Go through BSE Odisha Class 6 Science Notes Odia Medium and Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି to understand important concepts and topics more clearly.
6th Class Science Chapter 5 Notes Odia Medium
BSE Odisha Class 6 Science Chapter 5 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ଦୀପା ଜଣେ ଏଗାର ବର୍ଷର ଝିଅ । ବିଦ୍ୟାଳୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି । ଦୀପା ଡେଙ୍ଗା ହୋଇଥିବାରୁ ତାକୁ ନୂଆ ୟୁନିଫର୍ମ ଦରକାର । ତା’ ମା’ ତାକୁ ଏକ କପଡ଼ା ଦୋକାନକୁ ନେଲେ । ସେ ଦୁଇ ମିଟର କପଡ଼ା ମାଗିଲେ । ଦୋକାନୀ ଏକ ଧାତବ ମାପଦଣ୍ଡ ବ୍ୟବହାର କରି କପଡ଼ା ମାପ ନେଲେ ।
ତା’ପରେ ଦର୍ଜି ଏକ ନମନୀୟ ମାପ ଫିତା ବ୍ୟବହାର କରି ତା’ ମାପ ନେଲେ । ତା’ ମା’ ଦର୍ଜିଙ୍କୁ ତା’ ୟୁନିଫର୍ମର ଲମ୍ବ ଚାରି ଆଙ୍ଗୁଳି (ଚାରି ଆଙ୍ଗୁଳି ଚଉଡ଼ା) ବଢ଼େଇବାକୁ କହିଲେ ।

ଧାତବ ମାପଦଣ୍ଡ ଓ ମାପଫିତା ବଡ଼ ଭଉଣୀଙ୍କ ଜ୍ୟାମିତି ବାକ୍ସରେ ଥିବା ସ୍କେଲ ଭଳି କି ? ମା’ ଚାରି ଆଙ୍ଗୁଳି କହିବାର ଅର୍ଥ କ’ଣ ଥିଲା ?
ଉ. ଧାତବ ମାପଦଣ୍ଡ ଓ ମାପଫିତା ବଡ଼ ଭଉଣୀଙ୍କ ଜ୍ୟାମିତି ବାକ୍ସରେ ଥିବା ସ୍କେଲପରି ହୋଇନଥାଏ । ପୂର୍ବେ ଦୀପାର ମାଆ ହାତ ଆଙ୍ଗୁଳି ବ୍ୟବହାର କରି କପଡ଼ା ମାପୁଥିଲେ। ତେଣୁ ସେ ଏକଥା କହିଲେ ।

ଦୀପା ତା’ ସ୍କୁଲ ସାଙ୍ଗ ଅନୀଶ, ହରଦୀପ, ପଦ୍ମା, ତସନିମଙ୍କ ସହ ନିଜର ଅନୁଭୂତି ବର୍ଣ୍ଣନା କଲାପରେ ଏହା ସେମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି ।

![]()
ଆମେ କିପରି ମାପ କରୁ ଓ ମାପିବାର ଆବଶ୍ୟକତା
- ଦୀପାର ମାଆ କପଡ଼ା ଦୋକାନରୁ ଦୁଇ ମିଟର କପଡ଼ା ମାଗିଲେ । ଦୋକାନୀ ଧାତବ ମାପଦଣ୍ଡ ସାହାଯ୍ୟରେ କପଡ଼ା ଦୁଇ ମିଟର ମାପ କଲେ ।
- ଦୀପାର ମା’ ଦର୍ଜିକୁ ୟୁନିଫର୍ମର ଲମ୍ବ ଚାରି ଆଙ୍ଗୁଳି ବଢ଼ାଇବାକୁ କହିଲେ । କାରଣ ଦୀପାର ଜେଜେମା’ ହାତର ଲମ୍ବଦ୍ଵାରା କପଡ଼ା ମାପ କରୁଥିଲେ ।
- କୃଷକ ଜମିକୁ ପଟାଳି ପାଇଁ ପାହୁଣ୍ଡରେ ମାପ କରନ୍ତି । ଏହାସହ ଶରୀରର ଅଙ୍ଗ ବ୍ୟବହାର କରି ଦୈର୍ଘ୍ୟ ମାପ କରୁଥିଲେ ।
- ଲୋକମାନେ ହାତର ଚାଖଣ୍ଡ ବ୍ୟବହାର ମାପ କରୁଥିଲେ ।
- ଦୈନନ୍ଦିନ ଜୀବନରେ ବିଭିନ୍ନ ଆବଶ୍ୟକତାର ପୂରଣ ପାଇଁ ବିଭିନ୍ନ ପଦାର୍ଥ ଓ ବସ୍ତର ମାପ କରିବା ଆବଶ୍ୟକ ପଡ଼ିଥାଏ ।

- ଆମ ଦେଶର ଲୋକମାନେ ପୂର୍ବକାଳରେ ପାଦର ଦୈର୍ଘ୍ୟ, ଚାଖଣ୍ଡ (ହାତର ଆଙ୍ଗୁଳି), ହାତର ଦୈର୍ଘ୍ୟ ଓ ମୁଠାକୁ ଦୂରତା ମାପିବାର ଏକକ ରୂପେ ବ୍ୟବହାର କରୁଥିଲେ । ସିନ୍ଧୁ ସଭ୍ୟତାର ଲୋକମାନେ ମଧ୍ୟ ଏପରି ମାପନ ପ୍ରଣାଳୀ ବ୍ୟବହାର କରୁଥିଲେ ।
- ଗୋଟିଏ ବସ୍ତର ଦୁଇବିନ୍ଦୁ ମଧ୍ୟରେ ଥିବା ଦୂରତାକୁ ଦୈର୍ଘ୍ୟ କୁହାଯାଏ ।
- ମାପନ ହେଉଛି ଗୋଟିଏ ଜଣାଥିବା ରାଶି ସହ ଅନ୍ୟ ଅଜଣା ରାଶିର ତୁଳନା କରିବା । ଏହି ଜଣାଥୁବା ରାଶିକୁ ଏକକ ରୂପେ ନିଆଯାଏ ।
- ପାଞ୍ଚଜଣ ସାଙ୍ଗ ସେମାନଙ୍କ ଆଙ୍ଗୁଳି ସାହାଯ୍ୟରେ ଟେବୁଲର ଦୈର୍ଘ୍ୟ ମାପି ନିମ୍ନ ସାରଣୀରେ ପୂରଣ କରିବାରୁ ଦେଖାଗଲା ଯେ ସମସ୍ତଙ୍କ ଚାଖଣ୍ଡ ସଂଖ୍ୟା ଅଲଗା ଅଲଗା ଅଟେ ।
ସାରଣୀ–୧ : ଟେବୁଲର ଦୈର୍ଘ୍ୟ ମାପିବା
| ଶିକ୍ଷାର୍ଥୀଙ୍କ ନାମ | ଚାଖଣ୍ଡ ସଂଖ୍ୟା |
| ଅନୀଶ | 13 ରୁ ସାମାନ୍ୟ ଅଧିକ |
| ପଦ୍ମା | 13 ଚାଖଣ୍ଡ |
| ତସନିମ୍ବ | 13 ରୁ ସାମାନ୍ୟ କମ୍ |
| ଦୀପା | 13 ରୁ 14 ମଧ୍ୟରେ |
| ହରଦୀପ | 14 ଚାଖଣ୍ଡ |
ସିଦ୍ଧାନ୍ତ : ସେମାନଙ୍କର ଚାଖଣ୍ଡର ଲମ୍ବ ଅଲଗା ଅଲଗା ଅଟେ । ଏହି ଅସୁବିଧାକୁ ଦୂର କରିବା ପାଇଁ ଲୋକମାନେ ସ୍କେଲ ଓ ମାପ ଫିତା ବ୍ୟବହାର କରିଥା’ନ୍ତି ।
![]()
ଦୈର୍ଘ୍ୟକୁ ଦୁଇଟି ଭାଗରେ ପ୍ରକାଶ କରାଯାଏ, ଯଥା – ଗୋଟିଏ ସଂଖ୍ୟା ଏବଂ ଅନ୍ୟଟି ଏକକ । ଉଦାହରଣ ସ୍ଵରୂପ, ଯଦି ଟେବୁଲର ଦୈର୍ଘ୍ୟ 13 ଚାଖଣ୍ଡ ବୋଲି କୁହାଯାଏ, ତେବେ 13 ହେଉଛି ସଂଖ୍ୟା ଓ ‘ଚାଖଣ୍ଡ’ ହେଉଛି ମାପ ପାଇଁ ଚୟନ କରାଯାଇଥିବା ‘ଏକକ’ ଅଟେ ।
ତେବେ ହାତର ଲମ୍ବ, ପାଦ, ମୁଠି କିମ୍ବା ଆଙ୍ଗୁଠି ଭଳି ଚାଖଣ୍ଡ ଏବଂ ଅନ୍ୟାନ୍ୟ ସମାନ ଏକକ ପ୍ରତ୍ୟେକ ବ୍ୟକ୍ତିଙ୍କର ଅନ୍ୟ ବ୍ୟକ୍ତିଠାରୁ ଭିନ୍ନ ହୋଇଥାଏ । ତେଣୁ ଭିନ୍ନ ଭିନ୍ନ ଲୋକଙ୍କଦ୍ଵାରା କରାଯାଇଥିବା ସମାନ ଲମ୍ବର ମାପ ସମାନ ହେବାପାଇଁ ଏକ ନିର୍ଦ୍ଦିଷ୍ଟ ଏକକର ଆବଶ୍ୟକତା ରହିଛି ।
ପ୍ରାଚୀନ କାଳରୁ ଭାରତରେ ମାପ ପ୍ରଣାଳୀର ସମୃଦ୍ଧ ଇତିହାସ ରହିଛି । ଆଙ୍ଗୁଳି (ଆଙ୍ଗୁଳିର ପ୍ରସ୍ଥ), ଅଙ୍ଗୁଳ, ଧନୁସା ଓ ଯୋଜନ, ପ୍ରାଚୀନ ଭାରତୀୟ ସାହିତ୍ୟରେ ଉଲ୍ଲେଖ କରାଯାଇଥିବା କେତେକ ଏକକ । ଏହା କଳାକୃତି, ସ୍ଥାପତ୍ୟ ଏବଂ ନଗର ଯୋଜନା ମାପିବାରେ ବ୍ୟବହୃତ ହେଉଥିଲା । ଆଙ୍ଗୁଳିକୁ ଆଜି ବି ପାରମ୍ପରିକ କାରିଗର ଯଥା କାଠକାରିଗର ଓ ଦର୍ଜିମାନେ ବ୍ୟବହାର କରୁଛନ୍ତି । ହରପ୍ପା ସଭ୍ୟତା ଥିବା ସ୍ଥାନରୁ ଅନେକ ନିର୍ଦ୍ଦିଷ୍ଟ ଚିହ୍ନ ଥିବା ଜିନିଷ ଖୋଲାଯାଇଛି ଯାହା ମାପିବାର ଏକକ ହୋଇପାରେ ।
ମାପର ମାନକ ଏକକ :
ପୃଥିବୀର ବିଭିନ୍ନ ସ୍ଥାନରେ ସମୟ ସହିତ ଅନେକ ଏକକ ପ୍ରଣାଳୀର କ୍ରମବିକାଶ ହୋଇଥିଲା । ତେବେ ଯେତେବେଳେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ଆରମ୍ଭ କଲେ, ସେତେବେଳେ ଏହା ଅନେକ ଦୃନ୍ଦ ସୃଷ୍ଟି କରିଥିଲା ।
ବିଭିନ୍ନ ଦେଶ ଏକାଠି ହୋଇ ଅକ୍ଟୋବର 1960 ମସିହାରେ ଦ୍ଵାଦଶତମ ସାଧାରଣ ଅଧ୍ଵବେଶନରେ ଏକ ମାନକ ମାପକ ଏକକ ଗ୍ରହଣ କରିଥିଲା ।
ବର୍ତ୍ତମାନ ବ୍ୟବହୃତ ଏକକ ବ୍ୟବସ୍ଥାକୁ ‘‘ଇଣ୍ଟରନ୍ୟାସ୍ନାଲ୍ ସିଷ୍ଟମ ଅଫ୍ ୟୁନିଟ୍’’ ବା S.I. ୟୁନିଟ୍ ବୋଲି କୁହାଯାଏ ।
ଦୈର୍ଘ୍ୟର SI ୟୁନିଟ୍ ହେଉଛି ମିଟର । ଏହାର ପ୍ରତୀକ ହେଉଛି ‘m’ । ଏକ ମିଟର (ମି) କୁ 100 ଟି ସମାନ ବିଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗକୁ ଏକ ସେଣ୍ଟିମିଟର (ସେ.ମି.) କୁହାଯାଏ । ତୁମେ ମିଟର ସ୍କେଲର ଏକ ଛୋଟ ଅଂଶ ସହିତ ପରିଚିତ ହୋଇଥବ, ଯାହାକି ସାଧାରଣତଃ 15 ସେ.ମି. ଲମ୍ବା ।
15 ସେଣ୍ଟିମିଟର ସ୍କେଲକୁ ଦେଖିଲେ ଏଥିରେ (ସେ.ମି.ରେ) 0 ରୁ 15 ପର୍ଯ୍ୟନ୍ତ ଚିହ୍ନ ରହିଛି । ଦୁଇଟି ପାଖାପାଖୁ ବଡ଼ ଗାର ଯଥା ‘0’ ରୁ ‘1’ କିମ୍ବା ‘5’ ରୁ ‘6’ ମଧ୍ୟରେ ଦୂରତା 1 ସେ.ମି. । 1 ସେଣ୍ଟିମିଟର ଦୈର୍ଘ୍ୟକୁ 10 ଟି ସମାନ ଭାଗରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ସମାନ ଭାଗର ଦୈର୍ଘ୍ୟକୁ ମିଲିମିଟର (ମି.ମି.) କୁହାଯାଏ ।
1 ମି.ମି. ହେଉଛି ଦୈର୍ଘ୍ୟର ସବୁଠାରୁ ଛୋଟ ମୂଲ୍ୟ ଯାହାକୁ ଏହି ସ୍କେଲ ବ୍ୟବହାର କରି ମାପିପାରିବ । 1 ମିଲିମିଟର, ଏକ ସେଣ୍ଟିମିଟରର ଦଶ ସମାନ ଭାଗରୁ ଏକ ଭାଗ ଅଟେ । (1 ମି. = 0.1 ସେ.ମି.) = ବୃହତ ଦୈର୍ଘ୍ୟ ମାପିବା ପାଇଁ, ଆମେ ଏକ କିଲୋମିଟର (କି.ମି.) ନାମକ ଏକ ବୃହତ୍ ଏକକ ବ୍ୟବହାର କରିଥାଉ, ଯାହା 1000 ମିଟର ସହ ସମାନ ଅଟେ ଏବଂ ଛୋଟ ଦୈର୍ଘ୍ୟ ମାପିବା ପାଇଁ, ଆମେ ସେଣ୍ଟିମିଟର କିମ୍ବା ମିଲିମିଟର ପରି ଏକକ ବ୍ୟବହାର କରିଥାଏ ।

କିଛି ସ୍କେଲର ମାକିଂ ଇଞ୍ଚରେ ଥାଏ; ଯେଉଁଠାରେ 1 ଇଞ୍ଚ = 2.54 ସେ.ମି. ଅଟେ । ପୂର୍ବକାଳରୁ ଲମ୍ବ ମାପିବା ପାଇଁ ଇଞ୍ଚ ଓ ଫୁଟ ଭଳି ଏକକ ବ୍ୟବହାର କରାଯାଉଥିଲା ।
![]()
ଦୈର୍ଘ୍ୟ ମାପିବାର ସଠିକ୍ ଉପାୟ :
- ଯେକୌଣସି ଦୈର୍ଘ୍ୟ ମାପିବା ପାଇଁ, ଆମକୁ ଏକ ଉପଯୁକ୍ତ ସ୍କେଲ ଆବଶ୍ୟକ ହୋଇଥାଏ । ଉଦାହରଣ ସ୍ଵରୂପ, ଯଦି ଏକ ପେନସିଲ୍ର ଲମ୍ବ ମାପିବାକୁ ଚାହିଁବା, ତେବେ 15 ସେ.ମି. ସ୍କେଲ ବ୍ୟବହାର କରିପାରିବା ।
- ସେହିଭଳି ଯଦି କୌଣସି କୋଠରିର ଉଚ୍ଚତା ମାପିବାକୁ ଚାହିଁବା ତେବେ ଏକ ମିଟର ସ୍କେଲ କିମ୍ବା ମାପ ଫିତାର ଆବଶ୍ୟକତା ପଡ଼ିପାରେ ।
- ଗଛର ପରିଧୂ କିମ୍ବା ଛାତିର ଚଉଡ଼ା ମାପ କରିବା ପାଇଁ ଏକ ନମନୀୟ ମାପ ପିତା ବା ଦର୍ଜି ପିତା ଅଧ୍ବକ ଉପଯୁକ୍ତ ଅଟେ ।
ସ୍କେଲ୍ ରଖୁବାର ଠିକ୍ ଉପାୟ କ’ଣ :
ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ସ୍କେଲ୍କୁ ବସ୍ତର ଦୈର୍ଘ୍ୟ ସହିତ ଲଗାଇ ରଖ ।

ଦୈର୍ଘ୍ୟ ମାପିଲାବେଳେ ଚକ୍ଷୁର ଠିକ୍ ଅବସ୍ଥାନ କ’ଣ ?
ଯଦି ଏକ ସ୍କେଲ ସହିତ ସଂଯୁକ୍ତ କରି ଏକ ପେନସିଲ୍ର ଦୈର୍ଘ୍ୟ ମାପିବାକୁ ଚେଷ୍ଟା କରୁଛ, ତେବେ ତୁମ ଆଖର ସ୍ଥିତି ସିଧାସଳଖ ପେନସଲ୍ର ଶୀର୍ଷାଗ୍ରେ ରହିବା ଉଚିତ୍ ।

ଯଦି ସ୍କେଲ ଶେଷ ଅଂଶ ଭାଙ୍ଗି ଯାଇଥିଲେ, ଲମ୍ବ ମାପ :
- ଯଦି ସ୍କେଲର ଶେଷ ଅଂଶ ଭାଙ୍ଗିଯାଏ କିମ୍ବା ଶୂନ୍ୟଚିହ୍ନ ସ୍ପଷ୍ଟ ନ ହୁଏ, ତେବେ ଏପରି ସ୍କେଲର ଅନ୍ୟ କୌଣସି ବଡ଼ଗାର ବ୍ୟବହାର କର, ଯଥା 1.0 ସେମି । ତା’ପରେ ଏହି ଚିହ୍ନର ମାପକୁ ଅନ୍ୟ ମୁଣ୍ଡରେ ଥିବା ମାପରୁ ବାଦ୍ ଦେବାକୁ ପଡ଼ିବ ।
- ଉଦାହରଣ ସ୍ଵରୂପ ଚିତ୍ରରେ ଗୋଟିଏ ପ୍ରାନ୍ତରେ ମାପ 1.0 ସେମି ଏବଂ ଅନ୍ୟ ପ୍ରାନ୍ତରେ 10.4 ସେମି । ତେବେ ବସ୍ତର ଦୈର୍ଘ୍ୟ (10.4 – 1.0) ସେମି = 9.4 ସେମି ହେବ ।
![]()
ସ୍କେଲ ରଖୁବାର ଠିକ୍ ଉପାୟ :

ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଉଠା ଓ ଢିପ ଚିହ୍ନ ଥିବା ସ୍କେଲ ବ୍ୟବହାର କରନ୍ତି ଯାହାକୁ ସ୍ପର୍ଶ କରି ଅନୁଭବ କରାଯାଇପାରିବ ।
କାର୍ଯ୍ୟ–୧ : ଆସ ମାପିବା
- ତୁମ ଆଖପାଖରେ ଥିବା କିଛି ବସ୍ତୁ ଚୟନ କର, ଯେପରିକି ଏକ ପାନିଆ, ଏକ ପେନ୍, ଏକ ପେନ୍ସିଲ୍, ଏବଂ ଏକ ରବର ଯାହାର ଦୈର୍ଘ୍ୟ ମାପ କରିବା ।
- ଏକ ମିଟର ସ୍କେଲ ବ୍ୟବହାର କରି ଏକ ପାନିଆ, ଏକ ପେନ୍ ଏବଂ ଏକ ପେନ୍ସିଲ୍ର ଦୈର୍ଘ୍ୟ ମାପି ନିମ୍ନ ସାରଣୀରେ ଲେଖାଗଲା ।
ସାରଣୀ – 3 : ଦୈର୍ଘ୍ୟ ମାପିବା
| ବସ୍ତ | ବସ୍ତର ଦୈର୍ଘ୍ୟ |
| ପାନି ଆ | 15 ସେ.ମି. |
| ପେନ୍ | 14 ସେ.ମି. |
| ପେନସିଲ୍ | 18 ସେ.ମି. |
କେତେକ ଦୈର୍ଘ୍ୟ ମାପିବା ଉପକରଣ କାହିଁକି ନମନୀୟ ପଦାର୍ଥର ତିଆରି କରାଯାଏ ?
ଉ. ଗୋଲାକାର କିମ୍ବା ବକ୍ର ବସ୍ତୁର ଦୈର୍ଘ୍ୟ ମାପ ସ୍କେଲ୍ କିମ୍ବା ମିଟର ବାଡ଼ିଦ୍ଵାରା କରାଯାଇ ପାରିବ ନାହିଁ । ସେଭଳି ଜିନିଷର ଦୈର୍ଘ୍ୟ ମାପ ପାଇଁ ମାପ ଫିତା ପରି ନମନୀୟ ମାପ ଉପକରଣ ଆବଶ୍ୟକ ହୋଇଥାଏ ।
ଦୈର୍ଘ୍ୟ ଲେଖୁବା ବେଳେ ଏକକ ଲେଖିବାକୁ ଭୁଲିବେ ନାହିଁ । କାରଣ ଯେକୌଣସି ଦୈର୍ଘ୍ୟର ମାପ ଦୁଇଟି ଅଂଶକୁ ନେଇ ଗଠିତ । ଗୋଟିଏ ଅଂଶ ହେଉଛି ଏକ ସଂଖ୍ୟା ଓ ଅନ୍ୟ ଅଂଶ ହେଉଛି ମାପର ଏକକ ।
![]()
କିଲୋମିଟର, ମିଟର, ସେଣ୍ଟିମିଟର ଏବଂ ମିଲିମିଟର ଭଳି ଦୈର୍ଘ୍ୟର ଏକକ କିମି, ମି, ସେମି ଏବଂ ମିମି ପ୍ରତୀକରେ ଲେଖାଯାଇଥାଏ । ଏକକ ଲେଖିବା ପରେ ଏକ ବିନ୍ଦୁ ଦିଆଯାଏ ନାହିଁ, କେବଳ ଏକ ବାକ୍ୟ ଶେଷରେ ବିନ୍ଦୁ ରହେ । ଦୈର୍ଘ୍ୟ ଲେଖୁବା ସମୟରେ, ସର୍ବଦା ସଂଖ୍ୟା ଏବଂ ଏକକ ମଧ୍ୟରେ ଏକ ବ୍ୟବଧାନ ରହିବା ଉଚିତ ।
ଏକ ବକ୍ରରେଖା କ୍ଷେତ୍ରରେ ଏକ ନମନୀୟ ମାପକ ଫିତା କିମ୍ବା ସୂତା ବ୍ୟବହାର କରି ମାପ କରାଯାଇପାରେ ।
ଏକ ବକ୍ର ରେଖାର ଦୈର୍ଘ୍ୟ ମାପନ
- ଅନୀଶ ଏବଂ ତାଙ୍କ ପିତାମାତା ଘରେ ଏକ ଉତ୍ସବ ପାଳନ ପାଇଁ ଚିତ୍ରରେ ଦର୍ଶାଯାଇଥିବା ପରି ଘର ବାରଣ୍ଡାର ସ୍ଫଟିକରେ ଲିଚୁ ଲାଇଟ୍ ଲଗାଇଥିଲେ । ସେମାନେ ଲିଚୁ ଲଇଟ୍ର ଆବଶ୍ୟକ ଲମ୍ବକୁ କପରି ମାପି ଥବେ ?
- ଏକ ବକ୍ର ରେଖା କ୍ଷେତ୍ରରେ, ଏକ ନମନୀୟ ମାପକ ଫିତ। ସାହାଯ୍ୟରେ କିମ୍ବା ଚିତ୍ରରେ ଦର୍ଶାଯାଇଥିବା ଏକ ସୂତା ବ୍ୟବହାର କରି ମାପ କରାଯାଇପାରେ ।
- ଏହାପରେ ସୂତାକୁ ସିଧା କରାଯାଇପାରିବ ଏବଂ ଏକ ମିଟର ସ୍କେଲ ବ୍ୟବହାର କରି ଏହାର ଲମ୍ବ ମାପ କରାଯାଇପାରିବ ।

ଅବସ୍ଥିତି ବର୍ଣ୍ଣନା କରିବା
ଦିନେ ଶିକ୍ଷୟିତ୍ରୀ ତାଙ୍କ ଶିକ୍ଷାର୍ଥୀମାନଙ୍କୁ ଜଣାଇଲେ ଯେ ସେ ନିକଟସ୍ଥ ଏକ ବଗିଚାକୁ ଶୈକ୍ଷିକ ପରିଦର୍ଶନ କରିବାକୁ ଯୋଜନା କରିଛନ୍ତି । ସକାଳେ ସିଧାସଳଖ ସେଠାରେ ପହଞ୍ଚିବାକୁ ସେ ଶିକ୍ଷାର୍ଥୀମାନଙ୍କୁ କହିଲେ । ଦୀପା ଏବଂ ତାଙ୍କ ସାଙ୍ଗମାନେ ଆଲୋଚନା କରିବା ଆରମ୍ଭ କରିଲେ ଯେ ବଗିଚା ସେମାନଙ୍କ ବିଦ୍ୟାଳୟଠାରୁ ଅଧୂକ ନିକଟତର କିମ୍ବା ଦୂର ହେବ । ତସନିମ୍ ଏବଂ ପଦ୍ମା କହିଲେ ଯେ ବଗିଚା ନିକଟତର ହେବ, ଦୀପା ଏବଂ ଅନୀଶ ଅନୁମାନ କଲେ ଯେ, ବିଦ୍ୟାଳୟ ନିକଟତର ହେବ । ହରଦୀପ ଚିନ୍ତାକଲା ଦୁଇଟିଯାକ ପ୍ରାୟ ସମାନ ଦୂରତାରେ ରହିବେ ।

ତୁମେ ଭାବୁଛ କିଏ ଠିକ୍ ? ସମସ୍ତେ ଠିକ୍ ଅଛନ୍ତି । ତା’ହେଲେ ସେମାନଙ୍କର ପର୍ଯ୍ୟବେକ୍ଷଣ କାହିଁକି ଅଲଗା ? ସେମାନେ ନିଜ ନିଜ ଘରୁ ସ୍କୁଲ ଓ ବଗିଚାରେ ଦୂରତା ସ୍ଥିର କରୁଛନ୍ତି । ଏହା ବଦଳରେ ଯଦି ସେମାନଙ୍କ ମଧ୍ୟରୁ ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଯଥା- ବସ୍ଷ୍ଟାଣ୍ଡରୁ ଦୂରତା ବିଷୟରେ ଭାବିଥାନ୍ତେ, ତେବେ ସେମାନଙ୍କର ପର୍ଯ୍ୟବେକ୍ଷଣ ସମାନ ହୋଇଥା’ନ୍ତା ।
![]()
ସୂଚକ ବିନ୍ଦୁ କ’ଣ ? : ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ବା ବିନ୍ଦୁକୁ ଆଧାର କରି ଦୂରତା ମପାଯାଏ, ସେତେବେଳେ ସେହି ବିନ୍ଦୁକୁ ‘ରେଖରେନ୍ସ ପଏଣ୍ଟ ବା ସୂଚକ ବିନ୍ଦୁ’’ ବୁହାଯାଏ ।
କିଛି ଦିନ ପରେ ହରଦୀପ ଉତ୍ସାହିତ ହୋଇ ତା’ ସାଙ୍ଗମାନଙ୍କୁ କହିଲା, ‘ଆସ ସମସ୍ତେ ଖେଳ ପଡ଼ିଆକୁ ଯିବା । କ୍ରୀଡ଼ା ଦିବସରେ କବାଡ଼ି କୋର୍ଟ କରିବା ପାଇଁ ଚୁନ ପାଉଡ଼ରଦ୍ଵାରା ଗାର ଟାଣି ତାଙ୍କୁ ସାହାଯ୍ୟ କରିବାକୁ କ୍ରୀଡ଼ା ଶିକ୍ଷୟିତ୍ରୀ ଚାହୁଁଛନ୍ତି ।
ପଦ୍ମା : ‘‘ଆମକୁ ଏକ ଲମ୍ବା ମାପକ ଫିତା ଆବଶ୍ୟକ ହେବ । ଆସ ଏହାକୁ କ୍ରୀଡ଼ା କକ୍ଷରୁ ନେବା ।
ଦୀପା : ‘ଆସ ପ୍ରଥମେ ସେହି ଭୂମିରେ ଆଧାର ବିନ୍ଦୁ ନିର୍ଦ୍ଧାରଣ କରିବା ଯେଉଁଠାରୁ ଆମେ ଦୂରତା ମାପିବା ପାଇଁ ରେଖା ଆଙ୍କିବା ଆରମ୍ଭ କରିବା । ଆସ ଏହାକୁ ଆମର ରେଫରେନ୍ସ ପଏଣ୍ଟ ବା ସୂଚକ ବିନ୍ଦୁ କହିବା ।


ଗତିଶୀଳ ବସ୍ତୁ
କାର୍ଯ୍ୟ–୨ : ଆସ ଖୋଜିବା
- ନିଜ ଚାରିପାଖରେ ଥିବା ଚାରୋଟି ଗତିଶୀଳ ବସ୍ତୁ ଏବଂ ସ୍ଥିର ବସ୍ତୁର ତାଲିକା କର ।
- ସାରଣୀରେ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ ରଖ ।
- ତୁମେ କିପରି ସ୍ଥିର କଲେ ଯେ କୌଣସି ବସ୍ତୁ ଗତିଶୀଳ ଅଛି ନା ସ୍ଥିର ଅଛି, ସେ ବିଷୟରେ ଚିନ୍ତା କର ଓ ସାରଣୀରେ ଉତ୍ତରର ଯଥାର୍ଥତା ଲେଖ ।
ସାରଣୀ ୩ : ତୁମର ଆଖପାଖରେ ଥିବା ଜିନିଷଗୁଡ଼ିକ ନିରୀକ୍ଷଣ କର
| ଗତିଶୀଳ ବସ୍ତ | ଯଥାର୍ଥତା | ସ୍ଥିର ଥବା ବସ୍ତ | ଯଥାର୍ଥତା |
| ପଡ଼ିଆରେ ଗାଈ ଚରୁଛନ୍ତି | ଗାଈମାନେ ଘାସ ଚରିବାବେଳେ ସ୍ଥାନ ବଦଳାଉଛନ୍ତି । | ଗଛ | ଗୋଟିଏ ସ୍ଥାନରେ ସ୍ଥିର ଅଛି |
| ଘୂରୁଥିବା ପଙ୍ଖା | ବୃତ୍ତାକାର ଗତି ପଙ୍ଖାର ବ୍ଲେଡ଼– ଗୁଡ଼ିକ ଘୂରୁଛି | ଶ୍ରେଣୀଗୃହରେ ଥିବା ଟେବୁଲ | ଟେବୁଲ ଗୋଟିଏ ସ୍ଥାନରେ ସ୍ଥିର ଥାଏ |
| ରାସ୍ତାରେ ଯାଉଥିବା କାର୍ | କାର୍ଟି ପ୍ରତି ମୁହୂର୍ତ୍ତରେ ନିଜର ଅବସ୍ଥାନ ବଦଳାଉଛି | ବତୀଖୁଣ୍ଟରେ ଲାଗିଥିବା ବତୀ | ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଝୁଲୁଅଛି |
| କାନ୍ଥ ଘଣ୍ଟାରେ କଣ୍ଟା | କଣ୍ଟାଟି ବୃତ୍ତାକାର ଗତିରେ ଘୂରୁଥାଏ | ବସାରେ ଶୋଇଥିବା ଚଢ଼େଇ | ଚଢ଼େଇଟିର ସ୍ଥାନ ପରିବର୍ତ୍ତନ ହେଉନାହିଁ |
| ଗଛରୁ ପଡୁଥିବା ଫଳ | ଫଳଟି ଭୂମି ଦିଗରେ ଗତି କରୁଛି | କାନ୍ଥରେ ଦିଆ- ଯାଇଥିବା ରଙ୍ଗ | କାନ୍ଥର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଗିକରି ଅଛି |
| ଦୋଳିରେ ଝୁଲୁଥିବା ପିଲା | ପିଲାଟି ଆଗକୁ ଓ ପଛକୁ ଗତି କରୁଛି | ଶିକ୍ଷକ ବସୁଥିବା ଚୌକି | ଚୌକିଟି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଏ |
![]()
- ଯଦି କୌଣସି ବସ୍ତର ସ୍ଥିତି, ସୂଚକ ବିନ୍ଦୁଠାରୁ ସମୟ ସହିତ ବଦଳିଥାଏ, ତେବେ ତାହା ଗତିଶୀଳ ବୋଲି କୁହାଯାଏ ।
- ଯଦି କୌଣସି ବସ୍ତୁର ଅବସ୍ଥାନ, ସୂଚକ ବିନ୍ଦୁଠାରୁ ସମୟ ସହିତ ବଦଳିଥାଏ, ତେବେ ତାହା ସ୍ଥିର ବସ୍ତୁ ବୋଲି ଧରାଯାଏ ।
ଦୀପା ବସରେ ତା’ ଚାରିପଟେ ଚାହିଁ ଦେଖୁ ଯେ, ସମସ୍ତ ଯାତ୍ରୀ ବସିଛନ୍ତି । ଏକ ମିନିଟ୍ ପରେ ସେ ପୁଣି ଚାରିଆଡ଼େ ଚାହିଁଲା ଏବଂ ଦେଖିଲା ଯେ, ସେମାନେ ଏବେ ବି ସେମାନଙ୍କ ସିଟ୍ରେ ବସିଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘ସେମାନେ ଗତି କରୁଛନ୍ତି କି ?’ ସମୟ କ୍ରମେ ଯାତ୍ରୀଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ ବୋଲି ସେ ଭାବିଲା । ତେଣୁ ସେମାନେ ସ୍ଥିର ବୋଲି ସେ ନିଶ୍ଚିତ ହେଲା । କିନ୍ତୁ ଯେତେବେଳେ ସେ ବାହାରକୁ ଚାହିଁଲା, ସେ ଅନୁଭବ କଲା ସେମାନେ ଗତିଶୀଳ ଅଛନ୍ତି କାରଣ ବାହାର ଜିନିଷ ଆଧାରରେ ସେମାନଙ୍କର ସ୍ଥିତି ବଦଳୁଛି । କୌଣସି ବସ୍ତୁ ସ୍ଥିର ବା ଗତିଶୀଳ ଅଛି ତାହା ନିର୍ଣ୍ଣୟ କରିବାରେ ରେଫରେନ୍ସ ପଏଣ୍ଟ ଗୁରୁତ୍ଵପୂର୍ଣ୍ଣ ଅଟେ । ଯଦି ଦୀପା ନିଜକୁ (କିମ୍ବା ବସକୁ) ରେଫରେନ୍ସ ପଏଣ୍ଟ ଭାବରେ ବିବେଚନା କରେ, ତେବେ ବରଯାତ୍ରୀମାନେ ସ୍ଥିର । ଯଦି ସେ ବସ୍ ବାହାରେ କୌଣସି ଜିନିଷକୁ (କୋଠା ଆଦି) ରେଫରେନ୍ସ ପଏଣ୍ଟ ଭାବରେ ବିବେଚନା କରେ, ତେବେ ଯାତ୍ରୀମାନେ (ଏବଂ ବସ୍) ଗତିଶୀଳ ଥିଲେ ।
ମନେକର ଶାନ୍ତ ସମୁଦ୍ରରେ ତୁମେ ଏକ ଜାହାଜରେ ଯାତ୍ରା କରୁଛ । ଜାହାଜଟି ଏକ ସରଳ ରେଖାରେ ନିର୍ଦ୍ଦିଷ୍ଟ ବେଗରେ ଗତି କରୁଛି ଏବଂ ସେଥ୍ରେ କୌଣସି ଝରକା ନାହିଁ । ଜାହାଜଟି ଚାଲୁଛି ବା ସ୍ଥିର ଅଛି ତାହା ଜାଣିବା ପାଇଁ କିଛି ଉପାୟ ଅଛି କି ?
ଉ. ଜାହାଜଟିର ଗତି କରିବା କିମ୍ବା ଦ୍ରୁତ ହେବା କିମ୍ବା କୌଣସିଠାରେ ଗତିପଥ ପରିବର୍ତ୍ତନ କରି ବୁଲିବାର ଅନୁଭବରୁ ଆମେ ଜାଣିପାରିବା ଯେ ଜାହାଜଟି ଗତି କରୁଛି ।
ଗତିର ପ୍ରକାର
କାର୍ଯ୍ୟ-୩ : ଆସ ଖୋଜିବା
ଏକ ରବର ନେଇ ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଛାଡ଼ି ଦିଆଯାଉ ।
ଏହାର ଗତିକୁ ନିରୀକ୍ଷଣ କରାଯାଉ ।
ଏହା ଏକ ସରଳରେଖାରେ ଗତି କରେ କି ? ଗଛରୁ କମଳାଟିଏ ପଡ଼ିଲେ ତାହା ସରଳରେଖାରେ ଗତି କରେ କି ? ତୁମେ ଗଣତନ୍ତ୍ର ଦିବସରେ ପ୍ୟାରେଡ଼ ହେଉଥିବାର ଦେଖୁଛ କି ? ପ୍ୟାରେଡ଼ ସମୟରେ ଶିକ୍ଷାର୍ଥୀଙ୍କ ଧାଡ଼ିରେ ଚାଲିବା କଥା ମନେ ପକାଅ । ସେମାନେ ସରଳରେଖାରେ ଗତି କରୁଛନ୍ତି କି ? ଯେତେବେଳେ ଏକ ଓଜନିଆ ବାକ୍ସକୁ ଠେଲି ଦିଆଯାଏ, ଏହା ଏକ ସିଧା ରେଖାରେ ମଧ୍ୟ ଗତି କରିପାରେ ।
![]()
ଗତିର ପ୍ରକାରଭେଦ :
ଗତି ବିଭିନ୍ନ ପ୍ରକାରର ଯଥା : (a) ସରଳରୈଖ୍ୟକ ଗତି, (b) ବୃତ୍ତୀୟ ଗତି, (c) ଦୋଳନ ଗତି ।
ସରଳରେଖ୍ୟ ଗତି
ଯେତେବେଳେ କୌଣସି ବସ୍ତ୍ର ଏକ ସରଳରେଖାରେ ଗତି କରେ, ସେତେବେଳେ ଏହାର ଗତିକୁ ସରଳରେଖ୍କ ଗତି କୁହାଯାଏ ।

ଉଦାହରଣ : ଗଛରୁ ଫଳ ପଡ଼ିବା, ବାକ୍ସକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଠେଲିବା, ଟେକା ବା ରବରକୁ ହାତରେ ଧରି ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଛାଡ଼ି ବା, ପ୍ୟାରେ ଡ଼ ସମୟରେ ଶିକ୍ଷାର୍ଥୀମାନେ ଧାଡ଼ିରେ ଚାଲିବା ଇତ୍ୟାଦି ।
![]()
କାର୍ଯ୍ୟ–୪ : ଆସ ଅନୁସନ୍ଧାନ କରିବା
- ଏକ ସୂତାରେ ଗୋଟିଏ ମୁଣ୍ଡରେ ଏକ ରବର (କିମ୍ବା ଆଳୁ) ବାନ୍ଧାଯାଉ ।
- ସୂତାର ଅନ୍ୟ ପ୍ରାନ୍ତକୁ ହାତରେ ଧରି ଘୂରାଯାଉ ।
- ଏହାର ଗତିକୁ ନିରୀକ୍ଷଣ କରାଯାଉ ।
- ରବରର ଗତି କ’ଣ ଏକ ରାମଦୋଳିର ଗତି ଭଳି କି ?
ବୃତ୍ତୀୟ ଗତି
ଯେତେବେଳେ କୌଣସି ବସ୍ତୁ ଗୋଲାକାର ପଥରେ ଗତିକରେ, ସେତେବେଳେ ଏହାର ଗତିକୁ ବୃତ୍ତୀୟ ଗତି କୁହାଯାଏ । ଉଦାହରଣ : ସୂତାରେ ରବର ବାନ୍ଧି, ଅନ୍ୟ ପ୍ରାନ୍ତ କୁ ହାତରେ ଧରି ଘୂରାଇବା, ରାମଦୋଳିରେ ଖେଳି ବା, ଘଣ୍ଟାରେ ଘଣ୍ଟାକଣ୍ଟା, ମିନିଟ୍ କଣ୍ଟା, ସେକେଣ୍ଡ କଣ୍ଟାର ଘୂରିବା, ବିଦ୍ୟୁତ୍ ପଙ୍ଖା ଘୂରିବା ଇତ୍ୟାଦି ।

![]()
କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା
- ଏକ ସୂତାର ଗୋଟିଏ ମୁଣ୍ଡରେ ଏକ ରବର (କିମ୍ବା ଆଳୁ) ବାନ୍ଧାଯାଉ ।
- ସୂତାର ଅନ୍ୟ ପ୍ରାନ୍ତକୁ ଧରି ରବରକୁ ଝୁଲାଯାଉ । ହାତକୁ ସ୍ଥିର ରଖାଯାଉ ।
- ଅନ୍ୟ ହାତରେ ବ୍ୟବହାର କରି, ରବରକୁ ଗୋଟିଏ ପାର୍ଶ୍ଵକୁ ନେଇ ସାମାନ୍ୟ ଦୂରତାକୁ ଛାଡ଼ି ଦିଆଯାଉ । ଏହା ଆଗକୁ ଗଛକୁ ଯିବା ଆରମ୍ଭ କରେ କି ? ଏହାର ଗତି ଏକ ଦୋଳିର ଗତି ସହିତ ସମାନ କି ?
ଦୋଳନ ଗତି
ଯେତେବେଳେ କୌଣସି ବସ୍ତୁ କିଛି ନିର୍ଦ୍ଦିଷ୍ଟ ସ୍ଥିତିରୁ ଆଗକୁ–ପଛକୁ ଗତିକରେ, ସେତେବେଳେ ଏହାର ଗତିକୁ ଦୋଳନ ଗତି କୁହାଯାଏ ।
ଉଦାହରଣ : ପେଣ୍ଡୁଲମ ଘଡ଼ିର ଦୋଳନ, ସିଲେଇ ମେସିନ୍ରେ ଥିବା ଛୁଞ୍ଚିର ଗତି, ରଜରେ ପିଲାମାନେ ଖେଳୁଥିବା ଦୋଳିର ଗତି ଇତ୍ୟାଦି ।

କାର୍ଯ୍ୟ – ୬ : ଆସ ଅନୁସନ୍ଧାନ କରିବା
- ପାଖାପାଖୁ 50 ସେଣ୍ଟିମିଟର ଲମ୍ବର ଏକ ପତଳା ଧାତବ ପାତ ନିଆଯାଉ ।
- ଏହାର ଗୋଟିଏ ମୁଣ୍ଡକୁ ଏକ ଟେବୁଲ ଉପରେ ଚାପି ରଖୁ ଏହାକୁ ଧରି ରଖୁବା ପାଇଁ କିଛି ପୁସ୍ତକ କିମ୍ବା ଇଟାର ବ୍ୟବହାର କରାଯାଉ ।
- ପାତର ମୁକ୍ତ ପ୍ରାନ୍ତକୁ ସାମାନ୍ୟ ଦବାଇ ଛାଡ଼ି ଦିଆଯାଉ ।
- ଏବେ ଏହାର ଗତିକୁ ନିରୀକ୍ଷଣ କରାଯାଉ ।
- ଏହା ଉପରକୁ ଓ ତଳକୁ ଗତି କରୁଛି କି ? ଏହା ମଧ୍ୟ ଦୋଳନ ଗତିର ଅନ୍ୟ ଏକ ଉଦାହରଣ ।
ସମୟାନୁକ୍ରମିକ ଗତି
ଯଦି କୌଣସି ବସ୍ତୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ପରେ ତା’ର ପଥ ପୁନରାବୃତ୍ତି କରେ, ତେବେ ତା’ର ଗତିକୁ ସମୟାନୁକ୍ରମିକ ଗତି ବୋଲି କୁହାଯାଏ । ଯେତେବେଳେ କୌଣସି ବସ୍ତୁ ବୃତ୍ତାକାର ପଥରେ ଗତି କରେ, ତାହା ବାରମ୍ବାର ବୃତ୍ତାକାର ପଥରେ ଗତି କରିଥାଏ । ଦୋଳନ ଗତିରେ ଥିବା ଏକ ବସ୍ତୁ ମଧ୍ଯ ଯିବା ଆସିବା ସମୟରେ ଏହାର ଗତିକୁ ପୁନରାବୃତ୍ତି କରିଥାଏ । ଉଭୟ ବୃତ୍ତୀୟ ଏବଂ ଦୋଳନ ଗତି ସମୟାନୁକ୍ରମିକ ଗତି ଅଟନ୍ତି ।
![]()
କାର୍ଯ୍ୟ – ୭ : ଆସ ଚିହ୍ନଟ କରିବା
ଚିତ୍ରରେ ଶିଶୁ ଉଦ୍ୟାନକୁ ଦେଖ ।
ବିଭିନ୍ନ ପ୍ରକାର ଗତିକୁ ନିରୀକ୍ଷଣ କର । ସେଗୁଡ଼ିକୁ ସରଳରେଖକ, ବୃତ୍ତୀୟ କିମ୍ବା ଦୋଳନ ଗତି ଭାବରେ ଶ୍ରେଣୀଭୁକ୍ତ କର ।

ପିଲାମାନେ ଖେଳୁଥିବା ବିଭିନ୍ନ ଖେଳ, କେଉଁ ପ୍ରକାରର ଗତି ତାହା ଅନୁଧ୍ୟାନ କରି ନିମ୍ନ ସାରଣୀରେ ପୂରଣ କରାଗଲା ।
ସାରଣୀ – ୪ : ଗତିର ପ୍ରକାର
| ବିଭିନ୍ନ ଖେଳ | ସରଳରେଖ୍ୟ ଗତି | ବୃତ୍ତୀୟ ଗତି | ଦୋଳନ ଗତି | ଯଥାର୍ଥତା |
| ଦୋଳି | ହଁ | ଆଗପଛ ଗତି | ||
| ସ୍ଲାଇଡ଼ | ହଁ | ଏକ ସରଳରେଖାରେ ତଳକୁ ଖସିଥାଏ | ||
| କାଠଯୋଡ଼ି (ଉପର-ତଳ) ଖେଳ | ହଁ | ଉପର ତଳ ଗତି |
![]()
ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ଦୈର୍ଘ୍ୟ
୨. ଦୂରତା
୩. ବିଭାଗୀକରଣ
୪. କିଲୋମିଟର
୫. ମିଲିମିଟର
୬. ଚିହ୍ନଟୀକରଣ
୭. ଗତି
୮. ସରଳରେଖୀୟ ଗତି
୯. ଅନୁସନ୍ଧାନ
୧୦. ବୃତ୍ତୀୟ ଗତି
୧୧. ଦୋଳନ ଗତି
୧୨. ଯଥାର୍ଥତା
୧୩. ରେଫରେନ୍ସ ପଏଣ୍ଟ/ସୂଚକ ବିନ୍ଦୁ
୧୪. ସମୟାନୁକ୍ରମିକ ଗତି
୧୫. ନିରୀକ୍ଷଣ
୧୬. ଦୈର୍ଘ୍ୟର SI ଏକକ
![]()
ବିଷୟବସ୍ତୁର ସାରାଂଶ :
- ଇଣ୍ଟରନ୍ୟାସନାଲ ସିଷ୍ଟମ୍ ଅଫ୍ ୟୁନିଟ୍ (SI Unit) କୁ ବିଭିନ୍ନ ଦେଶ ମାନକମାପକ ଏକକ ଭାବେ ଗ୍ରହଣ କରିଛନ୍ତି ।
- ଦୈର୍ଘ୍ୟର SI ଏକକ ହେଉଛି ମିଟର । ଏହାର ପ୍ରତୀକ ହେଉଛି ‘m’ ବା ମି ।
- 1 କି.ମି = 1000 ମିଟର, 1 ମିଟର = 100 ସେଣ୍ଟିମିଟର, 1 ସେଣ୍ଟିମିଟର = 10 ମିଲିମିଟର ।
- ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ଦୂରତା ବିଷୟରେ କୁହାଯାଏ, ସେତେବେଳେ ଏହି ବିନ୍ଦୁକୁ ରେଫେରେନ୍ସ ପଏଣ୍ଟ ବା ସୂଚକ ବିନ୍ଦୁ କୁହାଯାଏ ।
- ଯଦି କୌଣସି ବସ୍ତୁର ଅବସ୍ଥିତି ସମୟ ସହିତ ରେଫରେନ୍ସ ପଏଣ୍ଟଠାରୁ ବଦଳିଯାଏ ତେବେ ତାହା ଗତିଶୀଳ ବୋଲି କୁହାଯାଏ ।
- ଯେତେବେଳେ କୌଣସି ବସ୍ତ୍ର ଏକ ସରଳ ରେଖାରେ ଗତି କରେ, ସେତେବେଳେ ଏହାର ଗତିକୁ ରେଖୀୟ ଗତି ବା ସରଳ ରୈଖ୍ୟକ ଗତି କୁହାଯାଏ ।
- ଯେତେବେଳେ କୌଣସି ବସ୍ତ୍ର ଗୋଲାକାର ପଥରେ ଗତି କରେ, ସେତେବେଳେ ଏହାର ଗତିକୁ ବୃତ୍ତୀୟ ଗତି କୁହାଯାଏ ।
- ଯେତେବେଳେ କୌଣସି ବସ୍ତୁ କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ଆଗକୁ–ପଛକୁ ଗତି କରେ, ସେତେବେଳେ ଏହାର ଗତିକୁ ଦୋଳନ ଗତି କୁହାଯାଏ ।