା ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ଶୁଭାରମ୍ଭ ।
୧୯୪୭ ଖ୍ରୀ.ଅ. – କୋରାପୁଟଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା ।
୧୯୫୦ ଖ୍ରୀ.ଅ. – ରାଜ୍ୟ ସରକାରଙ୍କଦ୍ଵାରା ୬୦ଟି ମୌଳିକ ଶିକ୍ଷା ବିଦ୍ୟାଳୟ ଓ ୨ଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା ।
୧୯୫୩ ଖ୍ରୀ.ଅ – ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଗଠିତ ।
୧୯୫୪ ଖ୍ରୀ.ଅ. – ଭୁବନେଶ୍ଵରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ।
୧୯୫୬ ଖ୍ରୀ.ଅ. – ବୁର୍ଲାରେ ଏକ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ।
୧୯୫୯ ଖ୍ରୀ.ଅ. – ସମ୍ବଲପୁରର ବୁର୍ଲାଠାରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଆରମ୍ଭ ।
୧୯୬୧ ଖ୍ରୀ.ଅ. – ରାଉରକେଲାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରାମ୍ଭ ।
୧୯୬୨ ଖ୍ରୀ.ଅ. – ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ।
୧୯୬୭ ଖ୍ରୀ.ଅ. – ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ।
୧୯୭୭ ଖ୍ରୀ.ଅ. – କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ।
୧୯୮୧ ଖ୍ରୀ.ଅ. – ପୁରୀଠାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା |
୧୯୯୫ ଖ୍ରୀ.ଅ. – ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କାର୍ଯ୍ୟକାରୀ ।
୧୯୯୬ ଖ୍ରୀ.ଅ. – ଓଡ଼ିଶାର ଡି.ପି.ଇ.ପି. ଯୋଜନା କାର୍ଯ୍ୟକାରୀ ।
୧୯୯୯ ଖ୍ରୀ.ଅ. – ବାଲେଶ୍ଵରଠାରେ ଫକୀରମୋହନ ବିଶ୍ଵବିଦ୍ୟାଳୟ ଓ ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ।