Odisha State Board BSE Odisha 9th Class Political Science Solutions Chapter 7 ଜାତୀୟ ସଂହତି Textbook Exercise Questions and Answers.
BSE Odisha Class 9 Political Science Solutions Chapter 7 ଜାତୀୟ ସଂହତି
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଭାରତରେ ଜାତୀୟ ସଂହତି ଗଠନ ପଥରେ କି ପ୍ରତିବନ୍ଧକ ରହିଛି, ତାହା ଆଲୋଚନା କର ।
Answer:
ଭାରତରେ ଜାତୀୟ ସଂହତି ଗଠନ ପଥରେ ନିମ୍ନ ପ୍ରତିବନ୍ଧକଗୁଡ଼ିକ ରହିଛି ।
- ବହିଃଶତ୍ରୁ ଆକ୍ରମଣ ବା ଆକ୍ରମଣର ଆଶଙ୍କା – ଭାରତର କେତୋଟି ପଡ଼ୋଶୀ ରାଷ୍ଟ୍ରର ଭାରତ ସହିତ ତିକ୍ତ ସମ୍ପର୍କ ରହିଛି । ଫଳରେ ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟିହେବା ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହେଉନାହିଁ । ସୀମାରେଖା ନିର୍ଦ୍ଧାରଣ କାରଣରୁ ଭାରତ ସହିତ ଚୀନ୍ ଓ ପାକିସ୍ତାନର ସମ୍ପର୍କରେ ତିକ୍ତତା ରହିଛି ।
- ଆନ୍ତର୍ଜାତିକ ସନ୍ତ୍ରାସବାଦ – ଭାରତରେ ଆନ୍ତର୍ଜାତିକ ସନ୍ତ୍ରାସବାଦର ଭୟଙ୍କରତା ଦେଶର ନିରାପତ୍ତା ଓ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି । ଆତଙ୍କବାଦୀମାନଙ୍କର ସୀମାପାର ଅନୁପ୍ରବେଶ ଫଳରେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ବିପଦସଙ୍କୁଳ ହୋଇପଡୁଛି ।
- ସାମ୍ପ୍ରଦାୟିକତା – ସାମ୍ପ୍ରଦାୟିକତା ଭାରତର ଜାତୀୟ ସଂହତି ପ୍ରତି ଏକ ଆଭ୍ୟନ୍ତରୀଣ ବିପଦ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହା ସାମୟିକ ସାମ୍ପ୍ରଦାୟିକ ବିଶେଷରୁ ମୁକ୍ତ ନୁହେଁ । ଧର୍ମର ଦ୍ବାହି ଦେଇ ବେଳେବେଳେ ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ଏକ ସମ୍ପ୍ରଦାୟ ବିରୋଧରେ ଉଦ୍ଦେଶ୍ୟମୂଳକ ତଥା ଅନ୍ୟାୟ ଭାବରେ ବ୍ୟବହାର କରାଯାଏ ବା ରାଷ୍ଟ୍ର ବିରୋଧରେ ବିନିଯୋଗ କରାଯାଏ । ଏହା ଜାତୀୟ ସଂହତି ଓ ଜାତୀୟ ଏକତାକୁ କ୍ଷୁଣ୍ଣ କରେ ।
- ଆଞ୍ଚଳିକ ବୈଷମ୍ୟ – ଆଞ୍ଚଳିକ ସ୍ବାର୍ଥ ପ୍ରତି ଅଧିକ ପ୍ରାଧାନ୍ୟ ପ୍ରଦାନ ଓ ଆଞ୍ଚଳିକ ବୈଷମ୍ୟ ଜନସାଧାରଣଙ୍କ ମନକୁ ଅଶାନ୍ତ କରି ଆଞ୍ଚଳିକତାବାଦକୁ ପ୍ରଶ୍ରୟ ଦିଏ, ଯାହା ଫଳରେ ବିଚ୍ଛିନ୍ନତାବାଦ ଜନ୍ମ ନିଏ ଏବଂ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରେ ।
- ଜାତିଗତ ଭେଦଭାବ – ଜାତିଗତ ଉଚ୍ଚ-ନୀଚ ଭେଦଭାବ ଆମ ଦେଶର ସାମାଜିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି । ଫଳରେ ସମାଜରେ ଅସ୍ଥିରତା ବୃଦ୍ଧି ପାଇବା ସହିତ ଜାତୀୟ ସଂହତି ବାଧାପ୍ରାପ୍ତ ହେଉଛି ।
(ଖ) ଭାରତରେ ଜାତୀୟ ସଂହତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକ ସଂକ୍ଷେପରେ ଲେଖ ।
Answer:
- ସ୍ଥିର, ସ୍ଵଚ୍ଛ ଓ ସୁଦୃଢ଼ ଶାସନ ବ୍ୟବସ୍ଥା ରହିଲେ ଦେଶର ଏକତା ସୁଦୃଢ଼ ହୋଇଥାଏ । ସ୍ଥିର ସରକାର ହିଁ ପ୍ରଗତିସୂଚକ ଓ ସଂସ୍କାରମୂଳକ ପଦକ୍ଷେପ ନେଇଥାଏ ।
- ଆର୍ଥିକ ସ୍ୱଚ୍ଛତା ଓ ସୁସ୍ଥତା ଏବଂ ଅର୍ଥନୈତିକ ବିକାଶ ଦେଶକୁ ଅଧିକ ସବଳ, ଉନ୍ନତ ଓ ବିକଶିତ କରି ଦାରିଦ୍ର୍ୟ ଲୋପ କରାଏ ଓ ଜାତୀୟ ସଂହତିକୁ ସୁରକ୍ଷିତ ରଖେ ।
- ସମ୍ପ୍ରଦାୟମାନଙ୍କ ମଧ୍ୟରେ ‘ସହଯୋଗ’ ଓ ସହନଶୀଳତା ମନୋଭାବ ବୃଦ୍ଧି ପାଇଲେ ଧର୍ମଗତ ସଂକୀର୍ଣ୍ଣତା ଓ ଦ୍ବେଷ ଦୂର ହୋଇପାରିବ ।
- ଗଣତାନ୍ତ୍ରିକ ମୂଲ୍ୟବୋଧଦ୍ଵାରା ସମାନତା, ସାମାଜିକ ନ୍ୟାୟ ଓ ସ୍ବାଧୀନ ମନୋଭାବର ପ୍ରସାର ଘଟି ଜାତୀୟ ଐକ୍ୟ ବା ସଂହତି ଅଧିକ ବିକଶିତ ହେବ ।
- ଉନ୍ନତ ଶିକ୍ଷା ବ୍ୟବସ୍ଥାରେ ପ୍ରୟୋଗାତ୍ମକ ଜ୍ଞାନର ବିକାଶ, ନୈତିକ କର୍ତ୍ତବ୍ୟବୋଧ ସୃଷ୍ଟି, ଦେଶାତ୍ମବୋଧ ଜାଗ୍ରତକାରୀ ପାଠ୍ୟକ୍ରମର ପ୍ରଚଳନ ଓ ବୃତ୍ତିଭିତ୍ତିକ ଶିକ୍ଷାଦାନଦ୍ୱାରା ଦେଶର ପ୍ରଗତି ଓ ସଂହତିର ବିକାଶ ହେବ ।
- ନିର୍ବାଚନ ବ୍ୟବସ୍ଥା ଅବାଧ, ମୁକ୍ତ ଓ ନିରପେକ୍ଷ ହେଲେ ଜାତୀୟ ସଂହତି ଉନ୍ନତ ହେବ ।
- ଦେଶରେ ସୁସ୍ଥ ରାଜନୈତିକ ପରମ୍ପରା ଅନୁସୃତ ହେଲେ ସରକାରରେ ସ୍ଥିରତା ଆସେ ଓ ସୁଦୃଢ଼ ଜନମତ ସୃଷ୍ଟି ହୋଇ ଜାତୀୟ ସଂହତିର ବିକାଶ ଘଟେ ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଆଞ୍ଚଳିକତା କାହିଁକି ଜାତୀୟ ସଂହତିର ଏକ ପ୍ରତିବନ୍ଧକ ? ତାହା ବୁଝାଇ ଲେଖ ।
Answer:
- ଆଞ୍ଚଳିକ ସ୍ଵାର୍ଥ ପ୍ରତି ଅଧିକ ଗୁରୁତ୍ଵ ପ୍ରଦାନ କଲେ ତାହା ଜନସାଧାରଣଙ୍କ ମନକୁ ଅଶାନ୍ତ କରିବା ସହିତ ଆଞ୍ଚଳିକବାଦକୁ ପ୍ରଶ୍ରୟ ଦେଇଥାଏ ଓ ବିଚ୍ଛିନ୍ନତାବାଦକୁ ଜନ୍ମଦିଏ ।
- ସମୟେ ସମୟେ କେତେକ ରାଜ୍ୟର ଲୋକମାନେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି କରି ଆନ୍ଦୋଳନ ଆରମ୍ଭ କରନ୍ତି, ଯାହାକି ଜାତୀୟ ସଂହତିର ବିରୋଧୀ ଅଟେ ।
(ଖ) ସାଂସ୍କୃତିକ ସଂହତିର କିପରି ବିକାଶ ହୋଇପାରିବ ?
Answer:
- ବିଭିନ୍ନ ପ୍ରକାର ଜାତୀୟ ତଥା ଆନ୍ତଃରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜାତୀୟ ସ୍ତରରେ ଆଞ୍ଚଳିକ ସଂସ୍କୃତିକୁ ଉପଯୁକ୍ତ ପରିଚୟ ମିଳିଲେ ସଂସ୍କୃତିଗତ ବିଭେଦ ଲୋପ ପାଇବ ।
- ଏହାଦ୍ବାରା ସାଂସ୍କୃତିକ ସଂହତିର ବିକାଶ ହୋଇପାରିବ ।
(ଗ) ‘ଜାତୀୟ ସଂହତି ପରିଷଦ’ଦ୍ବାରା ନିର୍ଦ୍ଧାରିତ ଜାତୀୟ ସଂହତିର ଉପାଦାନଗୁଡ଼ିକ ସଂକ୍ଷେପରେ ଉଲ୍ଲେଖ କର ।
Answer:
‘ଜାତୀୟ ସଂହତି ପରିଷଦ’ଦ୍ବାରା ନିର୍ଦ୍ଧାରିତ ଜାତୀୟ ସଂହତିର ଉପାଦାନଗୁଡ଼ିକ ହେଉଛି |
(୧) ଏକ-ନାଗରିକତା, (୨) ବିଭିନ୍ନତା ମଧ୍ୟରେ ଏକତା, (୩) ଦେଶାତ୍ମବୋଧ ଭାବ ବା ଦେଶ ପ୍ରତି ଆନୁଗତ୍ୟ ଓ ଜାତୀୟ ପ୍ରତୀକ ପ୍ରତି ପ୍ରଗାଢ଼ ଅନୁରକ୍ତ, (୪) ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବା ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା, (୫) ଧର୍ମନିରପେକ୍ଷତା ଓ ଧର୍ମଗତ ସ୍ଵାଧୀନତା ଅଧିକାର, (୬) ସମାନତା, (୭) ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ, (୮) ଭୌଗୋଳିକ ଅଖଣ୍ଡତା, (୯) ଜାତୀୟ ସଂହତିର ସୃଷ୍ଟି ତଥା ଭାବଗତ ସଂହତି ଏବଂ ଭାଷା ଓ ପରମ୍ପରାର ସ୍ଵତନ୍ତ୍ର ପରିଚୟ, (୧୦) ନୈତିକ ସଂହତି ।
(ଘ) ‘ଜାତୀୟ ସଂହତି ପରିଷଦ’ର ଗଠନ ଓ ମୁଖ୍ୟ ଉଦ୍ଦେଶ୍ୟ ଆଲୋଚନା କର ।
Answer:
- ଭାରତରେ ୧୯୬୧ ମସିହାରେ ‘ଜାତୀୟ ସଂହତି ପରିଷଦ’ ଗଠନ କରାଗଲା । ଏହି ପରିଷଦ ଭାରତର ପ୍ରଧାନମନ୍ତ୍ରୀ, ସ୍ଵରାଷ୍ଟ୍ର ମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ସାତଜଣ ସଭ୍ୟ ଓ ବିଶିଷ୍ଟ ଶିକ୍ଷାବିତ୍ମାନଙ୍କୁ ନେଇ ଗଠିତ ହୋଇଛି ।
- ଅର୍ଥନୈତିକ ଓ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଓ ଦେଶରେ ସଦ୍ଭାବ ପ୍ରତିଷ୍ଠା କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କିଏ କହିଥିଲେ, ‘ଜାତୀୟ ସଂହତି ଆମର ଜାତୀୟ ଲକ୍ଷ୍ୟ’ ?
Answer:
ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘ଜାତୀୟ ସଂହତି ଆମର ଜାତୀୟ ଲକ୍ଷ୍ୟ’ ।
(ଖ) ଜାତୀୟ ସଂହତି ମୁଖ୍ୟତଃ କେତେ ପ୍ରକାରର ?
Answer:
ଜାତୀୟ ସଂହତି ମୁଖ୍ୟତଃ ଛଅ ପ୍ରକାରର ।
(ଗ) କେଉଁ ବର୍ଷ ‘ଜାତୀୟ ସଂହତି ପରିଷଦ’ ଗଠିତ ହୋଇଥିଲା ?
Answer:
୧୯୬୧ ମସିହାରେ ‘ଜାତୀୟ ସଂହତି ପରିଷଦ’ ଗଠିତ ହୋଇଥିଲା ।
(ଘ) କେଉଁମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ ବ୍ୟବସ୍ଥା ରହିଛି ?
Answer:
ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ ବ୍ୟବସ୍ଥା ରହିଛି ।
(ଙ) ଜାତୀୟ ସଂହତିର ମୂଳମନ୍ତ୍ର କ’ଣ ?
Answer:
ଜାତୀୟ ସଂହତିର ମୂଳମନ୍ତ୍ର ହେଉଛି ଦେଶାତ୍ମବୋଧର ପ୍ରେରଣା, ମାତୃଭୂମି ପ୍ରତି ଏକାନ୍ତ ସ୍ନେହ, ପ୍ରେମ ଓ ମାତୃଭୂମିର ନିରାପତ୍ତା ପାଇଁ ପ୍ରତିବଦ୍ଧତା ଏବଂ ଦେଶମାତୃକାର ସେବା ଓ ସଂକଳ୍ପର ପରାକାଷ୍ଠା ।
(ଚ) ` ଆମ ଦେଶର ‘ଧର୍ମନିରପେକ୍ଷତା’ କହିଲେ କ’ଣ ବୁଝାଏ ?
Answer:
ଆମ ଦେଶ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଉପରେ ପ୍ରତିଷ୍ଠିତ ନୁହେଁ ଓ ଦେଶର କୌଣସି ରାଷ୍ଟ୍ରଧର୍ମ ନାହିଁ । ‘ଧର୍ମ ନିରପେକ୍ଷତା’ ଓ ‘ସର୍ବଧର୍ମ-ସମଭାବ’ ନୀତିକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସମ୍ବିଧାନର ପ୍ରାକ୍କଥନରେ ଭାରତକୁ ଏକ ‘ଧର୍ମନିରପେକ୍ଷ ରାଷ୍ଟ୍ର’’ ବୋଲି ସୂଚିତ କରାଯାଇଛି ।