Odisha State Board BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ will enable students to study smartly.
BSE Odisha Class 10 History Notes Chapter 20 ଭିଭିଭୂମିର ବିକାଶ
→ ଓଡ଼ିଶାରେ ଭିତ୍ତିଭୂମିର ବିକାଶ:
- ଭିତ୍ତିଭୂମି ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ । ଏହି ମୂଳଦୁଆ ଦୃଢ଼ ହେଲେ ଗୋଟିଏ ଦେଶର ଆର୍ଥନୀତିକ ବିକାଶ ସମ୍ଭବ ହୋଇଥାଏ ।
- ୧୯୩୬ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପରାଧୀନ ଭାରତର ଏକ ପ୍ରଦେଶ ରୂପେ ରହିଥିବା ଓଡ଼ିଶାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ।
- ପୁନଶ୍ଚ ୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ୨ୟ ବିଶ୍ଵଯୁଦ୍ଧ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଯୋଗୁଁ ଭିତ୍ତିଭୂମିର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରି ନଥିଲା ।
- ୧୯୪୬ ମସିହା ପରଠାରୁ ଓଡ଼ିଶାରେ ଭିଭିଭୂମିର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା ।
- କେତେକ ନିର୍ଦ୍ଦିଷ୍ଟ ଆଧାର; ଯଥା – ଜଳସେଚନ, ରାସ୍ତାଘାଟର ଉନ୍ନତୀକରଣ ଓ ଗମନାଗମନର ସୁବିଧା, ରେଳପଥର ବିକାଶ, ବିମାନଘାଟୀ ଓ ପୋତାଶ୍ରୟର ବ୍ୟବସ୍ଥା, ଯୋଗାଯୋଗ, ମାନବ ସମ୍ବଳର ବିକାଶ, ଶକ୍ତିକ୍ଷେତ୍ରରେ ବିକାଶ, ଅର୍ଥ ଯୋଗାଣ ବ୍ୟବସ୍ଥା, ପର୍ଯ୍ୟଟନ ପାଇଁ ଆତିଥ୍ୟ ଯୋଗାଣ ବ୍ୟବସ୍ଥା, ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ, ସରକାରୀ ପ୍ରୋତ୍ସାହନ ଇତ୍ୟାଦିକୁ ନେଇ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇଥାଏ ।
- ଭିତ୍ତିଭୂମିର ବିକାଶ ହେଲେ କୃଷି, ଶିଳ୍ପ, ପର୍ଯ୍ୟଟନ, ସାମାଜିକ ସଂହତି ତଥା ସବୁ ଜିଲ୍ଲାର ସମତୁଲ ବିକାଶ ସମ୍ଭବ ହୁଏ ।
→ କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ:
- କୃଷିର ଉନ୍ନତି ଓଡ଼ିଶାର ଆର୍ଥନୀତିକ ପ୍ରଗତିର ଚାବିକାଠି ।
- କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କିତ ବିଭାଗଗୁଡ଼ିକ ହେଲା – ଜଳସେଚନ, କୃଷି ବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ, ଉନ୍ନତ ସାର ଓ ବିହନ ଯୋଗାଣ, ରୋଗ ପୋକ ନିୟନ୍ତ୍ରଣ ଓ କୃଷକମାନଙ୍କୁ ଦରକାର ସମୟରେ ସହାୟତା ପ୍ରଦାନ ।
- ସ୍ଵାଧୀନତା ପରେ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ଓ ଆନିକଟ କରାଯାଇ କେନାଲ ଯୋଗେ ଜଳସେଚନ କରାଯାଇଛି ।
- ଓଡ଼ିଶାରେ ୬୫ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ୱାରା ଜଳସେଚିତ ହେଉଛି । ପୁରୀ କେନାଲ ଏ ଅଞ୍ଚଳର ମୁଖ୍ୟ କେନାଲ ।
- ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲଦ୍ଵାରା; ହୀରାକୁଦ ନଦୀବନ୍ଧ ଯୋଜନାଦ୍ଵାରା ଅବିଭକ୍ତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଅନେକ ଅଞ୍ଚଳ ଏବଂ ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ଼ ନଦୀବନ୍ଧ, ଅପର କୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପଦ୍ବାରା ଅନେକ ଅଞ୍ଚଳରେ ଜଳସେଚନର ସୁବିଧା ହୋଇପାରିଛି ।
- କୃଷି ସମ୍ପର୍କୀୟ ଗବେଷଣା ପାଇଁ ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି ।
- କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।
- ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଚିପିଲିମାଠାରେ ପ୍ରତିଷ୍ଠିତ କୃଷି ମହାବିଦ୍ୟାଳୟ କୃଷି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି ।
- ପଞ୍ଚାୟତମାନଙ୍କରେ ନିଯୁକ୍ତ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି ଏବଂ ସମବାୟ ସଂସ୍ଥା ଓ ବ୍ୟାଙ୍କମାନଙ୍କ ଜରିଆରେ କୃଷକମାନଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି ।
→ ଶିଳ୍ପ ପାଇଁ ଭିତ୍ତିଭୂମିର ବିକାଶ:
- ରାଜ୍ୟକୁ ଶିକ୍ରୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାକୁ ହେଲେ ପରିବହନର ସୁବିଧା, ଆବଶ୍ୟକୀୟ ଜମି ଓ ଜଳ, ଉନ୍ନତ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥା, ପ୍ରଶିକ୍ଷିତ ମାନବ ଶକ୍ତିର ବିକାଶ ଆବଶ୍ୟକ ।
- ଓଡ଼ିଶାରେ ଶିଳ୍ପ ଉପଯୋଗୀ ଅନେକ ଜମି ଓ ସୁଦୀର୍ଘ ସମୁଦ୍ରତଟ ରହିଛି । ମାତ୍ର ଶିଳ୍ପ ପାଇଁ ଜମି ଅଧଗ୍ରହଣ ପାଇଁ ବିସ୍ଥାପିତ ସମସ୍ୟା ଦେଖାଯାଉଛି ।
- ସରକାର ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସହମତିରେ ଜମି ଅଧଗ୍ରହଣ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ।
→ ରାସ୍ତାଘାଟ ଓ ପରିବହନ ବ୍ୟବସ୍ଥା:
- କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ଐକ୍ୟ ପାଇଁ ଉନ୍ନତ ଗମନାଗମନ ଓ ପରିବହନ ବ୍ୟବସ୍ଥା ନିହାତି ଆବଶ୍ୟକ ।
- ବର୍ତ୍ତମାନ ଓଡ଼ିଶାରେ ରାଜପଥର ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୫ରେ ପହିଞ୍ଚିଛି ଏବଂ ଏହି ରାଜପଥଗୁଡ଼ିକର ଦୈର୍ଘ୍ୟ ୩,୬୫୫ କି.ମି. ।
- ପ୍ରାଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଗାଁଗହଳରେ ଅନେକ ପକ୍କା ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବିଧା ହୋଇପାରିଛି ।
→ ରେଳପଥ:
- ଭାରତରେ ରେଳପଥ ୧୮୫୩ ମସିହାରେ ଆରମ୍ଭ ହୋଇଥିଲା ।
- ଓଡ଼ିଶାରେ ପ୍ରଥମେ ୧୮୯୭ ମସିହାରେ ରେଳଗାଡ଼ି ଚାଲିଥିଲା । ସେତେବେଳେ ଓଡ଼ିଶାରେ ୩୫୮ କି.ମି. ରେଳପଥ ଥିଲା; ଯାହା ସ୍ଵାଧୀନତା ପ୍ରାପ୍ତିବେଳକୁ ୯୧୪ କି.ମି.ରେ ପହଞ୍ଚିଲା ।
- ବର୍ତ୍ତମାନ ଭାରତରେ ୧୬ଟି ରେଳବାଇ ଜୋନ୍ ଅଛି । ଏଥୁମଧ୍ୟରୁ ଇଷ୍ଟକୋଷ୍ଟ ରେଳବାଇ ଜୋନ୍ ଗୋଟିଏ ଏହା ଅଧୀନରେ ସମ୍ବଲପୁର, ଖୋଦ୍ଧୀରୋଡ଼ ଓ ୱାଲଟିଅର ଡିଭିଜନ କାର୍ଯ୍ୟ କରୁଛି ।
- ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ପୂର୍ବତଟ ରେଳପଥର ଶୁଭ ଦେଇଥିଲେ । ୨୦୦୩ ଏପ୍ରିଲ୍ରେ ଭୁବନେଶ୍ଵରରେ ମୁଖ୍ୟ
କାର୍ଯ୍ୟାଳୟ ସହିତ ଏହା କାର୍ଯ୍ୟକାରୀ ହେଲା । - ଓଡ଼ିଶାର ଦୈତାରୀ ବଂଶପାଣି ରେଳରାସ୍ତା ପ୍ରକଳ୍ପର କାର୍ଯ୍ୟ ସରିଛି ଏବଂ ଲାଞ୍ଜିଗଡ଼ ରେଳପଥର ନିର୍ମାଣ କାର୍ଯ୍ୟ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି । ଏହାଛଡ଼ା ହରିଦାସପୁର-ପାରାଦୀପ, ଅନୁଗୁଳ-ଡୁବୁରି, ତାଳଚେର-ବିମଳାଗଡ଼ ଆଦି ରେଳପଥ ନିର୍ମାଣାଧୀନ ରହିଛି ।
→ ବିମାନ ବନ୍ଦର ଓ ପୋତାଶ୍ରୟ :
- ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆମଦାନୀ ଓ ରପ୍ତାନିର ସୁବିଧା ପାଇଁ ‘କଷ୍ଟମ୍ସ ବିମାନ ବନ୍ଦର’ ଭାବେ ଘୋଷଣା କରାଯାଇଛି । ଏଠାରେ ଭାରତର ସବୁ ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍ଧ ହେଉଛି ।
- ୧୯୯୫ ମସିହା ଅଗଷ୍ଟ ମାସରୁ ଏଠାରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଛି ।
- ଭୁବନେଶ୍ବର ବିମାନ ବନ୍ଦର ବ୍ୟତୀତ ଓଡ଼ିଶାରେ ୧୩ଟି ବିମାନ ଅବତରଣ କେନ୍ଦ୍ର ଓ ୧୬ଟି ହେଲିପ୍ୟାଡ଼ ଅଛି ।
- ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇ ଏଠାରୁ ବିଦେଶକୁ ଲୁହାପଥର ରପ୍ତାନି କରାଯାଉଛି । ୧୯୭୦-୭୨ ମସିହାରେ ଏହି ବନ୍ଦର ୧୯ ଲକ୍ଷ ଟନ୍ ପଣ୍ୟ କାରବାର କରିଥିଲା ।
- ଏହି ବନ୍ଦରକୁ ଭିଭିକରି ପରାଦ୍ଵୀପ ଫସ୍ଫେଟ୍ସ କାରଖାନା ଗଢ଼ିଉଠିଛି ଓ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଛି।
- ୧୯୭୫ ମସିହାରେ ପାରାଦ୍ୱୀପକୁ ରେଳପଥ ସହିତ ସଂଯୁକ୍ତ କରାଯାଇଥିଲା। ୧୯୮୭ ମସିହାଠାରୁ ଗୋପାଳପୁରଠାରେ ଏକ ମଧ୍ୟମ ଶ୍ରେଣୀର ବନ୍ଦର କାର୍ଯ୍ୟ କରୁଅଛି ।
- ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦର ନିର୍ମାଣ କରାଯାଇଛି।
→ ବିଦ୍ୟୁତ୍ ଶକ୍ତି :
- ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାର ଚୌଦ୍ଵାର ଓ ବ୍ରହ୍ମପୁରଠାରେ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିଲା । ବର୍ତ୍ତମାନ ଇବ୍ ଓ ତାଳଚେରଠାରେ ତାପଜ ବିଦ୍ୟୁତ୍ କେନ୍ଦ୍ର କାର୍ଯ୍ୟ କରୁଛି ।
- ୧୯୪୮ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଓଡ଼ିଶାରେ ୬ଟି ଜଳବିଦ୍ୟୁତ୍ ପ୍ରକଳ୍ପ ରହିଛି; ଯଥା – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ, ରେଙ୍ଗାଲି ଜଳବିଦ୍ୟୁତ୍ ପ୍ରକଳ୍ପ, ଅପରକୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ, ଅପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ।
- ବର୍ତ୍ତମାନ ତାପଜ ବିଦ୍ୟୁତ୍ ଓ ଜଳ ବିଦ୍ୟୁତକୁ ମିଶାଇ ଓଡ଼ିଶାର ନିଜସ୍ଵ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ ୨୮୫୬ ମେଗାଓ୍ବାଟ୍ ।
- ବିଦ୍ୟୁତ୍ ଶକ୍ତିର ସୁଷମ ବଣ୍ଟନ ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ପରିଷଦର କାର୍ଯ୍ୟ ଦୁଇଗୋଟି ନିଗମକୁ ଦିଆଯାଇଛି; ଯଥା – (୧) ଓଡ଼ିଶା ଗ୍ରୀଡ୍ ନିଗମ ଓ (୨) ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମ ।
- ଗ୍ରୀକୁ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ୱ, ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମକୁ ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ଵ ଓ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମକୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ଦାୟିତ୍ଵ ଦିଆଯାଇଛି ।
- ବିଦ୍ୟୁତ୍ ବିତରଣ ପାଇଁ ୱେସ୍କୋ, ନେସ୍କୋ, ସାଉଥ୍ ଓ ସେସ୍କୋ (ସେସୁ) ନାମକ ଚାରିଗୋଟି ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି ।
- ଗ୍ରାମାଞ୍ଚଳକୁ ବିଦ୍ୟୁତ୍ଶକ୍ତି ଯୋଗାଇ ଦେବାରେ ୨୦୦୬ ମସିହାରୁ ‘ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା ଓ ‘କୁଟୀର ଜ୍ୟୋତି ଯୋଜନା’’ ଓ ୨୦୦୭ ମସିହାରୁ ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ।
→ ମାନବ ସମ୍ବଳର ବିକାଶ:
- କୌଣସି ଦେଶର ସାମୂହିକ ଉନ୍ନତି ପାଇଁ ଏକ ସୁସ୍ଥ ମାନବ ସମ୍ବଳର ଏକାନ୍ତ ଆବଶ୍ୟକତା ରହିଛି । ପ୍ରଶିକ୍ଷିତ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
- ଓଡ଼ିଶାରେ ବୈଷୟିକ ଶିକ୍ଷା ପାଇଁ ଶିଳ୍ପ ତାଲିମକେନ୍ଦ୍ର, ଯାନ୍ତ୍ରିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ; ସୂଚନା ପ୍ରଯୁକ୍ତି ବିଦ୍ୟା, କମ୍ପ୍ୟୁଟର ବିଜ୍ଞାନ, ଜୀବ ବୈଷୟିକ ବିଦ୍ୟା ଶିକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ; କଳା, ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମ ସମ୍ପର୍କିତ ଅନେକ କଲେଜ; ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷଣ ମହାବିଦ୍ୟାଳୟ; ପର୍ଯ୍ୟଟନ ଓ ହୋଟେଲ ପରିଚାଳନା ଶିକ୍ଷା ନିମିତ୍ତ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି ।
→ ଭିତ୍ତିଭୂମିର ବିକାଶ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା :
- ଚଳଚ୍ଚିତ୍ର ପାଇଁ ଓଡ଼ିଶାରେ କଳିଙ୍ଗ ଷ୍ଟୁଡ଼ିଓ ଭଳି ଅନୁଷ୍ଠାନ କାର୍ଯ୍ୟ କରୁଅଛି ।
- ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ହୋଟେଲ ଓ ଅତିଥ୍ ଗୃହ, ପାନ୍ଥନିବାସ ଓ ପାନ୍ଥନିକାମାନ ଖୋଲାଯାଇଛି ।
- ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଭୁବନେଶ୍ଵର, ପୁରୀ, କୋଣାର୍କକୁ ନେଇ ଏକ ‘ସୁବର୍ଣ୍ଣ ତ୍ରିଭୁଜ’ର ପରିକଳ୍ପନା କରାଯାଇଛି ।
- ଚିଲିକା, ଭିତରକନିକାରେ ଜଳଯାତ୍ରା ପାଇଁ ସରକାରୀ ବୋଟ୍ ଯୋଗାଇ ଦିଆଯାଇଛି ।
- ଓଡ଼ିଶାରେ ଭିତ୍ତିଭୂମିର ବିକାଶ ସହିତ ଓଡ଼ିଆମାନଙ୍କ ସାମାଜିକ ପ୍ରତିବଦ୍ଧତା ଓ ସଂହତି ଦୃଢ଼ ହେଉଛି । ଏହାର ବିକାଶ ପାଇଁ ଅନେକ ସଂସ୍ଥା କାର୍ଯ୍ୟରତ; ଯଥା – ଓଡ଼ିଶା ଶିଳ୍ପ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ବୈଦ୍ୟୁତିକ ସାମଗ୍ରୀ ଉନ୍ନୟନ ନିଗମ, ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ, ଓଡ଼ିଶା କୃଷି ଓ ଅର୍ଥ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ, ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଇନ୍ଫୋସିଟି ।
ଐତିହାସିକ ଘଟଣାବଳୀ ଓ ସମୟ
୧୮୫୩ ଖ୍ରୀ.ଅ. – ଭାରତରେ ରେଳପଥ ଆରମ୍ଭ ।
୧୮୯୭ ଖ୍ରୀ.ଅ. – ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚଳାଚଳ ।
୧୯୩୬ ଖ୍ରୀ.ଅ. – ଏକ ସ୍ବତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ପ୍ରଦେଶର ଆତ୍ମପ୍ରକାଶ ।
୧୯୪୨ ଖ୍ରୀ.ଅ. – ‘ଭାରତ ଛାଡ଼’ ଆନ୍ଦୋଳନ ସଂଘଟିତ ।
୧୯୪୬ ଖ୍ରୀ.ଅ. – ଓଡ଼ିଶାରେ ଭିତ୍ତିଭୂମିର ବିକାଶ ନିମନ୍ତେ କାର୍ଯ୍ୟାରମ୍ଭ ।
୧୯୪୮ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟକ୍ଷମ ।
୧୯୫୭ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ।
୧୯୭୫ ଖ୍ରୀ.ଅ. – ପାରାଦ୍ଵୀପକୁ ରେଳପଥ ସହିତ ସଂଯୁକ୍ତକରଣ ।
୧୯୮୭ ଖ୍ରୀ.ଅ. – ଏକ ମଧ୍ୟମ ଶ୍ରେଣୀ ବନ୍ଦର ଭାବେ ଗୋପାଳପୁର ବନ୍ଦରର କାର୍ଯ୍ୟାରମ୍ଭ ।
୧୯୯୫ ଖ୍ରୀ.ଅ. – (ଅଗଷ୍ଟ) ଭୁବନେଶ୍ଵର ବିମାନ ବନ୍ଦରରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସର କାର୍ଯ୍ୟାରମ୍ଭ ।
୧୯୯୬ ଖ୍ରୀ.ଅ. – (ଏପ୍ରିଲ୍ ୧) ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କାର୍ଯ୍ୟକାରୀ ।
୧୯୯୬ ଖ୍ରୀ.ଅ. – (ଅଗଷ୍ଟ ୮) ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କଦ୍ଵାରା ପୂର୍ବତଟ ରେଳପଥର ଶୁଭ ଉଦ୍ଘାଟନ ।
୨୦୦୩ ଖ୍ରୀ.ଅ. – (ଏପ୍ରିଲ୍) ଭୁବନେଶ୍ଵରରେ ମୁଖ୍ୟ କାର୍ଯ୍ୟାଳୟ ସହିତ ପୂର୍ବତଟ ରେଳପଥ କାର୍ଯ୍ୟକ୍ଷମ ।
୨୦୦୬ ଖ୍ରୀ.ଅ. – ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା କାର୍ଯ୍ୟକାରୀ ।
୨୦୦୭ ଖ୍ରୀ.ଅ. – ବିଜୁ ଗ୍ରାମଜ୍ୟୋତି ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ।